spot_img
Home Blog Page 3171

୧୭୦ ଯାତ୍ରୀଙ୍କୁ ନେଇ ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଲା ପ୍ରଥମ ବିମାନ

ଭୁବନେଶ୍ୱର: ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଲା ବିମାନ । ବିନା ଷ୍ଟପେଜରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ୧୭୦ ଜଣ ଯାତ୍ରୀ । ସାଢେ ଚାରି ଘଣ୍ଟାର ଯାତ୍ରା ପରେ ସମସ୍ତେ ଭୁବନେଶ୍ବରରେ ପହଞ୍ଚିଥିବା କହିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ଫୁଲ, ଚନ୍ଦନ ଓ ମହାପ୍ରସାଦ ଦେଇ ସ୍ବଗତ କରିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଫ୍ଲାଇଟରେ ଜଣେ ପୁରୁଷ ଓ ଜଣେ ମହିଳା ପାଇଲଟ୍ ରହିଥିଲେ । ସିଧାସଳଖ ବିମାନସେବା ଆରମ୍ଭ ହୋଇଥିବାରୁ ସମସ୍ତ ଯାତ୍ରୀ ଖୁସି ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଆଉ କିଛି ସମୟ ପରେ ଭୁବନେଶ୍ବରରୁ ଦୁବାଇକୁ ସିଧା ଉଡ଼ିବ ବିମାନ । ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ୭୦ ଜଣିଆ ଟିମ ସହ ମୋଟ ୧୭୦ଜଣ ଯାତ୍ରୀ ଯାତ୍ରା କରିବେ । ଯାତ୍ରୀମାନଙ୍କ ମଧ୍ୟରେ ମିଶନ ଶକ୍ତି ସଦସ୍ୟା, ଛାତ୍ରଛାତ୍ରୀ ଓ କ୍ରୀଡାବିତଙ୍କ ସମେତ କର୍ମଜୀବୀ ରହିଛନ୍ତି । ଇଣ୍ଡିଗୋ ଏୟାରଲାଇନ୍ସ ୧୮୦ ସିଟ ବିଶିଷ୍ଟ 320 ଏୟାରବସ ସପ୍ତାହରେ ତିନି ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ସିଧାସଳଖ ସେବା ଯୋଗାଇବ । ଦୁବାଇକୁ ଯିବାଆସିବା ଦର ରହିଛି ୨୦ ହଜାର ଟଙ୍କା ।

ଦୁବାଇ ସହିତ ସିଧାସଳଖ ସଂଯୋଗ, ସବୁଠୁ ବଡ ବିମାନ ଚଳାଚଳ ହବ ମଧ୍ୟରୁ ଅନ୍ୟତମ । ଏହାଦ୍ବାରା ବିଶ୍ବକୁ ସିଧାସଳଖ ଗେଟଓ୍ବେ ଖୋଲିବା ସହ ରାଜ୍ୟରେ ଆଇଟି, ଉତ୍ପାଦନ ଓ ପର୍ଯ୍ୟଟନର ବିକାଶ ଘଟିବ । ଦୁବାଇରେ ମେକ ଇନ ଓଡିଶା କନକ୍ଲେଭରେ ବିମାନ ଚଳାଚଳ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କେବଳ ଓଡିଶା ପାଇଁ ନୁହେଁ ବିଦେଶରୁ ଓଡିଶାକୁ ଆସୁଥିବା ଯାତ୍ରୀମଧ୍ୟ ଏହାଦ୍ବାରା ସୁବିଧା ପାଇବେ । ଗତ ଉତ୍କଳ ଦିବସରେ ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।

