spot_img
Home Blog Page 2963

କରଞ୍ଜିଆ-ଆନନ୍ଦପୁର ରାସ୍ତାର ସାତକୋଶିଆ ଘାଟିରେ ବସ୍ ଦୁର୍ଘଟଣା, ୧୫ ଆହତ

ଆନନ୍ଦପୁର: କରଞ୍ଜିଆ-ଆନନ୍ଦପୁର ରାସ୍ତାର ସାତକୋଶିଆ ଘାଟିରେ ବସ୍ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ । ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିପଡ଼ିଲା ବସ୍ । ବସଟି ଓଲଟି ପଡ଼ିବାରୁ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଥିବା ବେଳେ, ଅନ୍ୟମାନଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ମୟୂରଭଞ୍ଜ ଜାମଦାରୁ ଭୁବନେଶ୍ବର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ମହୁଲଡିହା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ବାହାନଗା ରେଳ ଦୁର୍ଘଟଣା ମାମଲା: ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣା ମାମଲାରେ ସିବିଆଇ ପାଇଛି କି ଷଡ଼ଯନ୍ତ୍ରର ଗନ୍ଧ । ୫ ଦିନିଆ ରିମାଣ୍ଡରେ ଦୁର୍ଘଟଣାର ବଡ଼ ସୁରାକ ଦେଇଛନ୍ତି କି ଗିରଫ ଅଧିକାରୀ । ଆଜି ସିଗିନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି ସରୁଥିବାବେଳେ ଗତକାଲି ଆଉ ଦୁଇ ରେଳ କର୍ମଚାରୀଙ୍କୁ ବାହାନଗାରେ ସିବିଆଇର ପଚରାଉଚରା ସନ୍ଦେହ ବଢାଇଛି । ପୂର୍ବରୁ ସମନ କରିଥିବା ଦୁଇ ଅଧିକାରୀଙ୍କୁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସିବିଆଇ ଜେରା କରିଥିବା ସୂଚନା ମିଳିଛି ।

ଏହାବାଦ ଅନ୍ୟ ତିନିଜଣଙ୍କୁ ବି ହାଜର ହେବାକୁ ସମନ କରିଛି ତଦନ୍ତକାରୀ ଦଳ । ସେପଟେ ଆଜି ସିବିଆଇରେ ହାଜର ହୋଇପାରନ୍ତି ଷ୍ଟେସନ ମାଷ୍ଟର । ୧୧ ତାରିଖରେ ହାଜର ହେବାକୁ ପୂର୍ବରୁ ତାଙ୍କୁ ସମନ କରିଥିଲା ସିବିଆଇ । କରମଣ୍ଡଳ ଟ୍ରେନ ଦୁର୍ଘଟଣା ବେଳେ ସିଗନାଲ ଅବ୍ୟବସ୍ଥା ନେଇ ଅବଗତ ଥିଲେ ଷ୍ଟେସନ ମାଷ୍ଟର । କିନ୍ତୁ ସେ ଏସମ୍ପର୍କରେ ସିଗନାଲ ଓ ଟେଲିଗ୍ରାଫ ଷ୍ଟାଫଙ୍କୁ ସୂଚନା ଦେଇନଥିଲେ ।

କେନ୍ଦ୍ର ଅଥିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିବ ଜିଏସଟି ପରିଷଦର ୫୦ତମ ବୈଠକ

