ଖୋଲୁଛି ମଣିପୁର କ୍ରାଇମ ଫାଇଲ, ସାମ୍ନାକୁ ଆସୁଛି ୩ ମାସର ବୀଭତ୍ସ କାଣ୍ଡ

ଇମ୍ଫାଲ: ମଣିପୁରରେ ବର୍ବରତାର ଆଉ ଏକ ଘଟଣାର ସାମ୍ନାକୁ ଆସିଛି । ଦୁଇ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇବା ଦିନ ଘଟିଥିଲା ଆଉ ଲୋମହର୍ଷକ ଘଟଣା । ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲେ ହିଂସାକାରୀ । ୨୧ ଓ ୨୬ ବର୍ଷର ଦୁଇ ଯୁବତୀଙ୍କୁ ଯୌନ ଶୋଷଣ ପରେ ହତ୍ୟା କରାଯିବା ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ରାଜଧାନୀ ଇମ୍ଫାଲଠାରୁ କିଛି ଦୂର କୋନୁଙ୍ଗ ମମାଙ୍ଗସ୍ଥିତ ଏକ କାର ସର୍ଭିସ ସେଣ୍ଟରରେ ଦୁଇ ଯୁବତୀ କାମ କରୁଥିଲେ । ସର୍ବସମ୍ମୁଖରେ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟାକାଣ୍ଡ ଘଟଣାରେ ଏକାଧିକ ମହିଳା ହିଂସାକାରୀ ମଧ୍ୟ ସମ୍ପୃକ୍ତ ରହିଥିଲେ ବୋଲି ପୋଲିସ କହିଛି । ହତ୍ୟା ପରେ ମୃତଦେହକୁ ଏକ ଖୋଲାପଡ଼ିଆରେ ଫୋପାଡ଼ି ଦିଆଯାଇଥିଲା । ସେମାନଙ୍କ ଶରୀର ରକ୍ତ ଜୁଡୁବୁଡୁ ଥିଲା । ଚୁଟି କାଟି ଦିଆଯାଥିବା ବେଳେ ଡ୍ରେସ ମଧ୍ୟ ଚିରି ଦିଆଯାଇଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।

ରାଜ୍ୟରେ ଏଭଳି ଭୟାନକ ବାତାବରଣ ଥିଲା ଯେ, କିଛି ଦିନ ପର୍ଯ୍ୟନ୍ତ ମୃତଦେହ ନେବାକୁ ବି ପରିବାର ଲୋକେ ଆସିନଥିଲେ । ହେଲେ କିଛିଦିନ ପରେ ଜଣେ ଯୁବତୀଙ୍କ ମାଆ ଥାନାରେ ଜିରୋ ଏଫଆଇଆର ଦେଇଥଲେ । ମେ ପ୍ରଥମ ସପ୍ତାହର ଘଟଣା ହୋଇଥିଲେ ବି ଏବେ ଯାଏଁ ପୋଲିସ ଜଣଙ୍କୁ ବି ଗିରଫ କରିନି । ତିନି ମାସ ଧରି ମଣିପୁର ଜଳୁଥିବା ବେଳେ ପୋଲିସ ପାଖରେ ଗଣଦୁଷ୍କର୍ମ, ହତ୍ୟା, ଲୁଟପାଟ ଘଟଣାର ହଜାର ହଜାର ମାମଲା ରୁଜୁ ହୋଇଛି ।