spot_img
Home Blog Page 3006

ଏକାମ୍ର ପ୍ରକଳ୍ପ ଭୂମିପୂଜା ପାଇଁ ତିନି ଦିନିଆ ଗ୍ରାଣ୍ଡ ସେରିମନି

ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପର ଭୂମି ପୂଜନ ପାଇଁ ତିନି ଦିନର ଗ୍ରାଣ୍ଡ ସେରିମନି । ଆସନ୍ତାକାଲିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ଆସନ୍ତାକାଲି ସଂଧ୍ୟା ସାଢେ ୭ଟାରୁ ଆରମ୍ଭ ହେବ ଯଜ୍ଞ । ଏକାମ୍ର କ୍ଷେତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରାକୁ ଦର୍ଶାଇ ଏକ ବିରାଟ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଯାହାର ସିଧାପ୍ରସାରଣ କରାଯିବ । ଜୁନ୍ 28 ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ ।

ତିନି ଦିନିଆ ଉତ୍ସବରେ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ମୁଖେଶ୍ବର ମନ୍ଦିର, ବିନ୍ଦୁ ସାଗର ଏବଂ ଅନ୍ୟାନ୍ୟ ଛୋଟ ମନ୍ଦିରଗୁଡ଼ିକ ଆଲୋକରେ ସୁସଜ୍ଜିତ ହେବ ।  ଏଥିସହ ପାରମ୍ପରିକ ଯଜ୍ଞ ରୀତିନୀତି ମାଧ୍ୟମରେ ପବିତ୍ର ବାତାବରଣ ସୃଷ୍ଟି ହେବ । ଆସନ୍ତାକାଲିଠୁ ବିଏମସି ମାର୍କେଟ କମ୍ପ୍ଲେକ୍ସରେ ଆକର୍ଷଣୀୟ ସ୍କାଏ ପ୍ରୋଜେକ୍ଟ, ଲାଇଟ ଏବଂ ସାଉଣ୍ଡ ସୋ, ନୃତ୍ୟ ପ୍ରଦର୍ଶନ ଦେଖିବାର ସୁଯୋଗ ପାଇବେ ଲୋକେ । ୨୭ ଏବଂ ୨୮ ତାରିଖ ସନ୍ଧ୍ୟାରେ ସନ୍ଧ୍ୟା ୫ଟା ୩୦ ରୁ ୧୦ ଟା ପର୍ଯ୍ୟନ୍ତ ଭଜନ ସମାରୋହ ମଧ୍ୟ ଆୟୋଜିତ ହେବ ।

ଆଖପାଖ ଅଞ୍ଚଳର ଲୋକେ ସେଠାରେ ଉପସ୍ଥିତ ରହି ଏହି ଗ୍ରାଣ୍ଡ ସେରିମନି ଦେଖିପାରିବେ । ଏଥିପାଇଁ ବହୁପ୍ରତିଷ୍ଠିତ କଳାକାର ମାନେ ଯୋଗଦେବେ । ତିନିଦିନିଆ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଏକାମ୍ର ପ୍ରକଳ୍ପ 2019 ରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା । 80 ଏକର ଜାଗାରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରର ସ୍ଥାପତ୍ୟ ଏବଂ ପ୍ରତ୍ନତାତ୍ତ୍ବିକ ଐତିହର ବିକାଶ କରାଯିବ । ଟ୍ରାଫିକ ଚଳାଚଳ ପାଇଁ ୧୨ରୁ ୧୮ ମିଟର ପ୍ରସସ୍ତ ରାସ୍ତାର ମଧ୍ୟ କରାଯିବ ।

ଗାଡ଼ିମୋଟର ବିନ୍ଦୁସାଗର ଏଣ୍ଟ୍ରି ପଏଣ୍ଟରେ ନିର୍ମାଣ ହେଉଥିବା ପାର୍କିଂ ସ୍ଥାନରେ ରଖାଯିବ । ବିନ୍ଦୁସାଗରରୁ ଅନନ୍ତ ବାସୁଦେବ ମନ୍ଦିର ଯାଏ ରାସ୍ତା ଚଉଡ଼ା କରି ଶ୍ରାଦ୍ଧକର୍ମ ପାଇଁ ଅଧିକ ସ୍ଥାନ ମିଳିବ । ଦେଢ ବର୍ଷରେ ସରିବ ଏହି ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟ ପାଇଁ ଖର୍ଚ୍ଚ ହେବ ୨୮୦ କୋଟି ଟଙ୍କା । ଏହି ୮୦ ଏକର ଜାଗା ପାଇଁ ୧୦୧ ଜଣଙ୍କ ଠାରୁ ୧୧୪ଟି ପ୍ଲଟ ସିଧାସଳଖ କିଣାଯାଇଛି । ସେମାନଙ୍କୁ ଶିଳାନ୍ୟାସ ଦିନ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ । ଆଗକୁ ୫.୭ ଏକର ଜାଗା ଅକ୍ତିଆର କରାଯିବ ।

