spot_img
Home Blog Page 3061

୩୦ ଫୁଟ ତଳେ କୁନି ଝିଅ ସୃଷ୍ଟି, ଚାଲିଛି ରେସ୍କ୍ୟୁ ଅପରେସନ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ସିହୋରରେ ଅପରେସନ ଜିନ୍ଦେଗୀ । ୨ଶହ ଫୁଟର ଗର୍ତ୍ତରେ ଫସି ରହିଛି ତିନି ବର୍ଷର ଶିଶୁ ସୃଷ୍ଟି। ୨୦ ଘଣ୍ଟା ଧରି ରେସ୍କ୍ୟୁ ଅପରେସନ ଜାରି ରହିଛି । ୨ଶହ ଫୁଟ ଗର୍ତ୍ତର ପ୍ରାୟ ୩୦ ଫୁଟ ତଳେ ସୃଷ୍ଟି ଫସି ରହିଥିବା ଜଣାପଡ଼ିଛି ।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ ସହ ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ବାହିନୀ ସାମିଲ ହୋଇଛନ୍ତି । ଜେସିବି ମେସିନ ସାହାଯ୍ୟରେ ଗର୍ତ୍ତ ପାର୍ଶ୍ବରେ ଖନନ ଜାରି ରହିଥିବା ବେଳେ ଭାଇବ୍ରେସନ ଯୋଗୁ ଶିଶୁ କନ୍ୟା ତଳକୁ ଖସି ଯାଉଥିବା ସୂଚନା ମିଳିଛି । ପାଇପ ଯୋଗେ ସୃଷ୍ଟିକୁ ଅକ୍ସିଜେନ ସପ୍ଲାଏ କରାଯାଉଛି ।

ପାକିସ୍ତାନ ମୁହାଁ ବାତ୍ୟା ‘ବିପର୍ଯ୍ୟୟ’, ୧୭୦ କିମି ବେଗରେ ପବନ ବହିବା ଆଶଙ୍କା

ଭୁବନେଶ୍ବର: ଅତି ଭୟଙ୍କର ବାତ୍ୟାରେ ପରିଣତ ହେବାରେ ଲାଗିଛି ସାଇକ୍ଲୋନ ‘ବିପର୍ଯ୍ୟୟ’ । ଆରବ ସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ଉତ୍ତର ପଶ୍ଚିମ ଦିଗରେ ପାକିସ୍ତାନ ଆଡକୁ ଗତି କରୁଥିବା ସୂଚନା ମିଳିଛି । ବାତ୍ୟାର ପ୍ରଭାବରେ ଘଣ୍ଟାପ୍ରତି ୧୭୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି ।

ଆସନ୍ତା ୮ରୁ ୧୦ ତାରିଖ ଯାଏ ଏହାର ପ୍ରଭାବ ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପରେ ପଡିବା ଆଶଙ୍କା ରହିଛି । ଏହାସହ ଆସନ୍ତା ୧୦ ତାରିଖ ଯାଏ ସମୁଦ୍ର ଭିତରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ବାଂଲାଦେଶର ନାମକରଣ ଅନୁସାରେ ଚଳିତ ଥରର ଏହି ବାତ୍ୟାର ନାମ ରହିଛି ବିପର୍ଯ୍ୟୟ ।  ତେଣେ ବାତ୍ୟାକୁ ଦୃଷ୍ଟିରେ ରଖି ଦଳର ସିଲଭର ଜୁବଲି ଉତ୍ସବକୁ ବାତିଲ କରିଛି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି । ଆସନ୍ତା ଶୁକ୍ରବାର ଅହମ୍ମଦନଗରରେ ଏହି ଉତ୍ସବ ପାଳନ ହେବାର କାର୍ଯ୍ୟକ୍ରମ ରହିଥିଲା ।

ଆସନ୍ତା ୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ । ମୌସୁମୀ ପାଇଁ ପାଗ ଅନୁକୂଳ ନେଇ ମିଳିଛି ସୂଚନା । କେରଳ ଉପକୂଳରେ ମେଘ ସମୂହର ଘନତ୍ୱ ବୃଦ୍ଧି ପାଉଥିବା ବେଳେ ପଶ୍ଚିମ ବାୟୁର ସକ୍ରିୟତା ଏହି ସୂଚନା ଦେଉଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ଆଇଏମଡି ଦେଇଛି ସୂଚନା ।

ଗାଁ ଦାଣ୍ଡରେ ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଗାଁ ଲୋକେ, ଭାଇରାଲ ହେଲା ଭିଡିଓ

ସୁବର୍ଣ୍ଣପୁର: ପୋଲିସକୁ ଗୋଡାଇ ଗୋଡାଇ ମାଡ ମାରିଲେ ଗ୍ରାମବାସୀ । ଭିଡିଓ ହେଉଛି ଭାଇରାଲ୍‌ । ସୁବର୍ଣ୍ଣପୁର ସୁବଳୟା ଥାନା ତିଲେଇମାଳକୁ ତଦନ୍ତରେ ଯାଇଥିବା ଜଣେ ପୋଲିସ ଏଏସଆଇଙ୍କୁ ଗୋଡାଇ ଗୋଡାଇ ଗ୍ରାମବାସୀ ମାଡ ମାରିଥିବା ଅଭିଯୋଗ ହୋଇଛି।

ତିଲେଇମାଲ ଗ୍ରାମରେ ସୁବାସ ପଧାନ ଓ ରତ୍ନାକର ପଧାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ସୁବଳୟା ଥାନାରେ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାର ତଦନ୍ତ କରିବାକୁ ଏଏସଆଇ ଗୌରହରୀ ମେହେର ଓ ଗ୍ରାମରକ୍ଷୀ ରବୀଚନ୍ଦ୍ର ଯାଇଥିଲେ । ଉଭୟ ପରିବାରକୁ ଡାକି ତଦନ୍ତ କରୁଥିବା ବେଳେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଗ୍ରାମବସୀ ଏଏସଆଇ ମେହେରଙ୍କୁ ଆକ୍ରମଣ କରି ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ୭ ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

ପ୍ରଦୀପ ପୁରୋହିତଙ୍କ ବାସଭବନରେ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା, ଆଜି ହେବ ଧନଞ୍ଜୟଙ୍କ ପୋଷ୍ଟମର୍ଟମ

ଭୁବନେଶ୍ବର: ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବାସଭବନରେ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା । ଡ୍ରାଇଭର ଧନଞ୍ଜୟ ପାଣ୍ଡେଙ୍କ ମୃତଦେହ ଜବତ କରାଯାଇଛି । ଆଜି କ୍ୟାପିଟାଲ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ । ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ସାଇଣ୍ଟଫିକ ଓ ଲକ୍ଷ୍ମୀସାଗର ଥାନା ପୋଲିସ  ତଦନ୍ତ କରିଛି ।

ଘଟଣାରେ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ କରୁଛି । ଗତକାଲି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଟାଓ୍ବାରରେ ମୃତକଙ୍କ ପରିବାର ସଦସ୍ୟ ଏବଂ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଫ୍ଲାଟ ଖୋଲି ଭିତରକୁ ଯାଇଥିଲା ପୋଲିସ । ପ୍ରଦୀପ କହିଛନ୍ତି, ସେ ଦିଲ୍ଲୀରୁ ଫେରିବା ପରେ ଏୟାରପୋର୍ଟରୁ ନେବାପାଇଁ ଧନଞ୍ଜୟ ଆସିବାର ଥିଲା । କିନ୍ତୁ ସେ ଫୋନ ନ ଉଠାଇବାରୁ ନିଜେ ଫ୍ଲାଟକୁ ଆସି ଧନଞ୍ଜୟ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ଗତକାଲି ସକାଳେ ଭଗବାନ ଟାଓ୍ବାରର ୭୦୩ ନମ୍ବର ଫ୍ଳାଟରେ ଧନଞ୍ଜୟଙ୍କର ମୃତଦେହ ଠାବ ହୋଇଥିଲା । ପ୍ରଦୀପଙ୍କ ପାଖ ଫ୍ଲାଟର ସିସିଟିଭିରେ ସତ ଲୁଚିଥିବା ସନ୍ଦେହ କରାଯାଉଛି  ।

ଫ୍ଲାଟକୁ ମୃତ ଧନଞ୍ଜୟଙ୍କ ସହିତ ଅନ୍ୟ ବ୍ୟକ୍ତିଙ୍କ ଯିବା ଆସିବା ସମ୍ପର୍କରେ ସୂଚନା ପାଇଁ ସିସିଟିଭିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ପ୍ରଦୀପଙ୍କ ପାଖରେ ଦୀର୍ଘ ୯ବର୍ଷ ଧରି ଡ୍ରାଇଭର ଭାବେ କାମ କରୁଥିଲେ ଧନଞ୍ଜୟ । ପ୍ରଦୀପଙ୍କ ରାଜନୈତିକ କାମ ବି ବୁଝାସୁଝା କରୁଥିଲେ । ଏବେ ତାଙ୍କ ମୃତ୍ୟୁକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।

ସ୍ବାଭିମାନ ଅଞ୍ଚଳରେ ଡଙ୍ଗା ଓଲଟି ୨ ନିଖୋଜ

ବାଲିମେଳା: ସ୍ବାଭିମାନ ଅଞ୍ଚଳର ସିନ୍ଧିଗୁଡାଠାରେ ଡଙ୍ଗା ଓଲଟି ୨ ନିଖୋଜ । ଆନ୍ଧ୍ରପ୍ରଦେଶର ପଡଲପୁଟରୁ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଅଘଟଣ । ବାଲିମେଳା ଜଳଭଣ୍ଡାରରେ ବୁଡ଼ିଗଲା ଡଙ୍ଗା । ତିନି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଦୁଇ ଜଣ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି ।

SCBରେ ହେଲା ପୁନଃମିଳନ: ତିନିଦିନ ପରେ ଏକାଠି ହେଲେ ନବ ଦମ୍ପତି

କଟକ: ବାହାନଗା ଟ୍ରେନ ଟ୍ରାଜେଡି । ଦୁର୍ଘଟଣା ପରେ କଟକ ଏସସିବିରେ ରିୟୁନିଅନ ।  ତିନି ଦିନ ପରେ ଏସସିବି ହସ୍ପିଟାଲରେ ଏକାଠି ହେଲେ ନବ ଦମ୍ପତି । ଟ୍ରେନ ଦୁର୍ଘଟଣା ପରେ ଦମ୍ପତି ଅଲଗା ହୋଇଯାଇଥିଲେ । କଟକର ଏସସିବି ମେଡିକାଲରେ ସ୍ବାମୀଙ୍କ ଚିକିତ୍ସା ଚାଲିଥିବା ବେଳେ ହେଲ୍ପ ଡେସ୍କ ସୂଚନା ଆଧାରରେ ସ୍ବାମୀଙ୍କ ପାଖରେ ପହଞ୍ଚିଛନ୍ତି ସ୍ତ୍ରୀ । ଏବେ ହସ୍ପିଟାଲରେ ଦୁହିଁଙ୍କ ଚିକିତ୍ସା ଚାଲିଛି ।

ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ସେହିପରି ନେପାଳର ୧୫ ବର୍ଷୀୟ ରାମାନନ୍ଦ ହାଜରା ମଧ୍ୟ ନୂଆ ଜୀବନ ପାଇଥିବା ବେଳେ ତିନିଦିନ ପରେ ତାଙ୍କ ବାପା ମାଆ ଏସସିବିରେ ପହଞ୍ଚି ପୁଅକୁ ଭେଟିଛନ୍ତି । ଦୁର୍ଘଟଣା ଦିନ କରମଣ୍ଡଳ ଏକ୍ସପ୍ରେସରେ ଥିଲେ ରାମାନନ୍ଦ । ଆହତ ଅବସ୍ଥାରେ ତାଙ୍କୁ କଟକ ଏସିସିବି ମେଡିକାଲକୁ ଅଣାଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହେଲ୍ପ ଡେସ୍କର ସୂଚନା ଓ ସହଯୋଗରେ ରାମାନନ୍ଦଙ୍କ ମାଆ-ବାପା ଏସିସିବିରେ ପହଞ୍ଚି ପୁଅକୁ ଭେଟିଛନ୍ତି ।

ସିଧା ଭୁବନେଶ୍ବର ଆସନ୍ତୁ ମୃତକଙ୍କ ସମ୍ପର୍କୀୟ : ପୂର୍ବତଟ ରେଳବାଇ

ଭୁବନେଶ୍ବର: ଅନ୍ୟ କୌଣସି ହସପିଟାଲକୁ ନଯାଇ ଭୁବନେଶ୍ବର ଆସନ୍ତୁ ମୃତକଙ୍କ ସମ୍ପର୍କୀୟ । ମୃତଦେହ ଚିହ୍ନଟ ପାଇଁ ଅନ୍ୟ ହସପିଟାଲକୁ ନଯାଇ ଏମସକୁ ଆସିବାକୁ କହିଛି ପୂର୍ବତଟ ରେଳବାଇ । ଯାହାଦ୍ବାରା ମୃତକଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ।

ଟ୍ରେନ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୨୮୮ ରହିଛି । ବାଲେଶ୍ୱରରୁ ଭୁବନେଶ୍ୱରକୁ ୧୯୩ ମୃତଦେହ ଆସିଥିଲା । ଭୁବନେଶ୍ବରରୁ ଏବେ ସୁଦ୍ଧା ୧୧୦ ମୃତଦେହ ଚିହ୍ନଟ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବାଲେଶ୍ୱରରେ ୯୪ଟି ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ସମୁଦାୟ ୨୦୫ ମୃତଦେହ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଆଉ ୮୩ଟି ମୃତଦେହ ଏଯାଏ ଚିହ୍ନଟ ହୋଇପାରିନାହିଁ । ଚିକିତ୍ସାଧୀନ ଥିବା ଆହତଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପଟେ ବାହାନଗା ଟ୍ରେନ ଦୁର୍ଘଟଣାରେ ପରିଚୟ ମିଳୁନଥିବା ମୃତଦେହର ଦିଲ୍ଲୀରେ ହେବ ଡିଏନଏ ଟେଷ୍ଟ । ଅଚିହ୍ନା ଏବଂ ଦ୍ବନ୍ଦ୍ବ ସୃଷ୍ଟି କରୁଥିବା ମୃତଦେହର ଡିଏନଏ ଟେଷ୍ଟ କରାଯିବ । ରିପୋର୍ଟ ଆସିବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି ।

ଏମସରେ ଚିହ୍ନଟ ହୋଇନଥିବା ୫୨ଟି ମୃତଦେହର ଡିଏନଏ ସାମ୍ପଲ ନିଆଯାଇଛି । ସେଗୁଡ଼ିକ ଆଜି ଦିଲ୍ଲୀ ଏମସକୁ ଟେଷ୍ଟ ପାଇଁ ପଠାଯିବ । ଡିଏନଏ ଟେଷ୍ଟ ମାଧ୍ୟମରେ ଆଇଡେଣ୍ଟିଫିକେସନ ମାର୍କକୁ ଦେଖି ମୃତଦେହ ହସ୍ତାନ୍ତର ବ୍ୟବସ୍ଥା କରାଯାଉଛି ।

ଆଜିଠୁ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍

ଲଣ୍ଡନ: ଆଜିଠୁ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ । ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହେବ ହାଇଭୋଲଟେଜ ମ୍ୟାଚ । ଇଂଲଣ୍ଡର ଓଭାଲରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ । ମ୍ୟାଚ ପାଇଁ ଉଭୟ ଟିମ ଜୋରଦାର ଅଭ୍ୟାସ କରିଛନ୍ତି । ଏଭଳି ଗୁରୁତ୍ବପୂର୍ଣ୍ଣ ମୁକାବିଲା ପୂର୍ବରୁ ଜୋଶ୍ ହେଜେଲଉଡ୍ ଦଳରୁ ବାଦ୍ ପଡିବା ଅଷ୍ଟ୍ରେଲିଆକୁ ବଡ ଝଟକା ଦେଇଛି । ତାଙ୍କ ସ୍ଥାନରେ ଦଳରେ ମାଇକେଲ୍ ନେସରଙ୍କୁ ସାମିଲ କରାଯାଇଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦୃଢ଼ ମନୋବଳ ସହ ପଡିଆକୁ ଓହ୍ଲାଇବ । ଅଷ୍ଟ୍ରେଲିଆ ସହ ମୁକାବିଲାରେ ଭାରତ କମ୍ବିନେସନ କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଦୁଇ ଜଣ ସ୍ପିନରଙ୍କୁ ନେଇ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ସାମ୍ନା କରିବେ ବୋଲି ରୋହିତ ଶର୍ମା କହିଛନ୍ତି । ଅଭ୍ୟାସ ଶିବିର ଉପରେ ନଜର ପକାଇଲେ ଇଶାନ କିଷାନ ଏବଂ ଜୟଦେବ ଫାଇନାଲ ଏକାଦଶରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି  । ଭାରତୀୟ ଦଳରେ ଏକ ମାତ୍ର ବାମହାତୀ ବ୍ୟାଟ୍ସମ୍ୟାନ ଭାବେ ରବିନ୍ଦ୍ର ଜାଡେଜା ଅଛନ୍ତି  । ତେବେ ମିଡିଲ ଅର୍ଡର ପାଇଁ ଆଉ ଜଣେ ବାମହାତୀ ବ୍ୟାଟ୍ସମାନ ଆବଶ୍ୟକ କରୁଛି  ।ଅଷ୍ଟ୍ରେଲିଆ ମଧ୍ୟ ପେସ ବ୍ୟାଟରଙ୍କ ଉପରେ ନିର୍ଭର କରିବ । ଭାରତୀୟ ବ୍ୟାଟରଙ୍କୁ ଅଟକାଇବା ପାଇଁ ଦଳ ଏକାଧିକ ରଣନୀତି ପ୍ରସ୍ତୁତ କରିଛି ।

