ପୁରୀ : ଶ୍ରୀମନ୍ଦିରର ସିଂହଦ୍ଵାରର ନୂତନ ରୂପାଦ୍ବାର ସ୍ଥାପନ କରାଯିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନ ଯାତ୍ରାରେ ବାହାରିବା ପରେ କାମ ଆରମ୍ଭ ହେବ। ସେହି ନିଷ୍ପତ୍ତି ଅନୁସାରେ ସିଂହଦ୍ବାରରେ କାମ ଆରମ୍ଭ ହୋଇଛି। ପ୍ରଥମେ ପ୍ଲାଇରେ ନିର୍ମିତ ଅସ୍ଥାୟୀ ସିଂହଦ୍ୱାର ତିଆରି କରାଯାଉଛି। ଏହାପରେ ସିଂହଦ୍ବାରରେ ଥିବା ପିତ୍ତଳ ଦ୍ବାରକୁ ଖୋଲାଯିବ। ତାପରେ ନୂଆକରି ନିର୍ମିତ ରୂପା ଦ୍ବାରା ଲଗାଯିବ। ମୁମ୍ବାଇର ଜଣେ ଦାତା ରୂପା ପ୍ରଦାନ କରିଛନ୍ତି। ସେଥିରେ ବର୍ମାଟିକ କାଠରେ ନୂତନ ଦ୍ବାରା ନିର୍ମାଣ କରାଯାଇଛି ଯାହାକୁ ଲଗାଯିବ। ପୂର୍ବରୁ ସାତପାହାଚ, ଜୟବିଜୟ ଦ୍ବାର, କଳାହାଟ ଦ୍ବାର, ବେହରଣ ଦ୍ଵାର, ଭୋଗମଣ୍ଡପ ଦ୍ବାରା ଆଦି ଦ୍ବାରାକୁ ଉତ୍କଳୀୟ ଢାଞ୍ଚାରେ ରୂପା ଦ୍ବାରା କରାଯାଇଛି। ଏହାସହ ଗର୍ଭଗୃହର ମଧ୍ୟ ଯାଞ୍ଚ ହେବ । ମହାପ୍ରଭୁଙ୍କ ଏହି ଯାତ୍ରା ସମୟରେ ଗର୍ଭଗୃହ ଯାଞ୍ଚ କରାଯାଏ । ଏଏସଆଇର ବୈଷୟିକ କୋର୍ କମିଟି ଓ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ମିଳିତ ଭାବେ ଯାଞ୍ଚ କରିବେ ।
କେନ୍ଦୁଝର କିରିବୁରୁ ଅଞ୍ଚଳରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଲେଣି ହାତୀ ପଲ
କେନ୍ଦୁଝର : ଜଙ୍ଗଲ ଛାଡ଼ି କଲୋନୀରେ ହାତୀ ଆତଙ୍କ । ଗଛ ସହ, ଭାଙ୍ଗିଲା ଲୋକଙ୍କ ବାଡ଼ । କେନ୍ଦୁଝର ଜିଲ୍ଲା ବଲାଣୀ ଥାନା କିରିବୁରୁ ଅଞ୍ଚଳରେ ହାତୀ ଆତଙ୍କ । ରାତିରେ ହଠାତ୍ କିରିବୁରୁ ଡାଲମିଆ କଲୋନୀରେ ପଶିଲା ହାତୀ । କଦଳୀ ଖାଇବା ସହିତ ଭାଙ୍ଗିଲା କଦଳୀ ଗଛ ଓ ଲୋକଙ୍କର ବାଡ଼ । ଆଜି ରାତିରେ କୋଇଡ଼ା ପଟୁ ଏକ ହାତୀ ଆସି କିରିବୁରୁ ଡାଲମିଆ କଲୋନୀରେ ପଶି ଯାଇଥିଲା । ହାତୀକୁ ଘର ନିକଟରେ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଲୋକେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ହାତୀ ବାଡ଼ିରେ ପଶି ଗଛ ଭାଙ୍ଗିବା ସହ ତାରବାଡ଼ ଭାଙ୍ଗିଥିଲା । ପରେ ହାତୀଟି ଝାଡ଼ଖଣ୍ଡ ଜଙ୍ଗଲକୁ ପଳାଇ ଯାଇଥିବା ସୂଚନା ମିଳିଛି ।
ଶୀତଳାପଲ୍ଲୀ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ପାଇଁ ଜମି: ଅନାଥାଶ୍ରମ, ଦୃଷ୍ଟିହୀନଙ୍କ ସ୍କୁଲ ସ୍ବତନ୍ତ୍ର ଖଜଣା
ଭୁବନେଶ୍ବର: ଗଞ୍ଜାମ କନିସି ଶୀତଳାପଲ୍ଲୀ ମୌଜାରେ ଟାଟା ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଯୋଗାଇ ଦିଆଯାଇଛି ୪୩ ଏକରରୁ ଅଧିକ ଜମି । ଏ ବାବଦରେ ଇନସିଡେମ୍ଟାଲ ଚାର୍ଜ ଓ ବାର୍ଷିକ ଭୂରାଜସ୍ବ, ସେସ ଓ ସମସ୍କ ଦେୟ ଉପରେ ସୁଧ ଛାଡ଼ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଟାଟାକୁ ଉକ୍ତ ଜମି ଲିଜରେ ନେବା ପାଇଁ ଏବେ ଠାରୁ ଏକର ପିଛା ଶହେ ଟଙ୍କା ହିସାବରେ ବାର୍ଷିକ ଭୂ-ରାଜସ୍ବର ୭୫ ପ୍ରତିଶତ ହିସାବରେ ବାର୍ଷିକ ସେସ ଦେବାକୁ ପଡିବ ।
ସେହିପରି ଅନାଥାଶ୍ରମ, ଦୃଷ୍ଟିହୀନଙ୍କ ପାଇଁ ସ୍କୁଲ ପାଇଁ ସ୍ବତନ୍ତ୍ର ଖଜଣା ଧାର୍ଯ୍ୟ କରାଯାଇଛି । ସରକାରୀ ଜମି ଲିଜ ପ୍ରଦାନ କ୍ଷେତ୍ରରେ ସେସବୁ ଅନୁଷ୍ଠାନଗୁଡିକ ଖଜଣା ବାବଦରେ ଏକର ପିଛା ବାର୍ଷିକ ଶହେ ଟଙ୍କା ଓ ସେସ ବାବଦରେ ବାର୍ଷିକ ଖଜଣାର ୭୫ ପ୍ରତିଶତ ଦେୟ ଦେବେ । ସେହିପରି ଅବଢା ଯୋଜନାର ମୋଟ ଅଟକଳରେ ବୃଦ୍ଧିକୁ କ୍ୟାବିନେଟ ମୋହର ମାରିଛି । ଏଥର ଅଟକଳ ୪୨୨୪.୨୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।
ଓଡ଼ିଶା ଜିଏସଟି ସଂଶୋଧନ ବିଧେୟକ ୨୦୨୩କୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ଏଥିରେ ଜିଏସଟି ବ୍ୟବସ୍ଥାକୁ ସରଳ କରିବା ସହିତ ଟିକସଦାତାଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି । କମ୍ପୋଜିସନ୍ ଲେଭି ଅଧୀନରେ ଟିକସ ଦେବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେବାର ପ୍ରସ୍ତାବ ରହିଛି । ଟିକସ ଯୋଗ୍ୟ ବ୍ୟକ୍ତି କର୍ପୋରେଟ ସାମାଜିକ ଦାୟିତ୍ବ ସମ୍ବନ୍ଧୀୟ କାର୍ଯ୍ୟ କରିଥିଲେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଉପଲବ୍ଧ ହେବନି । ଜିଏସଟି ବିବାଦ ତୁଟାଇବାକୁ ପ୍ରଧାନ ଖଣ୍ଡପୀଠ ଓ ରାଜ୍ୟ ଖଣ୍ଡପୀଠ ଗଠନ ପାଇଁ ପ୍ରସ୍ତାବ ରହିଛି । ସେହିପରି କେତେକ ଅପରାଧରେ ଆର୍ଥିକ ଦେୟ ସୀମା ୧ କୋଟିରୁ ୨ କୋଟିକୁ ବୃଦ୍ଧି ପ୍ରସ୍ତାବ ରହିଛି । ଓଡ଼ିଶା ପ୍ରବରଣ ଆୟୋଗ ନିୟମାବଳୀ ୧୯୯୫ର ସଂଶୋଧନକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଏଥିରେ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ୬୨ରୁ ୬୫ ବର୍ଷ ପର୍ଯ୍ୟନ୍ତ ବୟସ ସୀମା ବୃଦ୍ଧି, ବେତନ ବୃଦ୍ଧି, ଅତିରିକ୍ତ ପେନସନ ନିବୃତ୍ତ କରିବାକୁ ବ୍ୟବସ୍ଥା କରାଯାଇଛି ।
ମଝିଘରିଆଣୀ ମନ୍ଦିର ଭିତ୍ତିଭୂମି ବିକାଶ ପାଇଁ ଜମି ଦେବେ ରାଜ୍ୟ ସରକାର