କେନ୍ଦୁଝର ଜିଲ୍ଲା ଘଟଗାଁରୁ ଉଦ୍ଧାର ହାତୀଛୁଆକୁ ନନ୍ଦନକାନନ ଅଣାଯିବ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁରୁ ଉଦ୍ଧାର ହାତୀଛୁଆକୁ ନନ୍ଦନକାନନ ଅଣାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜର । ହାତୀଛୁଆକୁ ହାତୀପଲ ଗ୍ରହଣ ନକରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ୩ ଦିନ ଧରି ବାରବାଙ୍କ ଜଙ୍ଗଲରେ ଚେଷ୍ଟା କରି ବିଫଳ ହୋଇଛି ବନ ବିଭାଗ । ଦେଢ଼ବର୍ଷର ଏକ ହାତୀଛୁଆ ଏକ ପଥର ଖୋଲରେ ପଡ଼ି ଯାଇଥିବା ବେଳେ ୧୨ ଟିକିଆ ହାତୀପଲ୍ଲ ହାତୀଛୁଆକୁ ସେଠାରୁ ଉଦ୍ଧାର କରିପାରି ନଥିଲେ ।

ପରେ ବନ ବିଭାଗ ହାତୀ ଛୁଆକୁ ସେଠାରୁ ଉଦ୍ଧାର କରିଥିଲେ । ବନ ବିଭାଗ ହାତୀପଲ୍ଲଙ୍କ ନିକଟକୁ ହାତୀକୁ ପଠାଇଥିଲେ ସୁଦ୍ଧା ଛୁଆକୁ ଗ୍ରହଣ ନକରି ପଳାଇଥିଲେ ହାତୀ । ଛୁଆଟିକୁ ହାତୀପଲ ନନେବା ପରେ ଅଲୋଡ଼ା ହୋଇଯାଇଥିଲା ଛୁଆହାତୀ । ଏବେ ତାକୁ ନନ୍ଦନକାନନ ଅଣାଯିବ । ଘଟଣା ଘଟିଥିଲା କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଢ଼େଙ୍କିକୋଟ୍‌ ବିଟ୍ କାଳିମାଟି ଡ୍ୟାମ ନିକଟରେ । ହାତୀଛୁଆକୁ ହାତୀପଲ୍ଲ ଗ୍ରହଣ ନକରିବାରୁ ହାତୀ ଛୁଆକୁ ନନ୍ଦନକାନନ ପଠାଇବାକୁ ସ୍ଥିର କରିଛି କେନ୍ଦୁଝର ବନ ବିଭାଗ ।

‘୧୬ ବର୍ଷରେ ଶାରୀରିକ ସମ୍ପର୍କ ନିଷ୍ପତ୍ତି ନେବାରେ ସକ୍ଷମ’, ପକ୍ସୋ ମାମଲା ରଦ୍ଦ କଲେ ମେଘାଳୟ ହାଇକୋର୍ଟ

ଶିଲଂ: ମେଘାଳୟ ହାଇକୋର୍ଟ ୧୬ ବର୍ଷୀୟe ନାଗାଳିକା ଯୌନ ଶୋଷଣ ମାମଲାରେ ବଡ଼ ତର୍କ ଦେଇ ଫୈସଲା ଶୁଣାଇଛନ୍ତି । ହାଇକୋର୍ଟ ନାବାଳିକାଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁଙ୍କ ସଂରକ୍ଷଣ ପାଇଁ ରହିଥିବା ପକ୍ସୋ ଅଧିନିୟମ ୨୦୧୨ର ଧାରା ୩ ଏବଂ ୪ ଆଧାରରେ ରୁଜୁ ଏଫଆଇଆରକୁ ରଦ୍ଦ କରି ରାୟ ଶୁଣାଇଛନ୍ତି ଯେ, ୧୬ ବର୍ଷୀୟା ନାବାଳିକା ଯୌନ ସମ୍ପର୍କ ବନାଇବାକୁ ନେଇ ସଚେତ ନିର୍ଣ୍ଣୟ ନେବାରେ ସକ୍ଷମ । ମେଘାଳୟ ହାଇକୋର୍ଟ କହିଛନ୍ତି, ଅଧିନିୟମ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଏହାର ଉଦ୍ଦେଶ୍ୟ ସେହି ମାମଲାକୁ ନିଜ ପରିଧିରେ ନେବାର ନୁହେଁ ଯେଉଁଠି ପ୍ରେମ ସମ୍ପର୍କରେ ଜଡ଼ିତ ଯୁବକ-ଯୁବତୀଙ୍କର ସମ୍ବନ୍ଧ ରହିଛି ।

