spot_img
Home Blog Page 3138

କଳାହାଣ୍ଡି ଜିଲ୍ଲା ବିଜେଡିର ନୂତନ କର୍ମକର୍ତ୍ତା ନିଯୁକ୍ତ, ପୁଷ୍ପେନ୍ଦ୍ର ସିଂଦେଓ ହେଲେ ଜିଲ୍ଲା ବିଜେଡି ସଭାପତି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ବିଜେଡିର ନୂତନ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି । ପୁଷ୍ପେନ୍ଦ୍ର ସିଂଦେଓ ଜିଲ୍ଲା ବିଜେଡି ସଭାପତି ହୋଇଥିବାବେଳେ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି ଦିବ୍ୟ ଶଙ୍କର ମିଶ୍ର । ୭ ଜଣଙ୍କୁ ଉପସଭାପତି, ୮ ସାଧାରଣ ସମ୍ପାଦକ ଓ ୧୨ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଭବାନୀପାଟଣା ବିଧାନସଭାକ୍ଷେତ୍ର ପାଇଁ ସୁରେନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ବ ମିଳିଥିବାବେଳେ ଦିନେଶ ବଗର୍ତ୍ତୀଙ୍କୁ ଜୁନାଗଡ ବିଧାନସଭା କ୍ଷେତ୍ର, ମାନସ ବାଗଙ୍କୁ ଧର୍ମଗଡ ବିଧାନସଭା କ୍ଷେତ୍ର, ଚିତ୍ତରଂଜନ ମଣ୍ଡଳଙ୍କୁ ନର୍ଲା, ଶୈଳନ୍ଦ୍ର ରାଜଙ୍କୁ ଲାଞ୍ଜିଗଡ ଦାୟିତ୍ବ ଦିଆଯାଇଛି । ଏନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ସ୍ପଷ୍ଟ ଦିବାଲୋକରେ ଅବସରପ୍ରାପ୍ତ ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ରାତିରେ ନୁହେଁ ବରଂ ସ୍ପଷ୍ଟ ଦିବାଲୋକରେ କଲେ ବଡ଼ ଧରଣର ଲୁଟ । ନୀଳାଦ୍ରି ବିହାର ଅଞ୍ଚଳରୁ ଅବସରପ୍ରାପ୍ତ ଡାକ୍ତର ଦମ୍ପତିଙ୍କ ଘର କବାଟର ଲକ ଭାଙ୍ଗି ବୁଲାଇଲେ କଳାକନା । ଅପରାହ୍ନରେ ପତି ପତ୍ନୀ ଘରେ ନଥିବା ବେଳେ ଲୁଟ ହୋଇଛି । ଡାକ୍ତର ଶରତ ପାଇକରାୟ ପାର୍କକୁ ଯାଇଥିବା ବେଳେ ପତ୍ନୀ ଫିଜିୟୋଥେରାପି ପାଇଁ ଯାଇଥିଲେ । ଶରତ ପାର୍କରୁ ଫେରି ଦେଖିବା ବେଳେ ଘରର ଭିତର ପଟୁ ଲକ ହୋଇଥିଲା ।

କବାଟ ଖୋଲିବାକୁ ଡାକିଲା ବେଳେ ପୁରୁଷ କଣ୍ଠ ସ୍ୱର ଶୁଣିଥିଲେ । ଘରର ଉପର ପଟୁ ଯିବା ବେଳେ ଲୁଟେରା ମାନେ ଚମ୍ପଟ ମାରିଥିଲେ । ଦୁଇଟି ରୁମରେ ୫ଟି ଆଲମାରୀରୁ ନଗଦ ୧୫ ହଜାର ଟଙ୍କା ଓ ୪ ଭରି ସୁନା ନେଇଯାଇଛନ୍ତି । ୩ ଟି ହାର, ୪ଟି ମୁଦି, ୬ଟି କାନ ଫୁଲ, ସୁନା ଚୁଡି ଓ ମୋତି ଲୁଟି ନେଇଛନ୍ତି । ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ତଦନ୍ତ କରିବା ସହ ଫରେନସିକ ଟିମ ଛାନଭିନ କରିଛି ।

 

ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ଧନ୍ଦାମୂଳକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲୋକାର୍ପିତ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି  । ଏହାଦ୍ଵାରା ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ପିଲାମାନେ ଆସି ଛାତ୍ରାବାସରେ ରହି ଯୁକ୍ତ-୨ ପଢ଼ିବାର ସୁଯୋଗ ପାଇ ପାରିବେ । ପୂର୍ବରୁ ଏହିପିଲାମାନେ ସାଧାରଣ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିଲେ ଓ ସେଠାରେ ସେମାନଙ୍କ ପାଇଁ ବିଶେଷ ସୁବିଧା ଉପଲବ୍ଧ ନଥିଲା ।

ଏହି ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଧନ୍ଦାମୂଳକ ଶିକ୍ଷାରେ ଆଇଟି ଓ ଆଇଟି ସମ୍ବଳିତ ସେବା ବଷୟରେ ଶିକ୍ଷାଦାନର ସୁବିଧା କରାଯାଇଛି । ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଷୟ ସହିତ ଆଇଟି ଖୋଲାଯାଇଥିବା ବେଳେ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ବିଜ୍ଞାନ ବିଷୟ ସହିତ ଆଇଟି ଶିକ୍ଷାର ସୁଯୋଗ ସୃଷ୍ଟି କରାଯାଇଛି । ଏହି ଅବସରରେ ଦୃଷ୍ଟିବାଧିତ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ଅଡ଼ିଓ ଷ୍ଟୁଡିଓ ଓ ଶ୍ରୁତିବାଧିତ ପିଲାଙ୍କ ନିମନ୍ତେ ଭରଚୁଆଲ ଷ୍ଟୁଡିଓ କୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ ।

ଏଥିସହିତ ଦୁଇ ବିଦ୍ୟାଳୟର ସମସ୍ତ ପିଲାଙ୍କୁ ନୂଆ ସ୍କୁଲ ବ୍ୟାଗ , ଦୃଷ୍ଟିହୀନ ପିଲାଙ୍କ ପାଇଁ ବ୍ରେଲିସ୍ଲେଟ , ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ମୁଖ୍ୟମନ୍ତ୍ରୀ ବଣ୍ଟନ କରିଥିଲେ । ଉଭୟ ଛାତ୍ରାବାସର ଅନ୍ତେବାସୀଙ୍କ ବ୍ୟବହାର ନିମିତ୍ତ ନୂଆ ବିଛଣା , ଖାଇବା ବାସନ ଆଦି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରଯାଇଛି ଓ ଏଥି ସହିତ ଥଣ୍ଡା ପାନୀୟ ଜଳ ସୁବିଧା ପାଇଁ ଫ୍ରିଜ ଓ ଶିକ୍ଷଣ କାର୍ଯ୍ୟକ୍ରମ ଓ ମନୋରଞ୍ଜନ ପାଇଁ ଉଭୟ ଛାତ୍ରାବାସକୁ ଟିଭି ପ୍ରଦାନ କରାଯାଇଛି । ଏହି ଦୁଇ ବିଦ୍ୟାଳୟର ଶିକ୍ଷକ -ଛାତ୍ର ଅନୁପାତ ପ୍ରତି ଦଶ ଜଣ ଛାତ୍ର ପାଇଁ ଜଣେ ଶିକ୍ଷକ ଥିବାବେଳେ ଭୀମ ଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟରୁ ଚଳିତ ବର୍ଷ 10 ଜଣ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତି ବାଧିତ ବିଦ୍ୟାଳୟରୁ 14 ଜଣ ଛାତ୍ର ଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀନ୍ନ ହୋଇଛନ୍ତି ।

ଏଠାରେ ପିଲାମାନଙ୍କର ନିଃଶୁଳ୍କ ନାମ ଲେଖାର ବ୍ୟବସ୍ଥା କରାଯାଇଛି । 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁଇ ବିଦ୍ୟାଳୟରେ ଉପଯୋଗୀ ସ୍ମାର୍ଟ ଶ୍ରେଣୀ ଗୃହ , ଇ -ପାଠାଗାର , ବିଜ୍ଞାନାଗାର , ବିଭିନ୍ନ ଖେଳ ସୁବିଧା ଆଦି କରାଯାଇଛି । ଆଜି ଦୁଇ ବିଦ୍ୟାଳୟରେ ସରକାର ଉଚ୍ଚ ମାଧ୍ୟମିକ ଖୋଲିବାର ଆଦେଶନାମା ଛାତ୍ର, ଶିକ୍ଷକ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ସ୍ରୁଷ୍ଟି କରିଛି l ପ୍ରାରମ୍ଭରେ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପିଲାମାନେ ବାଦ୍ୟ ଓ ସଂଗୀତ ପରିବେଷଣ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ  । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ରହି ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ 5T ସଚିବ ଭି କେ ପାଣ୍ଡିଆନ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥି ଏସ , ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟାର , ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା , ଜିଲ୍ଲାପାଳ ଖୋର୍ଦ୍ଧା କେ ସୁଦର୍ଶନ ଚକ୍ରବର୍ତ୍ତୀ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରେ ମୁଖ୍ୟମନ୍ତ୍ରୀ ରାଜ୍ଯ ପଣ୍ୟାଗାର ନିଗମର କର୍ପୋରେଟ ବିଲଡ଼ିଂ ର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ଜେନା, ରାଜ୍ଯ ପଣ୍ୟାଗାର ନିଗମ ର ଅଧ୍ୟକ୍ଷ ପ୍ରମୂଖ ଉପସ୍ଥିତ ଥିଲେ ।

ବ୍ୟାସପୂର୍ଣ୍ଣିମା ଅବସରରେ ରୁଦ୍ରପୁରସ୍ଥ ନିଗମ କଳ୍ପତରୁ ଆଶ୍ରମରେ ଗୁରୁପୂଜନ ଉତ୍ସବ ପାଳିତ

ଭୁବନେଶ୍ୱର: ଗୁରୁଶ୍ରେଷ୍ଠ ବ୍ୟାସଦେବଙ୍କ ଜନ୍ମ ବ୍ୟାସପୂର୍ଣ୍ଣିମା ଅବସରରେ ରୁଦ୍ରପୁରସ୍ଥ ନିଗମ କଳ୍ପତରୁ ଆଶ୍ରମ ପରିସରରେ ସୋମବାର ଗୁରୁପୂର୍ଣ୍ଣିମା ଉତ୍ସବ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ସଦ୍‌ଗୁରୁ ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦଙ୍କ ପୂଜାର୍ଚ୍ଚନା ପରେ, ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ୱାମିଜୀ ମହାରାଜ କହିଲେ ଯେ, ଭାରତବର୍ଷର ଗୁରୁ ପରମ୍ପରା ଶ୍ରୀମନ୍‌ନାରାୟଣଙ୍କ ଠାରୁ ଆରମ୍ଭ ହୋଇ, ଆଦିଶଙ୍କରଙ୍କ ପର୍ଯ୍ୟନ୍ତ ଦୀର୍ଘବର୍ଷର ଯାତ୍ରାରେ । ଗୁରୁମାନେ ହିଁ ଶିଷ୍ୟଙ୍କୁ ସବୁବେଳେ ସତ୍‌ପଥର ଯାତ୍ରୀ ହେବା ପାଇଁ ମାର୍ଗଦର୍ଶନ ଦେଇଥାନ୍ତି । ସେଥିପାଇଁ ଭାଗବତକାର ସନ୍ଥ ଜଗନ୍ନାଥ ଦାସ କହିଥିଲେ, ଗୁରୁଙ୍କୁ ନ ମଣିବ ନର, ଗୁରୁଟି ସାକ୍ଷାତ୍ ଈଶ୍ୱର ।