ଦଳରେ ୪ ଜଣ ବାମହାତୀ ବ୍ୟାଟର ଡେଭିଡ ଓ୍ବାର୍ଣ୍ଣର, ଉସମାନା ଖ୍ବାଜା, ଟ୍ରେଭିଜ ହେଡ ଓ ଆଲେକ୍ସ କ୍ବାରୀ ଅଛନ୍ତି  । ତେଣୁ ପେସରେ ଭିନ୍ନତା ଆଣିବା ପାଇଁ ଭାରତ ଜଣେ ବାମହାତୀ ପେସ ବୋଲର ଆବଶ୍ୟକ କରୁଛି । ତେଣୁ ଚୁଡାନ୍ତ ଏକାଦଶରେ ଜୟଦେବଙ୍କୁ ଉମେଶ ଯାଦବଙ୍କ ସହ ପ୍ରତିଦ୍ବନ୍ଦିତା କରିବାକୁ ପଡ଼ିବ  ।ଫାଇନାଲ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୨ ତାରିଖକୁ ରିଜର୍ଭ ଡେ ରଖାଯାଇଛି   ।

ଆଜିଠୁ ଦୁଇଦିନିଆ ରାୟଗଡ଼ା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ, ଉନ୍ନତିମୂଳକ କାମର କରିବେ ସମୀକ୍ଷା

ରାୟଗଡ଼ା: ବିକାଶ ପଥରେ କେତେବାଟ ଆଗେଇଛି ରାୟଗଡ଼ା  । କଣ ରହିଛି ଲୋକଙ୍କ ସମସ୍ୟା  । ଏହାର ସମାଧାନ ପାଇଁ ଆଜିଠୁ ଦୁଇଦିନିଆ ରାୟଗଡ଼ା ଗସ୍ତରେ ଯାଉଛନ୍ତି 5T ସଚିବ ଭିକେ ପାଣ୍ଡିଆନ  । ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକଙ୍କ ସହିତ କରିବେ ଆଲୋଚନା  । ଅପରାହ୍ନ ୪ଟା ୩୦ରେ ରାୟଗଡ଼ାର ଜିସିଡି ଖେଳ ପଡ଼ିଆରେ ପହଞ୍ଚିବେ 5T ସଚିବ ।

ସେଠାରୁ ବିଜୁ ପଟ୍ଟନାୟକ ଅଡିଟୋରିୟମ ଯାଇ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ  । ପରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ପରିସରକୁ ଯାଇ ଆମ ହସପିଟାଲ ଯୋଜନାରେ ରୂପାନ୍ତରଣ କାମର ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି  ।

ଏହାସହିତ ଏସଏଚଜି ମାଆମାନଙ୍କ ସହିତ ଆଲୋଚନା କରିବେ  । ପରେ ରାୟଗଡ଼ାର ବହୁମୂଖୀ ଇନଡୋର ଷ୍ଟାଡିୟମ ଯାଇ ଖେଳାଳିଙ୍କ ସହିତ ଆଲୋଚନା ଏବଂ ଲୋକଙ୍କ ସମସ୍ୟା ଶୁଣିବେ 5T ସଚିବ  । ପରେ ବାଲୁଙ୍କେଶ୍ବର ଶିବ ମନ୍ଦିର ଓ ମାଆ ମଝିଘରିଆଣୀଙ୍କ ମନ୍ଦିର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ  । ମନ୍ଦିରର ବିକାଶ ନେଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବେ 5T ସଚିବ  । ଆସନ୍ତାକାଲି ଦିନତମାମ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ 5T ସଚିବ ଭିକେ ପାଣ୍ଡିଆନ ।