spot_img
Home Blog Page 3071

ଟ୍ରେନ୍ ଦୁର୍ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କହିଲେ ଗୁରୁତରଙ୍କୁ ଉଦ୍ଧାର ସବୁଠୁ ବଡ଼ ପ୍ରାଥମିକତା

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଦୁର୍ଘଟଣା ବିଷୟରେ ଜାଣି ମୁଁ ଚିନ୍ତିତ। ଏହା ବାସ୍ତବରେ ଅତ୍ୟନ୍ତ ମର୍ମନ୍ତୁଦ ଦୁର୍ଘଟଣା। ଘଟଣାସ୍ଥଳକୁ ରାଜସ୍ୱ ମନ୍ତ୍ରୀ ଓ ଏସଆରସି ଗସ୍ତ କରି ସମସ୍ତ କାର୍ଯ୍ୟର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛି। ସମସ୍ତଙ୍କୁ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରାଯିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି । ଏହା ପୂର୍ବରୁ ସେ ରାଜୀବ ଭବନରେ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ।
ଅଧିକାରୀଙ୍କ ସହ ଦୁର୍ଘଟଣା ନେଇ ଆଲୋଚନା କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଟ୍ରେନ ଦୁର୍ଘଟଣା ନେଇ ସ୍ଥିତି ଅନୁଧ୍ୟାନ କରିଛି । ଗୁରୁତରଙ୍କୁ ଉଦ୍ଧାର ସବୁଠୁ ବଡ଼ ପ୍ରାଥମିକତା । ଆସନ୍ତାକାଲି ସକାଳୁ ଦୁର୍ଘଟଣାସ୍ଥଳକୁ ଯାଇ ସମ୍ପୂର୍ଣ୍ଣ ସ୍ଥିତି ଅନୁଧ୍ୟାନ କରିବି । ଏସଆରସି ଅଫିସରେ ବସିଥିବା ଏହି ବୈଠକରେ ଡେଭେଲପମେଣ୍ଟ କମିଶନର ଅନୁ ଗର୍ଗ, 5T ସଚିବ ଭିକେ ପାଣ୍ଡିଆନ, ସୂଚନା ଏବଂ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ, ପରିବହନ ସଚିବ ଉଷା ପାଢୀ ଉପସ୍ଥିତ ଥିଲେ ।

ଭୟଙ୍କର ଟ୍ରେନ୍ ଦୁର୍ଘଟଣା; ୨୦୦ରୁ ଉର୍ଦ୍ଧ୍ୱ ଆହତ, ଜରୁରୀକାଳୀନ ନମ୍ବର ଜାରି

ବାଲେଶ୍ୱର: ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ଏକ୍ସପ୍ରେସର ୩ ଏସି, ୫ ବଗି ଲାଇନଚ୍ୟୁତ । ୧୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବାହାନଗା ପାଣପଣା ନିକଟରେ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶରେ ଘଟଣାସ୍ତଳକୁ ଗଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏସଆରସିଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ୨ ଅଫିସରଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ । ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ବଲୱନ୍ତ ସିଂଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ ।

ଘଟଣାସ୍ଥଲରେ ୩ ଏନଡିଆରଏଫ, ୪ ଓଡ୍ରାଫ ଓ ଦମକଳ ୟୁନିଟ ମୁତୟନ ଅଛନ୍ତି । ୫୦ରୁ ଅଧିକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ନିୟୋଜିତ । ସରକାରୀ ଓ ଘରୋଇ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥା । ଘଟଣାସ୍ଥଳକୁ ଯାଉଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଟିମ୍ ଏବଂ ରେସକ୍ୟୁ ଟିମ୍ ଲାଗିଥିବା କହିଛନ୍ତି ଜିଲ୍ଲାପାଳ । ଘଟଣା ସ୍ଥଳରେ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଆହତ ଏବଂ ମୃତାହତଙ୍କ ସମ୍ବନ୍ଧରେ ସୂଚନା ପାଇଁ ପାଇଁ ଏସଆରସିଙ୍କ ପକ୍ଷରୁ ଏମରଜେନ୍ସି ନମ୍ବର ୦୬୭୮୨୨୬୨୨୮୬ ଜାରି କରାଯାଇଛି । ହାୱଡା ପାଇଁ ହେଲ୍ପ ଲାଇନ ନଂ-୦୩୩-୨୬୩୮୨୨୧୭, ଖଡ଼ଗପୁର-୮୯୭୨୦୭୩୯୨୫/୯୩୩୨୩୯୨୩୩୯, ବାଲେଶ୍ୱର-୮୨୪୯୫୯୧୫୫୯/୭୯୭୮୪୧୮୩୨୨, ଶାଲିମାର ପାଇଁ ହେଲ୍ପଲାଇନ୍ ନଂ-୯୯୦୩୩୭୦୭୪୬ ଜାରି କରାଯାଇଛି । ଚିକିତ୍ସା ପାଇଁ ୧୪୨ରୁ ଅଧିକ ଯାତ୍ରୀଙ୍କୁ ବାଲେଶ୍ୱରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାହାନଗା ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା, ୫ ବଗି ଲାଇନଚ୍ୟୁତ, ଉଦ୍ଧାର କାର୍ଯ୍ୟ ଜାରି

