ଜାଣନ୍ତୁ  ଦେଶରେ କେବେ ହେବ ନିର୍ବାଚନ?

ନନ୍ଦିଘୋଷ ବ୍ୟୁରୋ: ଦେଶରେ ଆଗୁଆ ନିର୍ବାଚନ ନେଇ ଜାରି ରହିଛି ସସପେନ୍ସ । ରାଜନୈତିକ ଦଳ ଗୁଡିକ କିନ୍ତୁ ନିର୍ବାଚନକୁ ଲକ୍ଷ୍ୟ ରଖି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହାରି ଭିତରେ ନିର୍ବାଚନ କମିଶନଙ୍କ ଟିମ୍ ସବୁ ରାଜ୍ୟକୁ ଗସ୍ତ କରୁଛନ୍ତି। ବୁଧବାର ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ନିର୍ବାଚନ ଆୟୋଗଙ୍କ ଏହି ଟିମ । ଅନ୍ୟପଟେ ଦେଶ ଓ ରାଜ୍ୟରେ ଆଗୁଆ ନିର୍ବାଚନ ହେବ କି ନାହିଁ, ତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।

ଦେଶରେ ହେବ କି ଆଗୁଆ ନିର୍ବାଚନ ? ଏବେ ସମ୍ଭବ କି ୱାନ୍ ନେସନ୍ ୱାନ୍ ଇଲେକ୍ସନ୍? ପ୍ରସ୍ତୁତି ଭିତରେ ସସପେନ୍ସ ଜାରି। ବୁଧବାର ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା। ପୁଣି ତାଜା ହୋଇଛି ଆଗୁଆ ନିର୍ବାଚନୀ ପ୍ରସ୍ତୁତି। ଯଦି ଦେଶରେ ଆଗୁଆ ନିର୍ବାଚନ ହୁଏ, ତେବେ ଓଡ଼ିଶା କେତେ ପ୍ରସ୍ତୁତ, ତାର ସମୀକ୍ଷା ହେବ। କାଲି ଖାରବେଳ ଭବନରେ ନିର୍ବାଚନ କମିଶନଙ୍କ ଅଧିକାରୀଙ୍କ ବୈଠକରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଯୋଗଦେବେ। ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ହେବ। ଭୋଟର ତାଲିକା ସଂଶୋଧନ ପାଇଁ ଚାଲିଛି ପ୍ରକ୍ରିୟା।

ସେପଟେ ଓଡିଶାକୁ ନିର୍ବାଚନ କମିଶନଙ୍କ ଟିମ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ଆଗୁଆ ନିର୍ବାଚନ ଓ ୱାନ ନେସନ ୱାନ ଇଲେକ୍ସନ ଚର୍ଚ୍ଚା ଭିତରେ ଲୋକେ ଦ୍ୱନ୍ଦ୍ବରେ ଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସେଇ ଆଶଙ୍କାରେ ସବୁ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି। କଂଗ୍ରେସ ବି ପ୍ରସ୍ତୁତ ହେଉଛି ।

ସବୁ ନିର୍ବାଚନ ମଣ୍ଡଳୀରେ କାମ ଆରମ୍ଭ ହୋଇଛି। ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି । ଯେତେବେଳେ ନିର୍ବାଚନ ହେବ ଦଳ ପ୍ରସ୍ତୁତ ବୋଲି ବରିଷ୍ଠ ବିଜେଡି ନେତା ସୁବାସ ସିଂହ କହିଛନ୍ତି। ଅନ୍ୟପଟେ ନିର୍ବାଚନ ଆଗୁଆ ହେବ କି ଠିକ ସମୟରେ ହେବ କେନ୍ଦ୍ର ସ୍ପଷ୍ଟ କରୁନାହିଁ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ନିର୍ବାଚନ କମିଶନଙ୍କ ଟିମର ଗସ୍ତ ଆଗୁଆ ନିର୍ବାଚନ ନେଇ ସଙ୍କେତ ଭାବେ କୁହା ଯାଇପାରିବ ବୋଲି ସମୀକ୍ଷକ କହିଛନ୍ତି।