ସୁଦୃଢ ହେବ ସଙ୍ଗଠନ, ୩୭ ଦିନ ଯାଏଁ ଶଙ୍ଖ ଭବନରେ ପ୍ରଶିକ୍ଷଣ ନେବେ ବିଜେଡି କର୍ମୀ

ଭୁବନେଶ୍ବର: ଆଜିଠୁ ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଶଙ୍ଖ ଭବନରେ ଆରମ୍ଭ ହେବ ପ୍ରଶିକ୍ଷଣ ଶିବିର । ଏହା ୩୭ ଦିନ ଯାଏ ଚାଲିବ । ପ୍ରତି ଓ୍ବାର୍ଡରୁ ଆସିବେ ୪ ଜଣ ସକ୍ରିୟ ସଦସ୍ୟ । ଏହିପରି ଦୈନିକ ଚାରୋଟି ନିର୍ବାଚନ ମଣ୍ଡଳୀର ୨୦୦ ସକ୍ରିୟ ସଦସ୍ୟଙ୍କୁ ଏକ ଘଣ୍ଟିଆ ଟ୍ରେନିଂ ଦିଆଯିବ । କାର୍ଯ୍ୟକ୍ରମକୁ ପରିଚାଳନା କରି ରାଜ୍ୟର ବିକାଶ ଓ ବିଜେଡି ସଫଳତାକୁ ଉପସ୍ଥାପନ କରିବେ ସାଂସଦ ମାନଜ ମଙ୍ଗରାଜ ଓ ତାଙ୍କ ଟିମ୍ ।

ପ୍ରଶିକ୍ଷଣ ପାଇଥିବା ସଦସ୍ୟମାନେ ଅକ୍ଟୋବର ଦୁଇରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରାରେ ନିଜ ଜ୍ଞାନ ବାଣ୍ଟିବେ ।  ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ମାଇକ୍ରୋ ମ୍ୟାନେଜମେଣ୍ଟ କରିବ ଦଳ । ୨୦୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରି ଦଳର ଭୋଟ ଦେଢ଼ କୋଟିରୁ ଅଧିକ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିକାଶର ମୁଖ୍ୟ ଏଜେଣ୍ଡାରେ ଭିଜନ ୨୦୩୬ ରହିବ ।

ସ୍ବତନ୍ତ୍ର ଭାଷା ଭିତ୍ତିକ ପ୍ରଦେଶ ଗଠନର ଶହେ ବର୍ଷ ପୂରଣ ସମୟରେ ବିକଶିତ ଓଡ଼ିଶାର ବାସ୍ତବ ରୂପ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଟ୍ରେନିଂ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବିଚାର ବିରୋଧରେ କିପରି ଶାଣିତ ସ୍ବର ଉଠାଇବେ ଦଳୀୟ କର୍ମୀ, ସେ ନେଇ ଦିଆଯିବ ଗୁରୁମନ୍ତ୍ର ।

ଘରେ ଘରେ ଶଂଖ ପରି ବିଜେଡି କରିଥିବା ଅନେକ କାର୍ଯ୍ୟକ୍ରମକୁ ବି ଫୋକସରେ ରଖାଯିବ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାଳିଆ, ବିଏସକେଓ୍ବାଇ ପରି ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବି ଟ୍ରେନିଂ କାର୍ଯ୍ୟକ୍ରମରେ ବୁଝାଯିବ । ଆଗକୁ କଣ କରିବ ବିଜୁ ଜନତା ଦଳ, ତାହାର ବିସ୍ତୃତ ରୂପରେଖ ଦିଗଦର୍ଶନ କାର୍ଯ୍ୟକ୍ରମରେ ସ୍ଥାନ ପାଇବ