ବାଲେଶ୍ୱର: ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ । କରମଣ୍ଡଳ ଏକ୍ସପ୍ରେସର ୩ ଏସି ବଗି ଏବଂ ୫ଟି ସ୍ଲିପର ବଗି ଲାଇନଚ୍ୟୁତ । ବାହାନଗା ପଣପଣା ନିକଟରେ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଦୁର୍ଘଟଣାରେ ଭାଙ୍ଗିଲା ବାହାନଗା ରେଳ ଫାଟକ । ମାଲବାହୀ ଟ୍ରେନକୁ ପଛପଟୁ ଧକ୍କା ଦେବା ଫଳରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅନେକ ଯାତ୍ରୀ ଆହତ ସୂଚନା । ଉଭୟ ପଟୁ ରେଳ ଚଳାଚଳ ବନ୍ଦ । ଗୁରୁତର ଆହତ ଯାତ୍ରୀଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଏବଂ ଗୋପାଳପୁର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ଅଗ୍ନିଶମ, ଓଡ୍ରାଫ ଓ ସ୍ଥାନୀୟ ପୋଲିସ । ଅନେକ ଯାତ୍ରୀ ଫସିରହିଥିବା ସୂଚନା । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ସିନ୍ଦେଙ୍କ ପ୍ରତିକ୍ରିୟା । ଘଟଣାସ୍ଥଳରେ ଅଛନ୍ତି ବାହାନଗା ତହସିଲଦାର, ଏସପି ସାଗରିକା ନାଥ । ଆମ୍ବୁଲାନ୍ସ ଦ୍ୱାରା ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରାଯାଉଛି । ଗୋଟିଏ ଟ୍ରାକରେ ୨ଟି ଟ୍ରେନ୍ ଆସିଥିବା କୁହାଯାଉଛି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ଏମର୍ଜେନ୍ସି ନମ୍ବର ଜାରି କଲେ ଏସଆରସି । କଣ୍ଟ୍ରୋଲ ରୁମ୍ ନମ୍ବର-୬୭୮୨୨୬୨୨୮୬ ।

ସରକାରଙ୍କୁ ଅଲଟିମେଟମ, ୯ ଜୁନ ସୁଦ୍ଧା ବ୍ରିଜଭୂଷଣଙ୍କ ଗିରଫଦାରୀ ନହେଲେ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାମାନେ ଯୌନ ଶୋଷଣକୁ ଅଭିଯୋଗ ନେଇ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷମ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ କରୁଛନ୍ତି । ମାମଲାରେ ଲଗାତାର ଦ୍ୱିତୀୟ ଦିନ କୁରୁକ୍ଷେତ୍ରରେ ଖାପ ମହାପଞ୍ଚାୟତ ଆୟୋଜିତ ହୋଇଥିଲା । ଏହା ପୂର୍ବରୁ ଗୁରୁବାର ମଧ୍ୟ ୟୁପିର ମୁଜଫରନଗରରେ ମହାପଞ୍ଚାୟତ ହୋଇଥିଲା, କିନ୍ତୁ ଏଥିରେ କୌଣସି ପ୍ରସ୍ତାବ ପାରିତ ହୋଇନଥିଲା । ଶୁକ୍ରବାର ମହାପଞ୍ଚାୟତ ପରେ କୃଷକ ନେତା ରାକେଶ ଟିକୈତ ସରକାରଙ୍କୁ ୯ ଜୁନ୍ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ସେ କହିଛନ୍ତି ଜୁନ ୯ ତାରିଖ ମଧ୍ୟରେ ବିଜେପି ବାହୁବଳି ନେତା ତଥା ରେସଲର ସଂଘ ସଭାପତି ବ୍ରିଜଭୂଷଣଙ୍କ ଗିରଫଦାରୀ ନହେଲେ ଦେଶବ୍ୟାପୀ ଚାଷୀ ମହାପଞ୍ଚାୟତର ଆୟୋଜନ କରାଯିବ ।

୯ ତାରିଖରେ କୁସ୍ତିଯୋଦ୍ଧାଙ୍କ ସହ ଜନ୍ତରମନ୍ତରରେ ପହଞ୍ଚିବୁ । ପୋଲିସ ଅନୁମତି ନଦେଲେ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି । ପ୍ରକାଶଥାଉକି, ଉଭୟ ମହାପଞ୍ଚାୟତରେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରୁ ଖାପ୍ ପ୍ରମୁଖମାନେ ସାମିଲ ଥିଲେ । ରାକେଶ ଟିକୈତ କହିଛନ୍ତି ଯେ ଆମେ ନିଷ୍ପତ୍ତି କରିଛୁ ଯେ ଆମେ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ନ୍ୟାୟ ଦେବା ପାଇଁ ଦେଶବ୍ୟାପୀ ଏହିପରି ହିଁ ଖାପ୍ ପଞ୍ଚାୟତର ଆୟୋଜନ କରିବୁ । ଶାମଲିରେ ୧୧ ଜୁନ ଏବଂ ହରିଦ୍ୱାରରେ ୧୫ ଜୁନରୁ ୧୮ ଜୁନ ପର୍ଯ୍ୟନ୍ତ ପଞ୍ଚାୟତ ହେବ । ଯଦି ବ୍ରିଜଭୂଷଣଙ୍କୁ ୯ ଜୁନ ସୁଦ୍ଧା ଗିରଫ ନକରାଯାଏ ତେବେ ଆମେ ଆନ୍ଦୋଳନ ଆମ ହିସାବରେ କରିବୁ ବୋଲି ଚେତାବନୀ ଦେଇଛନ୍ତି ।

‘ମୋ ଶାଳୀକୁ ଭଲ ପାଉଥିଲା, ହତ୍ୟା କରିଦେଲି’

ପାରାଦୀପ: ପ୍ରେମ ବ୍ୟାପାରକୁ ନେଇ ପାରାଦୀପରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ହତ୍ୟାର ଶିକାର ହୋଇଛନ୍ତି ଟୁବୁଲି ଜେନା । ପାରୀଦୀପ ଟ୍ୟାକ୍ସିଷ୍ଟାଣ୍ଡରୁ ପୋଲିସ ଟୁବୁଲିଙ୍କ କ୍ଷତାକ୍ତ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ରମେଶ ଜେନାକୁ ଗିରଫ କରିଛି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଟୁବୁଲିଙ୍କୁ ରମେଶ ହତ୍ୟା କରିଥିବା ସ୍ବୀକାର କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଟୁବୁଲି ଓ ରମେଶଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗଣ୍ଡାଖିଆ ଲୋକନାଥପୁରରେ । ଉଭୟ ପାରାଦୀପର ଏକ ହୋଟେଲରେ କାମ କରୁଥିଲେ । ରମେଶ ଜେନାର ଶାଳୀକୁ ଟୁବୁଲି ଭଲ ପାଉଥିଲେ ।

ଏହାକୁ ନେଇ ରମେଶ ଓ ଟୁବୁଲିଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଏଥିଥିରେ ରାଗ ରଖି ଟୁବୁଲିଙ୍କୁ ରମେଶ ହତ୍ୟା କରିଥିବା ସ୍ବୀକାର କରିଛି । ଆଜି ଭୋର ୪ଟା ସମୟରେ ଟୁବୁଲି ଟ୍ୟାକ୍ସିଷ୍ଟାଣ୍ଡର ମଣ୍ଡପ ଉପରେ ଶୋଇଥିବା ବେଳେ ରମେଶ ଏକ କୋଦାଳରେ ତାଙ୍କ ମୁହଁକୁ ହାଣିଥିଲା ଏବଂ ଛାତି ଉପରେ ବସି ବେକକୁ ଛୁରୀରେ କାଟି ଦେଇଥିଲା ବୋଲି ପୋଲିସ ଆଗରେ ମାନିବା ସହିତ ଡେମୋ ଦେଖାଇଛି । ଟୁବୁଲିଙ୍କ କ୍ଷତାକ୍ତ ମୃତଦେହ ପୋଲିସ ଜବତ କରିଛି । ଏକ ମୋବାଇଲ ଫୋନ ଓ ଗୋଟିଏ ସିମ୍ କାର୍ଡ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।

ରାଜ୍ୟରେ ଖୁବଶୀଘ୍ର ଖୋଲିବ ୭ ଟି ନୂଆ ବିଏସସି ନର୍ସିଂ କଲେଜ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଖୋଲିବ ୭ ଟି ନୂଆ ବିଏସସି ନର୍ସିଂ କଲେଜ । ବଲାଙ୍ଗୀର, ବାରିପଦା, ପୁରୀ, ବାଲେଶ୍ୱର, ତାଳଚେର, କୋରାପୁଟ ଓ ଯାଜପୁରରେ ଖୋଲିବ ଏହି ୭ କଲେଜ । ଏହାକୁ ମିଶାଇ ରାଜ୍ୟରେ ବିଏସସି ନର୍ସିଂ କଲେଜ ସଂଖ୍ୟା ୧୫କୁ ବୃଦ୍ଧି ପାଇବ । ବର୍ତ୍ତମାନ ରାଜ୍ୟରେ 8ଟି ସରକାରୀ ବିଏସସି ନର୍ସିଂ କଲେଜ ରହିଛି । ଏହି ସମସ୍ତ କଲେଜରେ ବର୍ତ୍ତମାନ ୭୫୦ ଟି ସିଟ୍ ରହିଛି ।

ଆଉ ନୂଆ ୭ଟି ବିଏସସି ନର୍ସିଂ କଲେଜ ଖୋଲିଲେ ମୋଟ୍ ୧୫ଟି କଲେଜରେ ବିଏସସି ନର୍ସିଂ ସିଟ ୧୪ ଶହ ୫୦ କୁ ବୃଦ୍ଧି ପାଇବ । ରାଜ୍ୟରେ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ବୃଦ୍ଧି ପରେ ନର୍ସିଂ କଲେଜ ସଂଖ୍ୟା ବୃଦ୍ଧିର ଆବଶ୍ୟକତା ରହିଛି । ଚିକତ୍ସା କ୍ଷେତ୍ରରେ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା DMET ପ୍ରଫେସର ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ନର୍ସିଂ ପିଜି କଲେଜ ବ୍ରହ୍ମପୁର ଏବଂ ବୁର୍ଲାରେ ରହିଛି । ଆଗକୁ ଆଉ ଗୋଟିଏ ପିଜି ନର୍ସିଂ କଲେଜ କଟକରେ ଖୋଲିବା ନେଇ ସୂଚନା ଦିଆଯାଇଛି ।

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଗକୁ ଆସିଲା ୧୯୮୩ ବିଶ୍ୱକପ୍ ବିଜେତା ଟିମ୍, ଗଙ୍ଗାରେ ମେଡାଲ ବିସର୍ଜନ ନକରିବାକୁ କଲେ ନିବେଦନ

ନୂଆଦିଲ୍ଲୀ: ଭାରତର ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ବିନେଶ ଫୋଗାଟଙ୍କ ସମେତ ଅନେକ କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ ବିରୋଧ କରିଆସୁଛନ୍ତି । ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗତ ମାସରେ ଦିଲ୍ଲୀ ପୋଲିସ ମଧ୍ୟ ବ୍ରିଜଭୂଷଣଙ୍କ ବିରୋଧରେ ପକ୍ସୋ ସମେତ ଦୁଇଟି ମାମଲା ରୁଜୁ କରିଥିଲା । ହେଲେ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହି କାରଣରୁ ନିକଟରେ କୁସ୍ତିଯୋଦ୍ଧାମାନେ ନିଜ ନିଜର ମେଡାଲ ଗଙ୍ଗାରେ ବିସର୍ଜନ କରିବା କଥା କହିଥିଲେ ।

