ସାମ୍ନାକୁ ଆସିଲା ଏନସିଆରବିର ବିଚଳିତ କଲା ଭଳି ତଥ୍ୟ, ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି ୮୭ ଜଣ

1 min read

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା NCRBର ବିଚଳିତ କଲା ଭଳି ତଥ୍ୟ । ଦିନକୁ ନିଖୋଜ ହେଉଛନ୍ତି ୧ ହଜାର ୨୭୩ ମହିଳା । ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି ୮୭ ଜଣ । ମଣିପୁରରେ ୨ ମହିଳାଙ୍କ ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ସାରା ଦେଶରେ ଆକ୍ରୋଶ ପ୍ରକାଶ ପାଇଛି । ସମସ୍ତେ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ମହିଳା ବିରୋଧୀ ହିଂସା ରୋକିବାକୁ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି । ଦେଶରେ ପ୍ରତ୍ୟେକ ଦିନ ୨୪୬ ଯୁବତୀ ଏବଂ ୧୦୨୭ ମହିଳା ନିଖୋଜ ହେଉଛନ୍ତି । କଠୋର ଆଇନ ସତ୍ତ୍ବେ ପ୍ରତିଦିନ ୮୭ ମହିଳାଙ୍କ ସହ ଦୁଷ୍କର୍ମ ହେଉଛି । ଗତ ୫ ବର୍ଷରେ ଦିନକୁ ୮୭ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୨୧ରେ ରାଜସ୍ଥାନରେ ସର୍ବାଧିକ ୬ ଦଶମିକ ୩୩୭ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ।

ସେହିପରି ମଧ୍ୟପ୍ରଦେଶରେ ୨ ହଜାର ୯୪୭, ଉତ୍ତରପ୍ରଦେଶରେ ୨ ହଜାର ୮୪୫ଟି ମାମଲା ରୁଜୁ ହୋଇଥିଲା । ଏନସିଆରବିର ୨୦୨୧ ରିପୋର୍ଟ ଅନୁଯାୟୀ, ଦୁଷ୍କର୍ମ ମାମଲାରେ ରାଜସ୍ଥାନ ଗତ ୩ ବର୍ଷ ହେଲା ଶୀର୍ଷରେ ରହିଛି । ୨୦୧୮ରେ ମଧ୍ୟପ୍ରଦେଶରୁ ସର୍ବାଧିକ ୫ ହଜାର ୪୩୩ ଦୁଷ୍କର୍ମ ମାମଲା ଆସିଥିଲା । ଉତ୍ତରପ୍ରଦେଶ ଦ୍ଵିତୀୟ ଏବଂ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଥିଲା । ୨୦୨୧ରେ ଦେଶରେ ୩୧, ୬୭୭ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ଏହା ୨୮ ହଜାର ୪୬ ଥିଲା । ତେବେ ପୀଡ଼ିତାଙ୍କ ସଂଖ୍ୟା ୨୮ ହଜାର ୨୫୩ ଥିଲା । ୨୦୧୯ରେ ୩୨ ହଜାର ୩୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ୫ ବର୍ଷ ଭିତରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ।