spot_img
Home Blog Page 3153

ଅଜୟଗଡର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଖାଇଥାନ୍ତି ପିମ୍ପୁଡି ପ୍ରଜାତିର କାଇ

ଗଜପତି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଅଜୟଗଡର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଖାଇଥାନ୍ତି ପିମ୍ପୁଡି ପ୍ରଜାତିର କାଇ । ସ୍ଥାନୀୟ ଭାଷାରେ ଏହାକୁ କାଇପୁଡା କୁହାଯାଉଥିବା ବେଳେ ଏହାକୁ ଆବୁ ବୋଲି ମଧ୍ୟ କୁହାଯାଏ । ଜଙ୍ଗଲରେ ଆମ୍ବ, ପଣସ, କାଜୁ, କରଞ୍ଜ ଆଦି ଗଛରେ ଦେଖିବାକୁ ମିଳେ ଏହି କାଇ ପିମ୍ପୁଡି । ଏହାକୁ ସଂଗ୍ରହ କରି ନିଆଁରେ ପକାଇ ଖାଇଥାନ୍ତି ଏଠାକାର ଅଧିବାସୀ । କେତେକ ତେଲ ଲୁଣ, ଲଙ୍ଗା ପକାଇ ଏହାକୁ ରାନ୍ଧୁଥିବା ଦେଖବାକୁ ମିଳୁଥିବା ବେଳେ ଆଉ କେତେକ ଜଙ୍ଗଲରେ ମିଳୁଥିବା ଏକ ଶାଗ ଓ ଅନ୍ୟାନ୍ୟ ପନିପରିବାରେ ଏହାକୁ ମିଶାଇ ତରକାରୀ ପ୍ରସ୍ତୁତ କରନ୍ତି ।

ଏଠାକାର ଲୋକଙ୍କ ବିଶ୍ବାସ ଏହି କାଇ ପିମ୍ପୁଡିଙ୍କ ଦେହରେ ଭରି ରହିଛି ଔଷଧୀୟ ଗୁଣ । ଏହାକୁ ଖାଇଲେ ଆଖିକୁ ଭଲ ଦେଖାଯିବା ସହ ଥଣ୍ଡା ଦୂର ହୋଇଥାଏ ବୋଲି ଦାବି କରିଛନ୍ତି ଅଞ୍ଚଳବାସୀ । ଆଜିର ଯୁଗରେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ଦେଉଛି ଖାଦ୍ୟପଦାର୍ଥ । ହେଲେ ଆଦିବାସୀଙ୍କ ଏହି ଖାଦ୍ୟକୁ ନେଇ ଦାବି କେତେ ଯୁକ୍ତିଯୁକ୍ତ ତାହା ସୃଷ୍ଟିକରିଛି ଅନେକ ପ୍ରଶ୍ନ । କାଇ ପିମ୍ପୁଡିକୁ ଖାଦ୍ୟଭାବେ ଗ୍ରହଣ କରିବା ଦେହପ୍ରତି ହିତକାରକ ନା କ୍ଷତିକାରକ ତାହା ପରୀକ୍ଷଣ କରି ଆଦିବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି ।

