ରାତି ଅଧରେ ଭାଙ୍ଗିଲା ପୋଖରୀବନ୍ଧ, ଗାଁ ଭିତରେ ପଶିଲା ୪ ଫୁଟର ପାଣି

କାମାକ୍ଷାନଗର: ରାତି ଅଧରେ ଭାଙ୍ଗିଲା ପୋଖରୀବନ୍ଧ । ଗାଁ ଭିତରେ ପଶିଲା ୪ ଫୁଟର ପାଣି । ପ୍ରାୟ ୨୦ ଫୁଟର ଘାଇ ଯୋଗୁ ଚାଷଜମିରେ ପାଣି ମାଡ଼ି ଯାଇଛି । ଫଳରେ ଏକର ଏକର ଧାନଚାଷ ନଷ୍ଟ ହେବା ନେଇ ଆଶଙ୍କା ଦେଖା ଦେଇଛି । କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତ ପଲ୍ଲୀସାଆନ୍ତାରାପୁର ଗାଁରେ ପୋଖରୀ ଭାଙ୍ଗି ଗାଁ ଭିତରେ ପଶିଲା ୪ ଫୁଟର ପାଣି । ଗାଁର ଦେଶକଟା ପୋଖରୀରେ ଗତକାଲିଠାରୁ ହୋଇଥିବା ଲଗାଣ ବର୍ଷା ଫଳରେ ଜଳଧାରଣ କ୍ଷମତାଠାରୁ ଅଧିକ ପାଣି ପ୍ରବାହିତ ହେବାରୁ ବନ୍ଧଟି ଭାଙ୍ଗିଯାଇଛି ।

ଚଳିତବର୍ଷ ପୋଖରୀଟି ମନରେଗା ଯୋଜନାରେ କାମ ହୋଇଥିବା ବେଳେ ଲଗାଣ ବର୍ଷାରେ ବନ୍ଧ ଭାଙ୍ଗିଯିବା ଏହାର କାର୍ଯ୍ୟଶୈଳୀ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତବର୍ଷ କାମାକ୍ଷାନଗର ବ୍ଲକରେ କିଛିଦିନ ତଳେ ତୁମୁସିଙ୍ଗା ପୋଖରୀ ବନ୍ଧ ଭାଙ୍ଗିଥିବା ବେଳେ ଆଜି ପଲ୍ଲୀସାଆନ୍ତାରାପୁର ପୋଖରୀ ଭାଙ୍ଗିବା ଘଟଣା ମନରେଗା କାର୍ଯ୍ୟର ସ୍ଥାୟିତ୍ବ ଓ ବ୍ଲକ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି  ।