ଏହି ଉପଲକ୍ଷେ ଆୟୋଜିତ ଧର୍ମସଭାରେ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ବିଶିଷ୍ଟ ବେଦ ପ୍ରବଚକ ବୀରେନ୍ଦ୍ର କୁମାର ତ୍ରିପାଠୀଶର୍ମା ବ୍ୟାସଦେବଙ୍କ ଜନ୍ମ ବୃତ୍ତାନ୍ତ ଉପରେ ଆଲୋକପାତ କରିବା ପରେ ବେଦବିଦ୍ ତଥା ଆର୍ଯ୍ୟସମାଜ ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଆଜିର ସମାଜରେ ଯେତେବେଳେ ଶିକ୍ଷାର ବ୍ୟବସାୟୀକରଣ ହୋଇଛି, ସେତେବେଳେ ପ୍ରକୃତ ଗୁରୁ କିଏ ଓ ପ୍ରକୃତ ଶିଷ୍ୟ କିଏ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିନ୍ତୁ ଶିକ୍ଷାଗୁରୁଙ୍କ ଠାରୁ ଆରମ୍ଭ କରି ଦୀକ୍ଷାଗୁରୁଙ୍କ ପର୍ଯ୍ୟନ୍ତ, ଗୁରୁ ସମାଜ ସବୁବେଳେ ଶିଷ୍ୟ ବା ଛାତ୍ରର ମଙ୍ଗଳକାମନା କରିବା ସହ ଆଗକୁ ବଢିବା ପାଇଁ ଆଶୀର୍ବାଦ କରିଥାନ୍ତି ।

ସ୍ୱାମୀ ସ୍ମୃତିପ୍ରିୟ ସରସ୍ୱତୀ, ପୂର୍ବତନ କୁଳାଧିପତି ଡଃ ପ୍ରଫୁଲ୍ଲ କୁମାର ମିଶ୍ର ଗୁରୁ ପରମ୍ପରା ଭାରତୀୟ ସଂସ୍କୃତିର ଏକ ଅମୂଲ୍ୟ ଅଙ୍ଗ ବୋଲି କହିଥିଲେ । ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡଃ ହରେକୃଷ୍ଣ ଶତପଥୀ ଓ ପ୍ରଫେସର ବିଶ୍ୱରଞ୍ଜନ କହିଲେ ଯେ, ପୌରାଣିକ ଯୁଗରେ ଗୁରୁ ସଙ୍ଗ ଲାଭ କରିବା ପାଇଁ, ଶିଷ୍ୟମାନଙ୍କୁ ପିତାମାତାମାନେ ପୂର୍ବ ପ୍ରସ୍ତୁତି କରାଉଥିଲେ । କିନ୍ତୁ ଆଜିର ଆଧୁନିକ ଶିକ୍ଷା ଆମ ଗୁରୁ ପରମ୍ପରାକୁ ସମ୍ପୂର୍ଣ୍ଣ ଭୁଲିଯାଇଛି । ଗୁରୁ ପରମ୍ପରାର ଭିତ୍ତିଭୂମି ଓ ଆବଶ୍ୟକତା ଉପରେ ପ୍ରଫେସର ଡଃ ସୁରେନ୍ଦ୍ର ନାଥ ଦାସ, ପ୍ରଫେସର ଡଃ ବିଜୟାନନ୍ଦ ସିଂ ଓ ପ୍ରଫେସର ବିଜୟ କେତନ ମହାପାତ୍ର ଉଦାହରଣ ସହ ବାଖ୍ୟା କରିଥିଲେ ।

ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ପୂର୍ବତନ ପୋଲିସ୍ ଆଇଜି ଅରୁଣ କୁମାର ଉପାଧ୍ୟାୟ ଭାରତୀୟ ସଂସ୍କୃତିରେ ଉପନୟନ ସଂସ୍କାର ସମୟରେ ଶିଷ୍ୟ ବା ବ୍ରହ୍ମଚାରୀକୁ ଗୁରୁ କେତେକ ଉପଦେଶ ଦେଇଥାନ୍ତି, ଯାହା ଶିଷ୍ୟ ବା ଛାତ୍ରର ଜୀବନଯାତ୍ରାରେ ସହାୟକ ହୋଇଥାଏ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଦୀନବନ୍ଧୁ ମହାରଣା, ଅଧ୍ୟାପକ ଡଃ କାର୍ତ୍ତିକ ଚନ୍ଦ୍ର ରାଉତ, ପ୍ରଫେସର ଡଃ ଅଶୋକ କୁମାର ମିଶ୍ର, ପୁରୀର ପୂର୍ବତନ ନଗରପାଳ ସୁରେନ୍ଦ୍ର କୁମାର ଦାସ, ଇସ୍କନର ସନ୍ନ୍ୟାସୀ ଭକ୍ତି ଚୈତନ୍ୟ ମହାରାଜ ପ୍ରମୁଖ ସ୍ୱାମୀ ବ୍ରହ୍ମାନନ୍ଦ ଓଡ଼ିଶାରେ ଗୁରୁ ପରମ୍ପରାର ଜଣେ ଅନନ୍ୟ ଉପାସକ ବୋଲି କହିଥିଲେ ।