ନୂଆଦିଲ୍ଲୀ: ମଙ୍ଗଳବାର ବସିବ ଜିଏସଟି ପରିଷଦର ୫୦ତମ ବୈଠକ । କେନ୍ଦ୍ର ଅଥିମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏଥିରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମିଲ ହେବେ । ବୈଠକରେ କେନ୍ଦ୍ର ପାଖରେ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ପାଇଁ ଦାବିକୁ ପୁଣିଥରେ ଦୋହରାଇବ ଓଡ଼ିଶା । ଦୀର୍ଘ ବର୍ଷଧରି କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ହଟାଇବାକୁ କେନ୍ଦ୍ର ପାଖରେ ଦାବି କରିଆସୁଛନ୍ତି ରାଜ୍ୟ ସରକାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ବାରମ୍ବାର ଦାବି କରିବା ସହ ବିଜେଡି ସାଂସଦମାନେ ମଧ୍ୟ ସଂସଦରେ ଏହି ଦାବିକୁ ଉଠାଇଛନ୍ତି । ପଶ୍ଚିମ ଓଡିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୮ଲକ୍ଷ ଆଦିବାସୀ କେନ୍ଦୁପତ୍ର ତୋଳାଳି ତଥା ବନ୍ଧାଳୀ ନିଜର ଜୀବନ ଜୀବିକା ନିର୍ବାହ କରନ୍ତି । ପରିବାରର ପେଟ ପୋଷିବା ପାଇଁ କେନ୍ଦୁପତ୍ର ହିଁ ସେମାନଙ୍କ ମୁଖ୍ୟ ରୋଜଗାର । କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସଟି ଲଗାଇବା ଜଙ୍ଗଲ ଅଧିକାର ଆଇନ-୨୦୦୬ ଓ PESA ଆଇନ-୧୯୯୬କୁ ଉଲ୍ଲଂଘନ କରୁଛି । ଜିଏସଟି ପରିଷଦର ୫୦ ତମ ବୈଠକ ପୁର୍ବରୁ କେନ୍ଦୁପତ୍ରରୁ ଜିଏସଟି ଛାଡ଼ କରିବା ଦାବି ଜୋରଦାର ହୋଇଛି ।

ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଆଉ ଦୁଇ କର୍ମଚାରୀଙ୍କୁ ସିବିଆଇର ଜେରା !

ନନ୍ଦିଘୋଷ ବ୍ୟୁରୋ: ବାହନାଗା ଟ୍ରେନ ଟ୍ରାଜେଡି ଘଟଣାରେ ଆଉ ଦୁଇ କର୍ମଚାରୀଙ୍କୁ ସିବିଆଇ ଜେରା କରିଥିବା ସୂଚନା ମିଳିଛି । ପୂର୍ବରୁ ଏହି ଦୁଇ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଥିଲା । ଦୁଇ କର୍ମଚାରୀଙ୍କୁ ବାହନାଗା ଷ୍ଟେସନ ପରିସରରେ ଜେରା କରାଯାଉଥିବା ସୂଚନା ମିଳିଛି । ଏହା ବାଦ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ମଧ୍ୟ ସମନ ହୋଇଥିବା ନେଇ ସିବିଆଇ ସୂତ୍ରରୁ ଜଣାପଡ଼ିଛି । ସେପଟେ ଆସନ୍ତାକାଲି ହାଜର ହୋଇପାରନ୍ତି ଷ୍ଟେସନ ମାଷ୍ଟର । ୧୧ ତାରିଖରେ ହାଜର ହେବାକୁ ପୂର୍ବରୁ ତାଙ୍କୁ ହୋଇଥିଲା ସମନ ।

କରମଣ୍ଡଳ ଟ୍ରେନ ଦୁର୍ଘଟଣା ବେଳେ ସିଗ୍ନାଲ ଅବ୍ୟବସ୍ଥା ନେଇ ଅବଗତ ଥିଲେ ଷ୍ଟେସନ ମାଷ୍ଟର । କିନ୍ତୁ ସେ ଏ ସମ୍ପର୍କରେ ସିଗ୍ନାଲ ଓ ଟେଲିଗ୍ରାଫ ଷ୍ଟାଫଙ୍କୁ ସୂଚନା ଦେଇନଥିଲେ । ସେପଟେ ୩ ଅଭିଯୁକ୍ତଙ୍କୁ ରିମାଣ୍ଡ ଅବଧି ଭିତରେ ମୁହାଁମୁହିଁ ଜେରା କରାଯାଇଛି । ଗତକାଲି ରାତିରେ ୩ ଅଭିଯୁକ୍ତଙ୍କୁ ବାହନାଗା ଷ୍ଟେସନ ନିଆଯାଇଛି । ରାତି ଅଧରେ ଷ୍ଟେସନରେ ଥିବା ସିଗ୍ନାଲିଂ ରୁମ ଓ ଷ୍ଟେସନ ମାଷ୍ଟରଙ୍କ ରୁମରେ ଛାନଭିନ କରାଯାଇଛି । କମିଶନର ଅଫ ରେଲଓ୍ବେ ସେଫ୍ଟିଙ୍କ ତଦନ୍ତ ରିପୋର୍ଟରେ ମଧ୍ୟ ଷ୍ଟେସନ ମାଷ୍ଟରଙ୍କ ତ୍ରୁଟି ସମ୍ପର୍କରେ ଜଣାଯିବା ପରେ ତାଙ୍କ ପ୍ରତି ଅଡ଼ୁଆ ବଢୁଥିବା ସୂଚନା ମିଳିଛି ।

