ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ: ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଭଉଣୀ ସୁଭଦ୍ରା ଭାଇଙ୍କୁ ବାନ୍ଧିବେ ରାକ୍ଷୀ । ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ପାଟରେ ନିର୍ମିତ ବିଶାଳ କାୟ ରାକ୍ଷୀ ଓ ଗୁଆ ମାଳ ପାଟରା ବିଷୋୟୀ ସେବକଙ୍କ ଘରୁ ପ୍ରଦାନ କରାଯିବ। ପ୍ରସ୍ତୁତ ୪ଟି ରାକ୍ଷୀ ଓ ଗୁଆମାଳ ଭଉଣୀ ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ପିନ୍ଧାଇବାର ପରମ୍ପରା ରହିଛି। ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ହୋଇସାରିବା ପରେ ପୁଷ୍ପାଳକ ସେବକ ବଡ଼ଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ସ୍ୱତନ୍ତ୍ର ଭାବେ ନିର୍ମିତ ପାଟ ରାକ୍ଷୀ ଓ ଗୁଆ ମାଳ ପିନ୍ଧାଇବାର ବ୍ୟବସ୍ଥା ରହିଛି।

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନିଆରା ହୋଇଥିବା ବେଳେ ମହାପ୍ରଭୁ ମାନବୀୟ ଲୀଳା କ୍ରମରେ ଗହ୍ମାପୂର୍ଣ୍ଣମୀ ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ଭଉଣୀ ଭାଇ ହାତରେ ସ୍ନେହ ଓ ଶ୍ରଦ୍ଧାର ରାକ୍ଷୀ ବାନ୍ଧିଥାଏ । ନାଲି, ନେଳି, ହଳଦିଆ ଓ ବାଇଗଣୀ ରଙ୍ଗର ପାଟରେ ନିର୍ମିତ ବିଶାଳକାୟ ରାକ୍ଷୀ ମହାପ୍ରଭୁଙ୍କ ହାତରେ ଲାଗି ହେବାପରେ ବେଶ ଆକର୍ଷଣୀୟ ଦେଖାଯାଏ । ସେହିପରି ଆଜି ମଧ୍ୟ ବଳଭଦ୍ର ଜନ୍ମ ନୀତି ପାଳନ କରାଯାଇଥାଏ । ପରମ୍ପରା ଅନୁସାରେ ସୁଦର୍ଶନ ମହାପ୍ରଭୁଙ୍କୁ ବିଜେ କରାଯିବା ସହ ମାର୍କଣ୍ଡେୟ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମ ନୀତି ସେବାୟତ ମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ।