ସମ୍ବଲପୁର: ସମ୍ବଲପୁର କୋଲକାତା-ମୁମ୍ବାଇ ଜାତୀୟ ରାଜପଥରେ ଦୁର୍ଘଟଣା । ଲକ୍ଷ୍ମୀ ଡୁଙ୍ଗୁରୀରେ ଘରୋଇ ବସ୍ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ରେଳ ଲାଇନ ନିକଟକୁ ମାଡ଼ିଗଲା ଯାତ୍ରୀବାହୀ ବସ । ସୌଭାଗ୍ୟ ବଶତଃ ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଖବର ପାଇ ସଙ୍ଗେ ସଙ୍ଗେ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣା ଗ୍ରସ୍ତ ରେଳ ଲାଇନ ନିକଟରୁ କଢ଼ାଯାଇଛି । କିଛି ସମୟ ପାଇଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଉଦ୍ଧାର କାର୍ଯ୍ୟ ପରେ ଏବେ ସ୍ବାଭାବିକ ହୋଇଛି ଟ୍ରେନ୍ ଚଳାଚଳ ।
ଚତୁର୍ଥ ଜାତୀୟ ଜଳ ପୁରସ୍କାର ୨୦୨୨ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଚତୁର୍ଥ ଜାତୀୟ ଜଳ ପୁରସ୍କାର ୨୦୨୨ ବିଜେତାଙ୍କୁ ଦିଆଯାଇଛି ସମ୍ବର୍ଦ୍ଧନା । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ସ୍ତରରେ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଜଳ ପୁରସ୍କାର-୨୦୨୨ ପାଇଛି ଓଡ଼ିଶା । ସେହିଭଳି ଶ୍ରେଷ୍ଠ ଜିଲ୍ଲା ବର୍ଗରେ ଗଞ୍ଜାମ ଜିଲ୍ଲାକୁ ପ୍ରଥମ ଜଳ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଥିଲା । ରାଜ୍ୟ ପକ୍ଷରୁ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ପୁରସ୍କାର ଗ୍ରହଣ କରିଥିଲେ । ସେହିଭଳି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳ ଦିବ୍ୟଜ୍ୟେତି ପରିଡ଼ା ଏବଂ ଟିମ୍ ପୁରସ୍କାର ଗ୍ରହଣ କରିଥିଲେ । ସମସ୍ତଙ୍କୁ ଅଭିନନ୍ଦନ ଜଣାଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟସ୍ତରରେ ଓଡ଼ିଶା ଏବଂ ଜିଲ୍ଲାସ୍ତରରେ ଗଞ୍ଜାମ କର୍ତ୍ତୃପକ୍ଷ ଅବିଶ୍ବସନୀୟ କାର୍ଯ୍ୟକରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । 5T ମାଧ୍ୟମରେ ଓ୍ବାଟର କନରଭେସନ କ୍ଷେତ୍ରରେ ସ୍ବଚ୍ଛତା ଅଣାଯାଇଛି । ସମସ୍ତଙ୍କ ମିଳିତ ଉଦ୍ୟମ ପାଇଁ ଓଡ଼ିଶା ସାରା ଦେଶ ଏବଂ ବିଶ୍ବ ପାଇଁ ରୋଲ୍ ମଡେଲ ପାଲଟିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଜଳ ସମ୍ପଦ ସୁରକ୍ଷା କ୍ଷେତ୍ରରେ ଗତ ୪ ବର୍ଷରେ ସରକାର ମଞ୍ଜୁର କରିଛନ୍ତି ୪୬ ହଜାର କୋଟିର ପ୍ରକଳ୍ପ । ଏଥିସହ ଜଳସମ୍ପଦର ବିକାଶ ପାଇଁ ଆସନ୍ତା ୫ ବର୍ଷରେ ୭୫ ହଜାର କୋଟିର ପୁଞ୍ଜି ଲଗାଣ ଲକ୍ଷ୍ୟ ରଖାଯାଇଛି ।
IPS ସ୍ତରରେ ଅଦଳବଦଳ, କ୍ରାଇମବ୍ରାଞ୍ଚ IG ହେଲେ ସଫିନ୍ ଅହମ୍ମଦ କେ
ଭୁବନେଶ୍ୱର: IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ IG ହେଲେ ସଫିନ୍ ଅହମ୍ମଦ କେ । ୨୦୦୭ ବ୍ୟାଚର ଆଇପିଏସ୍ ସାର୍ଥକ ଷଡ଼ଙ୍ଗୀ ହେଲେ ଅଗ୍ନିଶମ ଓ ହୋମଗାର୍ଡ DIG । ସେହିପରି ସତ୍ୟଜିତ ନାୟକ ହେଲେ ଡିଆଇଜି, HRPC, କଟକ SP ହେଲେ ମିହିର କୁମାର ପଣ୍ଡା ଓ ନୟାଗଡ଼ SP ଭାବରେ ରାଜୁଲ ଜୈନଙ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ କଟକ SP ଜେ.କେ ବାନୋଥଙ୍କୁ ହେଡକ୍ୱାଟର AIG ଭାବେ ବଦଳି କରାଯାଇଛି ।
ରାଜ୍ୟ କଂଗ୍ରେସକୁ ଘାରିଛି ଘର ସଜଡ଼ା ଚିନ୍ତା, ଲୋକଙ୍କ ବିଶ୍ୱାସ ଜିତିବାକୁ ମାନସମନ୍ଥନ
ଭୁବନେଶ୍ୱର: କାହିଁକି ରସାତଳକୁ ଗଲା କଂଗ୍ରେସ ସଂଗଠନ ? କ’ଣ କଲେ ତୃଣମୂଳସ୍ତରରେ ପୁଣି ଉଠିବ ହାତ ? ସମୟ କମ୍, ଚ୍ୟାଲେଞ୍ଜ୍ ଅଧିକ । ୨୦୨୪ରେ ଭଲ ପ୍ରଦର୍ଶନ ପାଇଁ କଂଗ୍ରେସ ନେତାଙ୍କ ମାନସମନ୍ଥନ । ଗାଁ ଗାଁରେ ସଂଗଠନକୁ ମଜଭୁତ କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦଳର ହେଭିଓ୍ବେଟ୍ ଏକାଠି ହୋଇଛନ୍ତି । ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ପିସିସି ସଭାପତି, ସଂଗଠନର ବିଭିନ୍ନ ପଦ ପଦବୀରେ ଥିବା ନେତା ଏକାଠି ବସି ଲମ୍ବା ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ୯ ରୁ ୯୦ ମିଶନକୁ ସଫଳ କରିବା ପାଇଁ ଦଳ ବହୁ କାର୍ଯ୍ୟକ୍ରମ ହାତକୁ ନେଇଥିବା ପିସିସି ସଭାପତି କହିଛନ୍ତି ।
୨୦୦୦ ମସିହାରେ ରାଜ୍ୟରେ କଂଗ୍ରେସର ଭୋଟ୍ ହାର ୩୩.୮ ପ୍ରତିଶତ ଥିଲା । ୨୦୨୩ରେ ଏହା ୯.୬ ପ୍ରତିଶତକୁ କମିଛି । ଗତ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ୮ଟି ଉପନିର୍ବାଚନରେ କେବଳ ବ୍ରଜରାଜନଗରକୁ ଛାଡ଼ି କଂଗ୍ରେସ ସବୁଠି ଅମାନତ ହରାଇଛି । ଏପରି ସ୍ଥିତିରେ ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିବା ପାଇଁ ନେତାଙ୍କୁ ଚିନ୍ତା ଘାରିଛି ।
୨୦୧୯ରେ ବିଧାନସଭା ନିର୍ବାଚନରେ ଏକ ଅଙ୍କରେ ସୀମିତ ଥିବା କଂଗ୍ରେସ ୨୦୨୪ରେ ଭଲ ପ୍ରଦର୍ଶନ ପାଇଁ ସମରସଜ୍ଜା ଆରମ୍ଭ କରଛି । ତେବେ ଉପର ସ୍ତରର ନିଷ୍ପତ୍ତି ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବା ମଙ୍ଗୁଆଳଙ୍କ ପାଇଁ ଚ୍ୟାଲେଞ୍ଜ୍ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।