ରାୟଗଡ଼ା: ମାଆ ମଝିଘରିଆଣୀ ମନ୍ଦିର ଭିତ୍ତିଭୂମି ବିକାଶ ପାଇଁ ଜମି ଦେବେ ସରକାର । ରେଳ ବିଭାଗଠାରୁ ସମାନ ପରିମାଣ ଓ ସମାନ ମୂଲ୍ୟର ଜମି ସହିତ ବଦଳ କରି ଅଣାଯାଇଥିବା ୬ ଏକର ୩୦ଡିସିମିଲି ଜମି ମନ୍ଦିରକୁ ଦିଆଯିବ । ମନ୍ଦିର ଭିତ୍ତିଭୂମି ବିକାଶ ପାଇଁ ବିନା ପ୍ରିମିୟମ ଓ ବିନା ଇନସିଡେଣ୍ଟାଲ ଚାର୍ଜରେ ମନ୍ଦିର ପରିଚାଳନା ଟ୍ରଷ୍ଟକୁ ଲିଜ୍ ଆକାରରେ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଟ୍ରଷ୍ଟକୁ ରିହାତି ଦରରେ ଏକର ପିଛା ଶହେ ଟଙ୍କା ହିସାବରେ ବାର୍ଷିକ ଭୂ-ରାଜସ୍ବ ଓ ଭୂ-ରାଜସ୍ବର ୭୫ ପ୍ରତିଶତ ହିସାବରେ ବାର୍ଷିକ ସେସ୍ ଦେବାକୁ ପଡିବ ।
୩ ମାସରେ ୬୦ ବର୍ଷର ସମସ୍ୟା ସମାଧାନ, ନର ନାରାୟଣ ଆଶ୍ରମକୁ ୨.୨୭ ଏକର ଜମି
ପୋଟେରୁ: ୬୦ ବର୍ଷର ସମସ୍ୟା ୩ ମାସରେ ସମାଧାନ । ପୋଟେରୁ ନର ନାରାୟଣ ଆଶ୍ରମକୁ ୨.୨୭ ଏକର ଜମି ପ୍ରଦାନ । ଆନନ୍ଦାଶ୍ରୁ ସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶିଷ ଢ଼ାଳିଲେ ଭକ୍ତଗଣ । ବିକାଶମୂଳକ କାର୍ଯ୍ୟ ନିମନ୍ତେ ୪୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ସେପ୍ଟେମ୍ବର ମାସ ମଧ୍ୟରେ ଶେଷ କରାଯିବ ସବୁ ନିର୍ମାଣ କାର୍ଯ୍ୟ ।
ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ଅସାଧ୍ୟ କାର୍ଯ୍ୟ ବି ସହଜ ହୋଇପାରେ । ଆଉ ଏହି ଇଚ୍ଛାଶକ୍ତି ଯେତେବେଳେ ଜନହିତ ପାଇଁ ବିନିଯୋଗ ହୁଏ ସେତେବେଳେ ସବୁ ବାଧାବିଘ୍ନ ଦୂର ହୋଇଥାଏ । ଏହାର ଜ୍ବଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ପୋଟେରୁ ଅଞ୍ଚଳର ପୁଲି ମେଟଲା ମୌଜାରେ ନରନାରାୟଣ ଆଶ୍ରମ ପ୍ରସଙ୍ଗରେ । ଗତ ୬ ଦଶନ୍ଧି ଧରି ଆଶ୍ରମର ଜମିଜମାକୁ ନେଇ ଲାଗି ରହିଥିବା ସମସ୍ୟା ମାତ୍ର ୩ ମାସରେ ହୋଇଛି ସମାଧାନ । 5T ସଚିବ ଭି.କେ. ପାଣ୍ଡିଆନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ଦୁଇଟି ପ୍ଲଟରେ ୨.୨୭୩ ଏକର ଜଙ୍ଗଲ ଜମିକୁ ସାର୍ବଜନୀନ ବ୍ୟବହାର ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ଆଶ୍ରମରେ ଗୋଷ୍ଠୀ କେନ୍ଦ୍ର ସ୍ଥାପନ ନିମନ୍ତେ ୪୮ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି । ଯାହାକୁ ନେଇ ଆଶ୍ରମବାସୀ ଓ ଆଶ୍ରମ ସହ ଜଡ଼ିତ ୭୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମଧ୍ୟରେ ଆନନ୍ଦ କହିଲେ ନସରେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବଙ୍କ ଯୋଗୁଁ ଏହି କାର୍ଯ୍ୟ ସମ୍ଭବ ହୋଇଥିବା ଉଲ୍ଲେଖ କରି ଅଜାଡ଼ିଛନ୍ତି ଅସୀମ ଆଶିଷ । ପ୍ରାୟ ୬ ଦଶନ୍ଧି ତଳେ ସ୍ଥାପନ ହୋଇଥିବା ଏହି ଆଶ୍ରମର ଅନ୍ତେବାସୀ ଓ ଆଶ୍ରମ ସହ ଜଡ଼ିତ ଶ୍ରଦ୍ଧାଳୁ ନିଜକୁ ସମାଜସେବାରେ ନିୟୋଜିତ କରି ଆସିଛନ୍ତି । ଆଶ୍ରମଟି ଜଙ୍ଗଲ ଜମିରେ ଗଢ଼ି ଉଠିଥିବାରୁ ଏଠାରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ସମ୍ଭବ ହୋଇ ପାରୁ ନଥିଲା, କିମ୍ବା କୌଣସି ଅନୁଦାନ ମିଳିବା ମଧ୍ୟ ସମ୍ଭବ ହେଉ ନ ଥିଲା ।
