ଦେଶର ଅଧାରୁ ଅଧିକ ରାଜ୍ୟରେ ବନ୍ୟା ବିଭୀଷିକା, ଘର ଭିତରେ ଲହଡି ମାରୁଛି ବନ୍ୟାପାଣି

1 min read

ନୂଆଦିଲ୍ଲୀ: ଦେଶର ଅଧାରୁ ଅଧିକ ରାଜ୍ୟରେ ବନ୍ୟା ବିଭୀଷିକା । ବାଦଲ ଫଟା ବର୍ଷା ଯୋଗୁଁ ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି । ଘରେ ଘରେ ପଶିଛି ପାଣି । ଘର ଭିତରେ ପାଣି ପଶିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗୋଟିଏ ପଟେ ଘର ଭିତରେ ବନ୍ୟା, ଅନ୍ୟପଟେ ପ୍ରବଳ ବର୍ଷା । ଲୋକେ ନାଁ ଘରେ ରହିପାରୁଛନ୍ତି ନାଁ ବାହାରେ । ମହାରାଷ୍ଟ୍ର, ଗୁଜୁରାଟ, ଜମ୍ମୁ-କଶ୍ମୀର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ସହ ଭୂସ୍ଖଳନ ହୋଇଛି । ଉତ୍ତରପ୍ରଦେଶର ବିଜନୋରର କୋଟାବାଲି ନଦୀର ଜଳସ୍ତର ବଢ଼ିଯିବାରୁ ପରିସ୍ଥିତି ଭୟଙ୍କର । ହରିଦ୍ୱାର ଯାଉଥିବା ଏକ ବସ୍ ନଦୀ ଜଳରେ ଫସିବାରୁ ଚିତ୍କାର କରିଥିଲେ । ତୁରନ୍ତ ଘଟଣାସ୍ଥଳରେ ଜେସିବି ପହଁଚି ୪୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।

ଲଗାତର ଭାବେ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ଲୋକମାନେ ଭୟଭୀତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜମ୍ମୁରେ ପ୍ରବଳ ବର୍ଷା ଫଳରେ ଚେନାବ ନଦୀର ଜଳସ୍ତର ବୃଦ୍ଧି ପାଇଛି । ନଦୀ ଉପକୂଳିଆ ଗାଁ ଗୁଡିକରେ ବନ୍ୟା ପାଣି ପଶିବା ଫଳରେ ଲୋକେ ପାଣି ଘେରରେ ରହିଛନ୍ତି । ବିଭିନ୍ନ ସ୍ଥାନରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି ପ୍ରଶାସନ ।