spot_img
Home Blog Page 3045

ସାରା ରାଜ୍ୟରେ ନିଆଁ ବର୍ଷା, ଫିକା ପଡ଼ିପାରେ ରଜ ମଉଜ

ଭୁବନେଶ୍ବର: ସାରା ରାଜ୍ୟରେ ନିଆଁ ବର୍ଷା । ଦିନ ସାଢେ ଦୁଇଟା ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ସମ୍ବଲପୁର । ସମ୍ବଲପୁରରେ ୪୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ହୀରାକୁଦରେ ୪୪.୪ ଡିଗ୍ରୀ ତାତି ରେକର୍ଡ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ବରରେ ୪୩.୮ ରହିଛି ତାପମାତ୍ରା  ।

ସେହିପରି ଝାରସୁଗୁଡ଼ାରେ ୪୨.୪ ଓ କେନ୍ଦୁଝରରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଚାନ୍ଦବାଲିରେ ୩୯, ବାଲେଶ୍ୱରରେ ୩୭.୪, ପୁରୀରେ ୩୬.୪, ଗୋପାଳପୁରରେ ୩୪.୬ ଓ ପାରାଦୀପରେ ୩୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ପାରାଦୀପରେ ୭୨ପ୍ରତିଶତ ଆଦ୍ରତା ଥିବା ବେଳେ ୬୦ ପ୍ରତିଶତ ଉପରେ ରହିଛି ୪ସହରର ଆଦ୍ରତା ।

ସମ୍ବଲପୁରରେ ସର୍ବାଧିକ ତାତି ଥିବା ବେଳେ ଗୁଳୁଗୁଳି ୨୧ପ୍ରତିଶତ ରହିଛି । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପ୍ରବଳ ଖରା  । ୧୬ ତାରିଖ ଯାଏ ତାତିରୁ ମିଳିବନି ନିସ୍ତାର ।  ଆଜି ପାଇଁ ୧୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଓ ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ । କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ଡିଗ୍ରୀ ଅଧିକ ଅନୁଭୂତ ହେବ । ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଫିକା ପଡ଼ିବ ରଜ ମଉଜ ।

ରାମ୍ପ ଓ୍ବାକ ବେଳେ ମଡେଲଙ୍କ ମୁଣ୍ଡରେ ପଡ଼ିଲା ଲୁହା ପିଲାର୍‌

ନୂଆଦିଲ୍ଲୀ: ରାମ୍ପ ଓ୍ବାକ କରୁଥିବା ମଡେଲଙ୍କ ମୁଣ୍ଡରେ ପଡ଼ିଲା ଲୁହା ପିଲାର୍‌ । ୨୪ବର୍ଷୀୟ ମହିଳା ମଡେଲଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷ ମଡେଲ ଗୁରୁତର ହୋଇଛନ୍ତି । ନୂଆ ଦିଲ୍ଲୀ ନୋଏଡ଼ା ଫିଲ୍ମ ସିଟିରେ ଏହି ଅଘଟଣ ଘଟିଛି । ଗତକାଲି ରାତି ପ୍ରାୟ ସାଢ଼େ ୧ଟାରେ ଫ୍ୟାସନ ଶୋ’ ଚାଲିଥିବା ବେଳେ ମଡେଲମାନେ ଭଳି କି ଭଳି ଡ୍ରେସପିନ୍ଧି ରାମ୍ପ ଓ୍ବାକ କରୁଥିଲେ ।

ଷ୍ଟେଜରେ ଲାଇଟ ଲଗାଯାଇଥିବା ଏକ ଲୁହା ପିଲର ଜଣେ ମଡେଲ ବଂଶିକା ଚୋପ୍ରାଙ୍କ ଉପରେ ପଡ଼ିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୁରୁତର ମଡେଲଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୋଲିସ କହିଛି । ଶୋ’ ଆୟୋଜକ ଓ ଷ୍ଟେଜରେ ଲାଇଟ ଲଗାଇଥିବା ବ୍ୟକ୍ତିଙ୍କୁ ଜେରା କରୁଛି ପୋଲିସ ।

