spot_img
Home Blog Page 2983

ବାହାନଗା ଟ୍ରେନ୍ ଟ୍ରାଜେଡିର ଆସିଲା ତଦନ୍ତ ରିପୋର୍ଟ, ସିଗନାଲିଂ ଓ ଟେଲିକମ୍ୟୁନିକେସନ୍ ବିଭାଗର ଭୁଲ ଯୋଗୁଁ ଦୁର୍ଘଟଣା

ବାହାନଗା: ସିଗନାଲ ଓ ଟେଲିକମ୍ୟୁନିକେସନ୍ ବିଭାଗର ଏକାଧିକ ତ୍ରୁଟି ଯୋଗୁଁ ବାହାନଗା ବଜାର ଷ୍ଟେସନରେ ଘଟିଲା ମର୍ମନ୍ତୁଦ ରେଳ ଦୁର୍ଘଟଣା । ସିଗନାଲ ବ୍ୟବସ୍ଥା ମରାମତି ସମୟରେ ସିଗନାଲିଂ ସର୍କିଟ୍ ଏପଟ ସେପଟ କରାଯିବାରୁ ତ୍ରୁଟିପୂର୍ଣ୍ଣ ସିଗନାଲ ମିଳିଥିଲା । ଫଳରେ କରମଣ୍ଡଳ ଟ୍ରେନ୍ ଭୁଲ ଲାଇନରେ ମାଡ଼ି ଯାଇ ଲୁପ୍ ଲାଇନରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ି ସହିତ ଧକ୍କା ଖାଇଥିଲା । ବାହାନଗା ବଜାର ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରି ରେଳ ସୁରକ୍ଷା କମିଶନର ରେଳ ବୋର୍ଡକୁ ଦେଇଥିବା ରିପୋର୍ଟରେ ଏଭଳି ଉଲ୍ଲେଖ କରିଛନ୍ତି । ରେଳ ସୁରକ୍ଷା କମିଶନର ଦୁର୍ଘଟଣାର କାରଣ ଉଲ୍ଲେଖ କରିବା ସହିତ କିଛି ପ୍ରତିକାର ପାଇଁ ସୁପାରିଶ କରିଛନ୍ତି । ତଦନ୍ତ ରିପୋର୍ଟରେ ରେଳ ସୁରକ୍ଷା ଆୟୁକ୍ତ ବିଭିନ୍ନ ଦିଗ ଉପରେ ଅଙ୍ଗୁଳି ଉଠାଇଛନ୍ତି । ସୁରକ୍ଷିତ ଟ୍ରେନ୍ ଚଳାଚଳ ପାଇଁ ତ୍ରୁଟିବିହୀନ ସିଗନାଲ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ । କିନ୍ତୁ ବାହାନଗା ବଜାର ଷ୍ଟେସନ୍ ପାଇଁ ଅନୁମୋଦିତ ସର୍କିଟ ଡାୟାଗ୍ରାମ୍ ଯୋଗାଣ ହୋଇ ନ ଥିଲା । ଇଏଲ୍ବି ପରିବର୍ତ୍ତନରେ ଏହି ସର୍କିଟ ଡାୟାଗ୍ରାମ୍ ଜରୁରୀ । ତେବେ ଏହି ନିୟମକୁ ଅଣଦେଖା କରାଯାଇଥିଲା । ସେଠାରେ ଥିବା ଲେବୁଲ କ୍ରସିଂ ଗେଟ୍ ସହିତ ଉକ୍ତ ସିଗନାଲ ବ୍ୟବସ୍ଥା ଜଡିତ । ଏହାର ମରାମତି ସମୟରେ ହିଁ ସବୁ ଗଡ଼ବଡ଼ ହୋଇଥିଲା। ସେହିପରି କ୍ଷେତ୍ର ପରିଦର୍ଶନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ମଧ୍ୟ ଏଥିପାଇଁ ଦାୟୀ ।