ପ୍ରକାଶଯୋଗ୍ୟ, ଜଣେ ଯୁବକଙ୍କ ସହ ଫିଜିକାଲ ରିଲେସନରେ ରହଥିବା ଜଣେ ଯୁବତୀ ତାଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ କରିଥିଲେ । ମେଘାଳୟ ହାଇକୋର୍ଟ ପ୍ରେମ ପ୍ରସଙ୍ଗ ସହ ସମ୍ବନ୍ଧିତ ଏହି ମାମଲାର ଶୁଣାଣି କରିଛନ୍ତି । ଆବେଦନକାରୀ ଅଭିଯୁକ୍ତ ଅନେକ ଘରେ କାମ କରୁଥିଲା ଏବଂ ଏଥିରେ ପୀଡିତା ନାବାଳିକାଙ୍କ ଘର ମଧ୍ୟ ସାମିଲ ଥିଲା । ଏହିଠାରୁ ହିଁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନା ହୋଇଥିଲା । ଏବଂ ଏହି ବନ୍ଧୁତା ଭଲପାଇବାରେ ପରିଣତ ହୋଇଥିଲା । ଏହାରି ମଧ୍ୟରେ ଉଭୟ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ ।

ଯେତେବେଳେ ଏ ସମ୍ପର୍କରେ ଯୁବତୀଙ୍କ ମା’ ଜାଣିବାକୁ ପାଇଲେ ତେବେ ମାଆ ଆଇପିସିର ଧାରା ୩୬୩ ଏବଂ ପକ୍ସୋ ଆଇନର ଧାରା ୩ ଏବଂ ୪ ଆଧାରରେ ଏଫଆଇଆର୍ ରୁଜୁ କରିଥିଲେ । ମାମଲାରେ ନିମ୍ନ କୋର୍ଟରୁ ଯୁବକଙ୍କୁ ଆଶ୍ୱସ୍ତି ମିଳିନଥିଲା ତେବେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ପରିବର୍ତ୍ତିତ ସାମାଜିକ ଆବଶ୍ୟକତା ସହିତ ଗତି କରିବା ଏବଂ ଆଇନରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ଆବଶ୍ୟକ, କାରଣ ୧୬ ବର୍ଷ ବୟସରେ ଜଣେ ନାବାଳିକାର ଶାରୀରିକ ତଥା ମାନସିକ ବିକାଶକୁ ବିଚାରକୁ ନେଲେ ଏହା ତର୍କ ସଂଗତ ମଣାଯିବ ଯେ ଏହିପରି ବ୍ୟକ୍ତି ନିଜର ମଙ୍ଗଳ ବିଷୟରେ ନିଷ୍ପତ୍ତି ନେବାରେ ସକ୍ଷମ ଅଟନ୍ତି ।

ଯୁବକଙ୍କ ପକ୍ଷରୁ ହାଜର ଓକିଲ ତର୍କ ଦେଇଥିଲେ ଯେ ଏହା ଯୌନ ଉତ୍ପିଡନର ମାମଲା ନୁହେଁ, ବରଂ ସମ୍ପୂର୍ଣ୍ଣ ଭାବେ ସହମତିରେ ସମ୍ପର୍କ ରଖିବାର ମାମଲା ଅଟେ । ଏହି ମାମଲାରେ ଅଭିଯୁକ୍ତ ନିଜ ଓକିଲଙ୍କ ମାଧ୍ୟମରେ ହାଇକୋର୍ଟଙ୍କୁ କହିଥିଲେ ଯେ ପୀଡିତା ନିଜେ ନିଜ ବୟାନରେ ଏବଂ ଅଦାଲତୀ ସାକ୍ଷ ସମୟରେ ଖୁଲାସା କରିଥିଲେ ଯେ ଯୌନ ସମ୍ପର୍କ ବନାଇବାରେ କୌଣସି ପ୍ରକାରର ଜବରଦସ୍ତି ସାମିଲ ନଥିଲା ।



ଆବାସ ଯୋଜନାକୁ ନେଇ ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ମିଛ କୁହାଇଛି ରାଜ୍ୟ ବିଜେପି

ଭୁବନେଶ୍ୱର: ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି । ଆବାସ ଯୋଜନାରେ କେନ୍ଦ୍ର ୭୫ ଲକ୍ଷ ଘର ମଞ୍ଜୁର କରିଥିବା ନେଇ ମିଛ ତଥ୍ୟ ଦେଲେ । ଭବାନୀପାଟଣାରେ ସାଧାରଣ ସଭାରେ ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ଆବାସ ସମ୍ପର୍କରେ ବିଜେପି ମିଛ କୁହାଇଥିବା ଅଭିଯୋଗ କରିଛି ବିଜେଡି । ବିଜେପି ଉପରେ ବିଜେଡି ବର୍ଷିଛି । ସଭାରେ ୭୫ ଲକ୍ଷ ଘର ମଞ୍ଜୁର ହୋଇଛି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ରାଜ୍ୟ ବିଜେପି ସାଂସଦ ଓ ଜଣେ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ ଭୁଲ ତଥ୍ୟ ଦେଇଥିଲେ । ସତ ହେଲା, ରାଜ୍ୟକୁ ଏଯାଏ ମୋଟ ୨୬ ଲକ୍ଷ ଘର ମିଳିଛି ।

ଏଭଳି ମିଛ କହି ନିଜ ରାଷ୍ଟ୍ରୀୟ ସଭାପତିଙ୍କୁ ଲଜ୍ଜାଜନକ ସ୍ଥିତିକୁ ଠେଲି ଦେଇଛି ବିଜେପି । ଲକ୍ଷଲକ୍ଷ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଛି । ୨୦୧୯ ମସିହାରେ ବିଜେପି ଓଡ଼ିଶାରେ ହାରିବା ପରେ ବିଜେପି ନେତା, ସାଂସଦ ଓ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଘର ନଦେବାକୁ ଚାପ ପକାଇଲେ । ଘର ନଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଚାପ ପକାଇ ୩ ବର୍ଷ କାଳ ଓଡ଼ିଶା ପାଇଁ ଆବାସ ପୋର୍ଟାଲ ବନ୍ଦ କରିଦେଇଥିଲେ ।

ବିଜେଡିର କ୍ରମାଗତ ଚାପ ଯୋଗୁ ୧୫ ଲକ୍ଷ ବଦଳରେ ୮ ଲକ୍ଷ ଘର ମଞ୍ଜୁର ହୋଇଛି । ତେବେ ଅନ୍ୟ ୭ ଲକ୍ଷ ଲୋକ କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛି ବିଜେଡି । ବିଜେପି ସାଂସଦମାନେ, ଯେଉଁମାନଙ୍କ ଭୋଟରେ ନିର୍ବାଚିତ ହୋଇଛନ୍ତି, ରାଜନୀତି ପାଇଁ ସେମାନଙ୍କ ଘରକୁ ଅଟକାଉଛନ୍ତି । ଓଡ଼ିଶା ପାଇଁ ଦାବି ବଦଳରେ ଓଡ଼ିଶା କେମିତି ଘର ନପାଇବ ସେନେଇ ପ୍ରୟାସ କରୁଛନ୍ତି । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ପୁରସ୍କୃତ କରିଛନ୍ତି କେନ୍ଦ୍ର ସରକାର ।

ହେଲେ ଓଡ଼ିଶା କେମିତି ଘର ନପାଇବ ସେଥିପାଇଁ ଷଡ଼ଯନ୍ତ୍ର କରିଚାଲିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେଇଥାନ୍ତି । ପ୍ରଶାସନିକ ଖର୍ଚ୍ଚ ମିଶାଇଲେ ରାଜ୍ୟର ଏହା ୫୦ ପ୍ରତିଶତ ହେବ । ଓଡ଼ିଶାର ଗରିବଙ୍କୁ ଛାତଘରୁ ବଞ୍ଚିତ କରିବାକୁ ବିଜେପି କରିଥିବା ଚକ୍ରାନ୍ତକୁ ପଣ୍ଡ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ମୋ ଘର ଯୋଜନା ମାଧ୍ୟମରେ ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଦେବାକୁ ମୋ ଘର ଯୋଜନାରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।

