ବିକାଶ ନାଁରେ ଆଉ ବଳି ପଡିବନି ଗଛ, ବୃକ୍ଷ ପୁନଃରୋପଣ ପାଇଁ ସ୍ଵତନ୍ତ୍ର ଏସ୍ଓପି

1 min read

ଭୁବନେଶ୍ୱର: ଉନ୍ନୟନ ପ୍ରକଳ୍ପ ପାଇଁ ରାଜ୍ୟରେ କଟାଯାଉଛି ଲକ୍ଷ ଲକ୍ଷ ଗଛ । ଏହି ଗଛଗୁଡ଼ିକୁ ବଢ଼ାଇବା ପାଇଁ ଅନେକ ପରିଶ୍ରମ ସହିତ ସମୟ ଲାଗୁଛି । ହେଲେ ବିଭିନ୍ନ ପ୍ରକଳ୍ପ ପାଇଁ ଆଖି ପିଛୁଳାକେ ଗଛ କାଟି ଦିଆଯାଉଛି । ଫଳରେ ରାଜ୍ୟରେ ସବୁଜିମା ପ୍ରତି ଆହ୍ବାନ ସୃଷ୍ଟି ହେବା ସହ ଅନ୍ୟ ସମସ୍ୟାଗୁଡ଼ିକ ମୁଣ୍ଡ ଟେକୁଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ‘ବୃକ୍ଷ ପୁନଃରୋପଣ’ ପାଇଁ ଏକ ସ୍ଵତନ୍ତ୍ର ଏସଓପି ଆଣିଛନ୍ତି । ବିଭାଗ ପକ୍ଷରୁ ଜାରି ଏସଓପି ପାଳନ କରି ଗଛ ନ କାଟି ଅନ୍ୟତ୍ର ପ୍ରତ୍ୟାରୋପଣ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଗତ ୨୦୧୦-୧୧ରୁ ୨୦୨୦-୨୧ ମଧ୍ୟରେ ରାଜପଥ ନିର୍ମାଣ ଓ ଅନ୍ୟ ପ୍ରକଳ୍ପ ପାଇଁ ରାଜ୍ୟର ୧.୮୫ କୋଟି ଗଛ କଟାଯାଇଛି । କେବଳ ଭୁବନେଶ୍ବରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ୨୦୧୯-୨୦ରୁ ୨୦୨୨-୨୩ ମଧ୍ୟରେ ୭ ହଜାର ୮୦୦ ଗଛ କଟାଯାଇଛି । ଏହି ବ୍ୟବସ୍ଥାରେ ରୋକ୍ ଲଗାଇ ନୂତନ ଏସଓପି ପାଳନ କରି ବୃକ୍ଷ ପ୍ରତ୍ୟାରୋପଣ ପଦ୍ଧତିକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବିଭାଗ ପକ୍ଷରୁ ଜାରି ହୋଇଥିହବା ଏସଓପିରେ ଗଛର ସ୍ଥାନ, ବୟସ, ମୋଟେଇ, ପ୍ରଜାତି, ଔଷଧୀୟ ଓ ଧର୍ମୀୟ ଭାବନା ଆଦି ସମ୍ପର୍କରେ ଦର୍ଶାଯାଇଛି । ଗଛ ପ୍ରତ୍ୟାରୋପଣ ବେଳେ ଏହି ଦିଗ ପ୍ରତି ଗୁରୁତ୍ବ ଦିଆଯିବ । ଯାନ୍ତ୍ରିକ ପଦ୍ଧତି ଦ୍ବାରା ଏହି ପ୍ରତ୍ୟାରୋପଣ ପ୍ରକ୍ରିୟା ସମୟ ସାପେକ୍ଷ ବୋଲି ବିଭାଗ କହିଛି । ଏହାସହ କେଉଁସ୍ଥାନରୁ କେଉଁସ୍ଥାନକୁ ଗଛ ନିଆଯାଇ ପ୍ରତ୍ୟାରୋପଣ କରାଯିବ ତାକୁ ଦୃଷ୍ଟିରେ ରଖାଯିବ । ଯୁବ ଅବସ୍ଥାରେ ଥିବା ଗଛଗୁଡ଼ିକର ଚେର କମ୍ ରହିଥିବାରୁ ଏହା ପ୍ରତ୍ୟାରୋପଣ ପରେ ପୁନର୍ବାର ବଞ୍ଚିବାର ଅଧିକ ସମ୍ଭାବନା ରହିଥାଏ । ଏହି ପ୍ରକ୍ରିୟାରେ ଲଗାଯାଇଥିବା ଗଛ ଗୁଡ଼ିକ ମଧ୍ୟରୁ ପ୍ରଥମ ବର୍ଷରେ ୫୦-୮୦ ପ୍ରତିଶତ ଗଛ ବଞ୍ଚୁଥିବା ବେଳେ ହିତୀୟ ବର୍ଷରେ ୩୦-୭୦ ପ୍ରତିଶତ ଗଛ ବଞ୍ଚିବା ନେଇ ଜଣାପଡ଼ିଛି । ଯେଉଁ ଗଛଗୁଡ଼ିକ କାଟିବା ପରେ କୁଆଁ ବାହାର କରିବାର କ୍ଷମତା ରଖୁଥାଏ, ସେହି ଗଛ ପ୍ରତ୍ୟାରୋପଣ ପରେ ମଧ୍ୟ ବଞ୍ଚିବାର କ୍ଷମତା ସବୁଠୁ ଅଧିକ ରହିଥାଏ ।

ଗଛ କଟା ହେବାରୁ ପରିବେଶର ସନ୍ତୁଳନ ବିଗିଡି ଯାଉଛି । ନୂଆ ଚାରାକୁ ଗଛ ହେବାକୁ ସମୟ ଲାଗୁଛି । ଚଳିତ ଅଗଷ୍ଟରେ ବର୍ଷା ଦିନ ସତ୍ବେ ଆକାଶରୁ ନିଆଁ ବର୍ଷା ହେଉଛି । ଏପରି ସ୍ଥିତିରେ ବୃକ୍ଷ ପ୍ରତ୍ୟାରୋପଣକୁ ସ୍ବାଗତ କରିଛନ୍ତି ପରିବେଶବିତ । ସହରର କଂକ୍ରିଟ ଜଙ୍ଗଲରେ ବୃକ୍ଷ ନଷ୍ଟ ହେବାକୁ ଲାଗିଲାଣି । ପରିବେଶ ପ୍ରଦୂଷଣ ବଢୁଛି । ମୃତିକା ଅବକ୍ଷୟ ବି ହେଉଛି । ହେଲେ ମଣିଷର ପ୍ରକୃତ ବନ୍ଧୁ ଗଛକୁ ନୂଆ ଜୀବନ ଦେଲେ ସେ ବି ମଣିଷକୁ ଅମ୍ଳଜାନ ଯୋଗାଇବ ।