ତଦନ୍ତ ରିପୋର୍ଟରେ ଦୁର୍ଘଟଣାଗ୍ରସ୍ତ ଟ୍ରେନର ଚାଳକ ଓ ସହଚାଳକ ଦେଇଥିବା ବୟାନକୁ ଉଲ୍ଲେଖ କରାଯାଇଛି । କେବଳ ସିଗାନଲ ବ୍ୟବସ୍ଥାରେ ଏପଟ ସେପଟ କରିବା ଏବଂ କାର୍ଯ୍ୟ ଠିକ୍ ଭାବେ ହୋଇନଥିବାରୁ ଏହି ଦୁର୍ଘଟଣା ଘଟିଲା । ଏଥିରେ ଟ୍ରାକରେ ତ୍ରୁଟି ନ ଥିଲା କିମ୍ବା ଦୁର୍ଘଟଣାରେ ତାହା କିଛି ଭୂମିକା ନାହିଁ ବୋଲି କୁହାଯାଇଛି । କ୍ରସଓଭରରେ ବାରମ୍ବାର ଅସ୍ୱାଭାବିକ ସ୍ଥିତି ସମ୍ପର୍କରେ ବାହାନଗା ବଜାର ଷ୍ଟେସନରେ ଷ୍ଟେସନ୍ ମାଷ୍ଟର ସେଠାକାର ସିଗନାଲ ଓ ଟେଲିକମ୍ୟୁନିକେସନ୍ କର୍ମଚାରୀଙ୍କୁ ଅବଗତ କରି ନ ଥିଲେ । ଏହା କରିଥିଲେ ହୁଏତ ତାହାର ମରାମତି ହୋଇପାରିଥାନ୍ତା ଏବଂ ଏତେ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା । ତ୍ରୁଟିପୂର୍ଣ୍ଣ ସିଗନାଲରୁ କରମଣ୍ଡଳ ଏକ୍ସପ୍ରେସ୍ ଲୁପ୍ ଲାଇନରେ ମାଡ଼ି ଯାଇ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇଥିଲା । ଫଳରେ ବିପରିତ ଦିଗରୁ ଆସୁଥିବା ବେଙ୍ଗାଲୁରୁ ଏକ୍ସପ୍ରେସର ପଛ ଦୁଇ ବଗିକୁ ମଧ୍ୟ ଧକ୍କା ଦେଇଥିଲା । ବ୍ୟବହୃତ ସିଗନାଲିଂ ସର୍କିଟରେ ପରିବର୍ତ୍ତନ କରିବା ପୂର୍ବରୁ ସର୍କିଟ୍ଗୁଡ଼ିକୁ ଭଲ ଭାବେ ଯାଞ୍ଚ କରାଯିବା ସହ ଅନୁମୋଦିତ ସର୍କିଟ୍ ଯୋଗାଣ ହେବା ଉଚିତ । ଏହି ସମୟରେ ବରିଷ୍ଠ ଅଧିକାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ । ଏହା ପରେ ସିଗନାଲ ଠିକ୍ ଭାବେ କାମ କରୁଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ଆଉ ଏକ ବିଶେଷଜ୍ଞ ଦଳଙ୍କୁ ଟିମକୁ ଦିଆଯିବା ଆବଶ୍ୟକ ।

ସହରାଞ୍ଚଳରେ କମୁଛି, ଗ୍ରାମାଞ୍ଚଳରେ ବଢ଼ୁଛି ବେକାରୀ ସମସ୍ୟା

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଲା ବେକାରୀ । ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି ରିପୋର୍ଟରେ ଏହା ପକ୍ଷରୁ ପ୍ରକାଶ ପାଇଛି । ସହରାଞ୍ଚଳରେ ବେକାରୀ ସମସ୍ୟା କମୁଥିବା ବେଳେ ଗ୍ରାମାଞ୍ଚଳରେ ବଢୁଛି ବେକାରୀ ସମସ୍ୟା । ଗ୍ରାମାଞ୍ଚଳରେ ଅଧିକ ଲୋକ କାମଧନ୍ଦା ପାଉ ନାହାନ୍ତି । ଗତ ଜୁନ ମାସରେ ବେକାରୀ ହାର ବଢ଼ିଯାଇଛି । ଜୁନ ମାସରେ ହାରାହାରି ବେକାରୀ ହାର ୮.୪୫ ପ୍ରତିଶତରେ ପହଞ୍ଚିଛି । ନିର୍ଦ୍ଦିଷ୍ଟ ଭାବେ ଋତୁକାଳୀନ ବେକାରୀ ସଂଖ୍ୟାରେ ବୃଦ୍ଧି ହେତୁ ଚଳିତ ବର୍ଷ ତୃତୀୟ ଥର ପାଇଁ ବେକାରୀ ହାର ୮ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।

ଆଫଗାନିସ୍ତାନରେ ତାଲିବାନର ମଧ୍ୟଯୁଗୀୟ କାନୁନ, କାବୁଲରେ ନିଷିଦ୍ଧ ମହିଳା ବିୟୁଟି ପାର୍ଲର

କାବୁଲ: କିଛିଦିନର ବ୍ୟବଧାନ ପରେ ପୁଣି ଆଫଗାନିସ୍ତାନରେ ତାଲିବାନର ମଧ୍ୟଯୁଗୀୟ କାନୁନ । କାବୁଲରେ ନିଷିଦ୍ଧ ହୋଇଛି ମହିଳା ବିୟୁଟି ପାର୍ଲର । ଏନେଇ ସୂଚନା ଦେଇଛନ୍ତି ଭାଇସ ଆଣ୍ଡ ଭର୍ଚ୍ୟୁ ମନ୍ତ୍ରାଳୟ ମୁଖପାତ୍ର ମହମ୍ମଦ ଅକିଫ ମହାଜର । କାବୁଲରେ ଥିବା ସମସ୍ତ ମହିଳା ବ୍ୟୁଟି ପାର୍ଲର ବନ୍ଦ କରିବା ସହ ସମସ୍ତଙ୍କ ଲାଇସେନସ୍ ରଦ୍ଦ ଲାଗି ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଦେଶରେ ପୁରୁଷମାନଙ୍କୁ ବର୍ତ୍ତମାନ କାମ ମିଳୁନାହିଁ । ଫଳରେ ମହିଳାମାନେ ବିୟୁଟି ପାର୍ଲର ସମେତ ଅନ୍ୟାନ୍ୟ ସ୍ଥାନରେ କାମ କରି ପରିବାର ପୋଷଣ କରିଥାନ୍ତି । ମାତ୍ର ବିୟୁଟି ପାର୍ଲର ବନ୍ଦ ହୋଇଯିବା ପରେ ମହିଳାମାନେ ଗଭୀର ସମସ୍ୟାର ସମ୍ମୁଖୀନ ହେବେ ବୋଲି ବିଭିନ୍ନ ମହଲରୁ କୁହାଯାଇଛି । ସ୍କୁଲ ଓ ବିଶ୍ବବିଦ୍ୟାଳୟ, ଏନଜିଓ ସଂସ୍ଥା, ପାର୍କ, ସିନେମା, ଆମୋଦ ପ୍ରମୋଦ ସ୍ଥଳକୁ ଯିବା ନେଇ ବାଳିକା ଓ ମହିଳାଙ୍କ ଉପରେ ନିଷେଧାଦେଶ ଜାରି କରାଯିବା ପରେ ଏବେ ପାର୍ଲର ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛି ତାଲିବାନ । ତାଲିବାନର ଏହି ନିର୍ଦ୍ଦେଶନାମାକୁ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନା କରାଯାଉଛି ।

ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ 5T ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରିବେ ସମୀକ୍ଷା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ପ୍ରଥମେ ପାତାଳୀ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏହାସହ ମନ୍ଦିରର ଉନ୍ନତିକରଣ ନେଇ ମନ୍ଦିର କମିଟି ସହ ଆଲୋଚନା କରିଥିଲେ । ଏହାପରେ ଉଲୁଣ୍ଡା ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । ଲୋକଙ୍କ ଦାବି ଶୁଣିବା ସହ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଉଛନ୍ତି 5T ସଚିବ । ପରେ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ସ୍ଥାନକୁ ଯିବେ 5T ସଚିବ ଭିକେ ପାଣ୍ଡିଆନ ।

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ମେଡିକାଲରେ ଭର୍ତ୍ତି

ଆନନ୍ଦପୁର: ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇ ଆକ୍ରମଣର ଶିକାର ହେଲେ ବରାଙ୍ଗ ଗାଁର ନିତ୍ଯାନନ୍ଦ ମହାନ୍ତ । ଗୁରୁତର ଆହତ ବୃଦ୍ଧଙ୍କୁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ଭୋରରୁ ଜଙ୍ଗଲ ନିକଟକୁ ଗାଁର ୩୪ ଜଣ ଲୋକଙ୍କ ସହ ନିତ୍ଯାନନ୍ଦ ଛତୁ ତୋଳିବାକୁ ଯାଇଥିଲେ । ଏହି ସମୟରେ ଏକ ଭାଲୁ ତା’ର ଦୁଇ ଛୁଆଙ୍କୁ ଧରି ଫେରୁଥିବା ବେଳେ ଛତୁ ଗୋଟାଳିଙ୍କ ସହ ମୁହାଁମୁହିଁ ହୋଇଥିଲେ । ଭାଲୁକୁ ଦେଖି ଅନ୍ଯମାନେ ଦୌଡି ପଳାଇଥିବେଳେ ନିତ୍ଯାନନ୍ଦ ଦୌଡିନପାରି ଭାଲୁ ଆକ୍ରମଣ ଶିକାର ହୋଇଥିଲେ ।

୮ ମାସର ଝିଅକୁ ୮୦୦ ଟଙ୍କାରେ ବିକିଦେଲା ମା’, ଥାନାରେ ଏତଲା ଦେଲେ ସ୍ବାମୀ

ମୟୂରଭଞ୍ଜ: ଉଦଳା ବ୍ଲକ ଖୁଣ୍ଟା ଥାନା ମହୁଲିଆ ଗାଁରେ ଅଭାବନୀୟ ଘଟଣା । ୮ ମାସର ଝିଅକୁ ୮ଶହ ଟଙ୍କାରେ ବିକ୍ରି କରିଦେଲା ମା’ । ସ୍ବାମୀଙ୍କ ଅନୁପସ୍ଥିତିରେ ଶିଶୁ କନ୍ୟାକୁ ବିକି ଦେଇଛନ୍ତି ମା’ । ନିଜର ଦ୍ବିତୀୟ କନ୍ୟା ସନ୍ତାନକୁ ଅନ୍ୟ ଦମ୍ପତ୍ତିଙ୍କୁ ବିକ୍ରି କରିଦେଲା ମା’ । ଗାଁର କାରମି ମୁର୍ମୁ ଓ ମୁଷୁ ମୁର୍ମୁଙ୍କର ପ୍ରଥମ ସନ୍ତାନ ଝିଅ ହୋଇଥିଲା । ପରେ ଦ୍ୱିତୀୟ ସନ୍ତାନ ମଧ୍ୟ ଝିଅ ହୋଇଥିଲା । ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ବାପା ମୁଷୁ ମୁର୍ମୁ ତାମିଲନାଡୁ କାମ କରିବାକୁ ଯାଇଥିଲେ । ଏହାରି ଭିତରେ ସ୍ତ୍ରୀ କାରମି ମୁର୍ମୁ ଓ ମାହି ମୁର୍ମୁଙ୍କ ମଧ୍ୟସ୍ଥିରେ ବିପ୍ରଚରଣପୁର ଫୁଲମଣି ମାରାଣ୍ଡି ଓ ଅଖିଳ ମାରାଣ୍ଡିଙ୍କୁ ବିକ୍ରି କରି ଦେଇଥିଲେ। ହେଲେ ଏ ସମ୍ପର୍କରେ କିଛି ଜାଣିନଥିଲ ଶିଶୁକନ୍ୟାର ବାପା ମୁସୁ । ସେ ଘରକୁ ଫେରିବା ପରେ ଝିଅ ଘରେ ନଥିବା ଜାଣିବାକୁ ପାଇଥିଲେ । ପରେ ତାଙ୍କ ସ୍ତ୍ରୀ ବିପ୍ରଚରଣପୁର ଅଞ୍ଚଳର ଦମ୍ପତିଙ୍କୁ ଶିଶୁକନ୍ୟା ବିକ୍ରି କରିଦେଇଥିବା ଜାଣିବାକୁ ପାଇଥିଲେ। ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ଶିଶୁ ବିକ୍ରି କରିଥିବା ମା ଓ ମଧ୍ୟସ୍ଥିଙ୍କ ସହିତ କିଣିଥିବା ଦମ୍ପତିଙ୍କୁ ଗିରଫ କରିଛି ।

ମହାରାଷ୍ଟ୍ରରେ ଘନୀଭୂତ ରାଜନୈତିକ ସଙ୍କଟ, ଆଜି ମଧ୍ୟାହ୍ନରେ ବସିବ କ୍ୟାବିନେଟ ବୈଠକ

ମୁମ୍ବାଇ: ମହାରାଷ୍ଟ୍ରରେ ଫୁଲ୍ କନଫ୍ଯୁଜନ । ଘଡ଼ିକୁ ନେଇ ପ୍ରତି ଘଣ୍ଟାରେ ଘୋଡ଼ା ଛୁଟୁଛି  । ଦୁଇଫାଳ ରାଷ୍ଟ୍ରବାଦୀ କଂଗ୍ରେସ ବା ଏନସିପି । ଗୋଟିଏ ଶରଦ ପାଓ୍ବାର ଗୋଷ୍ଠୀ ଆଉ ଗୋଟିଏ ଅଜିତ ପାଓ୍ବାର ଗୋଷ୍ଠୀ । କାହା ପାଖରେ ରହିବ ଦଳର ଚିହ୍ନ ଘଣ୍ଟା । ଏନେଇ ଲାଗି ରହିଛି ଛକାପଞ୍ଝା । ଅଜିତ ପାଓ୍ବାର ଗୋଷ୍ଠୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ ହେଉଛି ଶରଦ ପାଓ୍ବାରଙ୍କ ଗୋଷ୍ଠୀ । ମନ୍ତ୍ରୀ ଭାବେ ଶପଥ ନେଇଥିବା ୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି  ଶରଦ ପାଓ୍ବାର । ଏଥିପାଇଁ ବିଧାନସଭା ବାଚସ୍ପତିଙ୍କୁ ଅବଗତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ସାଂସଦ ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେଙ୍କୁ ଏନସିପିରୁ ବିଦା କରିଛନ୍ତି ଶରଦ ।

ବିଦ୍ରୋହୀଙ୍କୁ ଫେରି ଆସିବାକୁ ଦଳ ପକ୍ଷରୁ ଆହ୍ବାନ ଦିଆଯାଇଛି । ଶରଦଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି । ରବିବାର ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିବା ଏନସିପି ବିଧାୟକ ଶରଦଙ୍କ ଗୋଷ୍ଠୀକୁ ୟୁ ଟର୍ଣ୍ଣ କରିଛନ୍ତି । ସେପଟେ ଜୟନ୍ତ ପାଟିଲଙ୍କ ସ୍ଥାନରେ ସୁନିଲ ତଟକରେଙ୍କୁ ପ୍ରଦେଶ ଅଧ୍ୟକ୍ଷ ଘୋଷଣା କରିଛି ଅଜିତ ପାଓ୍ବାରଙ୍କ ଗୋଷ୍ଠୀ । ଏଥିସହ ବିଧାନସଭାରେ ଏନସିପିର ନେତୃତ୍ୱ ଅଜିତ ପାଓ୍ୱାର ନେବେ ବୋଲି ସାଂସଦ ପ୍ରଫୁଲ୍ଲ ପଟେଲ କହିଛନ୍ତି । ଅଜିତଙ୍କ ଉପରେ ଦଳର ସବୁ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ନୂଆ ମେଣ୍ଟର ନାମ ମହାଜ୍ୟୁତି ବୋଲି ଘୋଷଣା କରିଛନ୍ତି ଅଜିତ ପାଓ୍ୱାର । ଅଜିତ ପାଓ୍ବାର କହିଛନ୍ତି ଆଇନ ନିଷ୍ପତ୍ତି ନେବ ଏନସିପି କାହାର । ନିର୍ବାଚନ କମିଶନ ଏନେଇ ନିଷ୍ପତ୍ତି ନେବେ । ସେପଟେ ମହାରାଷ୍ଟ୍ରର ରାଜନୀତି ନେଇ ବିଜେପିକୁ ସବୁଆଡ଼ୁ ସମାଲୋଚନା କରାଯାଉଛି ।

ଝାନସୀର ଏକ ଇଲେକ୍ଟ୍ରି ଶୋ’ ରୁମରେ ଅଗ୍ନିକାଣ୍ଡ, ୪ ଜଣ ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଝାନସୀର ସିପ୍ରି ବଜାରରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ଇଲେକ୍ଟ୍ରି ଶୋ’ ରୁମରେ ନିଆଁ ଲାଗି ୪ ଜଣ ଜୀବନ୍ତ ଦଗ୍ଧ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି । ୪ ଜଣ ଜୀଅନ୍ତା ଜଳି ଯାଇଯାଇଥିବା ବେଳେ ୩ ଜଣ ଶୋ’ରୁମ୍‌ ଭିତରେ ଜଳି ଯାଇଛନ୍ତି । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଆଁ ଲିଭାଇବାକୁ ୮୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ପ୍ରାୟ ୧୦ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ନିଆଁକୁ ଲିଭା ଯାଇଥିଲା । ମାତ୍ର ବିଲ୍ଡିଂରେ ଥିବା ସବୁ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ତୁରନ୍ତ ଏହାର କାରଣ ଖୋଜିବାକୁ ଝାନସୀ ଜିଲ୍ଲାପାଳ ଏକ କମିଟି ଗଠନ କରିଛନ୍ତି ।

ଆମେରିକାରେ ପୁଣି ଗୁଳିମାଡ଼, ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ

ଓ୍ୱାଶିଂଟନ: ଆମେରିକାରେ ପୁଣି ଗୁଳିମାଡ଼ । ସ୍ବାଧିନତା ଦିବସ ଗୋଟିଏ ଦିନ ପୂର୍ବରୁ ଘଟିଲା ଅଘଟଣ । ଆମେରିକାର  ଫିଲାଡେଲଫିଆ ସହରରରେ ଘଟିଛି ଗୁଳିକାଣ୍ଡ । ଗୁଳିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଘଟଣା ଦିନ ଫିଲାଡେଲଫିଆର ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍‌ ଜଣେ ଯୁବକ ଆଖି ବୁଜା ଗୁଳିମାଡ କରିବା ଆରମ୍ଭ କରିଥିଲା। ଆକ୍ରମଣକାରୀ ନିଜେ ବୁଲେଟ୍‌ ପ୍ରୁଫ ଜ୍ୟାକେଟ ପିନ୍ଧିଥିବା ବେଳେ ତା ହାତରେ ହ୍ୟାଣ୍ଡଗନ୍, ରାଇଫଲ୍ ଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସନ୍ଦିଗ୍ଧ ଆକ୍ରମଣକାରୀକୁ ଅଟକ ରଖିଛି  । ଗୁଳିମାଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ଖୁବଶୀଘ୍ର ଟ୍ୱିଟରରେ ମିଳିବ ଅତ୍ୟାଧୁନିକ ଫିଚର, କରିହେବ ୩ ଘଣ୍ଟାରୁ ଅଧିକ ସମୟର ଭିଡିଓ ଅପଲୋଡ

ନୂଆଦିଲ୍ଲୀ: ଖୁବଶୀଘ୍ର ଟ୍ୱିଟରରେ ମିଳିବ ଅତ୍ୟାଧୁନିକ ଫିଚର । ୟୁଜର୍ସଙ୍କୁ ମିଳିବ ଅଧିକ ସମୟର ଭିଡିଓ ଅପଲୋଡ କରିବାର ସୁବିଧା । ଅପଲୋଡ କରିହେବ ୩ ଘଣ୍ଟାରୁ ଅଧିକ ସମୟର ଭିଡିଓ । ଆମେରିକୀୟ କମେଡିଆନ ଥିଓ ଓ୍ବାନଙ୍କ ଏକ ଟ୍ୱିଟର ଉତ୍ତର ଦେବାକୁ ଯାଇ ଏହି ସୂଚନା ଦେଇଛନ୍ତି ଟ୍ୱିଟରର ସିଇଓ ଏଲନ ମସ୍କ । ମସ୍କଙ୍କ କହିବା ଅନୁସାରେ ଖୁବଶୀଘ୍ର ୩ ଘଣ୍ଟାରୁ ଅଧିକ ସମୟର ଭିଡିଓ ସେୟାର କରିପାରିବେ ୟୁଜର୍ସ । ତେବେ କେବେ ଏହି ସୁବିଧା ମିଳିବ ସେନେଇ ଘୋଷଣା ହୋଇନାହିଁ । ୩ ଘଣ୍ଟାରୁ ଅଧିକ ସମୟର ଭିଡିଓ ସେୟାର ସୁବିଧା ମିଳିଲେ ଏହା ଉପଯୋଗୀ ହେବ ବୋଲି ଅନେକ ମତ ରଖିଛନ୍ତି ।

ଟ୍ୱିଟରର ମାଲିକାନା କିଣିବା ପରେ ଏଥିରେ ଅନେକ ପରବର୍ତ୍ତନ କରୁଛନ୍ତି ଏଲନ ମସ୍କ । ନିକଟରେ ଟ୍ୱିଟର ୟୁଜର୍ସଙ୍କ ପାଇଁ ନୂଆ କଟକଣା ଜାରି ହୋଇଥିଲା । ଡାଟା ଚୋରି ଓ ସିଷ୍ଟମ ଜାଲିଆତିକୁ ରୋକିବାକୁ ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ କଟକଣା ଲଗାଯାଇଛି । ଭେରିଫାଏଡ ଆକାଉଣ୍ଟ ଦିନକୁ ୧୦ ହଜାର ପୋଷ୍ଟ ପଢ଼ି ପାରିବେ। ସେହିପରି ଭେରିଫାଏଡ ହୋଇନଥିବା ଆକାଉଣ୍ଟଧାରୀ ଦିନକୁ ହଜାରେ ଓ ନୂଆ କରି ଖୋଲିଥିବା ବା ନୂଆ ଅନଭେରିଫାଏଡ ଆକାଉଣ୍ଟଧାରୀ ସର୍ବାଧିକ ୫୦୦ଟି ପୋଷ୍ଟ ପଢ଼ି ପାରିବେ ।