ଜନସଂଘର୍ଷ ଯାତ୍ରା ସମାପ୍ତ କଲେ ସଚିନ ପାଇଲଟ୍; କହିଲେ ୧୫ ଦିନରେ ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଜାରି କଳି ଥମିବାର ନାଁ ନେଉନାହିଁ । ଗେହଲଟ ସରକାର ବିରୋଧରେ ସଚିନ ପାଇଲଟଙ୍କ ବିଦ୍ରୋହୀ ଆଭିମୁଖ୍ୟ କମିବାର ଦେଖାଯାଉନାହିଁ । ପେପର ଲିକ୍ ମାମଲାରେ ପରୀକ୍ଷାର୍ଥୀଙ୍କୁ ଆର୍ଥିକ ସହୟତା ଦେବାକୁ ଏବଂ ବସୁନ୍ଧରା ରାଜେ ସରକାରରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଦାବି କରି ସଚିନ ପାଇଲଟ ରାଜସ୍ଥାନରେ ଜନ ସଂଘର୍ଷ ଯାତ୍ରା ଆରମ୍ଭ କରିଥିଲେ । ଆଜି ଯାତ୍ରାର ପଞ୍ଚମ ଦିନ ଅର୍ଥାତ ଶେଷ ଦିନ ଥିଲା । ସେ ଏହି ଅବସରରେ ଗେହଲଟ ସରକାରଙ୍କୁ ୧୫ ଦିନର ଅଲଟିମେଟମ ଦେଇଛନ୍ତି । ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।

ପାଇଲଟ କହିଥିଲେ ଯେ ମୋ କାମ କରିବାର ପ୍ରକ୍ରିୟା ଉପରେ, ମୋର ନିଷ୍ଠା ଉପରେ ମୋର ଘୋର ବିରୋଧୀ ମଧ୍ୟ ପ୍ରଶ୍ନ ଉଠାଇ ପାରିବେ ନାହିଁ । ମୁଁ କୌଣସି ପଦରେ ରହେ ବା ନରହେ, ମୁଁ ରାଜସ୍ଥାନର ଜନତାଙ୍କ ସେବା ଶେଷ ନିଶ୍ୱାସ ପର୍ଯ୍ୟନ୍ତ କରିବି । ମୁଁ ଡରିବି ନାହିଁ । ଏଥିସହିତ ସଚିନ କହିଛନ୍ତି ଚଳିତ ମାସ ଶେଷରେ ତିନି ଦାବି ଯଦି ସରକାର ପୂରଣ ନକରନ୍ତି ତେବେ ଯୁବକଙ୍କ ପାଇଁ, ଦୁର୍ନୀତି ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ କରିବି । ପ୍ରତି ଗାଁରେ ଜନତାଙ୍କ ସହ ପଦଯାତ୍ରା କରିବି । ମୁଁ କେବେ ବି କାହା ଉପରେ ଆରୋପ ଲଗାଇନାହିଁ କାହା ବିରୋଧରେ ଅପଶବ୍ଦ କହିନାହିଁ ।

ଆପଣ ମୋତେ ଗାଳି ଦିଅନ୍ତୁ, ଆରୋପ ଲଗାନ୍ତୁ ମୋତେ ଫରକ ପଡ଼ିବ ନାହିଁ । ଜନତା ଜନାର୍ଦ୍ଦନ ଅଟନ୍ତି । ଯେଉଁ ପିଲାଙ୍କ ପେପର ରଦ୍ଦ ହୋଇଯାଇଛି ସେମାନେ ହତାଶ ହୋଇଯାଆନ୍ତି, କିନ୍ତୁ ଏହାର ଆବଶ୍ୟକତା ନାହିଁ । ପାଇଲଟ୍ କହିଛନ୍ତି ଜନତାଙ୍କ ସମର୍ଥନ ମୋ ପ୍ରସଙ୍ଗକୁ ମିଳିଛି । ମୁଁ ଏକ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ମୁଁ ଦୀର୍ଘ ସମୟ ଧରି ରାଜନୀତି କରୁଛି । ଯାତ୍ରାରେ ଅନେକ ସାଥି ସାଙ୍ଗରେ ଚାଲିଥିଲେ ଏବଂ ମୁଁ କହିବାକୁ ଚାହୁଁଛି ଯେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜ୍ୟର ଜନତାଙ୍କ ସେବା କରିଚାଲିବି । ଆମର ଦାବି ରହିଛି ଯେ ପେପର ଲିକ୍ ପୀଡିତଙ୍କୁ ଆର୍ଥିକ ସହାୟତା ମିଳୁ, ଆରପିଏସ୍ କୁ ଭଙ୍ଗ କରାଯାଉ, ସାନି ଚୟନ ପ୍ରକ୍ରିୟା ହେଉ ।

ବସୁନ୍ଧରା ସରକାରଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ଯାଞ୍ଚ ହେଉ । ସଚିନ ପାଇଲଟ୍ କହିଛନ୍ତି, ମୁଁ ଲଗାତାର ସେମାନଙ୍କୁ (ସରକାର) ଚିଠି ଲେଖିଥିଲି, ଗୃହମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଲି । ଅନଶନ ମଧ୍ୟ କଲି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି । ଏହାପରେ ମୁଁ ଭାବିଲି କି ଦୁର୍ନୀତିର ପ୍ରସଙ୍ଗକୁ ନେଇ ଲୋକମାନଙ୍କ ଗହଣକୁ ଯିବାକୁ ପଡ଼ିବ । ପେପର ଲିକ୍ ଘଟଣା ପାଇଁ ସମ୍ପୂର୍ଣ୍ଣ କଳକୁ ବଦଳାଇବାର ଆବଶ୍ୟକତା ଅଛି ।

ଆମର ଯୁବଗୋଷ୍ଠୀଙ୍କ ଜୀବନ ଅନ୍ଧକାରକୁ ଠେଲି ହୋଇଯାଉଛି । ୨୦ରୁ ୨୫ ଲକ୍ଷ ପିଲା ପ୍ରତି ବର୍ଷ ଗାଁରୁ ସହର ଆସିଥାନ୍ତି, କୋଚିଂ ନେଇଥାନ୍ତି । ସେମାନଙ୍କ ମାଆ ବାପା ପେଟକାଟି କୋଚିଂ ଫିସ୍ ଦେଇଥାନ୍ତି । ସେମାନଙ୍କ ପେପର କ୍ୟାନ୍ସେଲ ହୋଇଯାଉଛି, ପେପର ଲିକ୍ ହୋଇଯାଉଛି, ସେମାନେ ଏବେ କରିବେ କଣ । ଯୁବକଙ୍କ ଭବିଷ୍ୟତ ସୁରକ୍ଷିତ ନରହିଲେ ଦେଶ ମଧ୍ୟ ସୁରକ୍ଷିତ ରହିବନାହିଁ ବୋଲି ସଚିନ କହିଛନ୍ତି ।

ଆର୍ଯ୍ୟନଙ୍କୁ ଛାଡି଼ଦେବା ଲାଗି ବାପା ଶାହରୁଖଙ୍କଠୁ ୨୫ କୋଟି କରାଯାଇଥିଲା ଦାବି, ସିବିଆଇ FIRରେ ଖୁଲାସା

ମୁମ୍ବାଇ: ବହୁଚର୍ଚ୍ଚିତ ଆର୍ଯ୍ୟାନ ଖାଁ ଡ୍ରଗ୍ସ ମାମଲା । ସିବିଆଇ ପକ୍ଷରୁ ଦାୟର ହୋଇଛି ଏଫଆଇଆର । ଆର୍ଯ୍ୟାନଙ୍କୁ ଛାଡିଦେବା ଲାଗି ବାପା ତଥା ବଲିଉଡ ତାରକା ଶାହାରୁଖ ଖାନଙ୍କଠାରୁ ୨୫ କୋଟି ଟଙ୍କା ଦାବି କରାଯାଇଥିଲା ବୋଲି ଏଫଆଇଆରରେ ଦର୍ଶାଯାଇଛି । ଆର୍ଯ୍ୟାନଙ୍କ ସହ ସେଲଫି ନେଇଥିବା ସାକ୍ଷୀ କେ.ପି. ଗୋସାଭିଙ୍କ ଜରିଆରେ ଏହି ଟଙ୍କା ଦାବି କରାଯାଇଥିଲା । ତତକାଳୀନ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ ପକ୍ଷରୁ ଗୋସାଭି ଏହି ଟଙ୍କା ଦାବି କରିଥିଲେ । ସିବିଆଇ ଏଫଆଇଆରରେ ସମୀରଙ୍କ ନାଁ ବି ସ୍ଥାନ ପାଇଛି ।

ଏହା ସହ ଏନସିବିର ସୁପରିଣ୍ଟେଡେଣ୍ଟ ଭିଭି ସିଂ, ତତକାଳୀନ ତଦନ୍ତକାରୀ ଅଧିକାରୀ ଆଶିଷ ରଞ୍ଜନ, କେ. ପି. ଗୋସାଭି ଓ ସହଯୋଗୀ ଡି. ସୁଜାଙ୍କୁ ବି ଏଫଆଇଆରରେ ଅଭିଯୁକ୍ତ ଦର୍ଶାଇଛି ସିବିଆଇ । ସିବିଆଇର ତଥ୍ୟ ଅନୁସାରେ ଆର୍ଯ୍ୟାନଙ୍କୁ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ନ କରିବା ଲାଗି ୨୫ କୋଟି ଟଙ୍କା ଦାବି କରାଯାଇଥିଲା । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଇଟି ପକ୍ଷରୁ କରାଯାଇଥିବା ତଦନ୍ତ ଅନୁସାରେ ଅଭିଯୁକ୍ତ ଆର୍ଯ୍ୟାନଙ୍କ ସମେତ ଅଭିଯୁକ୍ତମାନଙ୍କୁ କେ.ପି.ଗୋସାଭିଙ୍କ ବ୍ୟକ୍ତିଗତ ଗାଡ଼ିରେ ଏନସିବି ଅଫିସକୁ ଅଣାଯାଇଥିଲା ।

ଆର୍ଯ୍ୟାନ ଖାଁଙ୍କ ସହ ସେଲଫି ଉଠାଇଥିବା ଗୋସାଭିଙ୍କୁ କିପରି ଏତେ ସ୍ବାଧୀନତା ଦିଆଯାଇଥିଲା ତାହାକୁ ନେଇ ପ୍ରଶ୍ନ ଉଠାଇଛି ସିବିଆଇ । କୁହାଯାଉଛି ୨୫ କୋଟି ଟଙ୍କା ଲାଗି ଆଲୋଚନା ଚାଲିଥିବାବେଳେ ୧୮ କୋଟି ଟଙ୍କାର କଥାବାର୍ତ୍ତା ଛିଣ୍ଡିଥିଲା । ଏପରିକି କେ.ପି. ଗୋସାଭି ଓ ସହଯୋଗୀ ସାନଭିଲେ ସୁଜାଙ୍କ ଜରିଆରେ ୫୦ ଲକ୍ଷ ଟଙ୍କା ଟୋକନ ମନି ଦିଆଯାଇଥିଲା । ନିଜର ବିଦେଶ ଗସ୍ତ ନେଇ ସମୀର ଓ୍ବାଙ୍ଖଡେ କୌଣସି ସ୍ପଷ୍ଟ ବିବରଣୀ ଦେଇପାରି ନଥିଲେ ବୋଲି ଏଫଆଇଆରରେ ଦର୍ଶାଯାଇଛି ।

ଇମ୍ରାନଙ୍କ ମୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟ ଘେରିଲେ ସରକାର ସମର୍ଥିତ ଦଳ

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ଡ୍ରାମା ଜାରି ରହିଛି । ଗତ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ବିବାଦ ଥମିବାର ନାଁ ନେଉନାହିଁ । ଇମ୍ରାନଙ୍କ ଗିରଫଦାରୀକୁ ବିରୋଧ କରି ପିଟିଆଇ ସମର୍ଥକମାନେ ଦେଶରେ ଦଙ୍ଗା ସୃଷ୍ଟି କରିଥିଲେ । ଅନେକ ସ୍ଥାନରେ ଭଙ୍ଗାରୁଜା ସହ ଜଳାପୋଡ଼ା କରିଥିଲେ । ଏହାପରେ ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫଦାରୀକୁ ବେଆଇନ ବୋଲି ଦର୍ଶାଇଥିିଲେ । ଇସଲାମାବାଦ ହାଇକୋର୍ଟ ମଧ୍ୟ ତାଙ୍କୁ ୧୫ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ । କୁହାଯାଉଥିଲା ଯେ ଇମ୍ରାନଙ୍କୁ ମୁକ୍ତ କରାଯିବା ପରେ ଦେଶରେ ଶାନ୍ତି ପ୍ରତିଷ୍ଠା ହେବ ହେଲେ ତାର ବୀପରିତ ହୋଇଛି ।