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ପ୍ରସ୍ତାବକୁ କ୍ୟାବିନେଟ ମୋହର, ପ୍ରତି ପଞ୍ଚାୟତକୁ ମିଳିବ ୫୦ଲକ୍ଷ ପର୍ଯ୍ୟନ୍ତ ଅନୁଦାନ

ଭୁବନେଶ୍ୱର: ଆସିଲା ନୂଆ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ରାଜ୍ୟ କ୍ୟାବିନେଟରେ ଯୋଜନା ଉପରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୋଟ ୯ଟି ପ୍ରସ୍ତାବ ଉପରେ ମୋହର ମାରଛି ରାଜ୍ୟ କ୍ୟାବିନେଟ । ତେବେ ଗ୍ରାମାଞ୍ଚଳ ଭିତ୍ତିଭୂମି ବୃଦ୍ଧିକୁ ତ୍ବରାନ୍ବିତ କରିବା ସହ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହାଦ୍ବାରା ଓଡିଶାର ଐତିହ୍ୟ ଓ ସାଂସ୍କୃତିକ ଭିତ୍ତିଭୂମି ବିକାଶ, ପ୍ରାଥମିକ ଶିକ୍ଷା ଉନ୍ନତିକରଣ, ମହିଳା, ଯୁବକ ସଶକ୍ତିକରଣ ହାସଲ କରିବା ପାଇଁ ଭିତ୍ତିଭୂମି ବିକାଶ, ଯୁବପୀଢ଼ିଙ୍କ ପାଇଁ କ୍ରୀଡ଼ା ସୁବିଧା, ବ୍ୟାଙ୍କିଂ ସେବା ତଥା ଡିଜିଟାଲ୍ ସେବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ କରାଯିବ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଯୋଜନାରେ ୪ହଜାର କୋଟି ବ୍ୟୟବରାଦ କରାଯାଇଛି ।

ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ପର୍ଯ୍ୟନ୍ତ ଅନୁଦାନ ଦିଆଯାଇପାରିବ। ଏହି ଅର୍ଥରେ ଜଗନ୍ନାଥ ସଂସ୍କୃତି ଓ ପରଂପରାର ପ୍ରୋତ୍ସାହନ, ସଂରକ୍ଷଣ ଏବଂ ସୁରକ୍ଷା, ଅଧିକ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କ ସମାଗମ ହେଉଥିବା ଉପାସନାସ୍ଥଳୀ ଗୁଡ଼ିକରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ପଞ୍ଚାୟତଓ୍ବାରୀ ପ୍ରକଳ୍ପ ତାଲିକା ବ୍ଲକସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ସଭାପତିଙ୍କ ଦସ୍ତଖତ ସହିତ ସରକାରଙ୍କ ଅନୁମୋଦନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ପଠାଯିବ।

