ଚୀନ ପ୍ରେମରେ କେନ୍ଦ୍ର, ସୀମା ବିବାଦ ନେଇ ଡ୍ରାଗନ ସହ ମୁହାଁମୁହିଁ

ଭୁବନେଶ୍ବର: ଚୀନ ପ୍ରେମରେ କେନ୍ଦ୍ର । ସୀମାରେ ବିବାଦ ନେଇ ଡ୍ରାଗନ ସହ ମୁହାଁମୁହିଁ ସ୍ଥିତି ଉପୁଜିଛି । ଅନ୍ୟପଟେ ବେଧଡ଼କ ଭାବେ ଚୀନ୍ ସାମଗ୍ରୀ ଭାରତକୁ ଆମଦାନୀ ହେଉଛି । ସ୍ଥିତି ଏମିତି ହେଲାଣି, ଆମଦାନୀ ପରିମାଣ ୮ ଲକ୍ଷ ୧୭ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି । ଆମଦାନୀ ତୁଳନାରେ ରପ୍ତାନୀ କମ୍ ଯୋଗୁ ଦେଶର ବାଣିଜ୍ୟିକ ନିଅଣ୍ଟ ୪.୭ ବିଲିୟନ୍ ଡଲାରରେ ପହଞ୍ଚିଛି । ବାଣିଜ୍ୟିକ ଚୁକ୍ତି ରଦ୍ଦ ନ କରି ଲୋକଙ୍କୁ ଚୀନ ଉତ୍ପାଦ ବର୍ଜନ କରିବା ଆହ୍ବାନ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଚୀନ ସହିତ ଲାଗି ରହିଛି ସୀମା ବିବାଦ । ତଥାପି ଡ୍ରାଗନ୍ ପ୍ରେମରେ କେନ୍ଦ୍ର ସରକାର । ଚୀନ ସହିତ ତୁଟାଇ ନାହାନ୍ତି ବାଣିଜ୍ୟିକ ସମ୍ପର୍କ । ଦିନକୁ ଦିନ ବଢୁଛି ଚୀନ ଉପରେ ନିର୍ଭରଶୀଳତା । ରେଳ ଉପକରଣଠୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ୍ ସାମଗ୍ରୀ, ମୋବାଇଲ ସମେତ ବିଭିନ୍ନ ଖାଉଟି ଉତ୍ପାଦନ ଆମଦାନୀ ବୃଦ୍ଧି ହେବାରେ ଲାଗିଛି । ୨୦୨୩ ମାର୍ଚ୍ଚ ସୁଦ୍ଧା ଚୀନରୁ ଆମଦାନୀ ପରିମାଣ ୮ ଲକ୍ଷ ୧୭ ହଜାର ୨୮୪ କୋଟି ୧୬ ଲକ୍ଷ ଟଙ୍କାରେ ପହଞ୍ଚିଲାଣି । ଯାହାକି ଗତ ଆର୍ଥିକ ବର୍ଷ ଅପେକ୍ଷା ୪.୧୬ ପ୍ରତିଶତ ଅଧିକ ।