ନର୍ମଦାଙ୍କୁ ପୂଜା କରି ମଧ୍ୟପ୍ରଦେଶରେ ମହାବିଜୟ ଲକ୍ଷ୍ୟରେ ପ୍ରଚାର କରୁଛନ୍ତି ପ୍ରିୟଙ୍କା

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି । କର୍ଣ୍ଣାଟକ ବିଜୟ ପରେ ମଧ୍ୟପ୍ରଦେଶରେ ମହାବିଜୟ ଲକ୍ଷ୍ୟରେ କ୍ୟାମ୍ପେନ ଆରମ୍ଭ କରିଛି କଂଗ୍ରେସ । ଆଦିବାସୀ ବହୁଳ ଜବଲପୁର ଗୌରୀ ଘାଟରେ ନର୍ମଦା ପୂଜା କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏହି ସ୍ମାରକୀଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରିୟଙ୍କା ।

ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ମଧ୍ୟପ୍ରଦେଶର ମହାକୋଶଲ ଅଞ୍ଚଳର ମଧ୍ୟଭାଗରେ ରହିଛି ଜବଲପୁର । ଏହି ଅଞ୍ଚଳରେ ଅଧିକାଂଶ ଆଦିବାସୀ ଲୋକ ବସବାସ କରନ୍ତି । ୨୦୧୮ ନିର୍ବାଚନରେ ଏହି ଅଞ୍ଚଳର ୧୩ଟି ଏସଟି ସଂରକ୍ଷିତ ଆସନରୁ କଂଗ୍ରେସ ୧୧ ଆସନରେ ବିଜୟୀ ହୋଇଥିଲା । ଅବଶିଷ୍ଟ ୨ଟି ଆସନ ବିଜେପି ହାତକୁ ଯାଇଥିଲା ।

ମଧ୍ୟପ୍ରଦେଶରେ ୬ଟି ଅଞ୍ଚଳ ମହାକୋଷଳ, ଗ୍ବାଲିୟର-ଚମ୍ବଲ, କେନ୍ଦ୍ରୀୟ ଭାରତ, ନିମାର-ମାଲଓ୍ବା, ବିନ୍ଧ ଓ ବୁନ୍ଦେଲଖଣ୍ଡ ରହିଥିବାବେଳେ ସବୁ ଅଞ୍ଚଳରେ କଂଗ୍ରେସ ଭଲ କରିବ ବୋଲି ଦଳ ଆଶା ରଖିଛି ।

ହରିଣ ଖାଇଲା ସାପ, କଣ ପାଇଁ ଏହାକୁ ବିପଜ୍ଜନକ ବୋଲି କହୁଛନ୍ତି ପରିବେଶବିତ୍ତ୍‌

ନନ୍ଦିଘୋଷ ବ୍ୟୁରୋ: ହରିଣ ସାପ ଖାଏ କି ? ଆପଣ ଭାବୁଥିବେ ଏହା କେମିତିକା ପ୍ରଶ୍ନ  । ଆମେ ପିଲାବେଳେ ପଢିଛେ ଯେ ହରିଣ ଏକ ତୃଣଭୋଜି ପ୍ରାଣୀ  । ସେ କେବଳ ଘାସପତ୍ର ଖାଇ ବଞ୍ଚିଥାଏ  । ଚିଡିଆଖାନାରେ ବି ହରିଣ ଡାଳପତ୍ର ଓ ଘାସ ଖାଉଥିବା ଦେଖିବାକୁ ମିଳେ  । କିନ୍ତୁ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ  । ୨୧ ସେକେଣ୍ଡର ଭିଡିଓରେ ହରିଣଟି ସାପ ଚୋବାଉଥିବା ଦେଖିବାକୁ ମିଳିଛି  । ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ଭିଡିଓ ଟିକୁ ସେୟାର କରି ଲେଖିଛନ୍ତି ‘‘ପ୍ରକୃତିକୁ ଭଲ ଭାବେ ବୁଝିବା ପାଇଁ କ୍ୟାମେରା ଆମକୁ ସାହାଯ୍ୟ କରୁଛି  । ତୃଣଭୋଜୀ ପ୍ରାଣୀ ବି ବେଳେବେଳେ ସାପ ଖାଇ ପାରନ୍ତି ’’ ।