ରାଜା ଚାର୍ଲସ ତୃତୀୟଙ୍କର ହେଲା ରାଜ୍ୟାଭିଷେକ

ଲଣ୍ଡନ: ଆଜି ବ୍ରିଟେନରେ ଐତିହାସିକ ଦିନ । ଦୀର୍ଘ ୭୦ ବର୍ଷ ପରେ ହୋଇଛି ପ୍ରଥମ ରାଜ୍ୟାଭିଷେକ । କିଙ୍ଗ ଚାର୍ଲସ ତୃତୀୟଙ୍କର ଶନିବାର ସନ୍ଧ୍ୟାରେ ବ୍ରିଟେନର ମହାରାଜା ରୂପରେ ରାଜ୍ୟାଭିଷେକ ହୋଇଛି । ସିଂହାସନ ଆରୋହଣ କରିଛନ୍ତି ରାଜା ଚାର୍ଲସ ତୃତୀୟ । ଗତବର୍ଷ ମହାରାଣୀ ଏଲିଜାବେଥଙ୍କ ପରଲୋକ ପରେ ପରମ୍ପରା ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ଚାର୍ଲସ । ଶେଷ ଥର ଲାଗି 1953ରେ ମହାରାଣୀଙ୍କ ରାଜାଭିଷେକ ଅନୁଷ୍ଠିତ ହୋଇଥିଲା । ଏହାପରେ ଆଜି ସନ୍ଧ୍ୟାରେ ଔପଚାରିକ ଭାବେ ତାଙ୍କର ରାଜ୍ୟାଭିଷେକ ହୋଇଛି ।

ତାଙ୍କର ରାଜ୍ୟାଭିଷେକ କରାଇ କ୍ୟାଣ୍ଟରବରିର ଆର୍ଚାବିଶପ ଜଷ୍ଟିନ ଭେଲବି ଏହି ଅବସରରେ ରାଜା ଚାର୍ଲସ ତୃତୀୟଙ୍କୁ ରାଜମୁକୁଟ ପିନ୍ଧାଇଥିଲେ, ଯାହା ଇଂଲଣ୍ଡର ମହାରାଜଙ୍କ ଶକ୍ତିର ପ୍ରତିକ ଅଟେ । ଏହିପରି ୭୪ ବର୍ଷୀୟ କିଙ୍ଗ ଚାର୍ଲସ ବ୍ରିଟେନର ସିଂହାସନରେ ବସିଥିବା ସବୁଠୁ ବୟଜେଷ୍ଠ ବ୍ରିଟିଶ ସମ୍ରାଟ ଭାବେ ଜଣାଯାଇଛନ୍ତି । ଏହି ଉତ୍ସବରେ ସାମିଲ ହୋଇଛନ୍ତି ବ୍ରିଟେନ ରାଜପରିବାର ସହ ସମ୍ପର୍କିତ ଅନେକ ରାଜ ପରିବାରର ସଦସ୍ୟ, ବିଭିନ୍ନ ଧର୍ମର ପ୍ରତିନିଧି, ବିଶ୍ବର ବହୁ ନେତା ପ୍ରମୁଖ ।  ରାଜ୍ୟାଭିଷେକ କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ଋଷି ସୁନାକ ।

ଚାର୍ଲସ ରାଜା ଘୋଷିତ ହେବା ପରେ ଉତ୍ତରାଧିକାରୀତ୍ବ ଅନୁସାରେ ସେ ବ୍ରିଟେନର 14ଟି କମନଓ୍ବେଲଥ ରାଷ୍ଟ୍ରର ବି ମୁଖ୍ୟ ହୋଇଛନ୍ତି । ୱେଷ୍ଟମିନିଷ୍ଟର ଏବେ ୧୦୬୬ରେ ୱିଲିୟମ ଦ କନକରରଙ୍କ ପରଠୁ ପ୍ରତ୍ୟେକ ବ୍ରିଟିଶ ରାଜ୍ୟାଭିଷେକର ସ୍ଥାନ ଭାବେ ରହିଆସିଛି ଏବଂ ମହାରାଜ ଚାର୍ଲସ ତୃତୀୟ ତଥା ତାଙ୍କ ପତ୍ନୀ ମହାରାଣୀ କେମିଲା ଏହି ଭବ୍ୟ ପରମ୍ପରାର ପାଳନ କରିଥିଲେ । ଏହି ଅବସରରେ ହିନ୍ଦୁ, ମୁସଲିମ, ଶିଖ, ବୌଦ୍ଧ ଏବଂ ୟହୁଦୀ ଗୋଷ୍ଠୀର ଧାର୍ମିକ ନେତା ଏବଂ ପ୍ରତିନିଧି ମଧ୍ୟ ଉପସ୍ଥିତ ରହିଥିଲେ । ରାଜା ଚାର୍ଲସ ତୃତୀୟଙ୍କ ପରେ ତାଙ୍କ ପତ୍ନୀ କେମିଲାଙ୍କୁ ୱେଷ୍ଟମିନିଷ୍ଟର ଏବେରେ କ୍ୱୀନ ରୂପରେ ମୁକୁଟ ପିନ୍ଧାଯାଇଥିଲା ।

ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କୁ କାମୁଡ଼ିଦେଲା ବିିଛା

ମୁମ୍ବାଇ: ବିମାନରେ ମହିଳାଙ୍କୁ କାମୁଡ଼ିଦେଲା ବିଛା । ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ବିଛା କାମୁଡ଼ି ଦେଇଥିଲା । ଏୟାରଲାଇନ୍ସ ତରଫରୁ ଦିଆଯାଇଥିବା ବିବୃତିରେ କୁହାଯାଇଛି ଯେ, ଗତ ମାସରେ ଏହି ଅଘଟଣ ଘଟିଥିଲା । ଏପ୍ରିଲ 23 ତାରିଖରେ ବିମାନ AI 630ରେ ଜଣେ ଯାତ୍ରୀଙ୍କୁ ବିଛା କାମୁଡ଼ି ଦେଇଥିଲା । ଚିକିତ୍ସା ପରେ ଯାତ୍ରୀ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ପ୍ରୋଟୋକଲ ଅନୁସାରେ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା । ଗତ ବର୍ଷ ଡିସେମ୍ବରରେ ଦୁବାଇ ବିମାନ ବନ୍ଦରରେ ଅବତରଣ କରିବା ପରେ କାଲିକଟରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର କାର୍ଗୋ ହୋଲ୍ଡରେ ଏକ ସାପ ମିଳିଥିଲା ।

ମଣିପୁରରେ ହିଂସା ପଛରେ ମାଦକ ଦ୍ରବ୍ୟ ବ୍ୟବସାୟର ପ୍ରମୁଖ ଭୂମିକା

ଇମ୍ଫାଲ: ମଣିପୁରରେ ଚାଲିଥିବା ହିଂସା ପଛରେ ମାଦକ ଦ୍ରବ୍ୟ ବ୍ୟବସାୟର ପ୍ରମୁଖ ଭୂମିକା ରହିଛି । ରାଜ୍ୟରେ ବେଆଇନ ଅଫିମ ଚାଷ ବଢୁଥିବା ବେଳେ କେବଳ 2022-23ରେ 4 ହଜାରରୁ ଅଧିକ ଏକର ଅଫିମ ଚାଷ ନଷ୍ଟ କରାଯାଇଛି । ତେବେ ଏହି ବେଆଇନ ଅଫିମ ଚାଷ ହିଁ କୁକୀ ଓ ମେଇତିଙ୍କ ମଧ୍ୟରେ ସଂଘର୍ଷର ମୂଳ କାରଣ ବୋଲି କୁହାଯାଇଛି । ଯଦିଓ କୁକୀମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି କୁହାଯାଉଛି ତଥାପି ଅଫିମ ଚାଷ ହିଁ ଏହି ବିବାଦର ମୂଳ କାରଣ ରହିଛି ।

ଚଳିତ ହିଂସାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କୁକୀ ବହୁଳ ଚୁରାଚାନ୍ଦପୁର । ସେହି ଅଞ୍ଚଳରେ ମେଇତିଙ୍କୁ ଟାର୍ଗେଟ କରାଯାଉଛି । ଅଫିମ ଚାଷ ଲାଗି ବହୁ ଜଙ୍ଗଲ ନଷ୍ଟ କରାଯାଉଛି । ସେଠାରେ ମେଇତିମାନଙ୍କ ବାସସ୍ଥଳୀକୁ ଜାଳି ଦିଆଯାଉଛି । କୁକୀମାନେ ଏହି ହିଂସାକାଣ୍ଡ ଘଟାଇବା ସହ ଅଫିମ ଚାଷକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି ।

