ଓଡ଼ିଶାକୁ ଭଣ୍ଡାଇବାରେ ମାହିର କେନ୍ଦ୍ର, ପୁଣି ଥରେ ଭାରତୀୟ ଖାଦ୍ୟ ନିଗମର ଅବହେଳା ଦିଶିଲା ଜଳଜଳ

1 min read

ଭୁବନେଶ୍ୱର: ଓଡ଼ିଶା ପ୍ରତି ଭାରତୀୟ ଖାଦ୍ୟ ନିଗମର ଅବହେଳା ପିଛା ଛାଡ଼ୁନି । ରାଜ୍ୟର ଚାଷୀଙ୍କୁ ଯେପରି କେନ୍ଦ୍ର ସରକାର ସବୁ ସ୍ତରରେ ଉପହାସ କରିଚାଲିଛନ୍ତି । ୨୦୨୨-୨୩ ଖରିଫ ବର୍ଷରେ ଏଫସିଆଇ ଓଡ଼ିଶାରୁ ୭୧ ଲକ୍ଷ ମେଟ୍ରିକ୍ ଟନ୍ ବଳକା ଚାଉଳ ଉଠାଇବା କଥା । ଏନେଇ ଗତମାସରେ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟ ଖାଦ୍ୟମନ୍ତ୍ରୀଙ୍କ ବୈଠକରେ ରାଜ୍ୟ ସରକାର ଏହି ଦାବି ରଖିଥିଲେ । ହେଲେ ଓଡ଼ିଶାର ଦାବିକୁ କେନ୍ଦ୍ର ଯେପରି ଆଖି ବୁଜିଦେଇଛି । ଗତକାଲି କେନ୍ଦ୍ର ଖାଦ୍ୟ ରାଷ୍ଟ୍ରମନ୍ତ୍ରୀ ନିରଞ୍ଜନ ସାଧ୍ବୀ ରାଜ୍ୟସଭାରେ ଉତ୍ତର ରଖିଲେ । ଚଳିତ ମାସ ୧୩ ତାରିଖ ସୁଦ୍ଧା ଓଡ଼ିଶାରୁ ସଂଗ୍ରହ ହୋଇଛି ମାତ୍ର ୧୩ ଲକ୍ଷ ୫୩ ହଜାର ୨୩୯ ମେଟ୍ରିକ୍ ଟନ୍ ଚାଉଳ । କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ପ୍ରମାଣିତ କରୁଛି ଓଡ଼ିଶା ପ୍ରତି କିପରି ଲଗାତାର ଅବିଚାର କରିଚାଲିଛି ଭାରତୀୟ ଖାଦ୍ୟ ନିଗମ । ପ୍ରାୟ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏବେ ବି ବଳକା ଅଛି । ଅନ୍ୟପଟେ ଧାନ ସଂଗ୍ରହ ବାବଦରେ ଏବେ ବି ବକେୟା ପଡ଼ିରହିଛି ୧୧ ହଜାର କୋଟି ଟଙ୍କା ।

ଓଡ଼ିଶାର ଚାଷୀଙ୍କ ପ୍ରତି କେନ୍ଦ୍ର ଲଗାତାର ଉପହାସ କରିଚାଲିଛି । ଭାରତୀୟ ଖାଦ୍ୟ ନିଗମ ପ୍ରତିବର୍ଷ ଖରିଫରେ ଧାର୍ଯ୍ୟ ଚାଉଳ ସଂଗ୍ରହ ଠାରୁ କମ୍ ସଂଗ୍ରହ କରୁଛି । ଯେପରି ଓଡ଼ିଶା କେନ୍ଦ୍ର ସରକାରଙ୍କ ସଂଘୀୟ ବ୍ୟବସ୍ଥାରୁ ଅଲଗା । ରାଜ୍ୟର ଯୋଗାଣ ମନ୍ତ୍ରୀ କେନ୍ଦ୍ର ଖାଦ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଥିଲେ ୭୧ ଲକ୍ଷ ମେଟ୍ରିକ୍ ଟନ୍ । କିନ୍ତୁ ୩ ଗୁଣ ଚାଉଳ ବଳକା ପଡ଼ି ରହିଥିବା ବେଳେ କେନ୍ଦ୍ର ଖାଦ୍ୟ ରାଷ୍ଟ୍ରମନ୍ତ୍ରୀ ଗଦଗଦ୍ ହୋଇ ଓଡ଼ିଶାରୁ ଚାଉଳ ସଂଗ୍ରହ ନେଇ ସଂସଦରେ ଯେପରି ଉତ୍ତର ରଖିଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ଏଫସିଆଇ ଅବହେଳା ନେଇ ଲଗାତାର ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଆସୁଛନ୍ତି । ବକେୟା ଚାଉଳ ସଂଗ୍ରହ ନେଇ ବିଜୁ ଜନତା ଦଳ କେତେଥର ସ୍ଥାନୀୟ ଏଫସିଆଇ କାର୍ଯ୍ୟାଳୟ ଆଗରେ ଧାରଣା ବି ଦେଇଛି । ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ଦଳୀୟ ସାଂସଦ ବି ସଂସଦରେ ଏହି ପ୍ରସଙ୍ଗ ଉଠାଇଆସିଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ଅବିଚାର ପ୍ରତି ରାଜ୍ୟର ଚାଷୀ ବି ସଚେତନ ହେଲେଣି ।