କିଛି ଦିନ ପୂର୍ବରୁ କିଙ୍ଗ କୋବରା ଭଳି ବିଷଧର ସାପକୁ ଏକ ଅସୁସ୍ଥ ଓଟକୁ ସୁସ୍ଥ କରିବା ପାଇଁ ଖାଇବାକୁ ଦିଆଯାଇଥିଲା  । ଏବେ ହରିଣର ବଦଳୁଥିବା ଅଭ୍ୟାସ ଦେଖି ଚିନ୍ତାରେ ପରିବେଶବିତ୍ତ୍‌  । କାରଣ ଏପରି ହେଲେ ଫୁଡ୍‌ ଚେନ ଅର୍ଥାତ ପରସ୍ପର ଉପରେ ନିର୍ଭରତା କ୍ରମରେ ପରିବର୍ତ୍ତନ ଆସିବ  ।

 

ତେବେ ଅସହ୍ୟ ଭୋକ କାରଣରୁ ବୋଧହୁଏ ହରିଣଟି ସାପ ଖାଇବା ପାଇଁ ବାଧ୍ୟ ହୋଇଥିବ ବୋଲି କେତେକ ପରିବେଶବିତ୍ତ୍‌ ମତ ଦିଅନ୍ତି  । କାରଣ ପ୍ରକୃତିର ଇକୋସିଷ୍ଟମରେ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ ହରିଣ  । ଯଦି ଏହାର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଘଟେ ଜଙ୍ଗଲର ବ୍ୟବସ୍ଥା ବିଗିଡିବା ବି ଏକ ପ୍ରକାର ନିଶ୍ଚିତ ହେବ  ।

 

ଆପଣ ଜାଣିରଖନ୍ତୁ ଯେ ହରିଣ ଘାସପତ୍ର ଛଡା ବେଳେବେଳେ ଛତୁ, ଫୁଲ, ବାଦାମ ଓ ଅଖରୋଟ ଆଗ୍ରହର ସହ ଖାଇଥାଏ  । ରାଜସ୍ଥାନର ବିଷ୍ଣୋଇ ସମାଜ ହରିଣ ଛୁଆକୁ ନିଜ ଛୁଆ ଭଳି ଲାଳନ ପାଳନ ମଧ୍ୟ କରିଥାନ୍ତି  । ବୋତଲରେ ସେମାନେ ହରିଣ ଛୁଆକୁ କ୍ଷୀର ପିଆଇଥାନ୍ତି  ।

ଏଠି ଗଛ ଉପରେ କାହିଁକି ବସିଛି ପୋଲିସ? ଜାଣନ୍ତୁ

ମଥୁରା: ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ ୱେରେ ଲୁଟ ଘଟଣା ପୋଲିସ ପ୍ରଶାସନର ଚିନ୍ତା ବଢାଇ ଦେଇଛି  । ଲଗାତାର ଲୁଟ ପରେ ଜାତୀୟ ରାଜପଥରେ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି  । ଯେମିତି ପ୍ରତି ଲୁଟେରାଙ୍କୁ କାବୁ କରିହେବ ପୋଲିସ ସେମିତି କିଛି ପଇନ୍ତରା ଆପଣାଇଛି  । ଏବେ ଗଛ ଉପରେ ବସି ଅପରାଧୀଙ୍କ ଉପରେ ନଜର ରଖିଛି ପୋଲିସ  । ସାଧା ପୋଷାକରେ ଏକ୍ସପ୍ରେସ ୱେରେ ପ୍ରତି ଦୁଇ କିଲୋମିଟରରେ ଜଗିଛି ପୋଲିସ  । ଏହାଛଡା ସାଧା ପୋଷାକରେ ମଧ୍ୟ ବିଲ ଭିତରେ ଜଗିଛି ପୋଲିସ  । ମଥୁରା ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନରେ ଖୁସି ପ୍ରକାଶ କରିଛନ୍ତି ଯମୁନା ଏକ୍ସପ୍ରେସ ୱେ ପ୍ରାଧିକରଣ  ।

 

ସାଧା ପୋଷାକରେ ପୋଲିସ ବନ୍ଧୁକ ଓ ଦୂରବିକ୍ଷଣ ଯନ୍ତ୍ର ସହ ମଥୁରା ଏକ୍ସପ୍ରେସରେ ନଜର ଆସୁଛନ୍ତି  । ସାଧାରଣ ଜନତା ଭଳି ଦେଖାଯିବା ପାଇଁ ରାସ୍ତା କଡରେ ଖଟିଆର ବ୍ୟବସ୍ଥା କରାଯାଇଛି  । ତେବେ ପ୍ରାଥମିକ ତଦନ୍ତରୁ ଅପରାଧୀଙ୍କ ବୟସ ୨୦ ରୁ ୩୫ ବର୍ଷ ବୟସ ହୋଇଥିବା ଅନୁମାନ କରାଯାଉଛି  । ସ୍କେଚ ଆଧାରରେ ଏକ୍ସପ୍ରେସ ୱେରେ ଲାଗିଥିବା ସିସିଟିଭିର ନିୟମିତ ଯାଞ୍ଚ କରାଯାଇ ଗିରଫ କରିବା ପାଇଁ ପୋଲିସ ପ୍ରୟାସ ଚଳାଇଛି  ।

 

୧୬୫ କିଲୋମିଟର ଲମ୍ବ ଓ ଛଅ ଲେନ୍‌ ବିଶିଷ୍ଟ ଯମୁନା ଏକ୍ସପ୍ରେସ ୱେ ନୋଏଡାକୁ ଆଗ୍ରା ସହ ଯୋଡୁଛି  । ମଥୁରା ଜିଲ୍ଲାରେ ଏକ୍ସପ୍ରେସ ୱେର ଲମ୍ବ ପାଖାପାଖି ୬୫ କିଲୋମିଟର ପର୍ଯ୍ୟନ୍ତ ରହିଛି  । ଏହି ଜିଲ୍ଲାରେ ସାତୋଟି ପୋଲିସ ଥାନା ଜାତୀୟ ରାଜପଥ ଅଧୀନରେ ରହିଛି  ।

ବିକ୍ରି କରିବାକୁ ପଡ଼ିବନି କିଡନି, ଆପଲ୍ ଆଣୁଛି ଶସ୍ତା ଭିଜନ୍ ପ୍ରୋ

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଆପଲ ଏଆର ହେଡସେଟ ଭିଜନ ପ୍ରୋ ୩ ଲକ୍ଷ ଟଙ୍କାରେ ଲଞ୍ଚ୍‌ କରିଛି  । ଯାହା ପରେ ଖୁବ ସାରା ମିମ୍‌ସ ଭାଇରାଲ ହେବାରେ ଲାଗିଛି  । ଆପଲ ଭିଜନ ପ୍ରୋ କିଣିବା ପାଇଁ କିଡନୀ ବିକିବାକୁ ପଡିବ ବୋଲି ୟୁଜର୍ସଙ୍କ କମେଣ୍ଟ ଭାଇରାଲ ହେବାରେ ଲାଗିଛି  । କିନ୍ତୁ ପ୍ରକୃତରେ ବହୁ କମ ମୂଲ୍ୟରେ ଭିଜନ ପ୍ରୋ ଏଆର ହେଡସେଟ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି  ।

ଏକ ରିପୋର୍ଟ ମୁତାବକ ଆପଲର ଶସ୍ତା ଭିଜନ ପ୍ରୋ ୨୦୨୫ ସୁଦ୍ଧା ଲଞ୍ଚ ହେବ  । ଅର୍ଥାତ୍‌ ଏବେ ଲଞ୍ଚ ହୋଇଥିବା ଭିଜନ ପ୍ରୋର ଦୁଇ ବର୍ଷ ପରେ ଶସ୍ତା ଭର୍ସନ ରିଲିଜ ହେବ  । ଆଗାମୀ ବର୍ଷ ବଜାରରେ ଭିଜନ ପ୍ରୋ ବିକ୍ରି ପାଇଁ ଉପଲବ୍ଧ ହେବ  । ଆପଲ ଭିଜନ ପ୍ରୋ ଓ ଆପଲ ଭିଜନକୁ ଅଲଗା ଅଲଗା ମୂଲ୍ୟରେ ଲଞ୍ଚ କରାଯିବ  । ଆପଲ ଭିଜନ ପ୍ରୋକୁ ୩ ଲକ୍ଷ ଟଙ୍କାରେ ଲଞ୍ଚ କରାଯାଇଥିବାବେଳେ ଆପଲ ଭିଜନକୁ କମ ମୂଲ୍ୟରେ ବଜାରକୁ ଛଡା ଯିବା ପାଇଁ ଲକ୍ଷ୍ୟ ରଖିଛି କମ୍ପାନୀ  ।  ବର୍ତ୍ତମାନ ସୁଦ୍ଧା ଭିଜନ ପ୍ରୋର ପ୍ରକୃତ ମୂଲ୍ୟ ଘୋଷଣା କରାଯାଇନାହିଁ  ।

ସେହିପରି ଆପଲର ଦ୍ବିତୀୟ ଜେନେରେସନ ଭିଜନ ପ୍ରୋକୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚାଲିଛି  । ଯେଉଁଥିରେ ଫାଷ୍ଟ ପ୍ରୋସେସର ସପର୍ଟ ରହିବ  ।

ଆପଲ ଭିଜନ ପ୍ରୋରେ କ୍ୟାମେରା, ସେନ୍ସର, ଡୁଆଲ ଆପଲ ସିଲିକନ ଚିପ୍ସ ଓ ଟ୍ବିନ 4K ମାଇକ୍ରୋଏଲଇଡି ଭର୍ଚୁଆଲ ରିଆଲିଟି ଡିସପ୍ଲେର ବ୍ୟବହାର କରାଯାଇଛି  । କିନ୍ତୁ ଶସ୍ତା ଆପଲ ଭିଜନ ପ୍ରୋରେ କମ କ୍ୱାଲିଟିର ସ୍କ୍ରିନ ଅପସନ ରହିବ  । ଏଥିରେ ଆଇଫୋନ ଗ୍ରେଡ ବା ପୁରୁଣା ମ୍ୟାକ୍‌ ଚିପ୍ସର ବ୍ୟବହାର କରାଯାଇପାରେ  ।

ଲାଇଟ-ଆଣ୍ଡ ସାଉଣ୍ଡ ସୋରେ ଇରମର ଇତିହାସ ଦେଖିବ ଓଡିଶା

ଭଦ୍ରକ: ରକ୍ତତୀର୍ଥ ଇରମର ବଦଳିବ ନକ୍ସା । ବିକଶିତ ହେବ, ବିଶ୍ବବିଦିତ ହେବ ଇରମ ଇତିହାସ । ଏଥିପାଇଁ ଶୀଘ୍ର ପ୍ଲାନ୍ ପ୍ରସ୍ତୁତ କରି ଦେଲେ ୭ ଦିନରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳଙ୍କୁ ଏନେଇ ପ୍ଲାନ୍ ଦେଲେ ୬ରୁ ୮ମାସରେ ନୂଆ ରୂପରେ ନଜର ଆସିବ ଇରମ ସହିଦ ସ୍ମୃତିସ୍ତମ୍ଭ । ଏନେଇ ଘୋଷଣା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଏହାସହ ଇରମରେ ହେବ ଲାଇଟ-ଆଣ୍ଡ ସାଉଣ୍ଡ ସୋ ।

ଇରମର ଇତିହାସ ନେଇ ସନ୍ଧ୍ୟାରେ ଅଧଘଣ୍ଟା ପାଇଁ ହେବ ଲାଇଟ-ଆଣ୍ଡ ସାଉଣ୍ଡ ସୋ । ଲୋକଙ୍କୁ ଇରମର କାହାଣୀ ଶୁଣାଇବା ଏବଂ ଏହିଠାରେ ବାନ୍ଧିରଖିବା ଦିଗରେ ଲାଇଟ-ଆଣ୍ଡ ସା ଉଣ୍ଡ ଶୋ ସହାୟକ ହେବ ବୋଲି କହିଛନ୍ତି ଭି.କେ ପାଣ୍ଡିଆନ । ବର୍ଷ ବର୍ଷ ଧରି ସ୍ମୃତି ହୋଇ ରହିବ ଇରମ ସହିଦ ସ୍ମୃତି ପୀଠ । କୋଣାର୍କ ପରି ସୁନ୍ଦର ଭାବେ କାର୍ଯ୍ୟକାରୀ ଦିଗରେ ପ୍ରୟାସ କରିବା ବୋଲି କହିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ ।

ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଡ୍ରୋନ ଉଡାଣରେ କଟକଣା ଲଗାଇଲା ପୁରୀ ପୋଲିସ

ପୁରୀ: ଆଗାମୀ ରଥଯାତ୍ରା ସମୟରେ ବଡ଼ଦାଣ୍ଡ ଉପରେ ଡ୍ରୋନ ଉଡ଼ିବା ନେଇ କଟକଣା। ଡ୍ରୋନ କଟକଣା ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଆସନ୍ତା ଜୁନ୍ ୨୦ରେ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନବଯୌବନ ଦର୍ଶନ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଡ୍ରୋନ ଉଡାଣ ଉପରେ କଟକଣା ଲଗାଇଛି ପୁରୀ ପୋଲିସ  ।

ଶ୍ରୀମନ୍ଦିର ଉପରେ, ତିନି ରଥ ନିକଟରେ ଓ ଗୁଣ୍ଡିଚା ମନ୍ଦିର ଉପରେ ଡ୍ରୋନ ଉଡାଣ ଉପରେ କେହି ଡ୍ରୋନ ଉଡାଇପାରିବେନି। ନିୟମ ଉଲଘଂନ କଲେ ଡ୍ରୋନ ଉଡାଣ ଆଇନ ନେଇ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । DGCA ର ଗାଇଡ ଲାଇନ୍ ଅନୁଯାୟୀ ରେଡ ଜୋନରେ ରହିଛି ଶ୍ରୀମନ୍ଦିର। ଏଣୁ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ ବେଆଇନ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ପୁର୍ବରୁ ଏହି ନିୟମ ଉଲଘଂନ ପାଇଁ ଜଣେ ୟୁ ଟ୍ୟୁବରକୁ ଗିରଫ କରିଥିଲା ପୁରୀ ପୋଲିସ। ତେବେ ଡ୍ରୋନ ମାଧ୍ୟମରେ ପୁରୀ ପୋଲିସ ବଡଦାଣ୍ଡ, ସମୁଦ୍ରକୂଳ ଓ ପୁରୀ ସହରର ବିଭିନ୍ନ ସ୍ଥାନରେ ନଜର ରଖିବା ପାଇଁ ଡ୍ରୋନ ଉଡାଣ କରି ସୁରକ୍ଷା ଉପରେ ନଜର ରଖିବ।

ଅତି ଭୀଷଣ ବାତ୍ୟାରେ ପରିଣତ ହେଲାଣି ବିପର୍ଯ୍ୟୟ, ଗୁଜରାଟରେ ୟେଲୋ ଆଲର୍ଟ

ଗାନ୍ଧୀନଗର: ବିପର୍ଯ୍ୟୟ ପ୍ରଭାବରେ ଗୁଜରାଟରେ ୟେଲୋ ଆଲର୍ଟ । ସୌରାଷ୍ଟ୍ର-କଛ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବରାରୁ ୟେଲୋ ଆଲର୍ଟ ଜାରି କରିଛି IMD । ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମୁହାଁଇଛି ବିପର୍ଯ୍ୟୟ । ଏହାର ପ୍ରଭାବରେ ଗୁଜରାଟର କଚ୍ଛ, ଦ୍ବାରକା, ପୋରବନ୍ଦର, ଜାମନଗର, ରାଜକୋଟ ଓ ମୋରବି ଜିଲ୍ଲାରେ ଝଡ଼, ବର୍ଷାର ସମ୍ଭାବନା ରହିଛି ।

ଗୁଜରାଟ ସମେତ ମହାରାଷ୍ଟ୍ର, ଗୋଆ ଓ କେରଳରେ ବି ବାତ୍ୟାର ପ୍ରଭାବ ପଡ଼ିବ । ବିପର୍ଯ୍ୟୟ ପ୍ରଭାବରେ କେରଳ ଓ ମୁମ୍ବାଇରେ ଆଜି ସକାଳୁ ସମୁଦ୍ରରେ ଉଚ୍ଚ ଲହଡି ଉଠୁଥିବା ଦେଖାଯାଇଛି । ପବନ ବହିବା ସହ ବର୍ଷା ହେବା ସମ୍ଭାବନା ମଧ୍ୟ ରହିଛି । ମୁମ୍ବାଇ, ନବି-ମୁମ୍ବାଇ, ଥାନେ, ପାଲଘର ସମେତ ମହାରାଷ୍ଟ୍ରର କିଛି ସ୍ଥାନରେ ଗତରାତିରୁ ବର୍ଷା ଆରମ୍ଭ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେପଟେ ପାଗ ଖରାପ ଥିବାରୁ ମୁମ୍ବାଇ ଏୟାରପୋର୍ଟରେ ଅନେକ ବିମାନ ବାତିଲ ହୋଇଥିବା ବେଳେ କେତେକ ଉଡାଣ ସମୟ ବିଳମ୍ବିତ ହୋଇଛି । ଫଳରେ ବିମାନବନ୍ଦରରେ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ କରିଥିବା ବେଳେ ସୋସିଆଲ ମିଡିଆରେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆରବ ସାଗରରେ ସୃଷ୍ଟ ବିପର୍ଯ୍ୟୟ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଥିବା ବେଳେ ୧୫ ଜୁନରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।

ବିଦ୍ୟୁତ ଆଘାତ ବେଳେ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ୪ ଗୁରୁତର

ପାରାଦୀପ: ପାରାଦ୍ଵୀପ -କୁଜଙ୍ଗ ବାଲିସାହି ଗାଁରେ ବିଦ୍ୟୁତ୍ ଆଘାତରେ ଜଣେ ମୃତ ୪ ଆହାତ । ଘରର ଇଲେକ୍ଟ୍ରି ବୋର୍ଡ ସୁଇଚ ମାରିବା ସମୟରେ ମହିଳାଙ୍କୁ କରେଣ୍ଟ ଲାଗିଥିଲା ‌। ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ଚାରିଜଣ ଆହାତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମହିଳାଙ୍କ ଭାଇ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ କୁଜଙ୍ଗ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ ମହିଳା ହେଲେ ରାନୁ ବେହେରା । ଗୁରୁତର ଚନ୍ଦନ ରାଉତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।