ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା, ପୋଲିସ ଗାଡ଼ିକୁ ଅଟକ ରଖିଲେ ଗାଁ ଲୋକେ

ପିପିଲି: ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା । ପୋଲିସ ଗାଡ଼ିକୁ ଅଟକ ରଖିଲେ ଗାଁ ଲୋକେ । ପିପିଲି ଥାନା ଜୟପୁରଶାସନ ଗାଁର ଜଣେ ଯୁବକକୁ ପୋଲିସ ଥାନାକୁ ନେଉଥିବା ବେଳେ ଭ୍ୟାନ୍‌ ଅଟକାଇଲେ ଗାଁ ଲୋକ । ମହିଳା ଓ ପୁରୁଷ ମିଶି ପ୍ରାୟ ଦେଢ଼ ଘଣ୍ଟା ଅଟକ ରଖିବା ପରେ ପୋଲିସ ଭ୍ୟାନକୁ ଛାଡ଼ିଥିଲେ । ସୂଚନା ଅନୁସାରେ ଧଉଳି ଥାନା ଅଂଚଳର ଏକ ମାମଲାରେ ସଂପୃକ୍ତ ଥିବା କେତେକ ଯୁବକ ପିପିଲିର ଜୟପୁରଶାସନ ଗାଁରେ ଲୁଚି ରହିଥିବା ପୋଲିସ ଖବର ପାଇ ରେଡ୍ କରିଥିଲା । ଧଉଳି ଅଞ୍ଚଳର ଏକ ଉଦଘାଟନୀ ଫଳକ ଭଙ୍ଗାରୁଜା ଘଟଣାରେ ସେମାନେ ସଂପୃକ୍ତ ଥିଲେ । ସେମାନଙ୍କୁ ଧରିବା ପାଇଁ ଧଉଳି ପୋଲିସ ଶନିବାର ରାତିରେ ପିପିଲି ପୋଲିସ ସହାୟତାରେ ଗାଁ ମେଳଣ ପଡ଼ିଆ ଠାରେ ଚଢାଉ କରିଥିଲା । ଦୁଇଜଣ ଯୁବକ ଏକ ବାଇକକୁ ଛାଡ଼ି ସେଠାରୁ ଫେରାର ହୋଇଯାଇଥିବା ବେଳେ ଗାଁର ଜଣେ ଯୁବକକୁ ପୋଲିସ ଧରିଥିଲା । ପରେ ତାକୁ ଭ୍ୟାନରେ ବସାଇ ଥାନାକୁ ନେବାକୁ ଉଦ୍ୟମ ବେଳେ ବିରୋଧ କରିଥିଲେ ଗାଁ ଲୋକ । ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଥାନାଧିକାରୀ ପହଞ୍ଚି ଉତ୍ୟକ୍ତ ମହିଳା ଓ ପୁରୁଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଯୁବକ ସମେତ ଜବତ ବାଇକକୁ ଧରି ପୋଲିସ ସେଠାରୁ ରାତି ସାଢେ ୧୧ଟାରେ ଥାନାକୁ ଫେରିଥିଲା । ପରେ ଯୁବକ ସମେତ ଜବତ ବାଇକକୁ ଧଉଳି ପୁଲିସ ସାଥିରେ ନେଇଥିବା ସୂଚନା ମିଳିଛି ।