ଆଜି ମୁମ୍ବାଇରେ ମେଗା ଶୋ, ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ

ନୂଆଦିଲ୍ଲୀ: ୨୦୨୪ ପୂର୍ବରୁ ରୋଡମ୍ୟାପ । ଏନଡିଏ ବିରୋଧରେ ଇଣ୍ଡିଆମେଣ୍ଟର ମେଗାମେଳି । ଆଜିଠୁ ମୁମ୍ବାଇରେ ଦୁଇଦିନିଆ ଇଣ୍ଡିଆ ମେଣ୍ଟର ସମ୍ମିଳନୀ । ବୈଠକରେ ସାମିଲ ହୋଇପାରନ୍ତି ୬ଜଣ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୬ଟି ଜାତୀୟ ଦଳ ଓ ଆଞ୍ଚଳିକ ଦଳର ନେତା । ଇଣ୍ଡିଆମେଣ୍ଟରେ ଅଧିକ ଦଳଙ୍କୁ ସାମିଲ କରିବା ସହ ଆସନ ବୁଝାମଣା ନେଇ ହୋଇପାରେ ଆଲୋଚନା । ମେଣ୍ଟର ଲୋଗୋ ବି ହୋଇପାରେ ଚୂଡ଼ାନ୍ତ ।

ପାଟନା ଓ ବେଙ୍ଗାଳୁରୁ ପରେ ମୁମ୍ବାଇ ବୈଠକକୁ ନେଇ ବଢିଛି କଳ୍ପନାଜଳ୍ପନା । ବୈଠକରେ ମୁମ୍ବାଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଇଣ୍ଡିଆମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି ମତ ରଖିଛନ୍ତି ଆପ୍ ମୁଖପାତ୍ର ପ୍ରିୟାଙ୍କ କକ୍କର । ତେଣେ ଲୋକସଭା ନିର୍ବାଚନ ପରେ ହିଁ ପ୍ରଧାନମନ୍ତ୍ରୀ ଚୟନ କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା ପିଏଲ ପୁନିଆ ।