ସ୍ଥାନୀୟ ବିଜେପି ବିଧାୟକମାନେ କୁକୀମାନଙ୍କୁ ସମର୍ଥନ କରିବା ଦେଖାଯାଉଛି । ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂ ଜଣେ ମେଇତି ହୋଇଥିବାରୁ ତାଙ୍କୁ କୁକୀମାନେ ବିରୋଧ କରିବା ସ୍ବାଭାବିକ । ଏହା ସହ ଅଫିମ ଚାଷ ନଷ୍ଟ ଲାଗି ସେ ଦେଇଥିବା ନିର୍ଦ୍ଦେଶକୁ କୁକୀମାନେ ନିଜ ସମ୍ପ୍ରଦାୟ ବିରୋଧରେ ଏକ ପଦକ୍ଷେପ ବୋଲି ବିଚାର କରୁଛନ୍ତି । ପୁଣି ମେଇତିମାନେ ହିନ୍ଦୁ ହୋଇଥିବାବେଳେ ସେମାନେ ନିଜକୁ ଆଦିବାସୀ ମାନ୍ୟତା ଦାବି କରିବା ଯୋଗୁ ପ୍ରକୃତ ଆଦିବାସୀମାନେ କ୍ଷୁବ୍ଧ ହୋଇଛନ୍ତି ।

କୁକୀ ଓ ନାଗାମାନେ ଖ୍ରୀଷ୍ଟଧର୍ମାଲମ୍ବୀ ହୋଇଥିବାବେଳେ ସେମାନେ ସମସ୍ତ ପାର୍ବତ୍ୟାଞ୍ଚଳରେ ସଂଖ୍ୟା ଗରିଷ୍ଠ ରହିଛନ୍ତି । ତେଣୁ ସେମାନେ ମେଇତିଙ୍କୁ ବିରୋଧ କରିବା ସ୍ବାଭାବିକ । ପୁଣି ମେଇତିମାନେ ପ୍ରକୃତରେ ଆଦିବାସୀ ଥିଲେ ଏବଂ ଅଷ୍ଟାଦଶ ଶତାବ୍ଦୀରେ ସେମାନେ ହିନ୍ଦୁ ଧର୍ମରେ ଦୀକ୍ଷିତ ହୋଇଥିବା କାରଣରୁ ସେମାନେ ନିଜକୁ ଆଦିବାସୀ ବୋଲି ଏବେ ଦାବି କରୁଛନ୍ତି ।

ଖାଲିସ୍ତାନୀ ଆତଙ୍କବାଦୀ ପରମଜିତ୍ ସିଂକୁ ଗୁଳି କରି ହତ୍ୟା

ଇସଲାମାବାଦ: ଆତଙ୍କବାଦୀ ଏବଂ ଖାଲିସ୍ତାନ କମାଣ୍ଡୋ ଫୋର୍ସ (କେସିଏଫ୍)ର ମୁଖିଆ ପରମଜିତ ସିଂହ ପଞ୍ଜୱଡ଼ ଓରଫ ମଲିକ ସରଦାର ସିଂକୁ ଶନିବାର ଗୁଳି ମାରି ହତ୍ୟା କରାଯାଇଛି । ଆଜି ସକାଳେ ପାକିସ୍ତାନରେ ଲାହୋରର ଜୌହର ଟାଉନରେ ୨ଜଣ ଅଜ୍ଞାତ ବନ୍ଧୁକଧାରୀ ଏହି ଘଟଣା ଘଟଇଛନ୍ତି । ଜୌହର ସହରରେ ସନଫ୍ଲାୱାର ସୋସାଇଟିରେ ପଞ୍ଜୱଡ଼ର ଘର ପାଖରେ ସକାଳ ପ୍ରାୟ ୬ ଟା ସମୟରେ ଏହି ଘଟଣା ଘଟିଛି । ରିପୋର୍ଟ ମୁତାବକ ପଞ୍ଜୱଡ଼ ମର୍ଣ୍ଣିଂୱାକରେ ଯାଉଥିବା ସମୟରେ ମୋଟରସାଇକେଲରେ ଆସି ଦୁଇ ଦୁର୍ବୃର୍ତ୍ତ ସେ ସମୟରେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ ।