ଏଥିରେ ପ୍ରକଳ୍ପ ଗୁଡ଼ିକର ମୂଲ୍ୟ ଅଢ଼େଇ ଲକ୍ଷରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ରହିବ। ଆବଶ୍ୟକସ୍ଥଳେ ଏହି ସୀମାକୁ ପରିବର୍ତ୍ତନ କାର୍ଯ୍ୟକାରୀ ହେବ। ପ୍ରକଳ୍ପ ଗୁଡ଼ିକର ସ୍ବଚ୍ଛତା ବଜାୟ ରଖିବା ପାଇଁ ଏକ ଓ୍ବେବ ଆଧାରିତ ଏମଆଇଏସ ଓ ମୋବାଇଲ୍ ଆପ୍ ବିକଶିତ କରାଯିବ। ପ୍ରତି ପ୍ରକଳ୍ପର ଜିଆଇ ଟ୍ୟାଗିଂ କରାଯିବ। ପୂର୍ବ ପ୍ରଚଳିତ ଆମ ଗାଁ ଆମ ବିକାଶ ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଆମ ଓଡ଼ିଶା ନବୀନ ଓଡ଼ିଶା ନାମକ ଅଭିନବ ପ୍ରୟାସ କରିଛନ୍ତି।

ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର, ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନୂଆ ଯୋଜନା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୯ ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଆରମ୍ଭ ହେଲା ପଞ୍ଚାୟତିରାଜ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶା । ଏହି ପ୍ରସ୍ତାବରେ କ୍ୟାବିନେଟରେ ମୋହର ମରାଯାଇଛି । ନୂଆ ଯୋଜନା ଅନୁସାରେ ପ୍ରତି ପଞ୍ଚାୟତକୁ ମିଳିବ ସ୍ବତନ୍ତ୍ର ଅନୁଦାନ । ଯୋଜନା କାର୍ଯ୍ୟକାରିତା ପାଇଁ ଗାଇଡଲାଇନକୁ ମଂଜୁରୀ ମିଳିଛି ।

ସେପଟେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ମାଗଣା ଜମି ପ୍ରଦାନକୁ ଅନୁମୋଦନ ମିଳିଛି । ବିଶ୍ବବିଦ୍ୟାଳୟକୁ ମିଳିବ ୮ ଦଶମିକ ୬୯୩ ଏକର ଜମି । ଲମତାପୁଟ ଡିଗ୍ରୀ କଲେଜକୁ ମିଳିବ ୫ଏକର ଜମି । ଏଥିପାଇଁ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ସେହିପରି ଅଷ୍ଟମ ଅନୁଚ୍ଛେଦରେ କୁଇ ଭାଷାକୁ ସାମିଲ କରିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିବ ରାଜ୍ୟ । ଏହା କୁଇ ଭାଷା ସଂରକ୍ଷଣ, ବିକାଶ ଓ ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ । ଏହି ନିଷ୍ପତ୍ତିରେ ୭ ଲକ୍ଷରୁ ଅଧିକ କୁଇ ଭାଷାଭାଷୀ ଜନଜାତି ଉପକୃତ ହେବେ ।

ସିଆରପି, ଏମବିକେ ଓ କମ୍ୟୁନିଟି ଷ୍ଟାଫଙ୍କ ପାଇଁ ବଡ଼ ଘୋଷଣା, ମିଳିବ ପ୍ରସବକାଳୀନ ସବୈତନିକ ଛୁଟି

ଅନୁଗୁଳ: ମାଆଙ୍କ ପାଇଁ ବଡ଼ ଘୋଷଣା । ମାଆ ପାଇବେ ପ୍ରସବକାଳୀନ ସବୈତନିକ ଛୁଟି । କମ୍ୟୁନିଟି ରିସୋର୍ସ ପର୍ସନ ବା ସିଆରପି, ମାଷ୍ଟର ବୁକ କିପର ବା ଏମବିକେ ଏବଂ ସବୁ କମ୍ୟୁନିଟି ଷ୍ଟାଫ ୬ ମାସର ପ୍ରସବକାଳୀନ ଛୁଟି ପାଇପାରିବେ । ଏହି ସମୟରେ ମାଆମାନଙ୍କୁ ଦରମା ମଧ୍ୟ ମିଳିବ । ସରକାରୀ କର୍ମଚାରୀଙ୍କୁ ଛୁଟି ଦିଆଯିବା ଭଳି ସବୁ କମ୍ୟୁନିଟି ଷ୍ଟାଫଙ୍କୁ ୧୮୦ଦିନ ଛୁଟି ଦେବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଅନୁଗୁଳ ପିଟିସି ପଡ଼ିଆରେ ମାଆମାନଙ୍କ ସହିତ ଆଲୋଚନା କରି ଏହି ସୂଚନା ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ସେପଟେ ସିଡିପିଓ, ବିଡିଓଙ୍କ ଭଳି ମିଶନ ଶକ୍ତି ବ୍ଲକ ଫେଡେରେସନକୁ ଗାଡ଼ି ପ୍ରଦାନ କରାଯିବ ।