ଅନ୍ୟପଟେ ଚୀନକୁ ରପ୍ତାନୀ ପରିମାଣ କମିବାରେ ଲାଗିଛି । ରିପୋର୍ଟ ଅନୁଯାୟୀ ଭାରତୀୟ ସାମଗ୍ରୀର ରପ୍ତାନୀ ପରିମାଣ ୨୮ ପ୍ରତିଶତ କମିଛି । ସ୍ଥିତି ଏମିତି ହେଲାଣି ଚୀନ ସହିତ ବାଣିଜ୍ୟିକ କାରବାର ଯୋଗୁ ଦେଶରେ ସାଂଘାତିକ ବାଣିଜ୍ୟିକ ନିଅଣ୍ଟ ବଢିଛାଲିଛି । ରପ୍ତାନୀ କମ୍ ହେଉଥିବାରୁ ବାଣିଜ୍ୟିକ ନିଅଣ୍ଟ ପରିମାଣ ୭୨.୯ ବିଲିୟନ୍ ଡଲାରରୁ ବୃଦ୍ଧି ଘଟି ୭୭.୬ ବିଲିୟନ୍ ଡଲାରରେ ପହଞ୍ଚିଲାଣି । ବିରୋଧୀ ଅଭିଯୋଗ କରିଛନ୍ତି, ସୀମା ବିବାଦ ଲାଗି ରହିଥିବା ବେଳେ ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ନିଜ ମାନଚିତ୍ରରେ ଦେଖାଉଛି ଚୀନ । ଲୋକଙ୍କୁ ଚୀନ ସାମଗ୍ରୀ ବର୍ଜନ ପାଇଁ କହୁଥିବା କେନ୍ଦ୍ର ସରକାର ଚୀନ ସହିତ ବାଣିଜ୍ୟିକ ସଂପର୍କ ଛିନ୍ନ ନ କରିବା ଦୁର୍ଭାଗ୍ୟଜନକ । ଏହା ହିଁ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ।

ରପ୍ତାନୀ ତୁଳନାରେ ଆମଦାନୀ ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଛନ୍ତି ଅର୍ଥନୀତିଜ୍ଞ । ଏପରି ହେଲେ ଦେଶର ବାଲାନସ୍ ଅଫ୍ ପେମେଣ୍ଟ୍ ବିଗିଡିଯିବ । ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ, ଷ୍ଟାର୍ଟ୍ ଅପ୍ ଇଣ୍ଡିଆ, ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଚାଲୁ କଲେ ବି ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଚୀନ ଉପରେ ନିର୍ଭରଶୀଳତାକୁ ଛାଡ଼ିପାରିନାହାନ୍ତି । ଚୀନରୁ କମ୍ ଦାମରେ କଞ୍ଚାମାଲ ମିଳୁଥିବାରୁ ଭାରତୀୟ ବ୍ୟବସାୟୀ ବେଧଡ଼କ ଚୀନରୁ ଆମଦାନୀ କରୁଛନ୍ତି । ଯେତେ ପରିମାଣରେ ଆମଦାନୀ ହେଉଛି ସେହି ତୁଳନାରେ ଯଦି ରପ୍ତାନୀ ହୁଅନ୍ତା ତାହେଲେ ବାଣିଜ୍ୟିକ ନିଅଣ୍ଟ ହୁଅନ୍ତା ନାହିଁ । ଏପରି ସ୍ଥିତି ଜାରି ରହିଲେ ଚୀନର ବଡ଼ ଭାଇ ପଣିଆ ଆହୁରି ବଢିଯିବ ବୋଲି ସମୀକ୍ଷକ ଆଶଙ୍କା ପ୍ରକାଶ କରିଛନ୍ତି ।

ସିଏମ୍ଆଇ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଚୀନରୁ ଆମଦାନୀ ବୃଦ୍ଧି ଯୋଗୁ ବାଣିଜ୍ୟିକ ନିଅଣ୍ଟ ଆହୁରି ବୃଦ୍ଧି ହୋଇଚାଲିଛି । ଗତ ଜୁଲାଇ ସୁଦ୍ଧା ଏହି ନିଅଣ୍ଟ ୨୦.୭ ବିଲିୟନ୍ ଡଲାରରେ ପହଞ୍ଚିଛି । ଏହି ହିସାବ କହୁଛି ଏବେ ବି ଭାରତୀୟମାନେ କେତେ ପରିମାଣରେ ଚୀନ ସାମଗ୍ରୀ ବ୍ୟବହାର କରୁଛନ୍ତି । ତାହେଲେ କେନ୍ଦ୍ର ସରକାରଙ୍କ ଚୀନ ସାମଗ୍ରୀ ବର୍ଜନ କଣ କେବଳ ସ୍ଲୋଗାନ୍ରେ ସୀମିତ? ତାକୁ ନେଇ ଉଠିଛି ପ୍ରଶ୍ନ  ।