ବଦଳିବ କେରଳର ନାଁ, କେରଳ ବିଧାନସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ

ଥିରୁଅନନ୍ତପୁରମ୍: ବଦଳିବ କେରଳର ନାଁ । ଏନେଇ କେରଳ ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ବିନା ସଂଶୋଧନରେ ପାରିତ ହୋଇଛି । ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହେବା ପରେ କେନ୍ଦ୍ର ସରକାରଙ୍କୁ ସମ୍ବିଧାନ ତଥା ସମସ୍ତ ସରକାରୀ ରେକର୍ଡରେ ନୂଆ ନାଁ ରଖିବାକୁ ଅନୁରୋଧ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବକୁ ଗୃହରେ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେରଳକୁ ମାଲାୟଲମ ଭାଷାରେ କେରଲମ୍ କୁହାଯାଏ । ଭାଷା ଭିତ୍ତିକ ଏହି ରାଜ୍ୟ ୧୯୫୬ ନଭେମ୍ବର ୧ ତାରିଖରେ ସୃଷ୍ଟି ହୋଇଥିଲା । ଏହି ଦିନକୁ କେରଳ ଦିବସ ଭାବେ ପାଳନ କରାଯାଇଥାଏ । ସମ୍ବିଧାନରେ ଏହାର ନାମ କେରଳ ଲେଖା ଯାଇଛି । ତେଣୁ ଏହାର ନାମ ପରିବର୍ତ୍ତନ କରାଯାଇ କେରଳମ୍ ରହିବ । ସିଏମ ବିଜୟନ ବିଧାନସଭାରେ ଧାରା ୧୧୮ ଅନୁସାରେ ଏହି ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ମଧ୍ୟ ସହମତି ପ୍ରକାଶ କରିଛି । ଶେଷରେ ବିଧାନସଭା ଅଧ୍ୟକ୍ଷ ଏଏନ ସମଶୀର ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ଗୃହୀତ ହୋଇଥିବା ଘୋଷଣା କରିଥିଲେ । ଏହାପରେ କେନ୍ଦ୍ର ସରକାରଙ୍କୁ ରାଜ୍ୟର ନାଁ ବଦଳାଇବା ପାଇଁ ନିବେଦନ କରାଯାଇଛି । ସମସ୍ତ ଆଧିକାରିକ ଦସ୍ତାବିଜ ତଥା ସମ୍ବିଧାନର ତୃତୀୟ ସୂଚୀରେ କେରଳର ନାଁ ବଦଳାଇ କେରଲମ କରିବାକୁ ଆଗ୍ରହ ପ୍ରକାଶ କରାଯାଇଛି ।