କେନ୍ଦ୍ର ସମବାୟ ବ୍ୟାପାର ମନ୍ତ୍ରଣାଳୟର ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଧରିଛି ସିବିଆଇ

ନୂଆଦିଲ୍ଲୀ: ଲାଞ୍ଚ କାରବାର ମାମଲାରେ କେନ୍ଦ୍ର ସମବାୟ ବ୍ୟାପାର ମନ୍ତ୍ରଣାଳୟର ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଧରିଛି ସିବିଆଇ । ୩ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଏପରି ଗିରଫଦାରୀ ହୋଇଛି । ଅଭିଯୁକ୍ତମାନଙ୍କଠାରୁ ସିବିଆଇ ନଗଦ ୬୦ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି । ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ମନ୍ତ୍ରଣାଳୟର ଡିଜି ଅଫିସରେ ଯୁଗ୍ମ ନିର୍ଦ୍ଦେଶକ ଓ ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ ଭାବେ ନୂଆଦିଲ୍ଲୀରେ ନିଯୁକ୍ତି ପାଇଥିଲେ । ମନ୍ତ୍ରଣାଳୟର ଆଉ ଜଣେ ଯୁଗ୍ମ ନିର୍ଦ୍ଦେଶକ ଯିଏ ଏବେ ଚେନ୍ନାଇର କର୍ପୋରେଟ ଭବନରେ ଅଫିସିଆଲ ଲିକ୍ୟୁଡେଟର ଭାବେ କାମ କରୁଛନ୍ତି, ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ୩ ସରକାରୀ ବାବୁଙ୍କ ବ୍ୟତୀତ ମୁମ୍ବାଇରେ ଘରୋଇ କମ୍ପାନୀ ଆଲୋକ ଇଣ୍ଡଷ୍ଟ୍ରିଜର ଜଣେ ବରିଷ୍ଠ କର୍ମଚାରୀଙ୍କୁ ସିବିଆଇ କାବୁ କରିଛି । ଗିରଫ ଅଧିକାରୀମାନେ ଘରୋଇ କମ୍ପାନୀଠାରୁ ଲାଞ୍ଚ ନେଇ ବେଆଇନ କାମ କରୁଥିଲେ । କମ୍ପାନୀ ବେଆଇନ ଓ ଅନିୟମିତତା କରୁଥିବାରୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଏହାର ଫାଇଲ ଗୁଡ଼ିକ ଯାଞ୍ଚ କରୁଥିଲା । ଏହାକୁ ରଫାଦଫା କରିବା ପାଇଁ ଖୋଦ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଲାଞ୍ଚ ନେଉଥିଲେ ।