ସବୁ ସମସ୍ୟାର ସମାଧାନ କରିବେ କହି ସୁନାଗହଣା ଲୁଟିନେଲେ ନାଗା ବାବା

ଭୁବନେଶ୍ୱର: ନାଗା ବାବା ଲୁଟି ନେଲେ ସୁନାଗହଣା । ସକାଳୁ ଯଥେଷ୍ଟ ସମ୍ମାନ ସହ ଘରେ ପହଞ୍ଚିଲେ । ସବୁ ସମସ୍ୟାର ସମାଧାନ କରିବେ ବୋଲି କହିଲେ । ବାବା ରହିବେ, ଘରର ବିଭିନ୍ନ ସମସ୍ୟାର ସମାଧାନର ବାଟ ବତାଇବେ । ଏହା ଭାବି ପରିବାର ଲୋକ ଅତିଥି ସେବାରେ ଲାଗି ପଡିଥିଲେ । ହେଲେ ସମାଧାନ କରିବା ତ ଦୂର କଥା, ଝଡ଼ାଫୁଙ୍କା, ତନ୍ତ୍ରମନ୍ତ୍ର ଆଳକରି ନେଇଗଲେ ସୁନାଗହଣା । ନନ୍ଦନକାନନ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ରଘୁନାଥପୁରର ରାକେଶ ପଢ଼ିଆରୀ । ରାକେଶ ପଢ଼ିଆରୀଙ୍କ ଘରୁ ସୁନାଗହଣା ସହ ୨ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଛି । ନାଗା ବାବା ଜଣକ କିଛି ପୂଜାର୍ଚ୍ଚନା କରି ଫେରି ଯାଇଥିଲେ । କିଛି ସମୟ ପରେ ଜଣାପଡିଥିଲା ଯେ, ଘରୁ ଟଙ୍କା ଲୁଟ୍ ହୋଇଛି । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ ରାକେଶ । ନାଗା ବାବାଙ୍କ ଘର ଉତ୍ତରପ୍ରଦେଶ ବୋଲି ଜାଣିବାକୁ ପାଇଛି ପୋଲିସ ।

ମୁମ୍ବାଇ ଘାଟକୋପରରେ ଭୁଶୁଡ଼ିଲା ବିଲ୍ଡିଂ

ମୁମ୍ବାଇ: ମୁମ୍ବାଇ ଘାଟକୋପରରେ ଭୁଶୁଡ଼ିଲା ବିଲ୍ଡିଂ । ଘାଟକୋପର ଇଷ୍ଟ ରାଜଓ୍ବାଡି କଲୋନୀରେ ଏକ ତିନି ମହଲା ବିଶିଷ୍ଟ ବିଲ୍ଡିଂର ତଳ ମହଲା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ଉପର ଦୁଇ ମହଲା ବିପଦଜ୍ଜନକ ଅବସ୍ଥାରେ ରହିଛି । ୪ ଜଣଙ୍କୁ ବିଲ୍ଡିଂ ଭିତରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ପ୍ରଥମ ମହଲାରେ ଏବେ ବି ଦୁଇ ଜଣ ଫସି ରହିଥିବା ଜଣାପଡ଼ିଛି । NDRFର ତିନିଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଜାରି ରହିଛି । ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲିଟି ଓ ଅଗ୍ନିଶମ ବାହିନୀ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି । ସେପଟେ ମହାରାଷ୍ଟ୍ର ଥାନେର ଏକ ରେଷ୍ଟୁରାଣ୍ଟରେ ଛାତ ଭୁଶୁଡ଼ିବା ଯୋଗୁ ତିନି ଜଣ ଆହତ ହୋଇଛନ୍ତି । ଶନିବାର ରାତିରେ ଦୁର୍ଘଟଣା ଘଟିଥିବା ବେଳେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

ମନ୍ତ୍ରୀ ପଦ ପାଇବା ପାଇଁ ଦଳକୁ ବ୍ଲାକମେଲିଂ କରୁଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ: ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ମନ୍ତ୍ରୀ ପଦ ପାଇବା ପାଇଁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଛନ୍ତି ବୋଲି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ କହିଛନ୍ତି । ଏବେ ମନ୍ତ୍ରିମଣ୍ଡଳରେ ଗୋଟିଏ ମନ୍ତ୍ରୀ ପଦ ଖାଲି ଅଛି । ସେହି ମନ୍ତ୍ରୀ ପଦକୁ ହାତେଇବା ଲାଗି ନିଜ ଆଲେଖ୍ୟ ମାଧ୍ୟମରେ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଛନ୍ତି ବୋଲି ଅନୁଭବ ଗଣମାଧ୍ୟମକୁ କହିବା ସହ ଟୁଇଟ୍ ମଧ୍ୟ କରିଛନ୍ତି । ସୌମ୍ୟ ବାବୁଙ୍କୁ ଜଣେ ସ୍ବାର୍ଥପର ବ୍ୟକ୍ତି ବୋଲି ଆକ୍ଷେପ କରିବା ସହ ଅତୀତରେ କିଭଳି ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସେ ବିଜେପିରୁ କଂଗ୍ରେସ, କଂଗ୍ରେସରୁ ଏନସିପି ଏବଂ ଏନସିପିରୁ ପୁଣି କଂଗ୍ରେସକୁ ଫେରିଥିଲେ । ପରବର୍ତ୍ତୀ ସମୟରେ ନିଜେ ଗୋଟିଏ ଦଳ ଗଠନ କରିଥିଲେ ଓ ତାକୁ ଛାଡି ବିଜେଡିରେ ଯୋଗ ଦେଇଥିଲେ ତାହା ଦର୍ଶାଇଛନ୍ତି ।

ଏବେ ବିଜେପିରେ ଯୋଗ ଦେବା ପାଇଁ ସମ୍ଭବତଃ ବ୍ୟଗ୍ର ବୋଲି ସେ ସୂଚାଇଛନ୍ତି । ସୌମ୍ୟଙ୍କୁ ଜଣେ ଅକୃତଜ୍ଞ ନେତା ବୋଲି ମଧ୍ୟ ସେ ଆକ୍ଷେପ କରିଛନ୍ତି । ଆଜି ନିଜ ଖବର କାଗଜ ସମ୍ବାଦରେ ସୌମ୍ୟରଞ୍ଜନ ପଟ୍ଟନାୟକ ଲେଖିଥିବା ଅପରାଜିତାଙ୍କ ଅଡୁଆ ପ୍ରଶ୍ନ ଶୀର୍ଷକ ଏକ ଆଲେଖ୍ୟ ପରିପ୍ରେକ୍ଷୀରେ ଅନୁଭବ ଏହା କହିଛନ୍ତି ।

 

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଅଘଟଣ, ବିଦ୍ୟୁତ୍ ଆଘାତ ଲାଗି ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଅଘଟଣ । ବିଦ୍ୟୁତ୍ ଆଘାତ ଲାଗି ମହିଳାଙ୍କ ମୃତ୍ୟୁ । ମୃତ ମହିଳା ଇଷ୍ଟ ଦିଲ୍ଲୀର ସାକ୍ଷୀ ଆହୁଜା । ରାଜଧାନୀରେ ମୌସୁମୀ ଜନିତ ବର୍ଷା ଯୋଗୁ ରେଳ ଷ୍ଟେସନ ନିକଟରେ ବର୍ଷା ପାଣି ଜମି ରହିଥିଲା । ରାସ୍ତାରେ ଜମି ରହିଥିବା ପାଣିରେ ନପଶିବା ପାଇଁ ସାକ୍ଷୀ ଏକ ଇଲେକ୍ଟ୍ରି ପୋଲକୁ ଧରିପକାଇବା ଯୋଗୁ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଭୋପାଳ ଯାଉଥିବା ଶତାବ୍ଦୀ ଟ୍ରେନରେ ଯିବା ପାଇଁ ସାଢ଼େ ୫ଟା ବେଳେ ଅନ୍ୟ ଜଣେ ମହିଳା ଓ ତିନି ଜଣ ପିଲାଙ୍କ ସହ ନୂଆ ଦିଲ୍ଲୀ ରେଳଷ୍ଟେନକୁ ଆସିଥିଲେ । ପୋଲିସ ଓ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଇଲେକ୍ଟ୍ରିକ ଖୁଣ୍ଟର ଉପର ଭାଗରେ ତାରଗୁଡ଼ିକ ଖୋଲା ପଡ଼ିଥିବାରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୋଲିସ କହିଛି ।

ପୁଟିନଙ୍କ ରୋଷେୟା, ପୁଟିନଙ୍କ ବିରୋଧରେ ଫୁଙ୍କିଥିଲେ ବିଦ୍ରୋହର ବିଗୁଲ

ମସ୍କୋ: ୨୩ ବର୍ଷରେ ପୁଟିନ ପ୍ରଥମ ସଶସ୍ତ୍ର ବିଦ୍ରୋହର ସମ୍ମୁଖୀନ ହୋଇଥିଲେ। ଲାଗୁଥିଲା ମସ୍କୋ ତାଙ୍କ ହାତରୁ ବାହାରି ଯିବ। କାରଣ ବନ୍ଧୁ ସାଜିଥିଲା ବୈରି। କିନ୍ତୁ ୨୪ ଘଣ୍ଟା ଭିତରେ ବଦଳିଯାଇଥିଲା ଚିତ୍ର। ଯିଏ ଲକ୍ଷ୍ଯ ପାଇଁ ମରିବା ଓ ମାରିବା ପାଇଁ ପ୍ରସ୍ତୁତ ଥିଲା ଏବେ ସିଏ ଅସ୍ତ୍ର ତ୍ଯାଗ କରିଛି। ବୁଝାମଣା ପରେ ଦେଶ ଛାଡି ବେଲାରୁସ ଯିବାକୁ ରାଜି ହୋଇଛି। ପୁଟିନଙ୍କ ବିରୋଧରେ ଯିଏ ଯୁଦ୍ଧ ଘୋଷଣା କରିଥିଲା ସେହି ବ୍ଯକ୍ତି ହେଉଛି ୟେଭଗେନି ପ୍ରିଗୋଝିନ୍। କଏଦୀରୁ ହଟ୍ ଡଗ୍ ବିକ୍ରେତା।  ହଟ୍ ଡଗ୍ ବିକ୍ରେତାରୁ ରେସ୍ତୋଁରା ମାଲିକ। ରେସ୍ତୋଁରାରୁ ପ୍ରାଇଭେଟ୍ ଆର୍ମି। ସଂକ୍ଷେପରେ କହିଲେ ପ୍ରିଗୋଝିନର ଜୀବନ କୌଣସି ହଲିଉଡ୍ ଥ୍ରିଲରଠାରୁ କିଛି କମ୍ ନୁହେଁ ।