କେସିଏଫ ମୁଖିଆ ସହ ଯାଉଥିବା ଜଣେ ବ୍ୟକ୍ତି ମଧ୍ୟ ଏହି ଗୁଳିମାଡ଼ରେ ଆହତ ହୋଇଛନ୍ତି, ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରମଜିତ ସିଂହ ପଞ୍ଜୱଡ ଭାରତର ପଞ୍ଜାବରେ ଡ୍ରୋନ ଜରିଆରେ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କାର୍ଯ୍ୟରେ ସାମିଲ ରହିଥିଲା । ପରମଜିତର ଜନ୍ମ ତରନ ତାରନ ପାଖ ପଞ୍ଜୱଡ଼ ଗାଁରେ ହୋଇଥିଲା ।  ୧୯୮୬ ମସିହାରେ ପଞ୍ଜୱଡ଼ ନିଜର ସମ୍ପର୍କୀୟ ଭାଇ ଲାଭ ସିଂହଙ୍କ ଦ୍ୱାରା କଟ୍ଟରପନ୍ଥୀ ହେବା ପରେ କେସିଏଫରେ ସାମିଲ ହୋଇଥିଲା । ଏହା ପୂର୍ବରୁ ସେ ସୋହଲରେ କେନ୍ଦ୍ରୀୟ ସହକାରୀ ବ୍ୟାଙ୍କରେ କାମ କରୁଥିଲା ।

ଭାରତୀୟ ସୁରକ୍ଷାକର୍ନମୀଙ୍କ ହାତରେ ଲାଭ ସିଂର ମୃତ୍ୟ ପରେ ୧୯୯୦ ମସିହାରେ ପରମଜିତ ପାକିସ୍ତାନ ପଳାୟନ କରିଥିଲା ଏବଂ ସେଠାରୁ ସେ କେସିଏଫର କମାନ ସମ୍ଭାଳିଥିଲା । ପାକସ୍ତାନ ଦ୍ୱାରା ଶରଣ ଦିଆଯାଉଥିବା ସବୁଠୁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ସୂଚୀରେ ଶୀର୍ଷରେ ଥିଲା ପରମଜିତ୍ । ପଞ୍ଜାବରେ ଅସ୍ତଶସ୍ତ୍ର ଏବଂ ହେରୋଇନର ଚୋରାଲାଣ କରି ଧନ ଅର୍ଜିତ କରି କେସିଏଫକୁ ଜୀବିତ ରଖିଥିଲା ପରମଜିତ୍ । ପାକିସ୍ତାନ ସରକାର ମନା କରିବା ସତ୍ତ୍ୱେ ସେ ଲାହୋରରେ ରହିଥିଲା, ଯେତବେଳେ କି ତାର ପତ୍ନୀ ଏବଂ ପିଲା ଜର୍ମାନୀ ଚାଲିଯାଇଥିଲେ ।

MSCB ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦେଲେ ଦୀକ୍ଷାନ୍ତ ଭାଷଣ, କହିଲେ, ଜଟିଳ ସମସ୍ୟା ଦେଇ ଗତି କରୁଛି ବିଶ୍ବ