ଏହାରି ମଧ୍ୟରେ ଭାରତର ପଦକବୀରଙ୍କୁ ୧୯୮୩ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆର ଖେଳାଳିଙ୍କ ସମର୍ଥନ ମିଳିଛି । ଏହି ଖେଳାଳିମାନେ ମିଳିତ ବୟାନ ଜାରି କରି କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି । ଏମାନଙ୍କ ମଧ୍ୟରେ କପିଲ ଦେବ, ସୁନୀଲ ଗାଭାସ୍କର, ଦିଲ୍ଲୀପ ୱେଙ୍ଗସରକର ଏବଂ ମଦନଲାଲ ସମେତ ଅନେକ ଦିଗ୍ଗଜ କ୍ରିକେଟର ସାମିଲ ଅଛନ୍ତି । ଏମାନେ ଏକ ମିଳିତ ବୟାନ ଜାରି କରି କୁସ୍ତିଯୋଦ୍ଧାଙ୍କୁ ମେଡାଲ ଗଙ୍ଗାରେ ବିସର୍ଜନ ନକରିବା ପାଇଁ କହିଛନ୍ତି । ୧୯୮୩ର ଚମ୍ପିଆନ ଟିମ୍ କହିଛି ଯେ କୁସ୍ତିଯୋଦ୍ଧାମାନେ ଦେଶର ମାନସମ୍ମାନ ବଢ଼ାଇଛନ୍ତି । ସେମାନେ ଶୀଘ୍ରତାରେ କୌଣସି ନିଷ୍ପତ୍ତି ନନିଅନ୍ତୁ । ଆଶା କରୁଛୁ ଯେ ସେମାନଙ୍କ ଦାବି ସରକାର ଶୁଣିବେ ।

ବୟାନରେ ୧୯୮୩ ଚମ୍ପିଆନ ଟିମ୍ ଲେଖିଛନ୍ତି ଯେ, ଆମର ଚମ୍ପିଆନ କୁସ୍ତିଯୋଦ୍ଧାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ଦେଖି ଆମେ ମର୍ମାହତ ଏବଂ ଚିନ୍ତିତ ହୋଇଛୁ । ଆମକୁ ସବୁଠୁ ଅଧିକ ଚିନ୍ତା ଏହି କଥାର ରହିଛି ଯେ ସେମାନେ ନିଜର ପରିଶ୍ରମ ଦ୍ୱାରା ଅର୍ଜିତ କରିଥିବା ମେଡାଲକୁ ଗଙ୍ଗାରେ ବିସର୍ଜନ କରିବାକୁ ଭାବୁଛନ୍ତି । ସେହି ପଦକରେ ବର୍ଷ ବର୍ଷର ପ୍ରୟାସ, ବଳିଦାନ, ଦୃଢ଼ ସଂକଳ୍ପ ଏବଂ ଧୌର୍ଯ୍ୟ ସାମିଲ ଅଛି ଏବଂ ସେଇ ପଦକ ନା କେବଳ ତାଙ୍କର ବରଂ ସାରା ଦେଶର ଗୌରବ ଅଟେ । ଆମେ ତାଙ୍କୁ ନିବେଦନ କରୁଛି ଯେ ସେମାନେ ଏହି ମାମଲାରେ ଶୀଘ୍ରତା ନକରନ୍ତୁ । ଏବଂ ଆଶା କରୁଛୁ ଯେ ସେମାନଙ୍କ ଅଭିଯୋଗକୁ ଶୁଣାଯିବ ଏବଂ ସେଗୁଡ଼ିକର ଶୀଘ୍ର ସମାଧାନ କରାଯିବ ।

ଦେଶର ଆଇନକୁ ବଳବତ୍ତର ରହିବାକୁ ଦିଆଯାଉ । ପ୍ରକାଶଥାଉକି, ୧୯୮୩ ମସିହାରେ ଅଧିନାୟକ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ କ୍ଲାଇବ ଲୟଡଙ୍କ ନେତୃତ୍ୱାଧୀନ ୱେଷ୍ଟଇଣ୍ଡିଜକୁ ହରାଇ ପ୍ରଥମଥର ଦିନିକିଆ ବିଶ୍ୱ କପ ଟ୍ରଫି ଜିତିଥିଲା । ସୁନୀଲ ଗାଭାସ୍କର, ମୋହିନ୍ଦର ଅମରନାଥ, କେ ଶ୍ରୀକାନ୍ତ, ସୈୟଦ କରମାନୀ, ୟଶପାଲ ଶର୍ମା, ମଦନ ଲାଲ, ବଲବିନ୍ଦର ସିଂହ ସନ୍ଧୁ, ସନ୍ଦୀପ ପାଟିଲ, କୀର୍ତ୍ତି ଆଜାଦ ଏବଂ ରୋଜର ବିନ୍ନୀ ଭଳି ଷ୍ଟାରଙ୍କ ଦ୍ୱାରା ସଜ୍ଜିତ ଭାରତୀୟ ଦଳ ୨୫ ଜୁନ୍, ୧୮୯୩ରେ ଲର୍ଡସରେ ଖେଳାଯାଇଥିବା ଫାଇନାଲରେ ଭାଗ ନେଇଥିଲେ ଏବଂ ଦଳକୁ ବିଜୟୀ କରାଇଥିଲେ ।

ଏ ବର୍ଷ ମିଶନ ଶକ୍ତି ମାଧ୍ୟମରେ ଏସଏଚଜିମାନଙ୍କୁ ୧୫ହଜାର କୋଟି ଟଙ୍କାର ଋଣ ପ୍ରଦାନ ଲକ୍ଷ୍ୟ

ଭୁବନେଶ୍ୱର: ମିଶନ ଶକ୍ତି ସ୍କୁଟର ଯୋଜନା ଅଧୀନରେ SHG ମହିଳାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ଛାଡ଼ କରାଯାଉ । SLBCର ୧୭୧ତମ ବୈଠକ ଅବସରରେ ବ୍ୟାଙ୍କ ଗୁଡ଼ିକୁ ଏଭଳି ଅନୁରୋଧ କରିଛନ୍ତି ମିଶନ ଶକ୍ତି ସଚିବ । ସଚିବ କହିଛନ୍ତି, ସ୍କୁଟର ଋଣ ବେଳେ ବ୍ୟାଙ୍କଗୁଡ଼ିକ ମାର୍ଜିନ ମନି ବା ଡାଉନପେମେଣ୍ଟ ଅର୍ଥ ଗ୍ରାହକଙ୍କୁ ଦେବାକୁ କହୁଛନ୍ତି । ଏହାଦ୍ୱାରା ବହୁ SHG ମହିଳା ସ୍କୁଟର ନେବା ଲାଗି ଅସମର୍ଥ ହେଉଛନ୍ତି । ତେଣୁ ଏହି ମାର୍ଜିନ ମନି ଛାଡ଼ କରିବାକୁ ସେ ବ୍ୟାଙ୍କ ଗୁଡ଼ିକୁ ଅନୁରୋଧ କରିଛନ୍ତି । ଏହାଛଡ଼ା ପଞ୍ଚାୟତ ସ୍ତରରେ ଥିବା SHG ଫେଡରେସନ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ କ୍ଷେତ୍ରରେ କ୍ୟାଶ ହ୍ୟାଣ୍ଡଲିଂ ଚାର୍ଜ ଛାଡ଼ ଲାଗି ମଧ୍ୟ ବ୍ୟାଙ୍କ ଗୁଡ଼ିକୁ ଅନୁରୋଧ କରିଛନ୍ତି ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ।

ଏହା ବ୍ୟତୀତ ବିଭାଗୀୟ କମିଶନର ତଥା ଶାସନ ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ କହିଥିଲେ, ଏସ୍‌ଏଚ୍‌ଜିମାନେ ହେଉଛନ୍ତି ସ୍ୱତଃପ୍ରବୃତ୍ତ ଲିଡର । ସେମାନଙ୍କ ମଧ୍ୟରେ ଅସାଧାରଣ ଦକ୍ଷତା, ସାମର୍ଥ୍ୟ ଏବଂ ଶକ୍ତି ରହିଛି । ଆମ ରାଜ୍ୟରେ ଏସ୍‌ଏଚ୍‌ଜି ଆନ୍ଦୋଳନ ସଫଳ ହୋଇଛି ସେଇମାନଙ୍କ ନେତୃତ୍ୱ ପାଇଁ । ଏହି ଲିଡରମାନେ ପ୍ରଶିକ୍ଷିତ ହେଲେ ସେମାନେ ତାଙ୍କ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରି ମହିଳା ସଶକ୍ତିକରଣର ପ୍ରମୁଖ ସୂତ୍ରଧର ସାଜିବେ ।  ମଇ ୩୧ ଓ ଜୁନ୍‌ ୧ ତାରିଖ ଦୁଇଦିନଧରି ସଚିବାଳୟ ଲୋକସେବା ଭବନ, କନ୍‌ଭେନସନ ହଲରେ ମିଶନ ଶକ୍ତି ବିଭାଗ ଦ୍ୱାରା ବ୍ୟାଙ୍କ୍‌ ଋଣ ଏବଂ ସୁଧ ଫେରସ୍ତ ସମ୍ପର୍କିତ ବ୍ଲକ୍‌ ପ୍ରଶିକ୍ଷକଙ୍କ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହାକୁ ଉଦଘାଟନ କରିଥିଲେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ । ଏହି ଅବସରରେ ସେ କହିଥିଲେ, ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଓଡିଶାର ମହିଳାମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ମିଶନ ଶକ୍ତି ମା’ମାନେ ରାଜ୍ୟ ପାଇଁ ହୋଇପାରିଛନ୍ତି ଏକ ବିରାଟ ସାମାଜିକ ପୁଞ୍ଜି । ଏସ୍‌ଏଚ୍‌ଜିରୁ ଉଦ୍ୟୋଗୀ ସୃଷ୍ଟି କରି ଆମ ରାଜ୍ୟର ମହିଳାମାନଙ୍କୁ ରାଜ୍ୟ ଅର୍ଥନୀତିର ପ୍ରମୁଖ ଅଂଶୀଦାର କରିବା ଆମର ଲକ୍ଷ୍ୟ । ଏହି କର୍ମଶାଳାରେ ଓଡ଼ିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ଏନ୍‌. ଥିରୁମାଲା ନାୟକ, ବିଭାଗୀୟ ଯୁଗ୍ମ ଶାସନ ସଚିବ ବିନୋଦ କୁମାର ଜେନା ଏବଂ ବିଶେଷଜ୍ଞମାନେ ଯୋଗଦେଇ କର୍ମଶାଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ନିକଟରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ଦୁବାଇ ଅନ୍ତର୍ଜାତୀୟ ବିମାନ ଯାତ୍ରାରେ ଏସ୍‌ଏଚ୍‌ଜି ଲିଡରମାନଙ୍କ ପ୍ରତିନିଧି ଦଳରେ ସାମିଲ ହୋଇଥିବା ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାସ୍ତରୀୟ ମହାସଂଘର ସଭାପତି ବିଷ୍ଣୁପ୍ରିୟା ଦାସ ତାଙ୍କର ଦୁବାଇ ଯାତ୍ରାର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଏହି ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ୨୦ ଟି ଜିଲ୍ଲାର ପ୍ରାୟ ୭୦୦ ରୁ ଊଦ୍ଧ୍ୱର୍ ବ୍ଲକ ଓ ଜିଲ୍ଲା ମହାସଙ୍ଘର ସଦସ୍ୟା ତଥା ମିଶନ ଶକ୍ତି ବିଭାଗର କ୍ଷେତ୍ର କର୍ମଚାରୀମାନେ ଯୋଗଦାନ କରିଥିଲେ । ବ୍ୟାଙ୍କ ଋଣ ବ୍ୟବସ୍ଥାକୁ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଖେ ପହଞ୍ଚାଇବା, ନିୟମତି ଋଣ ପରିଶୋଧ କରି ସୁଧ ରିହାତି ପାଇବା ସୁନିଶ୍ଚିତ କରିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନଙ୍କୁ ଏହି ପ୍ରଶିକ୍ଷଣ ମାଧ୍ୟମରେ, ଏ ସମ୍ପର୍କିତ ତାଲିମ ଦିଆଯାଇଛି, ଯେଉଁମାନେ କି ବ୍ଲକ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ମହାସଂଘର ସଦସ୍ୟାମାନଙ୍କୁ ସଚେତନ କରାଇବେ । ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସୁଧ ଫେରସ୍ତ ବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ଏହି ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନେ ସମସ୍ତ ଏସଏଚଜି ସଦସ୍ୟାମାନଙ୍କୁ ସଚେତନ କରାଇବେ । ମିଶନ ଶକ୍ତି ବିଭାଗର ଏହି ପ୍ରୟାସ ମାଧ୍ୟମରେ ରାଜ୍ୟର ୧୦୧୪ ଜଣ ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନେ ବିଭିନ୍ନ ତାଲିମ ଓ ସଚେତନ କାର୍ଯ୍ୟକ୍ରମ ନିମନ୍ତେ ବିଶେଷଜ୍ଞ ଗୋଷ୍ଠୀ (ରିସୋର୍ସ ଗୋଷ୍ଠୀ) ଭାବେ କାର୍ଯ୍ୟ କରିବେ ।