ଓ୍ୱାଗନର୍ ଗ୍ରୁପ୍ ମୁଖ୍ୟ ୟେଭଗେନି ପ୍ରିଗୋଝିନ୍ ଏକଦା ସେ ପୁଟିନଙ୍କର ଖାସ୍ ବିଶ୍ଵସ୍ତ ବ୍ୟକ୍ତି ଥିଲେ। ପୁଟିନଙ୍କ ରୋଷେୟା ଭାବରେ ପରିଚିତ ୟେଭଗେନି ପ୍ରିଗୋଝିନଙ୍କ ଜନ୍ମ ୧୯୬୧ରେ ଋଷର ସେଣ୍ଟ ପିଟର୍ସବର୍ଗରେ ହୋଇଥିଲା । ଛୋଟ ଥିବା ବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ସ୍କୁଲ ଶିକ୍ଷା ପରେ ଛୋଟ ମୋଟ ଅପରାଧରେ ସାମିଲ ହୋଇଥିଲେ । ମାତ୍ର ୨୦ ବର୍ଷ ବୟସରେ ତାଙ୍କ ବିରୋଧରେ ମାରପିଟ୍, ଡକାୟତି ଏବଂ ଜାଲିଆତି ଆଦି ମାମଲା ଦାୟର ହୋଇଥିଲା । କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୩ ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରିଥିଲେ । ଜେଲରୁ ବାହାରିବା ପରେ ପ୍ରିଗୋଝିନ୍ ’ହଟ୍ ଡଗ୍’ବିକ୍ରି ପାଇଁ ଷ୍ଟଲ ଲଗାଇବା ଆରମ୍ଭ କରିଥିଲେ । ଏହା ପରେ ସେ ୧୯୯୫ରେ ହୋଟେଲ ଶିଳ୍ପରେ ପ୍ରବେଶ କରିଥିଲେ । ତାଙ୍କ ହୋଟେଲ ଖାଦ୍ୟକୁ ବେଶ୍ ପ୍ରଶଂସା ମିଳିଥିଲା । ପ୍ରିଗୋଝିନଙ୍କ ହୋଟେଲରେ ଋଷର ନାମୀଦାମୀ ବ୍ୟବସାୟୀ, ଶିଳ୍ପପତି ଓ ଅଧିକାରୀଙ୍କ ଭିଡ଼ ଜମିଥିଲା । ଏହିଠାରେ ପ୍ରିଗୋଝିନଙ୍କ ସହ ପୁଟିନଙ୍କ ଦେଖା ହୋଇଥିଲା । ଏହାପରେ ପୁଟିନଙ୍କ ବେଶ୍ ନିକଟତର ହୋଇଥିଲେ ୟେଭଗେନି ପ୍ରିଗୋଜିନ୍ ।

ପୁଟିନଙ୍କ ସହ କାହିଁକି ବିଶ୍ୱାସଘାତକତା କଲେ ପ୍ରିଗୋଝିନ୍ ?

 କ’ଣ ଚାହୁଁଛନ୍ତି ପ୍ରିଗୋଝିନ୍ ?

