ପ୍ରବଳ ବର୍ଷାରେ ବେହାଲ ଗୁଜରାଟ, ଗାଁରୁ ସହର ସବୁଠି ବନ୍ୟା ସ୍ଥିତି

1 min read

ଗାନ୍ଧୀନଗର: ପ୍ରବଳ ବର୍ଷା ପରେ ଗୁଜରାଟ ବେହାଲ । ରାଜଧାନୀ ଅହମ୍ମଦାବାଦରୁ ଜୁନାଗଡ଼ ଯାଏଁ ବିଗିଡ଼ିଛି ସ୍ଥିତି । ବନ୍ୟାପାଣିରେ ସହର ବୁଡ଼ି ରହିଥିବା ବେଳେ ଏନଡିଆରଏଫ୍ ଟିମ୍ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛି । ହସ୍ପିଟାଲରୁ ଏୟାରପୋର୍ଟ ସବୁଠି ଜଳପ୍ରଳୟର ଚିତ୍ର । ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ଅହମ୍ମଦାବାଦ ଏୟାରପୋର୍ଟ ପରିସର ଉବୁଟୁବୁ ହୋଇଛି । ବିମାନ ବନ୍ଦର ପରିସରରେ ବନ୍ୟାପାଣି ଯୋଗୁ ଯାତ୍ରୀମାନେ ଅସୁବିଧା ଭୋଗୁଥିବା ବେଳେ ଅନେକ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି । ବିମାନ ଉଡ଼ାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଅନେକ ସହରରେ ଆପାର୍ଟମେଣ୍ଟ ବେସମେଣ୍ଟଗୁଡ଼ିକ ବନ୍ୟାପାଣିରେ ବୁଡ଼ି ରହିଛି । ଲୋକମାନେ ମୋଟର ପମ୍ପ ଯୋଗେ ବେସମେଣ୍ଟରୁ ପାଣି ବଢୁଥିବା ଦେଖାଯାଉଛି । ଆଜି ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବାରୁ ଉତ୍କଟ ବନ୍ୟା ସ୍ଥିତି ଉପୁଜିଛି । ନଦୀ ଓ ଡ୍ୟାମରେ ଜଳସ୍ତର ଲଗାତାର ବୃଦ୍ଧି ଯୋଗୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବନ୍ୟା ନେଇ ସତର୍କତା ଜାରି କରାଯାଇଛି ।

ଜୁନାଗଡ଼ରେ ବନ୍ୟାପାଣିରେ ଭାସି ଯାଉଥିବା କାର ଅଟକାଇବାକୁ ଯାଇ ଜଣେ ବ୍ୟକ୍ତି ଭାସିଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନବସାରୀ ଜିଲ୍ଲାରେ ବି ବନ୍ୟା ଯୋଗୁ ଗମ୍ଭୀର ସ୍ଥିତି ଉପୁଜିଛି । ବର୍ଷା ଯୋଗୁ ଅହମ୍ମଦାବାଦର ସବୁଠୁ ବଡ଼ ସିବିଲ ହସ୍ପିଟାଲରେ ପାଣି ପଶିଯିବା ଯୋଗୁ ରୋଗୀ ଓ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଇଛି । ସେପଟେ ଯମୁନାରେ ପୁଣି ଜଳସ୍ତର ବିପଦସଙ୍କେତ ଉପରେ ପହଞ୍ଚିଥିବାରୁ ଦିଲ୍ଲୀରେ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ହିମାଚଳ, ଉତ୍ତରାଖଣ୍ଡରେ ବି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଏବେ ବି କିଛି ଅଞ୍ଚଳ ଜଳମଗ୍ନ ରହିଛି । ପ୍ରଳୟଙ୍କରୀ ବନ୍ୟା ଯୋଗୁ ଏବେସୁଦ୍ଧା ହିମାଚଳ ପ୍ରଦେଶରେ ପ୍ରାୟ ୮ ହଜାର କୋଟିର କ୍ଷୟକ୍ଷତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂ ସୁଖୁ କହିଛନ୍ତି । ଉତ୍ତରାଖଣ୍ଡ ଉତ୍ତରକାଶୀରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁ ଅରାକୋଟ-ହିମାଚଳ ହାଇଓ୍ବେ ଜାମ ହୋଇଛି ।  ଅରାକୋଟ ବଜାର ନିକଟରେ ଲ୍ୟାଣ୍ଡସ୍ଲାଇଡ ହୋଇଥିବା ବେଳେ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି ।