ବିକାଶର ସ୍ପର୍ଶରେ ଝଲସିଲା ସିଲଭର ସିଟି

କଟକ: ହଜାରେ ବର୍ଷର କଟକ ସହର ମାଟିରେ ଶନିବାର ଲେଖା ହୋଇଛି ନୂଆ ଇତିହାସ । ଉଦଘାଟନ ହୋଇଛି ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ନେତାଜୀଙ୍କ ଜନ୍ମଭୂମି ଓ ଉତ୍କଳ ଗୌରବଙ୍କ କର୍ମଭୂମି କଟକ ସହର ପାଇଁ ଆଜି ଉତ୍ସବର ଦିନ । କଟକ ବାଲିଯାତ୍ରା ଓ ବାରବାଟୀ କ୍ରିକେଟ ମ୍ୟାଚ୍‌ ଓଡ଼ିଶାର ବଡ଼ ପରିଚୟ । କଟକ ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର ହୋଇରହିଛି, ଆଗକୁ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସହରର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ । ଅତ୍ୟାଧୁନିକ ବସ୍ ଟର୍ମିନାଲ ଶୁଭାରମ୍ଭ ସହ ଓଡ଼ିଶାର ଯାତ୍ରୀସେବାରେ ନୂଆଯୁଗ ଆରମ୍ଭ ହୋଇଛି । ବସ୍ ଟର୍ମିନାଲ ଲୋକାର୍ପଣ ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳ୍ୟାନ୍ୟାସ କରିଛନ୍ତି ।

ବିକାଶର ସ୍ପର୍ଶରେ ଝଲସିଲା ସିଲଭର ସିଟି । ରୌପ୍ୟ ନଗରୀର ରୂପାନ୍ତରଣରେ ଯୋଡିହେଲା ନୂଆଫର୍ଦ୍ଦ ।  କଟକ ସହରରେ ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ୧୫ ଏକର ଜମିରେ ନିର୍ମିତ ହୋଇଛି ଏହି ବିଶାଳ ବସ୍‌ ଟର୍ମିନାଲ ।  ଖର୍ଚ୍ଚ ହୋଇଛି ୯୦ କୋଟିରୁ ଅଧିକ ଟଙ୍କା । ଏଠାରେ ଏକାସାଙ୍ଗରେ ୧୯୨ଟି ବସ୍‌ ରହଣି ଓ ଯାତାୟାତ ବ୍ୟବସ୍ଥା ରହିଛି  । ବସ ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରହିଛି ହାଇଟେକ୍ ସୁବିଧା । ହାଇଫାଇ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ରହିଛି । ରହିଛି ଇଲୋକ୍ଟ୍ରୋନିକ ସୂଚନା ବ୍ୟବସ୍ଥା । ସିସିଟିଭି ସହ ଟର୍ମିନାଲରେ ଏକ ପୋଲିସ ଆଉଟ ପୋଷ୍ଟ ରହିବ ।

ବସ୍‌ ଟର୍ମିନାଲ ସହ ୩୪୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ୨ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି । ରେଭେନ୍ସା ବିଶ୍ବବିଦ୍ୟାଳୟର ମହାନଦୀ କ୍ୟାମ୍ପସ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଲାଇବ୍ରେରୀ ଏବଂ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ ଉଦଘାଟିତ ହୋଇଛି  । ସେହିଭଳି ନରଣପୁରରେ ୫୫୦ଟି ଇଡବ୍ଲଏସ୍‌ ଏବଂ ୩୨୦ଟି ଏଲଆଇଜି ବାସଗୃହ, ସିଲଭର ସିଟି ବୋଟ୍‌ କ୍ଲବ, ତାଳଦଣ୍ଡା କେନାଲ ସମ୍ମୁଖର ବିକାଶ, ଅର୍ବାନ ହାଟ, ଫୁଡକୋର୍ଟ ଏବଂ ଜଳକ୍ରୀଡ଼ା କେନ୍ଦ୍ର, ରାଣୀହାଟଠାରେ କ୍ଲକ ଟାଓ୍ବାର, ତାଳଦଣ୍ଡା କେନାଲ ବ୍ରିଜ୍‌ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ପରିସରରେ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଭିତ୍ତିଭୂମି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ମାରକୀ, ତାଳଦଣ୍ଡା କେନାଲରେ ଜନ ସୁବିଧା କେନ୍ଦ୍ର, ରେଳ ଷ୍ଟେସନର ପୂର୍ବ ଫାଟକରୁ ୪ ଲେନ ବିଶିଷ୍ଟ ରୋଡ୍‌ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।