୧୬ ମାସ ଧରି ଚାଲୁଥିବା ୟୁକ୍ରେନ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି ପ୍ରିଗୋଝିନ୍ । ଋଷର ବିଭିନ୍ନ ଜେଲରେ ଥିବା କଏଦୀଙ୍କୁ ବାହାର କରି ନିଜ ସେନାରେ ସାମିଲ କରିଛନ୍ତି ସେ । ଋଷ ପାଇଁ ୟୁକ୍ରେନରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା ଓ୍ୱାଗନର । କିନ୍ତୁ ପୁଟିନ୍ ଓ ତାଙ୍କ ପ୍ରତିରକ୍ଷା ଅଧିକାରୀ ବାରମ୍ବାର ହସ୍ତକ୍ଷେପ କରୁଥିବାରୁ ଏହାକୁ ପସନ୍ଦ କରୁନାହାନ୍ତି ପ୍ରିଗୋଝିନ୍ । ପ୍ରିଗୋଝିନଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଋଷ ସେନାକୁ ବିଦ୍ରୋହ ପାଇଁ ଦାୟୀ କରିଥିଲେ। କୁହାଯାଉଛି ଯେ, ପ୍ରିଗୋଝିନ୍ ୟୁକ୍ରେନର ଅଧିକୃତ ଅଂଚଳକୁ ନିଜ କବଜାକୁ ନେବାକୁ ଚାହୁଁଥିଲେ। କିନ୍ତୁ ଋଷ ସେନା ଓ ପୁଟିନ ଏଭଳି କୌଣସି ଦାବିକୁ ମାନିବାକୁ ମନା କରିଦେଇଥିଲେ। ଏହାପରେ କୁଆଡେ ୱାଗନର କ୍ଯାମ୍ପ ଉପରେ ଋଷ ବାୟୁସେନା ରକେଟ୍ ମାଡ଼ କରିଥିଲା। ପ୍ରିଗୋଝିନ୍ ଏଥିପାଇଁ ଖପ୍ପା ଥିଲେ। ଆଉ ଫଳ ଥିଲା ବିଦ୍ରୋହ। ୨୦୨୨ ପୂର୍ବରୁ ୱାଗନର ସହିତ କୌଣସି ପ୍ରକାରର ସମ୍ପର୍କକୁ ଅସ୍ୱୀକାର କରୁଥିବା ପ୍ରିଗୋଝିନଙ୍କ ମହତ୍ୱାକାଂକ୍ଷା ୟୁକ୍ରେନ୍ ଯୁଦ୍ଧ ପରଠାରୁ ବଢ଼ି ଯାଇଛି । ପ୍ରିଗୋଝିନ୍ ଆଉ ପୁଟିନ କିମ୍ବା ଋଷ ନିୟନ୍ତ୍ରଣରେ ରହିବାକୁ ଚାହୁଁନାହାନ୍ତି। ଆଫ୍ରିକାର ୧୬ ଦେଶରେ ସକ୍ରିୟ ଥିବା ପ୍ରିଗୋଝିନ ସମ୍ଭବତଃ ୟୁକ୍ରେନର କିଛି ଅଂଶ ଉପରେ ନିଜ ବ୍ୟକ୍ତିଗତ ରାଜ୍ଯ ଚାହୁଁଥିଲା ।

 

ସାରାଦେଶରେ ମୌସୁମୀ ବର୍ଷା, ରାଜଧାନୀକୁ ୫ ଦିନ ଆଗରୁ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: ସାରା ଦେଶରେ ମୌସୁମୀ ବର୍ଷା । ଦିଲ୍ଲୀ, ମୁମ୍ବାଇ ସମେତ ହରିଆଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଦିଲ୍ଲୀରେ ଶନିବାର ରାତିରୁ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ଓ୍ବାଟର ଲଗିଂ ଯୋଗୁ ଗାଡ଼ି ମୋଟର ଅଟକି ରହିଛି । ବାତ୍ୟା ବିପର୍ଯ୍ୟୟ ଯୋଗୁ ଚଳିତବର୍ଷ ମୌସୁମୀ ପ୍ରଭାବିତ ହୋଇଛି । ଦିଲ୍ଲୀକୁ ମୌସୁମୀ ଛୁଇଁବାର ୧୫ ଦିନ ପୂର୍ବରୁ ମୁମ୍ବାଇରେ ମୌସୁମୀ ପ୍ରବେଶ କରୁଥିବା ବେଳେ ଚଳିତବର୍ଷ ଆଗୁଆ ମୌସୁମୀ ବର୍ଷାରେ ଭିଜିଛି ରାଜଧାନୀ । ରାଷ୍ଟ୍ରୀୟ ରାଜଧାନୀରେ ୫ ଦିନ ଆଗୁଆ ମୌସୁମୀ ବର୍ଷା ଆରମ୍ଭ ହୋଇଛି ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ କେରଳ, ତାମିଲନାଡୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ଉପକୂଳ ଦେଇ ମୌସୁମୀ ଦେଶର ଅନ୍ୟ ରାଜ୍ୟକୁ ପ୍ରବେଶ କରିଥାଏ । ହେଲେ ଚଳିତବର୍ଷ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ସାରା ଦେଶରେ ମୌସୁମୀର ଗତି ଅସ୍ବାଭାବିକ ରହିଛି । ଜୁନ ୩୦ ତାରିଖ ଯାଏଁ ସବୁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୬ ଦିନ ପାଇଁ ଉତ୍ତର-ପଶ୍ଚିମ ଭାରତର ରାଜ୍ୟଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ଆସାମରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ଅତି ବିଗିଡ଼ିବାରେ ଲାଗିଛି । ପ୍ରାୟ ୨୨ ଜିଲ୍ଲାର ଲକ୍ଷାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।