ଇମ୍ରାନ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଗୋଟିଏ ମଞ୍ଚରେ ରହି ବିରୋଧ ପ୍ରଦର୍ଶନ କରିଛନ୍ତି । ଇମ୍ରାନଙ୍କ ଜାମିନକୁ ବିରୋଧ କରି ପିଡିଏମ ସୁପ୍ରିମକୋର୍ଟ ସମ୍ମୁଖରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛି । ଉଗ୍ର ଭିଡ଼ ସୁପ୍ରିମକୋର୍ଟ ବାହାରେ କ୍ୟାମ୍ପ ଲଗାଇଛି । ପ୍ରକାଶଯୋଗ୍ୟ, ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ୍) ଅନେକ ଦଳକୁ ନେଇ ଗଠିତ ସଂଗଠନ ଅଟେ । ଏଥିରେ କ୍ଷମତାସୀନ ପାକିସ୍ତାନ ମୁସଲିମ ଲିଗ୍ ନୱାଜ, ଜମିୟତ ଉଲେମା-ଏ-ଇସଲାମ (ଜେୟୁଆଇଏଫ) ଏବଂ ପାକିସ୍ତାନ ପିଲୁଲ୍ସ ପାର୍ଟି (ପିପିପି) ସମେତ ଅନେକ ଦଳ ସାମିଲ ଅଛି । ରେଡ ଜୋନ ଥିବା ଅଞ୍ଚଳରେ ୯ ମଇରୁ ୧୪୪ ଧାରା ଲାଗୁ ରହିଛି ।

ଏହା ସତ୍ତ୍ୱେ ପିଡିଏମ କାର୍ଯ୍ୟକର୍ତ୍ତାମାନେ ସେଠାରେ ପହଞ୍ଚିଥିଲେ ଏବଂ ସେମାନେ ଗେଟ୍ ଚଢ଼ି ସୁପ୍ରିମକୋର୍ଟରେ ପଶିବାକୁ ଉଦ୍ୟମ କରିଥିଲେ । ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଆସିଫ ସଂସଦରେ କହିଛନ୍ତି ପୂର୍ବରୁ ଶୁଣିବାକୁ ମିଳୁଥିଲା କାଗଜ ଲିକ୍ ହେଉଛି । ଏବେ ଶୁଣିବାକୁ ମିଳୁଛି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମଧ୍ୟ ଲିକ୍ ହେଉଛି । ଆପଣ ନ୍ୟାୟ ପାଇଁ ବସିଛନ୍ତି, କାହାର ସହାୟତା ପାଇଁ ନୁହେଁ । ଅନ୍ୟପକ୍ଷରେ ଇମ୍ରାନ ଖାନଙ୍କ ସମର୍ଥକମାନେ ମଧ୍ୟ ରାଲି କରିଛନ୍ତି । ପିଟିଆଇ ଦାବି କରି କହିଛି ଯେ ତାଙ୍କର କାର୍ଯ୍ୟକର୍ତ୍ତା ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି । ଇମ୍ରାନଙ୍କ ଦଳ ପିଟିଆଇ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ପ୍ରାୟ ୭ହଜାର ପିଟିଆଇ କାର୍ଯ୍ୟକର୍ତ୍ତା, ନେତା ଏବଂ ମହିଳାଙ୍କୁ ଜେଲରେ ବନ୍ଦ କରାଯାଇଛି ।

ସୁରକ୍ଷା ଏଜେନ୍ସି ସୁପ୍ରିମକୋର୍ଟ ଉପରେ କବଜା କରିବା ଏବଂ ସମ୍ବିଧାନ ସମାପ୍ତ କରିବା ପାଇଁ ଗୁଣ୍ଡାଙ୍କ ସହଯୋଗ କରୁଛି । ସମସ୍ତେ ଶାନ୍ତିପୂର୍ଣ୍ଣ ବିରୋଧ ପାଇଁ ପ୍ରସ୍ତୁତ ରୁହନ୍ତୁ, କାରଣ ପୁଣି ଗୋଟେଥର ସମ୍ବିଧାନ ଏବଂ ସୁପ୍ରିମକୋର୍ଟ ନଷ୍ଟ ହୋଇଯିବା ପରେ ପାକିସ୍ତାନର ସ୍ୱପ୍ନର ଅନ୍ତ ହୋଇଯିବ ବୋଲି ପିଟିଆଇ କହିଛି । ସେପଟେ ଅଲକାଦିର ଟ୍ରଷ୍ଟ ମାମମଲାରେ ଇମ୍ରାନଙ୍କ ପତ୍ନୀ ବୁଶାରାଙ୍କୁ ୨୩ ମଇ ପର୍ଯ୍ୟନ୍ତ ଗିରଫଦାରୀରୁ ଆଶ୍ୱସ୍ତି ମିଳିଯାଇଛି । ଇମ୍ରାନ ଏହା ପୂର୍ବରୁ ବୁଶାରାଙ୍କୁ ଗିରଫ କରାଯିବା ନେଇ ଆଶଙ୍କା ପ୍ରକାଶ କରିଥିଲେ । ବୁଶାରାଙ୍କୁ ଲାହୋର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