ଉତ୍ତରକାଶୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ବ୍ୟବସ୍ଥା, ୬ ମାସ ପାଇଁ ସବୁ ଖର୍ଚ୍ଚ ବହନ କରିବେ ସବ୍ୟସାଚୀ
ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିର ପୂଜାର ଦାୟିତ୍ବ ନେବେ ଅଭିନେତା ସବ୍ୟସାଚୀ ମିଶ୍ର । ୬ ମାସ ପାଇଁ ମନ୍ଦିର କିପରି ଚାଲିବ ଠାକୁର ପୂଜା ପାଇବେ ସେଥିପାଇଁ ସବୁ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ସବ୍ୟସାଚୀ । ପୁରୀ ବରିଷ୍ଠ ସେବାୟତ ତଥା ଛତିଶାନିଯୋଗ ମହାନାୟକ ଜନାର୍ଦ୍ଧନ ପଟ୍ଟଯୋଶୀ ମହାପାତ୍ର ଏହି ମନ୍ଦିର ସମ୍ପର୍କରେ ଜଣାଇଥିଲେ । ପରେ ସବ୍ୟସାଚୀ ଓ ଅର୍ଚ୍ଚିତା ସେହି ସ୍ଥାନକୁ ଯାଇ ବୁଲି ଦେଖିଥିଲେ । ଅତ୍ୟନ୍ତ ଭବ୍ୟ ଓ ସୁନ୍ଦର ଏହି ମନ୍ଦିରଟି ଦେଖିବାକୁ ବେଶ୍ ଆକର୍ଷଣୀୟ ଥିଲା । ଋଷିକେଶରେ ପହଞ୍ଚିବା ପରେ ସେଠାରେ ଥିବା ଜଗନ୍ନାଥ ମନ୍ଦିରର ଆଖପାଖ ୫ଟି ଗ୍ରାମର ଲୋକେ ସ୍ୱାଗତ କରିବା ସହିତ ସେଠାରେ ପୂଜା କରିଥିଲେ । ସପ୍ତାହରେ ୩ ଦିନ ମନ୍ଦିରରେ ଜଗନ୍ନାଥ ସେଠାରେ ପୂଜା ପାଉଥିବା ବେଳେ ବାକି ଦିନ ବିଭିନ୍ନ ସମସ୍ୟା ହେତୁ ପୂଜା ପାଉ ନାହାନ୍ତି । ଯାହାକି ସବ୍ୟସାଚୀଙ୍କୁ ବ୍ୟଥିତ କରିଥିଲା ।
ଉତ୍ତରକାଶୀର ପର୍ଯ୍ୟଟନ ବିଭାଗର ଅଧିକାରୀ ପହଞ୍ଚି ଏହାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୧୨ ଶହ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିବା ଏହି ମନ୍ଦିରର ବିକାଶ ପାଇଁ ସବ୍ୟ ନିବେଦନ କରିଛନ୍ତି । ଆଗାମୀ ୬ ମାସ ପର୍ଯ୍ୟନ୍ତ ସବ୍ୟସାଚୀ ଏହି ମନ୍ଦିରର ପୂଜାର୍ଚ୍ଚନା କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ସେହି ଗ୍ରାମର ଅଧିବାସୀମାନେ ଅର୍ଚ୍ଚିତାଙ୍କୁ ଗ୍ରାମର ଝିଅ ଭାବେ ଗ୍ରହଣ କରିଛନ୍ତି । ତାଙ୍କୁ ମହାପ୍ରଭୁଙ୍କ ନାମରେ ନାମିତ ଲୋକଗୀତ ଗାନ କରି ବିଦାୟ ଦେଇଥିଲେ । ଏଣୁ ଉତ୍ତରକାଶୀର କାଶି ବିଶ୍ୱନାଥ ମନ୍ଦିର ନିକଟରେ ରହିଥିବା ଏହି ସ୍ଥାନକୁ ଅଧିକରୁ ଅଧିକ ଭକ୍ତଙ୍କ ଆଗମନ ପାଇଁ ସବ୍ୟସାଚୀ ନିବେଦନ କରିଥିଲେ । ସେଠାକୁ ଯିବା ପାଇଁ ଇଛୁକ ଭକ୍ତମାନେ 9777155606 ରେ ଯୋଗାଯୋଗ କଲେ ସହଯୋଗ ମିଳିବ ବୋଲି ପୁରୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସବ୍ୟସାଚୀ ।

