ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିଛି ଓଡ଼ିଶା ଷ୍ଟାର୍ଟ ଅପ୍ କମ୍ପାନୀ

1 min read

ଭୁବନେଶ୍ବର: ରାଜ୍ୟର ଯୁବକଙ୍କୁ ଉଦ୍ୟୋଗୀ କରିବାକୁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି  । ସେଥିପାଇଁ ଆଜିଠାରୁ କାର୍ଯ୍ୟକାରୀ ହୋଇଛି ଓଡ଼ିଶା ଷ୍ଟାର୍ଟ ଅପ୍ ଗ୍ରୋଥ୍ ଫଣ୍ଡ୍ । ରାଜ୍ୟ ସରକାର ଗଠନ କରିଥିବା ୧୦୦ କୋଟିର କର୍ପସ୍ ପାଣ୍ଠିର ସୁପରିଚାଳନା ପାଇଁ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ- ସିଡ୍ବି ସହିତ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି । ସିଡ୍ବି ପଞ୍ଜିକୃତ ପୁଞ୍ଜି ବିନିଯୋଗକାରୀଙ୍କୁ ଚୟନ କରି ପୁଞ୍ଜି ଯୋଗାଇବ । ଷ୍ଟାର୍ଟ ଅପ୍ ଉଦ୍ୟୋଗୀଙ୍କ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ ବୋଲି ସରକାର ଦେଇଛନ୍ତି ପ୍ରତିଶ୍ରୁତି ।

ରିସ୍କ୍ ନିଅ ଉଦ୍ୟୋଗୀ ହୁଅ  । ଅଭାବ ନାହିଁ ପାଣ୍ଠି  । ନିଜେ ମାଲିକ ହୁଅ ନିଯୁକ୍ତି ଦିଅ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସ୍ବପ୍ନକୁ ସାକାର କରିଛି ଓଡ଼ିଶା ଷ୍ଟାର୍ଟ ଅପ୍ କମ୍ପାନୀ । ଆଜି ଆଉ ପାଦେ ଆଗେଇଛି ଷ୍ଟାର୍ଟ୍ ଅପ୍ ଓଡ଼ିଶା । ଫଣ୍ଡ୍ ଫର୍ ଫଣ୍ଡ୍ସ୍ ସ୍ଲୋଗାନ୍ରେ କାର୍ଯ୍ୟକାରୀ ହୋଇଛି ୧୦୦ କୋଟିର ଓଡ଼ିଶା ଷ୍ଟାର୍ଟ୍ ଅପ୍ ଗ୍ରୋଥ୍ ପାଣ୍ଠି । ପାଣ୍ଠିର ସୁପରିଚାଳନା ପାଇଁ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ ବା ସିଡ୍ବିକୁ ଦାୟିତ୍ବ ଦିଆଯାଇଛି । ଆଜି ଏ ନେଇ ଭୁବନେଶ୍ବରସ୍ଥିତ ଷ୍ଟାର୍ଟ୍ ଅପ୍ ଇନ୍କ୍ୟୁବେସନ୍ ସେଣ୍ଟର ଓ-ହବ୍ଠାରେ ଉନ୍ନୟନ କମିସନରଙ୍କ ଉପସ୍ଥିତିରେ ଷ୍ଟାର୍ଟ୍ ଅପ୍ ଓଡ଼ିଶା ଓ ସିଡ୍ବି ମଧ୍ୟରେ ୫ ବର୍ଷ ପାଇଁ ସ୍ବାକ୍ଷରିତ ହୋଇଛି ଏମ୍ଓୟୁ । ୨୦୧୬ରୁ ନିଜସ୍ବ ଷ୍ଟାର୍ଟ୍ ଅପ୍ ନୀତି ପ୍ରଣୟନ କରି ୧୭୦୦ରୁ ଅଧିକ ଷ୍ଟାର୍ଟ୍ ଅପ୍ ସୃଷ୍ଟି କରିବାରେ ସଫଳ ହୋଇଛି ଷ୍ଟାର୍ଟ୍ ଅପ୍ ଓଡ଼ିଶା । ମାତ୍ର ଦୁଇ ବର୍ଷ ଭିତରେ ଭାରତ ସରକାର ଷ୍ଟାର୍ଟ୍ ଅପ୍ ଓଡ଼ିଶାକୁ ଦୁଇଥର ସର୍ବୋକ୍ତୃଷ୍ଟ ପରଫର୍ମର୍ ରାଜ୍ୟ ଓ ଲିଡର ଷ୍ଟେଟ୍ର ମାନ୍ୟତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବରେ ଓଡ଼ିଶାର ଯେପରି ବିକାଶ ହୋଇଛି ତାକୁ ଭୂୟସୀ ପ୍ରଶଂସା କରିଛନ୍ତି ସିଡ୍ବି କର୍ତ୍ତୃପକ୍ଷ  ।

କୌଣସି ଷ୍ଟାର୍ଟ୍ ଅପ୍,  ଷ୍ଟାର୍ଟ୍ ଅପ୍ ଓଡ଼ିଶା କିମ୍ବା ସିଡ୍ବିଠାରୁ ସିଧାସଳଖ ମୂଳପୁଞ୍ଜି ଋଣ ବାବଦରେ ପାଇବେ ନାହିଁ । ୧୦୦ କୋଟିର ପାଣ୍ଠି ରାଜ୍ୟ ସରକାରଙ୍କ ଆକାଉଣ୍ଟରେ ଜମା ରହିବ । ଯୋଗ୍ୟ ଷ୍ଟାର୍ଟ୍ ଅପ୍ଙ୍କ ଉଦ୍ୟୋଗକୁ ଋଣ ଆକାରରେ ପାଣ୍ଠି ଯୋଗାଇବା ପାଇଁ  ପଞ୍ଜୀକୃତ ଟାଇପ୍ ଓ୍ବାନ୍ ଓ ଟାଇପ୍ ଟୁ ବିକଳ୍ପ ପୁଞ୍ଜି ବିନିଯୋଗକାରୀଙ୍କୁ ସିଡ୍ବି ଚୟନ କରିବ । ସିଡ୍ବି ଦ୍ବାରା ଚୟନ ହୋଇଥିବା ପୁଞ୍ଜି ବିନିଯୋଗକାରୀ ସେମାନଙ୍କର ଦୁଇ କିମ୍ବା ତିନି ଗୁଣ ଅର୍ଥ ମିଶାଇ ଷ୍ଟାର୍ଟ୍ ଅପ୍ଙ୍କୁ ଋଣ ପ୍ରଦାନ କରିବେ । ପ୍ରଥମ ୩ ବର୍ଷରେ ଷ୍ଟାର୍ଟ୍ ଅପ୍ ଅଳ୍ପ ପୁଞ୍ଜି ଆବଶ୍ୟକ କରିଥାନ୍ତି । ପରେ ଅଧିକ ପୁଞ୍ଜି ଆବଶ୍ୟକ କରିଥାନ୍ତି । ୫ କିମ୍ବା ୭ ବର୍ଷ ପରେ ଷ୍ଟାର୍ଟ୍ ଅପ୍ ୧୦ରୁ ୧୨ ପ୍ରତିଶତ ସୁଧରେ ଋଣ ପରିଶୋଧ କରିବେ । ୧୦୦ କୋଟିର ପାଣ୍ଠି ସୁପରିଚାଳନା ପାଇଁ ସିଡ୍ବି ରାଜ୍ୟ ସରକାରଙ୍କଠାରୁ ବାର୍ଷିକ ଫି ଆକାରରେ ଦଶମିକ ୫ ପ୍ରତିଶତ ଅର୍ଥ ନେବ ।