ବାରିପଦା: ବିଶ୍ୱ ଏବେ ଜଟିଳ ସମସ୍ୟା ଦେଇ ଗତିକରୁଛି । ଗ୍ଲୋବାଲ ଓ୍ୱାର୍ମିଂ ବିଶ୍ୱ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଅନ୍ୟପଟେ ବିଶ୍ୱ ଆଜି ବହୁତ ଛୋଟ ହୋଇ ଆମ ଅଙ୍ଗୁଳି ଟିପରେ ରହିଛି । ଏବେ ପ୍ରତିଯୋଗିତା ଖୁବ୍ ତୀବ୍ର ହୋଇଥିବାରୁ ନିଜକୁ ଅଧିକ ଦକ୍ଷ କରିବାକୁ ପଡ଼ିବ । ବାରିପଦାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏପରି ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୟୂରଭଂଜର ଝିଅ ତାଙ୍କର ପ୍ରଥମ ପରିଚୟ ବୋଲି କହିବା ସହିତ ଚାକିରି ଦେବାର ମାନସିକତା ରଖିବାକୁ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଛନ୍ତି । ଆଗକୁ ଚାଲିବା ବଳେ ଥରେ ଥରେ ପଛକୁ ଚାହିଁବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ପଛକୁ ଚାହିଁଲେ ଦେଖିପାରିବ ତୁମ ସହ କିଏ ପ୍ରତିଦ୍ୱନ୍ଦ୍ୱିତା ଦୌଡ଼ରେ ଅଛନ୍ତି । ବିକାଶର ସବୁ ପ୍ରକାର ଲାଭ ସମସ୍ତଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । କେବଳ ନିଜ କଥା ନୁହେଁ, ଅନ୍ୟମାନଙ୍କ କଥା ଭାବିବାକୁ ଛାତ୍ରଛାତ୍ରୀଙ୍କୁ ମହାମହିମ ପରାମର୍ଶ ଦେଇଛନ୍ତି ।

ସମାବର୍ତ୍ତନ ସମାରୋହରେ ୯୦ ଜଣ ଗବେଷକଙ୍କୁ ପିଏଚଡି ଉପାଧି, ୮ ଜଣ ବ୍ୟକ୍ତି ବିଶେଷଙ୍କୁ ଡିଲିଟ, ୩୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ମାଙ୍କିଡିଆ, ଲୋଧା ଆଦି କେତେକ ଆଦିମ ଜନଜାତିର ପ୍ରତିନିଧିଙ୍କୁ ଭେଟିଥିଲେ ରାଷ୍ଟ୍ରପତି । ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ପରେ ଦିଲ୍ଲୀ ଫେରିଯାଇଛନ୍ତି ମହାମହିମ । ରାଷ୍ଟ୍ରପତି ହେବା ପରେ ପ୍ରଥମଥର କରି ଜନ୍ମମାଟିକୁ ଆସିଥିଲେ ମହାମହିମ । ନିଜ ଗାଁ ପାହାଡ଼ପୁର ଯାଇ ସ୍ବର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ଗତକାଲି ଦ୍ବିତୀୟ ଦିନରେ ରାଇରଙ୍ଗପୁରସ୍ଥିତ ଶିବମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିଦର୍ଶନ ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ଦେଇଥିଲେ ଶ୍ରଦ୍ଧାଞ୍ଜଳି । ଏହା ସହ ଶିମିଳିପାଳ ବୁଲି ଦେଖିଥିଲେ ।

ମିଶନ ଶକ୍ତି ସହାୟତାରେ ଢୋଲ ମୃଦଙ୍ଗ ନିର୍ମାଣ, ସ୍ୱାବଲମ୍ବୀ ହେଉଛନ୍ତି ଗରିବ ପରିବାର

ଝାରସୁଗୁଡ଼ା: ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଏମିତି ଅନେକ ଗାଁର ପରିବାର ନିଜ କୌଳିକ ବୃତ୍ତିକୁ ଛାଡ଼ିନାହାନ୍ତି । ଏହାକୁ ମୁଖ୍ୟମନ୍ତ୍ରୀ ଚିହ୍ନିପାରି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ସ୍ଵୀକୃତି ଦେଇଛନ୍ତି । ପିଢ଼ି ପିଢ଼ି ଧରି ଏକାଧିକ ପରିବାର ଢୋଲ ମୃଦଙ୍ଗ ତିଆରି କରି ଆସୁଛନ୍ତି; ଯାହା ଏହି ଅଞ୍ଚଳକୁ ଦେଇଛି ପରିଚୟ ।

ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ରଘୁନାଥପାଲି ପଞ୍ଚାୟତ ଅନ୍ତର୍ଗତ ପାଇକପଡ଼ା ଗ୍ରାମ । ଏକାଧିକ ପରିବାର ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଋଣ ଆଣି ଢୋଲ ମୃଦଙ୍ଗ ନିର୍ମାଣରେ ପୁଞ୍ଜି ନିବେଶ କରୁଛନ୍ତି । ଏଥିରୁ ଉପାର୍ଜିତ ଅର୍ଥ ଦ୍ଵାରା ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ସୁଦୂଢ ହୋଇପାରୁଛି । ଅନେକ ପରିବାର ବିନା ରଣରେ ମଧ୍ଯ ନିଜସ୍ବ ଅର୍ଥ ବିନିଯୋଗ କରି ପାରମ୍ପରିକ ପଦ୍ଧତିରେ ଉତ୍ପାଦନ କରୁଥୁବା ଜଣାପଡ଼ିଛି । ମିଶନ ଶକ୍ତି ପକ୍ଷରୁ ଆର୍ଥିକ ସହାୟତା ପାଇଥିବା ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ସହାୟତା ଦେଇଥିବାରୁ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସହାୟତା ପାଇନଥିବା କେତେକ ମହିଳା ସହାୟତା ପାଇଁ ରାଜ୍ୟ ସରକାରଙ୍କଠାରେ ଅନୁରୋଧ କରିଛନ୍ତି ।

ଢୋଲ ମୃଦଙ୍ଗ ପାଇଁ କଞ୍ଚାମାଲ ଭାବେ ମାଟିର ଖୋଳ୍ପା, ଚମଡ଼ା, ଓ ପ୍ଲାଷ୍ଟିକ ରଶି ଭିନ୍ନ ଭିନ୍ନ ସ୍ଥାନରୁ ଆଣିବା ପରେ ଏହାର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯାଇଥାଏ । ତିନିରୁ ଚାରିଦିନର ପରିଶ୍ରମ ପରେ ନିର୍ମାଣ ଶେଷ ହେବା ପରେ ଏହାକୁ ୫ରୁ ୬ ହଜାର ଟଙ୍କାରେ ବିକ୍ରି କରାଯାଉଥିବା ପ୍ରକାଶ କରିଛନ୍ତି ଉର୍ବଶୀ ବନଛୋର, ଲଳିତା ବାରଭାୟା, ବୃନ୍ଦାବତୀ ବନଛୋର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ଜରିଆରେ ଋଣ ଦେଇ ସହାୟତାର ହାତ ବଢ଼ାଇଥିବାରୁ ଆମେ ଅନେକ ମାତ୍ରାରେ ଆର୍ଥିକ ଲାଭବାନ ହେଇପାରିଛୁ ବୋଲି ଅମୂଲ୍ୟ ବନଛୋର କହିଛନ୍ତି ।

