ଧର୍ମେନ୍ଦ୍ର ବି ପରିବାରବାଦ ରାଜନୀତିରୁ ଆସିଛନ୍ତି, ଓଡ଼ିଶାବାସୀ ଭୋଟ ନଦେବାରୁ ଗଳାବାଟ ଦେଇ ରାଜ୍ୟସଭା ଯାଇଛନ୍ତି: ବିଜେଡି

ଭୁବନେଶ୍ୱର: ପରିବାରବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନକୁ ନେଇ ସମାଲୋଚନା । ପରିବାରବାଦ ଉପରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ହାସ୍ୟାସ୍ପଦ କହିଲା ବିଜେଡି । ଧର୍ମେନ୍ଦ୍ର ବି ପାରିବାରିକ ରାଜନୀତିରୁ ଆସିଛନ୍ତି ଏବଂ ରାଜନୈତିକ ପରିବାରର ସୁବିଧାକୁ ଉପଭୋଗ କରିଛନ୍ତି । ଓଡିଶାବାସୀ ଭୋଟ ନଦେବାରୁ ଗଳାବାଟ ଦେଇ ରାଜ୍ୟସଭା ଯାଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ । ମୁଁ ଏକ ରାଜନୈତିକ ପରିବାରରୁ ଆସିଛି ହେଲେ ବ୍ୟକ୍ତିଗତ ସ୍ତରରେ କଠିନ ପରିଶ୍ରମ ପାଇଁ, ଜନତା ମୋତେ ଲଗାତାର ତିନି ଥର ବିଧାୟକ ଭାବେ ନିର୍ବାଚିତ ହେବାକୁ ଆଶୀର୍ବାଦ କରିଛନ୍ତି ।

ଦୁଇଟି ନିର୍ବାଚନ ହାରିବା ପରେ ଧର୍ମେନ୍ଦ୍ର ଗଳାବାଟ ଜରିଆରେ ବିହାର ଏବଂ ମଧ୍ୟପ୍ରଦେଶ ଭଳି ଅନ୍ୟରାଜ୍ୟରୁ ରାଜ୍ୟସଭାକୁ ଯାଇଛନ୍ତି । କ୍ଲିନ ଏନର୍ଜି ସେସ୍ ବାବଦକୁ ପ୍ରାୟ ୬୦ ହଜାର କୋଟି ଟଙ୍କା ସଂଗ୍ରହ କରାଯାଇଛି । ହେଲେ ଓଡିଶାକୁ ଗୋଟିଏ ପଇସା ମିଳିନି । କେନ୍ଦ୍ରମନ୍ତ୍ରୀ ଯେତେବେଳେ ସୁକିନ୍ଦାରେ ପ୍ରଦୂଷଣ ବାବଦରେ ଉଲ୍ଲେଖ କରୁଛନ୍ତି, ସେତେବେଳେ ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ଯାଜପୁର ଜିଲ୍ଲାର ଜନତାଙ୍କୁ ଏହାର ଉତ୍ତର ଦେବାକୁ ପଡିବ । ଏମସିଏଲ, ନାଲକୋ ଏବଂ ଆଇଓସିଏଲ ଭଳି କେନ୍ଦ୍ରୀୟ ସଂସ୍ଥାରେ ବିହାର ଏବଂ ମଧ୍ୟପ୍ରଦେଶରୁ ଆସି ଲୋକ ଚାକିରୀ ପାଉଛନ୍ତି । ହେଲେ ଓଡିଆ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି କାହିଁକି ବୋଲି ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ ପ୍ରଶ୍ନ କରିଛନ୍ତି ।