ସମ୍ମାନିତ ହେଲେ ୭୦ଜଣ ଗୁରୁ

1 min read

ଭୁବନେଶ୍ବର: ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ଗୁରୁଙ୍କ ଭୂମିକା ଗୁରତ୍ବପୂର୍ଣ୍ଣ । ଗୁରୁ-ଶିଷ୍ୟ ପରମ୍ପରା କାହିଁ କେଉଁ ପ୍ରାଚୀନ କାଳରୁ ରହି ଆସିଛି । ଗରୁଙ୍କ ଆଶୀର୍ବାଦ ଶିଷ୍ୟମାନଙ୍କ ପାଇଁ ସବୁଠାରୁ ବଡ ପୁଞ୍ଜି । ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଶିବାଂଶୀ ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଭୁବନେଶ୍ବର ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ, ବିଶିଷ୍ଟ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏବଂ ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗ ଦେଇ ୭୦ ଜଣ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନୀତ କରିଛନ୍ତି ।

ରାଜ୍ୟସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନାରେ ୭୦ ଶିକ୍ଷକଙ୍କୁ ସମ୍ମାନ । ଗୁରୁ ଦିବସ ଅବସରରେ ସମ୍ମାନୀତ କଲା ଶିବାଂଶୀ ଫାଉଣ୍ଡେସନ୍ । ଗୁରୁ-ଶିଷ୍ୟର ପ୍ରାଚୀନ ପରମ୍ପରାକୁ ବଜାୟ ରଖିବାରେ ଫାଉଣ୍ଡେସନର ଉଦ୍ୟମକୁ ପ୍ରଶଂସା କଲେ ବିଶିଷ୍ଟ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା । ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରି ଡକ୍ଟର ପଣ୍ଡା କହିଛନ୍ତି, ଛାତ୍ରଛାତ୍ରୀଙ୍କ ମାନସିକ, ବୈଦିକ ଏବଂ ଭୌତିକ ବିକାଶରେ ଗୁରୁଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଗୁରୁମାନେ ସାକ୍ଷାତ ପରମବ୍ରହ୍ମ । ସେମାନେ ଶିଶୁମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି । ଭବିଷ୍ୟତ ଗଢନ୍ତି । ଭାରତ ଏକ ଯୁବ ବହୁଳ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି । ଯେଉଁମାନଙ୍କ ପାଇଁ ଗୁରଙ୍କ ପ୍ରମୁଖ ଭୁମିକା ରହିଛି । ତେଣୁ ଆମେମାନେ ଗୁରୁମାନଙ୍କୁ ଯେତିକି ସମ୍ମାନ କରିବା ତାହା ଆଗାମୀ ପିଢିଙ୍କ ପାଇଁ ଏକ ପରମ୍ପରା ସୃଷ୍ଟି କରିବ ।

ରାଜ୍ୟର କୋଣ ଅନୁକୋଣରୁ ଗୁରୁମାନଙ୍କୁ ଆଣି ଭୁବନେଶ୍ବରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ସମ୍ମାନୀତ କରିବା ଶିକ୍ଷକମାନଙ୍କୁ ବେଶ ଉତ୍ସାହିତ କରିଛି । ସାମ୍ପ୍ରକିତ ପରିସ୍ଥିତିରେ ବିପଥଗାମୀ ପିଲାମାନଙ୍କୁ ବାଟ କଢାଇବା ଏକ ବଡ ଚ୍ୟାଲେଞ୍ଜ ହୋଇଛି । ତେଣୁ ଏଭଳି ସମ୍ମାନ ଗୁରୁମାନଙ୍କୁ ମନୋବଳ ବୃଦ୍ଧି କରିବା ପାଇଁ ସହାୟକ ହେବ ବୋଲି ଶିକ୍ଷକମାନେ କହିଛନ୍ତି । ଶିବାଂଶୀ ଫାଉଣ୍ଡେସନ୍ର ଦ୍ବିତୀୟ ସଂସ୍କରଣରେ ୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି କରାଯିବ ବୋଲି ଫାଉଣ୍ଡେସନ ମୁଖ୍ୟ କହିଛନ୍ତି ।