ଗତ ମାର୍ଚ୍ଚ ମାସରେ 5T ସଚିବଙ୍କ ଗସ୍ତ ସମୟରେ ଆଶ୍ରମ କର୍ତ୍ତୃପକ୍ଷ ଏ ସମ୍ପର୍କରେ କି.କେ. ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ସେ ମଧ୍ୟ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଇତିମଧ୍ୟରେ ଜଙ୍ଗଲ ଅଧିକାର ଆଇନ ୨୦୦୬ର ଧାରା ୩(୨) ଅନୁସାରେ ଏହି ଜମିକୁ କାଲିମେଳା ବିଡ଼ିଓଙ୍କ ମାର୍ଫତରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହାସହ ଏଠାରେ ଏକ ଗୋଷ୍ଠୀ କେନ୍ଦ୍ର ସ୍ଥାପନ ସହ କାଲିମେଳା ବିଡ଼ିଓ ଓ ଆଶ୍ରମର ପ୍ରାଧିକୃତ ଅଧିକାରୀ ମଧ୍ୟରେ ଏକ ବୁଝାମଣାପତ୍ର ଗତ ଜୁନ୍ ୧୬ ତାରିଖରେ ସ୍ୱାକ୍ଷର ହୋଇଛି । ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ ଖେମୁଣ୍ଡୁଙ୍କ ସୂଚନା ଅନୁସାରେ ଏହା ଫଳରେ ସ୍ଥାନୀୟ ନରନାରାୟଣ ଆଶ୍ରମର ବହୁ ଦିନର ସମସ୍ୟା ସମାଧାନ ହୋଇଛି । ଆଇନ ପରିସର ମଧ୍ୟରେ ସମସ୍ତ କାର୍ଯ୍ୟ କରାଯାଇଛି ଓ ଏହାଦ୍ୱାରା ଆଶ୍ରମର ଉନ୍ନୟନ ନିମନ୍ତେ ଭବିଷ୍ୟତରେ ଅନେକ କାର୍ଯ୍ୟ ହୋଇ ପାରିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଆଶ୍ରମର ଅନ୍ତେବାସୀ ଓ କର୍ତ୍ତୃପକ୍ଷ ଦୀର୍ଘ ୬ ଦଶନ୍ଧିର ସମସ୍ୟା ସମାଧାନ କରିବାରେ 5T ସଚିବଙ୍କ ତତ୍ପରତାକୁ ଭୂୟସୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ପାଇଁ ଆମେମାନେ ଅତ୍ୟନ୍ତ ଖୁସି । ତାଙ୍କୁ ଭଗବାନ ବହୁ ପରମାୟୁ ଦିଅନ୍ତୁ ବୋଲି ଆଶ୍ରମର ସାଧୁମାନେ କହିଛନ୍ତି । ଜଣେ ଭକ୍ତ କହିଛନ୍ତି ଯେ, ଆମେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏଥିନେଇ 5T ସଚିବଙ୍କୁ ଅନୁରୋଧ କରିଥିଲୁ । ମାତ୍ର ଦୁଇ ମାସ ମଧ୍ୟରେ ସେ ତାହାକୁ କାର୍ଯ୍ୟରେ ପରିଣତ କରିଛନ୍ତି । ଠାକୁରଙ୍କ ଦୂତ ଭାବରେ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସେଥିପାଇଁ ଠାକୁର ସତ୍ୟାନନ୍ଦ ପରମହଂସ ଦେବ, ନୀଳକଣ୍ଠ ଗୋସ୍ୱାମୀ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଆୟୁଷ ଦିଅନ୍ତୁ, ତାଙ୍କର କଲ୍ୟାଣ କରନ୍ତୁ । ସାରା ବିଶ୍ୱର ହଜାର ହଜାର ଭକ୍ତଙ୍କ ସ୍ନେହ ଓ ଶ୍ରଦ୍ଧା ମୁଖ୍ୟମନ୍ତ୍ରୀ ଗ୍ରହଣ କରନ୍ତୁ ବୋଲି କିଛି ଭକ୍ତ କହିଛନ୍ତି ।

