ଜେଡ୍ ଓ୍ବାନ ମାଲିକ ସଂଘର ଅଭିଯୋଗ, ଠକିଛି ଜେଡ୍ ଇଷ୍ଟେଟ୍ !

ଭୁବନେଶ୍ବର: କଷ୍ଟ ଅର୍ଜିତ ଅର୍ଥରେ ଘର କିଣିବାର ସ୍ବପ୍ନ କେମିତି ପାଣିଫୋଟକା ପରି ମିଳେଇଯାଏ, ତାର ପ୍ରକୃଷ୍ଟ ଉଦାହାରଣ ହେଉଛି ‘ଜେଡ୍ ଓ୍ବାନ ହାଉସିଂ’ ପ୍ରକଳ୍ପ । ମହାକାଳ ଫଳ ଭଳି ଜେଡ ଇଷ୍ଟେଟ ଲୋକଙ୍କୁ ଏକ ରଙ୍ଗୀନ ଚିତ୍ର ଦେଖାଇ ଠକି ଦେଇଛି । ଜେଡ୍‌ ଓ୍ବାନ ମାଲିକ ସଂଘ ପକ୍ଷରୁ ଏଭଳି ଅଭିଯୋଗ ଆସିଛି । ଏନେଇ ଇଓଡବ୍ଲୁରେ ମଧ୍ୟ ଏକ ଅଭିଯୋଗ ହୋଇଛି । ୨୦୧୧ରେ ୨୬ ଏକର ୧୮୪ ଡିସିମିଲ ଜମିରେ ଜେଡ୍‌ ୱାନ ପ୍ରକଳ୍ପ ପାଇଁ ବିଡିଏରୁ ଅନୁମତି ମିଳିଥିଲା । ୨୧ଟି ଟାୱାର, ୨୬ଟି ଭିଲା, କ୍ଲବ ହାଉସ, କମ୍ୟୁନିଟି ସେଣ୍ଟର, କ୍ରେଚ୍‌ ଓ ଅନ୍ୟାନ କମନ ଅମେନିଟି ପାଇଁ ଅନୁମତି ମିଳିଥିଲା । ବୁକିଂ ସମୟରେ ଫେଜୱାରୀ କାମ ହେବ ବୋଲି କୁହାଯାଇଥିଲା ।

ଏଗ୍ରିମେଣ୍ଟ ଅନୁଯାୟୀ ଘରର ମାଲିକାନା ସହ କମନ ଏରିଆରେ ମଧ୍ୟ ସେୟାର ରହିବ ବୋଲି କୁହାଯାଇଥିଲା । ନିର୍ଦ୍ଧାରିତ ସମୟର ବର୍ଷେ ପରେ ସେଲ ଡିଡ୍‌ ଆରମ୍ଭ ହୋଇଥିଲା । ଯେଉଁ ଆଧାରରେ ସେଲ ଡିଡ୍‌ ହେବା କଥା ତାର ଉଲଂଘନ କରାଯାଉଥିଲା । ଏକଥା ଘର କ୍ରୟ କରୁଥିବା ବ୍ୟକ୍ତିମାନେ ଜାଣୁଥିଲେ ମଧ୍ୟ ବାଧ୍ୟବାଧକତାରେ ସେଲ ଡିଡ୍‌ କରିଥିବା ଅଭିଯୋଗ ହୋଇଛି । ଘର କିଣିବା ପରେ ଆସୋସିଏସନ ମଧ୍ୟ ଗଠନ କରାଗଲା ନାହିଁ । ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ ୨୦୨୧ରେ ଆସୋସିଏସନ ଗଠନ କରାଗଲା । କିନ୍ତୁ ଘରର ମାଲିକାନା ସତ୍ତ୍ବ ଦିଆଗଲାନି । ଏଭିତରେ ବିଡିଏରେ ମୂଳ ପ୍ଲାନ ପରିବର୍ତ୍ତନ ମଧ୍ୟ କରାଯାଇଛି ।

ଏନେଇ ବିଡିଏରେ ଅଭିଯୋଗ ସହ ହାଇକୋର୍ଟରେ ଏକ ମାମଲା କରିଥିଲେ ଜେଡ୍‌ ୱାନ ଓନର୍ସ ଆସୋସିଏସନ । ପରିବର୍ଦ୍ଧିତ ପ୍ରକଳ୍ପରେ ମଧ୍ୟ ଆଇନର ଉଲଂଘନ କରାଯାଇଥିବାରୁ ରେରା ମଧ୍ୟ ନିଜ ଆଡୁ ମାମଲା କରିଛି । ଏନଜିଟି ଆଇନ ଅନୁଯାୟୀ ପ୍ରକଳ୍ପ ଏରିଆର ୨୦ ପ୍ରତିଶତ ଅର୍ଥାତ ୫ ଏକର ଜାଗାରେ ଗ୍ରୀନ ବେଲ୍ଟ କରିବା କଥା । ୫ ପ୍ରତିଶତ ବିଦ୍ୟୁତ ସୋଲାରରୁ ଉତ୍ପାଦିତ  ହେବା କଥା । ରେନ ୱାଟର ହାର୍ଭେଷ୍ଟ ବି ହୋଇନି  ।

ଏନେଇ ଏନଜିଟିରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ଘର ମାଲିକଙ୍କ ପ୍ରତି ଜେଡ୍‌ ଇଷ୍ଟେଟର ବେପରୁଆ ମନୋଭାବ ସହ ଲୋକଙ୍କୁ ସିଧାସଳଖ ଠକୁଥିବା ଅଭିଯୋଗ କରିଛନ୍ତି ଓନର୍ସ ଆସୋସିଏସନ । ବିଡିଏରୁ ଅନୁମତିପ୍ରାପ୍ତ ବିଲ୍ଟ ଅପ ଏରିଆ ଓ ୟୁଟିନୱାରୀ ଫ୍ଲାଟ ବିକ୍ରିକୁ ହିସାବ କଲେ ମଧ୍ୟ ବିଡିଏ ଆଇନର ଉଲଂଘନ କରି ଗ୍ରାହକଙ୍କୁ ଠକାଯାଇଛି । ୮ ଲକ୍ଷ ୩୬ ହଜାର ୬୫୨ ବର୍ଗ ଫୁଟ ଅଞ୍ଚଳ ବିକ୍ରି କରାଯାଇଛି । କିନ୍ତୁ ବିଡିଏରେ  ୭ ଲକ୍ଷ ୪୬ ହଜାର ବର୍ଗଫୁଟ ନିର୍ମାଣର ହିସାବ ଦିଆଯାଇଛି । ଆଇନର ଗୋଲକ ଧନ୍ଦାରେ ବିନା ପ୍ଲାନ ଅନୁମୋଦନରେ କ୍ଲବ ଟାଉନ ପ୍ରକଳ୍ପ ତିଆରି କରି ବିକ୍ରି କରାଯାଇଛି ବୋଲି ଓନର୍ସ ଆସୋସିଏସନ ଅଭିଯୋଗ କରିଛି ।

ଜେନ ୱାନ ପ୍ରକଳ୍ପରେ ଏଫଡିଆଇ ଇନଭେଷ୍ଟମେଣ୍ଟ ହୋଇଥିବା ଦାବି କରାଯାଉଛି । କିନ୍ତୁ ଏଫଡିଆଇ ଇନଭେଷ୍ଟମେଣ୍ଟ କେଉଁଠି ବିନିଯୋଗ ହୋଇଛି ତାର ହିସାବ ମାଗୁଛନ୍ତି ଘର କିଣିଥିବା ବ୍ୟକ୍ତି । କ୍ଲବ ହାଉସ ପାଇଁ ପ୍ରତ୍ୟେକ କ୍ରେତାଙ୍କ ଠାରୁ ୭୫ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଛି । କିନ୍ତୁ କ୍ଲବରେ କ୍ରେତାଙ୍କ ମାଲିକାନା ନାହିଁ । ପାର୍କିଂ ଏରିଆକୁ ମଧ୍ୟ ବିକ୍ରି କରାଯାଇଛି । କମ୍ୟୁନିଟି ହଲକୁ ମଧ୍ୟ ବାଉନସର ଲଗେଇ ବନ୍ଦ କରାଗଲା । ଏନେଇ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହୋଇଛି । ଫନିରେ ହୋଇଥିବା କ୍ଷୟକ୍ଷତି ଅର୍ଥ ବି ଘର ମାଲିକଙ୍କୁ ଦେବା ବଦଳରେ ଜେଡ୍‌ ଇଷ୍ଟେଟ ମାଲିକ ନିଜେ ଆତ୍ମସାତ କରିଦେଇଛନ୍ତି । ରାଜନୈତିକ ଓ ମିଡିଆ ବଳରେ ସେ ଗ୍ରାହକଙ୍କୁ ଧମକଚମକ ଦେଉଛନ୍ତି । ଅଭିଯୋଗ କରିବାରୁ ଅନେକ ପରିବାରକୁ ଜାଣିଶୁଣି ହଇରାଣ କରାଯାଉଛି ବୋଲି ଓନର୍ସ ଆସୋସିଏସନ ଅଭିଯୋଗ କରିଛି । ଜେଡ୍‌ ୱାନ ବିରୋଧରେ ଏମିତି ମାଳ ମାଳ ଅଭିଯୋଗ ସାମ୍ନାକୁ ଆସିଛି ।