ସୁବାର୍ତ୍ତାର ସମ୍ପାଦକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ଗୁରୁକୃପା ହେଲେ ମଣିଷ ଅସାଧ୍ୟ ସାଧନ କରିପାରେ । ଏହି ଅବସରରେ ଡାକ୍ତର ଦୀନବନ୍ଧୁ ମହାରଣାଙ୍କ ‘ଓଡ଼ିଶାର ପ୍ରାଚୀନ ପଞ୍ଚସଖା’ ଓ ପ୍ରଫେସର ଡଃ ଅଶୋକ କୁମାର ମିଶ୍ରଙ୍କ ‘ଶିଶୁ ଓ ମା’ର ଘରୋଇ ଚିକିତ୍ସା’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଆଶ୍ରମର ପରିଚାଳକ ଆନନ୍ଦ ବ୍ରହ୍ମଚାରୀ ଶ୍ରୀ ଜଗନ୍ନାଥଙ୍କ ଭଜନ ଗାନ କରିବା ସହ ସମସ୍ତ ଅତିଥି ତଥା ଭକ୍ତ ଶିଷ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଭକ୍ତ ଓ ଶିଷ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଆସିଗଲା ଜିଓର ଶସ୍ତା 4G ଫୋନ୍ ‘ଜିଓ ଭାରତ V2’, ମୂଲ୍ୟ ମାତ୍ର ୯୯୯ ଟଙ୍କା

ନୂଆଦିଲ୍ଲୀ: ରିଲିଆନ୍ସ ଜିଓ ଭାରତରେ ଶସ୍ତା ୪ଜି ଫୋନ୍ ‘ଜିଓ ଭାରତ ଭି-୨’ ଲଞ୍ଚ୍ କରିଦେଇଛି । ଏହି ମୋବାଇଲର ମୂଲ୍ୟ ମାତ୍ର ୯୯୯ ଟଙ୍କା ରହିଛି । କମ୍ପାନୀ ଦାବି କରିଛି ଯେ ଜିଓ ଭାରତ ଭି-୨ ଦମରେ କମ୍ପାନୀ ୧୦ କୋଟିରୁ ଅଧିକ ଗ୍ରାହକଙ୍କୁ ଯୋଡ଼ିବ । ୯୯୯ ଟଙ୍କାର ଏହି ଫୋନର ମାସିକ ପ୍ଲାନ ମଧ୍ୟ ସବୁଠୁ ଶସ୍ତା ରହିଛି । ଗ୍ରାହକଙ୍କୁ ୨୮ ଦିନର ଭାଲିଡିଟି ପ୍ଲାନ ପାଇଁ କେବଳ ୧୨୩ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ । ଏହି ପ୍ଲାନରେ ଗ୍ରାହକଙ୍କୁ ମୋଟ୍ ୧୪ ଜିବି ଡାଟା ଏବଂ ଅନଲିମିଟେଡ ଭଏସ୍ କଲ୍ ସୁବିଧା ମିଳିବ । ଏହାର ବାର୍ଷିକ ପ୍ଲାନର ମୂଲ୍ୟ ୧୨୩୪ ଟଙ୍କା ରହିଛି । କମ୍ପାନୀର କହିବା ଅନୁଯାୟୀ, ୨୫ କୋଟି ୨ଜି ଗ୍ରାହଙ୍କୁ ୪ଜିକୁ ଆଣିବା ପାଇଁ ଜିଓ ଭାରତ ପ୍ଲାଟଫର୍ମ ମଧ୍ୟ ଲଞ୍ଚ୍ କରାଯାଇଛି ।

ଏହି ପ୍ଲାଟଫର୍ମର ବ୍ୟବହାର ଅନ୍ୟ କମ୍ପାନୀଗୁଡିକ ମଧ୍ୟ ୪ଜି ଫୋନ୍ ବନାଇବା ପାଇଁ କରିପାରିବେ । କାର୍ବନ ଏହାର ଉପଯୋଗ କରିବା ମଧ୍ୟ ଆରମ୍ଭ କରିଦେଇଛି । ବିଶେଷଜ୍ଞ ଆଶା ପୋଷଣ କରିଛନ୍ତି ଯେ ୨ଜି ଫିଚର ଫୋନର ସ୍ଥାନ ଖୁବଶୀଘ୍ର ୪ଜି ଭାରତ ସିରିଜର ମୋବାଇଲ ନେଇନେବ । ଉଲ୍ଲେଖଯୋଗ୍ୟ କମ୍ପାନୀ ୨୦୧୮ରେ ମଧ୍ୟ ଜିଓଫୋନ ବଜାରକୁ ଆଣିଥିଲା, ଯାହାକୁ ୧୩କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି । କମ୍ପାନୀର କହିବା ଅନୁଯାୟୀ, ଜିଓ ଭାରତ ଭି-୨ ୪ଜି ମୋବାଇଲ ଭାରତରେ ହିଁ ନିର୍ମିତ ହୋଇଛି । ଏହାର ଓଜନ ମାତ୍ର ୭୧ ଗ୍ରାମ ଅଛି ।

ଏଥିରେ ଏଚଡି ଭଏସ୍ କଲିଂ, ଏଫଏମ ରେଡିଓ, ୧୨୮ ଜିବିର ଏସଡି ମେମୋରି କାର୍ଡ ସପୋର୍ଟ ଭଳି ଫିଚର ଉପଲବ୍ଧ । ମୋବାଇଲରେ ୪.୫ ସେଣ୍ଟିମିଟରର ଟିଏଫଟି ସ୍କ୍ରିନ୍, ୦.୩ ମେଗାପିକ୍ସେଲର କ୍ୟାମେରା, ୧୦୦୦ଏମଏଚର ବ୍ୟାଟେରୀ, ୩.୫ ଏମଏମର ହେଡଫୋନ ଜ୍ୟାକ୍, ପାୱାରଫୁଲ୍ ଲାଉଡସ୍ପିକର ଏବଂ ଟର୍ଚ ଉପଲବ୍ଧ ରହିଛି । ଜିଓ ଭାରତ ଭି-୨ ମୋବାଇଲ ଗ୍ରାହଙ୍କୁ ଜିଓସିନେମାର ସବସ୍କ୍ରିପ୍ସନ ସହ ଜିଓ ସାଭନର ୮ କୋଟି ଗୀତର ଆକ୍ସେସ ମଧ୍ୟ ମିଳିବ । ଗ୍ରାହକ ଜିଓ-ପେ ଜରିଆରେ ୟୁପିଆଇରେ ଲେଣଦେଣ ମଧ୍ୟ କରିପାରିବେ । କମ୍ପାନୀ କହିଛି ଯେ ଜିଓ ଭାରତ ଭି-୨ ୨୨ଟି ଭାରତୀୟ ଭାଷାରେ କାମ କରିପାରିବ ।

ଜମି ବଦଳରେ ରେଳବାଇରେ ଚାକିରି ମାମଲା, ସିବିଆଇ ଚାର୍ଜସିଟରେ ତେଜସ୍ୱୀଙ୍କ ନାଁ ସାମିଲ

ନୂଆଦିଲ୍ଲୀ: ଜମି ବଦଳରେ ରେଳବାଇରେ ଚାକିରି ମାମଲାରେ ଲାଲୁ ପରିବାରର ଅଡ଼ୁଆ ବଢ଼ିଯାଇଛି । ଏହି ମାଲମାରେ ଏବେ ସିବିଆଇ ନୂଆ ଚାର୍ଜସିଟ୍ ଦାଖଲ କରିଦେଇଛି । ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କ ନାଁ ସାମିଲ ରହିଛି । ଏହି ତିନି ଜଣଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ସିବିଆଇ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି ।

ଅବଶ୍ୟ ସିବିଆଇ ପକ୍ଷରୁ ଦାଖଲ ଏହି ଚାର୍ଜସିଟ୍ ଉପରେ ଶୁଣାଣି ନେଇ କୌଣସି ତାରିଖ ଦିଆଯାଇନାହିଁ । କିନ୍ତୁ ପୂର୍ବରୁ ହିଁ ଏହି ମାମଲାର ଶୁଣାଣି ୧୨ ଜୁଲାଇକୁ ସୂଚୀବଦ୍ଧ କରାଯାଇଛି । ବିହାରରେ ଏହି ଦୁର୍ନୀତି ୧୪ ବର୍ଷ ପୂରୁଣା ଅଟେ । ସେବେ କେନ୍ଦ୍ରରେ ୟୁପିଏ ସରକାର ଥିଲା ଏବଂ ଲାଲୁ ଯାଦବ ରେଳମନ୍ତ୍ରୀ ଥିଲେ । ଏହି ମାମଲାରେ ୧୮ ମଇ ୨୦୨୨ରେ ସିବିଆଇ ମାମଲା ରୁଜୁ କରିଥିଲା ।

ସିବିଆଇ ମୁତାବକ, ଲୋକଙ୍କୁ ପ୍ରଥମେ ରେଲୱେରେ ଗ୍ରୁପ ଡି ପଦରେ ସବସିଟିଚ୍ୟୁଟ ଭାବେ ଭର୍ତ୍ତି କରାଯାଇଥିଲା ଏବଂ ଜମି ନେଇ ଡିଲ୍ ହେବା ପରେ ସେମାନଙ୍କୁ ରେଗୁଲାର କରାଗଲା । ସିବିଆଇ ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ରେଲୱେ ସବସିଟିଚ୍ୟୁଟର ଭର୍ତ୍ତି ନେଇ କୌଣସି ବିଜ୍ଞାପନ ବା ପବ୍ଲିକ୍ ନୋଟିସ୍ ମଧ୍ୟ ଜାରି କରାଯାଇନଥିଲା, କିନ୍ତୁ ଯେଉଁ ପରିବାର ଲାଲୁ ପରିବାରକୁ ନିଜ ଜମି ଦେଇଥିଲେ, ସେମାନଙ୍କ ପରିବାରର ସଦସ୍ୟଙ୍କୁ ମୁମ୍ବାଇ, ଜବଲପୁର, କୋଲକାତା, ଜୟପୁର ଏବଂ ହାଜିପୁରରେ ନିଯୁକ୍ତି ଦିଆଯାଇଥିଲା ।

ପ୍ରଫୁଲ ପଟେଲ ଏବଂ ସୁନୀଲ ତଟକରେଙ୍କୁ ଏନସିପିରୁ ବିଦା କଲେ ଶରଦ, ଏପଟେ ଏନସିପି ମହାରାଷ୍ଟ୍ର ଅଧ୍ୟକ୍ଷ ବଦଳାଇଲା ଅଜିତ ଗୋଷ୍ଠୀ

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଘଡ଼ିକେ ଘୋଡ଼ା ଛୁଟୁଛି । ଏନସିପିରେ ବିଦ୍ରୋହ ମଧ୍ୟ ଅଜିତ ପୱାର ନୂଆ ଚାଲ୍ ଖେଳିଛନ୍ତି । ଅଜିତଙ୍କ ଗୋଷ୍ଠୀ ନୂଆ ଏନସିପି ଟିମ୍ ଗଠନ କରିଛି । ବର୍ଷେ ତଳେ ଶିବସେନା ସହ ବିଦ୍ରୋହ କରି ଏକନାଥ ଶିନ୍ଦେ ଯେଉଁ ରଣନୀତି ଆପଣାଇଥିଲେ ସମାନ ରଣନୀତି ଆପଣାଇଛନ୍ତି ଅଜିତ ପୱାର । ଏନସିପି ଦଳ ଉପରେ ଅଧିକାର ଦାବି କରିଛନ୍ତି ଅଜିତ ।

ବିଦ୍ରୋହୀ ଅଜିତ ଗୋଷ୍ଠୀର ସାଂସଦ ପ୍ରଫୁଲ୍ଲ ପଟେଲ କହିଛନ୍ତି ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ ପଦରୁ ଜୟନ୍ତ ପାଟିଲଙ୍କୁ ନିଷ୍କାସିତ କରାଯାଉଛି । ତାଙ୍କ ସ୍ଥାନରେ ସୁନୀଲ ତଟକରେଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଉଛି । ସେହିପରି ବିଧାନସଭାରେ ବିଧାୟକ ଦଳ ନେତା ଭାବେ ଅଜିତ ପୱାରଙ୍କୁ ଚୟନ କରାଯାଇଛି । ସେହିପରି ଅଜତ ପୱାର କହିଛନ୍ତି ମୋ ସମର୍ଥନରେ ସବୁ ବିଧାୟକ ଓ ନେତା ଅଛନ୍ତି । ତେଣୁ ଦଳୀୟ ଚିହ୍ନ ଓ ନାଁ ମଧ୍ୟ ଆମର ଅଧିକାର ।

ଏନେଇ ବିଧାନସଭା ବାଚସ୍ପତିଙ୍କୁ ମଧ୍ୟ ଅବଗତ କରାଯିବ । ସେହିପରି ଅନିଲ ଭାଇଦାସ ପାଟିଲଙ୍କୁ ମହାରାଷ୍ଟ୍ର ବିଧାନସଭାରେ ଏନିସିପିର ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଛି । ସୁନୀଲ ତଟକରେଙ୍କୁ ସଂଗଠନରେ ପରିବର୍ତ୍ତନ କରିବାର ଅଧିକାର ଦିଆଯାଇଥିବା କହିଛନ୍ତି ପ୍ରଫୁଲ୍ଲ । ତେବେ ଏହା ପୂର୍ବରୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ସାଂସଦ ପ୍ରଫୁଲ୍ଲ ପଟେଲ ଏବଂ ଏନସିପି ନେତା ଅନୀଲ ତଟକରେଙ୍କୁ ଦଳରୁ ବିଦା କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇଜଣଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପୱାର ନିଷ୍କାସିତ କରିଥିଲେ ।

ତାଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶରଦ ପୱାରଙ୍କୁ ଚିଠି ଲେଖିଥିଲେ । ତେବେ ଶରଦ ପୱାରଙ୍କ ଏହି ଘୋଷଣାର ଠିକ୍ କିଛି ସମୟ ପରେ ଅଜିତ ପୱାର ମଧ୍ୟ ଏନସିପିର ନୂଆ ଟିମ୍ ବନାଇଛନ୍ତି । ଏହା ପୂର୍ବରୁ ଶରଦ ପୱାର ନେତୃତ୍ୱାଧୀନ ଏନସିପି ଅଜିତ ପୱାରଙ୍କ ସହ ଯାଇଥିବା ସମସ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ପ୍ରସ୍ତାବ ପାରିତ କରିଛନ୍ତି । ଅଜିତ ପୱାରଙ୍କ ଶପଥ ସମାରୋହରେ ଭାଗ ନେଇଥିବା ତିନି ନେତାଙ୍କୁ ମଧ୍ୟ ଦଳରୁ ନିଷ୍କାସନ କରାଯାଇଛି ।

ଏହି ତିନି ନେତାଙ୍କ ମଧ୍ୟରେ ଦଳର କ୍ଷେତ୍ରୀୟ ମହାସଚିବ ଶିବାଜୀ ରାଓ ଗର୍ଜି, ଓକେଲା ଶହର ଜିଲ୍ଲାଅଧ୍ୟକ୍ଷ ବିଜୟ ଦେଶମୁଖ ଏବଂ ମୁମ୍ବାଇ ଡିଭିଜନର କାର୍ଯ୍ୟକାରୀ ଅଧ୍ୟକ୍ଷ ନରେନ୍ଦ୍ର ରାଣେ ସାମିଲ ଅଛନ୍ତି । ଏନସିପିରେ ବିଦ୍ରୋହ ମଧ୍ୟରେ ଶରଦ ପୱାର ସୋମବାର ସାତାରାର କରାଡରେ ନିଜର ରାଜନୈତିକ ଗୁରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ୟଶୱନ୍ତ ରାଓ ଚୌହ୍ୱାଣଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସାତାରାରେ ହୋଇଥିଲା ରାଲିରେ ଶରଦ ପୱାର କହିଛନ୍ତି, ବିଜେପି ସାରା ଦେଶରେ ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାରେ ଲାଗିଛି । ମହାରାଷ୍ଟ୍ରରେ ମଧ୍ୟ ଏପରି ହୋଇଛି । ମହାରାଷ୍ଟ୍ରର ଜନତାଙ୍କୁ ଏକଜୁଟ ହୋଇ ଶକ୍ତି ଦେଖାଇବାକୁ ପଡ଼ିବ ।

 

ରିମାଣ୍ଡ ଅବଧି ସରିବା ପରେ ଜେଲ୍ ଗଲେ ନବରଙ୍ଗପୁର ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ । ରିମାଣ୍ଡ ଅବଧି ସରିବା ପରେ ଆଜି ପ୍ରଶାନ୍ତ ରାଉତଙ୍କୁ କୋର୍ଟରେ ଭିଜିଲାନ୍ସ ହାଜର କରିବା ପରେ ଜେଲ ଗଲେ ଲାଞ୍ଚୁଆ ବାବୁ । ପ୍ରଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ । ଦୀର୍ଘ ୫ ଦିନ ଧରି ଭିଜିଲାନ୍ସର କଟକ କାର୍ଯ୍ୟାଳୟରେ ତାଙ୍କୁ ଜେରା କରାଯାଇଥିଲା । ପ୍ରଶାନ୍ତ ଏତେ ସମ୍ପତ୍ତି କେଉଁଠୁ ଆଣିଲେ ସେନେଇ ତଥ୍ୟ ଆଦାୟ କରିଛି ଭିଜିଲାନ୍ସ ।

ଏନେଇ ପ୍ରଶାନ୍ତଙ୍କଠାରୁ ବହୁ ସୁରାକ୍ ମିଳିଥିବା କୁହାଯାଉଛି । ଆଉ ୩ଟି ପ୍ଲଟ ସହ ୬ଟି ବେନାମୀ ଆକାଉଣ୍ଟ ଠାବ ହୋଇଛି । ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ ମୁଖ୍ୟମନ୍ତ୍ରୀ । କୋଟି କୋଟି ଟଙ୍କା ବେଆଇନ ସମ୍ପତ୍ତି ଠୁଳ କରିଥିଲେ ପ୍ରଶାନ୍ତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । ଆୟଠାରୁ ୫୦୬% ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।

୩ କୋଟିରୁ ଅଧିକ ନଗଦ ଟଙ୍କା ସହ ମୋଟ ୫ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି । ଗତ ୨୩ ତାରିଖରେ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ହୋଇଥିଲା । ୯୨.୩୪ ଲକ୍ଷର ବ୍ୟାଙ୍କ ଜମା ଓ ବୀମା, ୧ କୋଟି ୨୦ ଲକ୍ଷ ଟଙ୍କାର ନଗଦ ଟଙ୍କା, ପ୍ରାୟ ୩୭ ଲକ୍ଷର ୨ଟି ୪ଚକିଆ, ଗୋଟିଏ ୨ ଚକିଆ ଠାବ ହୋଇଛି । ୨୭.୨୭ଲକ୍ଷର ସୁନା ରୁପରା ଅଳଙ୍କାର ଠାବ ହୋଇଛି । ଝିଅର ପାଠପଢ଼ା ପାଇଁ ୮୭ଲକ୍ଷ ଖର୍ଚ୍ଚ କରିଥିଲେ ପ୍ରଶାନ୍ତ ।

ପାକିସ୍ତାନକୁ ଗୁଇନ୍ଦା ତଥ୍ୟ ଲିକ ଘଟଣାରେ ସାଙ୍ଘାତିକ ସୁରାକ, ପାକିସ୍ତାନ ଲିଙ୍କରେ ୨ଶହ ଏଜେଣ୍ଟ

ଭୁବନେଶ୍ୱର: ପାକିସ୍ତାନକୁ ଗୁଇନ୍ଦା ତଥ୍ୟ ଲିକ ଘଟଣାରେ ସାଙ୍ଘାତିକ ସୁରାକ । ପ୍ରି ଆକ୍ଟିଭ ସିମ୍ ସାରା ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ । ପାକିସ୍ତାନ ଏଜେଣ୍ଟଙ୍କ ସହ ଯୋଡି ହୋଇଛନ୍ତି ୨ ଶହ ଏଜେଣ୍ଟ । ଗିରଫ ପଠାଣି ସାମନ୍ତ ଆକାଉଣ୍ଟ ଯାଞ୍ଚ ବେଳେ STFକୁ ମିଳିଛି ସାଂଘାତିକ ତଥ୍ୟ । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଜାମ୍ବୁରେକୁ ମଧ୍ୟ ଗିରଫ କରିଛି STF । ଖୁବଶୀଘ୍ର ଅଭିଯୁକ୍ତର ହେବ ରିମାଣ୍ଡ ଆବେଦନ ।

ଅଭିଯୁକ୍ତ ଜାମ୍ବୁରେ ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିଲା । ପାକିସ୍ତାନର କିଛି ଗୁଇନ୍ଦା ଏଜେଣ୍ଟଙ୍କ ସହ ତାର ସମ୍ପର୍କ ଥିଲା । ପାକିସ୍ତାନର ସଏଦ ଡାନିସ୍ ଅଲ୍ଲୀ ସହ ତାର ଲିଙ୍କ ଥିଲା । ୭ ଜଣ ପାକିସ୍ତାନ ଓ ୧୦ ଜଣ ନାଇଜେରିଆନ ବ୍ୟକ୍ତିଙ୍କୁ ମେସେଜ ଦେଉଥିଲା ଅଭିଯୁକ୍ତ । ପୂର୍ବରୁ ଏହି କେସରେ ୫ ଜଣଙ୍କୁ ଗିରଫ କରାଯାଇଛି । ଫେକ ସିମ ଜରିଆରେ ଦେଶର ଗୋପନୀୟ ତଥ୍ୟ ଲିକ କରୁଥିଲେ ଅଭିଯୁକ୍ତ ।

ଅଜିତ ପୱାରଙ୍କୁ ଝଟକା, ଶପଥଗ୍ରହଣ ଉତ୍ସବରେ ସାମିଲ ସାଂସଦ କହିଲେ ମୁଁ ଶରଦ ପୱାରଙ୍କ ସହ ଅଛି

ମୁମ୍ବାଇ: ଦାଦା ଶରଦ ପୱାର ଏବଂ ଦଳ ସହ ବିଦ୍ରୋହ କରି ଏନସିପି ନେତା ଅଜିତ ପୱାର ନିଜ ସମର୍ଥକଙ୍କୁ ନେଇ ଏନଡିଏକୁ ସମର୍ଥନ ଦେଇଛନ୍ତି । ମହାରାଷ୍ଟ୍ରର ସିନ୍ଧେ ସରକାରକୁ ସେ ସମର୍ଥନ ଦେଇଛନ୍ତି । ଗତକାଲି ନିଜର ୮ ବିଧାୟକଙ୍କ ସହ ଶପଥ ନେଇଥିଲେ ଅଜିତ । ଅଜିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅନ୍ୟ ୮ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଅଜିତ କହିଥିଲେ ଯେ ସେ ଏନସିପି ଛାଡ଼ିନାହାନ୍ତି ବରଂ ଏନସିପି ତାଙ୍କ ପାଖରେ ଅଛି । କାରଣ ଏନସିପିର ସବୁ ବିଧାୟକ ଏବଂ ସାଂସଦ ତାଙ୍କ ସହ ଅଛନ୍ତି ।

ହେଲେ ଶପଥଗ୍ରହଣକୁ ୨୪ ଘଣ୍ଟା ନପୂରୁଣୁ ତାଙ୍କ ଗୋଷ୍ଠୀରେ ଛିଦ୍ର ଦେଖାଯାଇଛି । ଏନସିପି ସାଂସଦ ଅମୋଲ କୋହ୍ଲେ ସ୍ୱର ବଦଳାଇଛନ୍ତି ଏବଂ କହିଛନ୍ତି ଯେ ସେ ଶରଦ ପୱାରଙ୍କ ସହ ଅଛନ୍ତି ବୋଲି । ତେବେ କୋହ୍ଲେ ଗତକାଲି ରାଜଭବନରେ ଆୟୋଜିତ ଶପଥଗ୍ରହଣ ଉତ୍ସବରେ ସାମିଲ ଥିଲେ । କୋହ୍ଲେ ଶରଦଙ୍କୁ ସମର୍ଥନ ଦେବା ଅଜିତଙ୍କ ପାଇଁ ବଡ଼ ଝଟକା ଭାବେ ଜଣାଯାଉଛି । ଶିରୁର ଲୋକସଭା ଆସନରୁ ଏନସିପିର ସାଂସଦ ଅମୋଲ କୋହ୍ଲେ ଏକ ଭିଡିଓ ଟ୍ୱିଟ କରି ଲେଖିଛନ୍ତି, ଯେବେ ହୃଦୟ ଓ ମସ୍ତିକରେ ଯୁଦ୍ଧ ହୁଏ ତେବେ ହୃଦୟର ଶୁଣ । କାରଣ ଅଧିକାଂଶ ସମୟରେ ମସ୍ତିଷ୍କ ନୈତିକତା ଭୁଲିଯାଇଥାଏ.. କିନ୍ତୁ ହୃଦୟ କେବେ ଭୁଲିନଥାଏ ।

ଏପଟେ ଏନସିପି ଅଧ୍ୟକ୍ଷ ଶରଦ ପୱାର ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି । କିଛି ନେତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବାହାର କରାଯାଇଛି । ସେହିପରି ଆଜି ସତାରାଠାରେ ଶରଦ ପୱାର ଜନସଭା କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଶରଦ କହିଛନ୍ତି ଏହି ବିଦ୍ରୋହ ତାଙ୍କ ପାଇଁ ନୂଆ ନୁହେଁ । ଏପରି ଘଟଣା ପୂର୍ବଦିନମାନଙ୍କରେ ମଧ୍ୟ ଘଟିସାରିଛି ଏବଂ ସେ ଏହାର ମୁକାବିଲା ମଧ୍ୟ କରିଛନ୍ତି । ଯେଉଁମାନେ ତାଙ୍କ ସାଥ୍ ଛାଡ଼ିଛନ୍ତି ତାଙ୍କ ରାଜନୈତିକ କ୍ୟାରିଅର ସମାପ୍ତ ହୋଇଯାଇଛି । ତେଣୁ ଏବେ ଯେଉଁ ସଂକଟ ଉପୁଜିଛି ତାର ମଧ୍ୟ ନିରାକରଣ ହେବ ବୋଲି ପୱାର କହିଛନ୍ତି ।