ଚାଷୀ ଭାଇ ସାବଧାନ! ବିଲରେ ମାତିଛି ସ୍କ୍ରବ ଟାଇଫସ

ନନ୍ଦିଘୋଷ ବ୍ୟୁରୋ: ଚାଷୀ ଭାଇ ସାବଧାନ! ବିଲକୁ ଯିବା ପୂର୍ବରୁ ସବୁ ଦିଗ ଦେଖିକି ଯାଅ । କାରଣ ବିଲରେ ମାତିଛି ସ୍କ୍ରବ ଟାଇଫସ । ଏହି ବ୍ୟାକ୍ଟେରିଆଲ ଇନଫେକ୍ସନ ଚିଗର ନାମକ କୀଟ କାମୁଡ଼ିଲେ ହେଉଛି । ଜ୍ବର ଆସୁ ଆସୁ ପରୀକ୍ଷା କରି ପ୍ରତିଶେଧକ ସେବନ ନ କଲେ, ମୃତ୍ୟୁ ହେବାର ଆଶଙ୍କା ରହିଛି । ସବୁ ହସ୍ପିଟାଲରେ ଏହାର ପରୀକ୍ଷା ପାଇଁ ସୁବିଧା ରହିଛି । ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ ପରି ଜିଲ୍ଲାରେ ସ୍କ୍ରବ ଟାଇଫସ୍ ବ୍ୟାପିଛି । ହେଲେ ସର୍ବାଧିକ କେସ୍ କେନ୍ଦୁଝରରୁ ଆସୁଛି ।

ବିଲ କି ଜଙ୍ଗଲକୁ ଯିବା ସମୟରେ ଧ୍ୟାନ ଦିଅନ୍ତୁ । ଛୋଟ ପୋକଟିଏ କାମୁଡ଼ିଲେ ବି ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଏହି ଛୋଟ ପୋକ ଆପଣଙ୍କ ଜୀବନ ନେଇପାରେ । ଚିଗର ନାମକ କୀଟ ବିଲ ଓ ଜଙ୍ଗଲରେ ସ୍ଥିତି ବଢାଇଲେଣି । ଫସଲ କି ପତ୍ରରେ ଲୁଚି ରହୁଛନ୍ତି । ଏହି କୀଟର କାମୁଡ଼ା ଏତେ ବିଷାକ୍ତ ଯେ ଶରୀରର ସେହି ଚର୍ମ ମରି ସ୍କ୍ରବ ଟାଇଫସରେ ରୋଗୀକୁ ଆକ୍ରାନ୍ତ କରୁଛି । ଏହାର କିଛି ସମୟ ଭିତରେ ଦେହହାତ ବିନ୍ଧା ହୋଇ ଜର ହେବା ସହ ଶରୀର ଲାଲ୍ ପଡ଼ିଯାଏ । ଧୀରେ ଧୀରେ ମୁଣ୍ଡବିନ୍ଧା ଆରମ୍ଭ ହୋଇ ଶରୀରର ତାପମାତ୍ରା ବଢିବାରେ ଲାଗେ ।

ଯାହା ୧୪ରୁ ୨୧ ଦିନ ଯାଏ ରୋଗୀକୁ ଅସୁସ୍ଥ କରିବା ସହ ଶରୀରରେ ଲାଲ୍ ଓ କଳା ପଡ଼ିଯିବା ଭଳି ବଡ଼ ବଡ଼ ଚିହ୍ନ ହୋଇଯାଏ । ଏହି ସମୟରେ ସ୍କ୍ରବ ଟାଇଫସ୍ ଏତେ ଭୟାଭୟ ହୋଇଯାଏ ଯେ ରୋଗୀକୁ ମୃତ୍ୟୁ ମୁଖକୁ ଠେଲି ଦେବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ଜରର ପ୍ରଥମ ଷ୍ଟେଜରେ ହିଁ ଏହାର ପରୀକ୍ଷଣ ଆବଶ୍ୟକ । ପ୍ରଥମ ଷ୍ଟେଜରେ ରୋଗ ଚିହ୍ନଟ ହୋଇଗଲେ, ସାଧାରଣ ଆଣ୍ଟିବାୟୋଟିକ୍ କାମ ଦେବ । ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର ଡିପିଏଜଏଲରେ ଏଲିଶା ପଦ୍ଧତିରେ କରିବାର ବ୍ୟବସ୍ଥା ରହିଛି ।

ସ୍କ୍ରବ ଟାଇଫସ୍ ଯୋଗୁ ଚାଷୀଙ୍କ ଚିନ୍ତା ହଜି ଯାଇଛି । ଗୋଟାଏ ପଟେ ଜୀବିକା ପାଇଁ ବିଲ ଯିବାକୁ ପଡ଼ୁଛି, ତ ଅନ୍ୟପଟେ ବିଲରେ ଛକି ବସିଛି ଅଜଣା କୀଟ । ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ସ୍କ୍ରବ ଟାଇଫସ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ଦେଇଛନ୍ତି ।