ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା, ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଭିଜୁଛି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା । ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ୫ ଦିନ ପର୍ଯ୍ୟନ୍ତ ବର୍ଷାରେ ନିସ୍ତାର ମିଳିବ ନାହିଁ । ଅଗଷ୍ଟ ୧ ଏବଂ ୨ରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଏବଂ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୧ ତାରିଖରେ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ବରଗଡ଼, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ଯାଜପୁର ଏବଂ ଭଦ୍ରକରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ବର୍ଷା ସମୟରେ ସହରାଞ୍ଚଳରେ ଆକସ୍ମିକ ବନ୍ୟା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ନେଇ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବ । ଦୁଇ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ଗୋଟିଏ ଲଘୁଚାପ ଦୁର୍ବଳ ହେବା ପରେ ଗତକାଲି ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ଉପତ୍ୟକାର ସ୍ଥଳଭାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ସ୍ଥଳଭାଗରେ ସୃଷ୍ଟି ହୋଇଥିବାରୁ ୩ ଦିନ ପର୍ଯ୍ୟନ୍ତ ସମାନ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।