 

କଲେଜ ଛାତ୍ରଛାତ୍ରୀଙ୍କ ସହ ଭିସିରେ ଆଲୋଚନା କଲେ 5T ସଚିବ

ଗଞ୍ଜାମ: କଲେଜ ଛାତ୍ରଛାତ୍ରୀଙ୍କ ସହ ଭିସିରେ ଆଲୋଚନା କଲେ 5T ସଚିବ ଭି କେ ପାଣ୍ଡିଆନ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଓ ଶେରଗଡ ବ୍ଲକ ପରିସରରେ ଏ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସହ କଲେଜର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ 5T ମାଧ୍ୟମରେ ରୂପାନ୍ତରିତ ହେବାକୁ ଥିବା ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ ଫାଇଭ ଟି ସଚିବ। ମହାବିଦ୍ୟାଳୟ ରୂପାନ୍ତରଣ ଓ କଲେଜକୁ ଅନୁଦାନ ଯୋଗାଇ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ଛାତ୍ରଛାତ୍ରୀ ।

୯ ବର୍ଷ ପରେ ଚୋର ଫେରାଇଲା ଠାକୁରଙ୍କ ଜିନିଷ

ଭୁବନେଶ୍ବର: ଚୋର ଲେଖିଲା ପଶ୍ଚାତାପ ଚିଠି। ୯ବର୍ଷ ପରେ ଫେରାଇଲା ଠାକୁରଙ୍କ ଚୋରି ସାମଗ୍ରୀ, ଦେଲା ଜରିମାନା, ଦକ୍ଷିଣା। ରାଜଧାନୀ ଉପକଣ୍ଠ ଗୋପୀନାଥପୁର ଗାଁରେ ଏଭଳି ଘଟଣା ସାମନାକୁ ଆସିଛି। ୨୦୧୪ ମସିହାରେ ଗୋପୀନାଥ ମନ୍ଦିରରୁ ଠାକୁରଙ୍କ ରୁପା ଅଳଙ୍କାର ଚୋରି ହୋଇଥିଲା। ଠାକୁରଙ୍କ ରୁପା ବଂଶୀ, ଛତା, ମୁକୁଟ, ରୁପା ଆଖି, ଥାଳି, ଘଣ୍ଟ ଚୋରାଇ ନେଇଥିଲା ଚୋର। ସେତେବେଳେ ଲିଙ୍ଗରାଜ ଥାନାରେ ଏନେଇ ଅଭିଯୋଗ କରିଥିଲେ ଗାଁଲୋକେ।

ହେଲେ ଚୋରି ସାମଗ୍ରୀ ମିଳିନଥିଲା। ଘଟଣାର ୯ବର୍ଷ ପରେ ଏବେ ନିଜେ ଚୋର ସମସ୍ତ ଚୋରି ସାମଗ୍ରୀ ଫେରାଇଛି। ଚୋରି କରିଥିବାରୁ ୧୦୧ ଟଙ୍କା ଜରିମାନା ସାଙ୍ଗକୁ ୨୦୧ଟଙ୍କା ଦକ୍ଷିଣା ମଧ୍ୟ ଦେଇଛି। ଖାଲି ସେତିକି ନୁହେଁ ଚୋରି ଜିନିଷ ଫେରେଇବା ସ୍ଥାନରେ ଏକ ଚିଠି ଛାଡି ଯାଇଛି । ଏଥିରେ ଠାକୁରଙ୍କ ଅଳଙ୍କାର ଚୋରି କରିବା ପରେ କିଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲା ସେନେଇ ସେ ଲେଖିଛି । ୯ବର୍ଷ ପରେ ଠାକୁରଙ୍କ ଚୋରି ସାମଗ୍ରୀ ଫେରିପାଇଲା ପରେ ଗାଁରେ ଖୁସିର ମାହୋଲ ଖେଳି ଯାଇଛି।