ରାତି ଅଧରେ ପ୍ରଚାର କରୁଛନ୍ତି ବିଜେପି ପ୍ରାର୍ଥୀ, ଏକାଧିକ ଲୋକଙ୍କ ସହ କରୁଛନ୍ତି ଅନ୍ଧାରୀ ବିଜେ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ଆଚରଣବିଧି ଭାଙ୍ଗୁଛି ବିଜେପି । ଏନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ ରାତି ଅଧରେ ପ୍ରଚାର କରୁଛନ୍ତି ବିଜେପି ପ୍ରାର୍ଥୀ । ନିର୍ବାଚନ ଆଚରଣବିଧି ଅନୁସାରେ ରାତି ୧୦ଟା ପରେ ପ୍ରଚାର ମନା । ମାତ୍ର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଗତକାଲି ରାତି ଗୋଟାଏରୁ ଦୁଇଟା ମଧ୍ୟରେ ଲଳିତ ହେରିଟେଜ ନିକଟ ସାମସଙ୍ଗ ଛକରେ ସହଯୋଗୀଙ୍କ ସହିତ ପ୍ରଚାର କରିଥିଲେ । ଏହି ସମୟରେ ମାଇକ୍ରୋଫୋନ୍ ମଧ୍ୟ ବ୍ୟବହାର କରିଥିଲେ । ଯାହାର ଭିଡିଓ ଫୁଟେଜକୁ ସିଇଓଙ୍କ ନିକଟରେ ଦାଖଲ କରିଛି ବିଜେଡି ।

ବିଜେପି ଜାଣିସାରିଲାଣି ଝାରସୁଗୁଡ଼ାରେ ଏକ ତରଫା ନିର୍ବାଚନରେ ବିଜେଡି ଜିତିବ । ପଦମପୁର ଭଳି ଏଠାରେ ଶୋଚନୀୟ ଭାବେ ପରାସ୍ତ ହେବ ବିଜେପି । ପୂର୍ବରୁ ବିଜେପୁର ଓ ପଦମପୁରରେ ହିଂସା କରିଆସିଛନ୍ତି ବିଜେପି କର୍ମୀ । ଆଚରଣବିଧି ଭାଙ୍ଗିବା ସେମାନଙ୍କର ଅଭ୍ୟାସ ବୋଲି ବିଜେଡି ଅଭିଯୋଗ କରିଛି ।

 

ଦୀପାଳି ଦାସଙ୍କୁ ସମର୍ଥନ ଘୋଷଣା କଲେ ଝାରସୁଗୁଡ଼ା କିଷାନ ସମାଜ

ଝାରସୁଗୁଡ଼ା: ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ସମର୍ଥନ ଘୋଷଣା କଲେ ଝାରସୁଗୁଡ଼ା କିଷାନ ସମାଜ। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ କିଷାନ ସମାଜ ସମ୍ମିଳନୀରେ ଏହି ଘୋଷଣା କରିଛି ସମାଜ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୪୫ ହଜାରରୁ ଅଧିକ କିଷାନ ସମାଜର ଭୋଟର ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଏବଂ ନିର୍ମଳ ଭାବମୂର୍ତ୍ତି ଓ ବିକାଶ କାର୍ଯ୍ୟ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କଲା କିଷାନ ସମାଜ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲି ନେବ ଲଘୁଚାପ ରୂପ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୯ ତାରିଖରେ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ପରେ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ୮ ତାରିଖ ପରେ ବାତ୍ୟାର ତୀବ୍ରତା ଓ ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି କହିଛି ପାଣିପାଗ ବିଭାଗ । ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳକୁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ କରିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିପାରେ । ଆଣ୍ଡାମାନ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ସହିତ ପ୍ରବଳ ବର୍ଷା ହେବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ଅନ୍ୟପକ୍ଷରେ ଓଡ଼ିଶା ଉପରେ ପଡ଼ିବନି ସମ୍ଭାବ୍ୟ ବାତ୍ୟାର ପ୍ରଭାବ । ୮ ତାରିଖରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ ତାତି । କାଳବୈଶାଖୀର ପ୍ରଭାବ କମିବା ସହିତ ତାତି ବୃଦ୍ଧି ପାଇବ । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାକୁ କାଳବୈଶାଖୀ ସତର୍କତା କରାଯାଇଛି । ଉପକୂଳ ଓଡ଼ିଶାର ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହେବ ।