କଂଗ୍ରେସରୁ ବହିଷ୍କୃତ ନାରାୟଣଙ୍କ ସାଂଘାତିକ ଅଭିଯୋଗ, ଜଣେ ବରିଷ୍ଠ ବିଜେପି ନେତାଙ୍କ ସହ ଡିଲ୍ କରିଛନ୍ତି ଶରତ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ମୋକିମ ଓ ଚିରଞ୍ଜୀବଙ୍କ ନିଲମ୍ବନର ପ୍ରତିବାଦ କରି କଂଗ୍ରେସରୁ ବହିଷ୍କାର ହୋଇଥିବା ନାରାୟଣ ଯେନା ପିସିସି ସଭାପତିଙ୍କ ଅନୈତିକ କାରବାର ନେଇ ଅଭିଯୋଗ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଜଣେ ବରିଷ୍ଠ ବିଜେପି ନେତାଙ୍କ ସହ ଦିଲ୍ଲୀର ଏକ ତାରକା ହୋଟେଲରେ ଶରତ ପଟ୍ଟନାୟକଙ୍କ ଡ଼ିଲ୍ ନେଇ ଅଭିଯୋଗ କରିଛନ୍ତି ନାରାୟଣ ଯେନା । ନାରାୟଣ ଅଭିଯୋଗ କରିଛନ୍ତି, ଆମେ ଯେଉଁ ଦଳ ସହ ଲଢେଇ କରିବାକୁ ଅଣ୍ଟା ଭିଡ଼ୁଛୁ, ସେଇ ଦଳର ନେତାଙ୍କ ସହ ନିଜ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ହାତ ମିଳାଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି ।

୪ ଜିଲ୍ଲାରେ କଂଗ୍ରେସର ଭବିଷ୍ୟତ ବ୍ଲୁ ପ୍ରିଣ୍ଟ ବାବଦରେ ତଥ୍ୟ ଦେଇ ନିଜର ଫାଇଦା ନେଇଛନ୍ତି ଶରତ ପଟ୍ଟନାୟକ । ମୁମ୍ବାଇରେ ଏକ ଆଇଟି କମ୍ପାନୀରେ ତାଙ୍କ ଜ୍ବାଇଁ ଚାକିରୀ କରୁଛନ୍ତି । ହେଲେ ତାଙ୍କ ସେଠି ଅସୁବିଧା ହେବାରୁ ସେହି କମ୍ପାନୀର ସିଇଓଙ୍କୁ ହଟାଇବାକୁ ପିସିସି ସଭାପତି ବିଜେପି ନେତାଙ୍କ ସହ ଡ଼ିଲ୍ କରି ସଫଳ ହୋଇଛନ୍ତି । ସିଇଓଙ୍କୁ କମ୍ପାନୀରୁ ବାହାର କରିବା ସହ ନିଜ ନାତୁଣୀକୁ ମ୍ବମ୍ବାଇର ଏକ ପ୍ରତିଷ୍ଠିତ ସ୍କୁଲରେ ଆଡ଼ମିସନ କରିଛନ୍ତି । ତେଣୁ ଉଭୟ ନେତାଙ୍କ ନିଲମ୍ବନ ପ୍ରତିବାଦ କରିବା ତାଙ୍କର ଅଧିକାର ଏବଂ ସେ କିଛି ଭୂଲ୍ କରିନାହାନ୍ତି ବୋଲି କହିବା ସହ ପୁଣି ଥରେ ତୁରନ୍ତ ଦୁଇ ନେତାଙ୍କ ଉପରୁ ନିଲମ୍ବନ ଉଠାଇବା ସହ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।