ଜାମ୍ମୁ ଓ କାଶ୍ମୀରରେ NIA ରେଡ, ୧୩ ସ୍ଥାନରେ ଚାଲିଛି ଚଢ଼ାଉ

ଜାମ୍ମୁ ଓ କାଶ୍ମୀର: ଟେରର ଫଣ୍ଡିଂ ପ୍ରସଙ୍ଗରେ ଜାମ୍ମୁ ଓ କାଶ୍ମୀରରେ ଏନଆଇଏ ରେଡ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଦକ୍ଷିଣ କାଶ୍ମୀରର ପୁଲୱାମା, ସୋପିଆନରେ ଜୋରଦାର ଚଢାଉ ହୋଇଛି ।

ମୋଟ ୧୩ଟି ସ୍ଥାନରେ ଚଢାଉ ଚାଲିଛି। ବଡଗାଓଁ, ସୋପିଆନ, ପୁଲୱାମା, ଶ୍ରୀନଗର, ଅନନ୍ତନାଗ ଅଞ୍ଚଳରେ ରେଡ ଚାଲିଛି। ଏହି ଅଞ୍ଚଳରେ ଛଦ୍ମବେଶୀ ଆତଙ୍କୀ ସଂଗଠନ ପାକିସ୍ତାନ ଲିଙ୍କରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଅଭିଯୋଗ ହୋଇଆସୁଛି । ମେ’ ୧୧ ତାରିଖରେ ଏନଆଇଏ ବାରାମୁଲାରେ ରେଡ ମଧ୍ୟ କରିଥିଲା । କାଂଶୀପୁରାର ଅବଦ୍ଦୁଲ ଖଲିକ, ସୟଦ କରିମର ଜାଭିଦ ଅହମଦ ଧୋବୀ, ସାଙ୍ଗ୍ରୀ କଲୋନିର ସୋଏବ ଅହମଦ ଚୁରଙ୍କ ଘରେ ଛାପା ମାରିଥିଲା ଏନଆଇଏ ।

ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଏବଂ ହମଲା ଯୋଜନା କରିବା ଅଭିଯୋଗରେ ଏନଆଇଏ ଏହି ଚଢାଉ କରିଥିଲା । ପୁଞ୍ଚରେ ନିକଟରେ ୫ ଯବାନଙ୍କ ସହିଦ ପରେ ଏନଆଇଏ ଆକ୍ସନ ମୋଡକୁ ଆସିଛି  । NIA ଟିମ୍ ସହ SIA ଟିମ୍ ମଧ୍ୟ ରେଡରେ ସାମିଲ ହୋଇଛି ।

ପୁଣି ଗିରଫ ହେବେ କି ଇମ୍ରାନ ଖାନ୍

ଇସଲାମାବାଦ: ପୁଣି ଗିରଫ ହେବେ କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଆଜି ଲାହୋର ହାଇକୋର୍ଟରେ ହାଜର ହୋଇଛନ୍ତି ଇମ୍ରାନ। ମେ’ ୯ତାରିଖ ହିଂସା ମାମଲା ନେଇ ହାଇକୋର୍ଟରେ ଶୁଣାଣି ହେଉଛି। ଇସଲାମାବାଦ ହାଇକୋର୍ଟ ପରିସରରେ ଇମ୍ରାନଙ୍କ ଗିରଫଦାରୀ ପରେ ହିଂସା ଓ ଲାହୋର କୋର କମାଣ୍ଡରଙ୍କ ଘରେ ଅଗ୍ନିକାଣ୍ଡ ସଂପର୍କିତ ମାମଲାରେ ଶୁଣାଣି ହେଉଛି।

କୋର୍ଟ ବାହାରେ ଇମ୍ରାନଙ୍କ ସମର୍ଥକ ବହୁ ସଂଖ୍ୟାରେ ଏକତ୍ରିତ ହୋଇଛନ୍ତି । ପିଟିଆଇ ପକ୍ଷରୁ ଲାହୋର ଜମାନ ପାର୍କରେ ଶକ୍ତି ପ୍ରଦର୍ଶନ ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ କୁହାଯାଇଛି । ଇମ୍ରାନଙ୍କୁ ପୁଣି ଗିରଫଦାରୀ ନେଇ କିଛି ପିଟିଆଇ ନେତା ଆଶଙ୍କା ବ୍ୟକ୍ତ କରିଛନ୍ତି ।

ବାଇକକୁ ଧକ୍କା ଦେଲା ବସ୍, ଚାଲିଗଲା ବାଇକ ଆରୋହୀଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ୪୯ ନମ୍ବର ଜାତୀୟ ରାଜପଥ ସାମିୟାପାଲି ଛକ ନିକଟରେ ଦୁର୍ଘଟଣା । ବସ୍‌ ଧକ୍କାରେ ବାଇକ ଆରୋହୀ ମୃତ । ସାଇନାଥ ନାମକ ଏକ ଘରଇ ବସ୍‌ ବାଇକକୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଗୁରୁତର ହୋଇପଡ଼ିଥିଲେ ।

ପରେ ସ୍ଥାନୀୟ ଲୋକେ ତାଙ୍କୁ ପାଲଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ହେଲେ ପାଲଲହଡା ସିଗଡ଼ ଗାଁର ଶରତ ପ୍ରଧାନ I ଘଟଣା ସ୍ଥଳରେ ପୋଲିସ ପହଂଚି ବସ ଓ ବାଇକ କୁ ଜବତ କରି ଅଧିକ ତଦନ୍ତ ଚଳାଇଛି  ।

ଦିଲ୍ଲୀରେ ହେବ କର୍ଣ୍ଣାଟକ ଫୈସଲା, ୧୮ରେ ଶପଥ ନେଇପାରନ୍ତି ନୂଆ ସିଏମ୍

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ କର୍ଣ୍ଣାଟକ ଫୈସଲା । ୧୭ ମେ’ ସୁଦ୍ଧା ହଟିବ ସସପେନ୍ସ । ୧୮ ତାରିଖରେ ଶପଥ ନେଇପାରନ୍ତି ନୂଆ ସିଏମ୍ । ନବ ନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା ପରେ ଦିଲ୍ଲୀ ଫେରିଛନ୍ତି ତିନି ପର୍ଯ୍ୟବେକ୍ଷକ ।

ଆଜି ସନ୍ଧ୍ୟାରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପର୍ଯ୍ୟବେକ୍ଷକମାନେ ରିପୋର୍ଟ ପ୍ରଦାନ କରିବେ । ଡିକେ ଶିବକୁମାର ଓ ସିଦ୍ଧରମୈୟା ମଧ୍ୟ ଦିଲ୍ଲୀ ଡକାଯାଇଥିବା ଜଣାପଡ଼ିଛି । ନବ ନିର୍ବାଚିତ ବିଧାୟକମାନେ କାହାକୁ ସିଏମ କରିବାକୁ ଚାହୁଁଛନ୍ତି ସେ ନେଇ ପର୍ଯ୍ୟବେକ୍ଷକମାନେ ଭୋଟିଂ କରିଛନ୍ତି । ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ତେବେ ସିଦ୍ଧରେୈୟା ଓ ଡିକେ ଶିବକୁମାରଙ୍କ ସମର୍ଥକଙ୍କ ମଧ୍ୟରେ ଏବେ ସାମାନ୍ୟ ବିବାଦ ଦେଖିବାକୁ ମିଳିଛି ।

ଗୋଟିଏ ଗୋଷ୍ଠୀ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଥିବା ବେଳେ, ଆଉ ଗୋଟିଏ ଗୋଷ୍ଠୀ ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି । ବିଭିନ୍ନ ସ୍ଥାନରେ ସିଦ୍ଧରମୈୟା ଓ ଶିବକୁମାରଙ୍କ ସମର୍ଥନରେ ପୋଷ୍ଟର ଲାଗିଛି । ପୂର୍ବରୁ ପ୍ରଭାବଶାଳୀ ଭୋକାଲିଗା କମ୍ୟୁନିଟି ଶିବକୁମାରଙ୍କୁ ସମର୍ଥନ ଦେଇଥିବା ବେଳେ ଏବେ ଲିଙ୍ଗାୟତ ମଧ୍ୟ ପିସିସି ସଭାପତିଙ୍କ ପ୍ରତି ସମର୍ଥନ ଦେଇଛନ୍ତି । ସେପଟେ ଆଜି କେପିସିସି ସଭାପତି ଡି କେ ଶିବକୁମାରଙ୍କ ଜନ୍ମଦିନ ସେଲିବ୍ରେସନ ପାଇଁ ତାଙ୍କ ବାସଭବନରେ ସମର୍ଥକମାନେ ଜମା ହୋଇଛନ୍ତି ।