ରାଜ୍ୟରେ ବିଗତ ୮ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ରାଶିର ପରିମାଣ ୧୯ ଗୁଣ ବୃଦ୍ଧି ପାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଉଥିବା ବ୍ୟାଙ୍କ ଋଣ ରାଶି ବୃଦ୍ଧିପାଇ ୧୧୦୦୦ କୋଟି ଟଙ୍କାରେ ପହଞ୍ଚିପାରିଛି । ଏ ବର୍ଷ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ଏସଏଚଜିମାନଙ୍କୁ ୧୫,୦୦୦ କୋଟି ଟଙ୍କାର ଋଣ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତୃଣମୂଳ ସ୍ତରରେ ଏ ସମସ୍ତ ବିଷୟରେ ପ୍ରଶିକ୍ଷଣ ଓ ସଚେତନ କରାଇବାରେ ବ୍ଲକ ଓ ଜିଲ୍ଲାସ୍ତରୀୟ ଏହି ବିଶେଷଜ୍ଞ ଗୋଷ୍ଠୀ ଯଥେଷ୍ଟ ସହାୟକ ହେବେ ବୋଲି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।

ପ୍ରଥମରୁ ଅଷ୍ଟମ ସ୍କୁଲ ପିଲାଙ୍କ ପାଇଁ ଆସିଲା ପୋଷାକ ଗାଇଡଲାଇନ୍, ପ୍ରଥମରୁ ପଞ୍ଚମ ଛାତ୍ରୀଙ୍କ ପାଇଁ ନୀଳ ଫ୍ରକ୍

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯିବ । ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଜଣପିଛା ୫୦୦ଶହ ଟଙ୍କା ମୂଲ୍ୟରେ ୨ ହଳ ବିଦ୍ୟାଳୟ ପୋଷାକ ଏବଂ ୨୦୦ଶହ ଟଙ୍କା ମୂଲ୍ୟରେ ୧ ହଳ ଜୋତା ଓ ୨ ହଳ ମୋଜା ପ୍ରଦାନ କରାଯିବ ।

ସେହିପରି ୧୨୫ଟଙ୍କା ମୂଲ୍ୟରେ ଗୋଟିଏ ଟି-ସାର୍ଟ ଓ ୧୨୫ ଟଙ୍କା ମୂଲ୍ୟରେ ଗୋଟିଏ ଟ୍ରାକ ପ୍ୟାଣ୍ଟ ଏବଂ ୩୦ ଟଙ୍କା ମୂଲ୍ୟରେ ଗୋଟିଏ ଟୋପି ଓ ୨୦ ଟଙ୍କା ମୂଲ୍ୟରେ ଗୋଟିଏ ପରିଚୟ ପତ୍ର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ । ସମୁଦାୟ ୧୦୦୦ ଟଙ୍କା ମଧ୍ୟରୁ ଟ ୬୦୦ଟଙ୍କା “ସମଗ୍ର ଶିକ୍ଷା” ଯୋଜନାରୁ ଭରଣା କରାଯିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୀଳ ପ୍ୟାଣ୍ଟ ଓ ଧଳା ସାର୍ଟ ଲାଗୁ କରାଯାଇଛି । ପ୍ରଥମରୁ ପଞ୍ଚମ ଛାତ୍ରୀମାନଙ୍କୁ ନୀଳ ଫ୍ରକ ଓ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀମାନଙ୍କୁ ନୀଳ କମିଜ ଓ ଧଳା ସାଲୱାର ଦିଆଯିବ ବୋଲି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଅସହ୍ୟ ତାତି, ୪ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଖରା । ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ ତାତି ସହ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ୪ ସହରର ତାପମାତ୍ରା ୪୦ ପାର୍ । ଦିନ ୨ ଟା ୩୦ ସୁଦ୍ଧା ୪୪.୨ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡାରେ ୪୩.୪ ଡ଼ିଗ୍ରୀ, ହୀରାକୁଦରେ ୪୨.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୧.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ । କେନ୍ଦୁଝରରେ ୩୬.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗୋପାଳପୁରରେ ୩୫.୪ ଡ଼ିଗ୍ରୀ, ପୁରୀରେ ୩୪.୬ ଡ଼ିଗ୍ରୀ, ପାରାଦୀପରେ ୩୨.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୨.୬ ଡ଼ିଗ୍ରୀ ଓ ଚାନ୍ଦବାଲିରେ ୨୬.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଦିନରେ ତାତି ସହିତ ଅପରାହ୍ନରେ ତାଣ୍ଡବ ରଚୁଛି କାଳବୈଶାଖୀ । ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ । ଆଜି ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୪ ଜିଲ୍ଲାକୁ କାଳବୈଶାଖୀ ପାଇଁ ଜାରି ହୋଇଛି ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ଆସନ୍ତାକାଲି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ । ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୪ତାରିଖରେ ୧୩ ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସତର୍କତା ଜାରି କରାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ରହିବ ।