RJD ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା

1 min read

ନୂଆଦିଲ୍ଲୀ: RJD ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା । ଡବଲ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ କଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲାରେ ତଳ କୋର୍ଟ ପ୍ରଭୁନାଥଙ୍କୁ ଖଲାସ କରିଥିଲେ । ଏହାପରେ ପାଟନା ହାଇକୋର୍ଟ ମଧ୍ୟ ପ୍ରଭୁନାଥଙ୍କୁ ନିର୍ଦ୍ଦୋଷ ଦର୍ଶାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ପ୍ରଭୁନାଥଙ୍କୁ ଦୋଷୀ ସାବ୍ୟସ୍ତ କରି ଆସନ୍ତା ସେପ୍ଟେମ୍ବର ୧ ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେପ୍ଟେମ୍ବର ୧ରେ ପ୍ରଭୁନାଥ କୋର୍ଟରେ ହାଜର ହେବା ପାଇଁ ସୁପ୍ରିମକୋର୍ଟ ବିହାର ଡିଜି ଓ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭୁନାଥ ଏବେ ଆଉ ଏକ ହତ୍ୟା ମାମଲାରେ ହଜାରିବାଗ ଜେଲରେ ସଜା କାଟୁଛନ୍ତି ।

ବିହାରର ମହାରାଜଗଞ୍ଜ ଲୋକସଭା ଆସନରୁ ତିନି ଥର ଜେଡିୟୁ ଓ ଥରେ ଆରଜେଡି ଟିକେଟରେ ସାଂସଦ ହୋଇଛନ୍ତି ପ୍ରଭୁନାଥ । ୧୯୯୫ରେ ମସରଖର ଏକ ମତଦାନ କେନ୍ଦ୍ର ନିକଟରେ ୪୭ ବର୍ଷୀୟ ପୋଲିସ କର୍ମୀ ଓ ୧୮ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି । ପ୍ରଭୁନାଥଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଏହି ଦୁଇ ଜଣ ଭୋଟ ଦେଇନଥିବାରୁ ଦୁହିଁଙ୍କୁ ହତ୍ୟା କରାଯାଇଥିଲା ।

ସେହିପରି ମସରଖର ବିଧାୟକ ଅଶୋକ ସିଂଙ୍କୁ ୧୯୯୫ରେ ହତ୍ୟା କରାଯାଇଥିଲା । ଅଶୋକ ସିଂ ନିର୍ବାଚନରେ ପ୍ରଭୁନାଥଙ୍କୁ ହରାଇ ଥିବାରୁ ସେତେବେଳେ ସେ ଧମକ ଦେଇଥିଲେ ତିନି ମାସ ମଧ୍ୟରେ ଅଶୋକ ସିଂଙ୍କୁ ହତ୍ୟା କରାଯିବ । ଏହି ମାମଲାରେ ପ୍ରଭୁନାଥ ଏବେ ସଜା କାଟୁଛନ୍ତି ।