କଂଗ୍ରେସ ଟିକେଟ ପାଇବାକୁ ଚାହୁଁଥିଲେ ଦେବାକୁ ପଡିବ ୫୦ ହଜାର, ଏମାନଙ୍କୁ ମିଳିବ ରିହାତି

1 min read

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସ ରାଜ୍ୟ ବିଧାନସଭା ନିର୍ବାଚନ ଲଢିବା ପାଇଁ ଯୋଜନା କରୁଥିବା ଆଶାୟୀଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି  । ଚଳିତ ବର୍ଷ ଶେଷ ବେଳକୁ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ  । କର୍ଣ୍ଣାଟକ କଂଗ୍ରେସ ମଡେଲକୁ ତେଲାଙ୍ଗାନା କଂଗ୍ରେସ ଆପଣାଇଥିବା ଜଣେ ବରିଷ୍ଠ ନେତା କହିଛନ୍ତି  । ଏହି ପ୍ରକ୍ରିୟାରେ ଏସସି, ଏସଟି ଓ ଦିବ୍ୟାଙ୍ଗ ଆଶାୟୀଙ୍କୁ ଆବେଦନ ଶୁଳ୍କ ରୂପେ ୨୫ ହଜାର ଟଙ୍କା ଦେବାକୁ ପଡିବ । ସେହିପରି ସାଧାରଣ ବର୍ଗର ଆଶାୟୀଙ୍କୁ କଂଗ୍ରେସ ପ୍ରାର୍ଥୀ ହେବା ପାଇଁ ୫୦ ହଜାର ଟଙ୍କା ପଇଠ କରିବାକୁ ପଡିବ  ।

ଅଗଷ୍ଟ ୨୫ ପୂର୍ବରୁ ଆଶାୟୀ ମାନେ ଆବେଦନ କରିପାରିବେ ବୋଲି ତେଲେଙ୍ଗାନା କଂଗ୍ରେସ କହିଛି  । ଆଶାୟୀ ମାନେ ନିଜ ସମ୍ପର୍କରେ ଉଲ୍ଲେଖ କରିବା ସହ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବି ଦେବେ  । ଯାହାଦ୍ବାରା ପାର୍ଟି ସେମାନଙ୍କ ପୃଷ୍ଠଭୂମି ଯାଞ୍ଚ କରିପାରିବେ  । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସମସ୍ତ ଆବେଦନ ଯାଞ୍ଚ କରି ନିର୍ବାଚନ ସମିତି AICCକୁ ସୁପାରିଶ କରିବେ  । ଗତ ଦୁଇ ବିଧାନସଭା ନିର୍ବାଚନ ୨୦୧୪ ଓ ୨୦୧୮ ବେଳେ ଦଳ ପ୍ରାର୍ଥୀଙ୍କ ଠାରୁ କୌଣସି ଆବେଦନ ଶୁଳ୍କ ନେଇନଥିଲା  । ମାତ୍ର ୨୦୦୯ରେ ପାର୍ଟି ଏଥିପାଇଁ ୧୦ ହଜାର ଟଙ୍କା ଶୁଳ୍କ ନେଇଥିଲା  ।

ନିକଟରେ କର୍ଣ୍ଣାଟକ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ଆଶାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇଥିଲା  । ସେହିପରି ଏସସି ଏସଟି ଆବେଦକ କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଏକ ଲକ୍ଷ ଟଙ୍କା ଦେଇଥିଲେ  ।