ଅଧିକ ସ୍ଥାନକୁ ଯାଇ ରୋଜଗାର ବଢାଇବାକୁ ଗାଡ଼ି ଦେବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ସିଆରପି, ଏମବିକେ, କମ୍ୟୁନିଟି ଷ୍ଟାଫଙ୍କୁ ସ୍କୁଟି ଯୋଗାଇ ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ସେହିପରି ଅନୁଗୁଳର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ଅନୁଧ୍ୟାନ କରିବା ସହି ଦିବ୍ୟାଙ୍ଗଙ୍କୁ ଭେଟି ଆଲୋଚନା କରିଥିଲେ 5T ସଚିବ । ଦିବ୍ୟାଙ୍ଗଙ୍କୁ ମିଳିଥିବା ସାଇକେଲ ଦେଖିବା ସହି ପୁନର୍ବାସ କେନ୍ଦ୍ରର ଉନ୍ନତିକରଣ ପାଇଁ ଆଉ କଣ ହୋଇପାରିବ ସେନେଇ ଅନୁଧ୍ୟାନ କରିଥିଲେ । ପରେ ଅନୁଗୁଳ ବ୍ଲାକ ଡାଇମଣ୍ଡ ଗସ୍ତ କରିଥିଲେ । ସେଠାରେ କଳାସଂସ୍କୃତିର ଝଲକ ବୁଲି ଦେଖିଥିଲେ ପାଇଭ-ଟି ସଚିବ । ମ୍ୟୁଜିଅମ ଓ ଇ-ଲାଇବ୍ରେରୀର ଅନୁଧ୍ୟାନ କରି ଏହାର ବିକାଶ ପାଇଁ ଆଲୋଚନା କରିଥିଲେ ।

“ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି”କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଗାଁରେ ମିଳିବ ସହରୀ ସୁବିଧା । ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ନୀତି ପ୍ରଣୟନ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ । ଏହି ନୀତି ଜରିଆରେ ଅଣଯୋଜନାବଦ୍ଧ ଓ ଅନିୟମିତ ସହରୀକରଣ ଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ ବିଭିନ୍ନ ପ୍ରଗତିଶୀଳ ଏବଂ ପ୍ରୟୋଗାତ୍ମକ ପଦକ୍ଷେପ ମାଧ୍ୟମରେ ସମାଧାନ କରାଯାଇପାରିବ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସହରାଞ୍ଚଳ ନାଗରିକ ଭଳି ସୁବିଧା, ସେବା ଏବଂ ଭିତ୍ତିଭୂମି ଯୋଗାଇଦେଇ ଅଞ୍ଚଳଗୁଡିକୁ ସହରାଞ୍ଚଳ ଭାବରେ ବିଜ୍ଞାପିତ କରାଯିବା ହେଉଛି ଏହି ନୀତିର ମୂଳ ଲକ୍ଷ୍ୟ ।

ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରୀ ତଥା ସେବା ପ୍ରଦାନ ପାଇଁ ସ୍ବତନ୍ତ୍ର ବଜେଟ୍ ବ୍ୟବସ୍ଥା, ନିର୍ବାଚିତ ପ୍ରତିନିଧୀ, ଅଧିକାରୀ ଏବଂ ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ଏହି ପରିବର୍ତ୍ତନ ପ୍ରକ୍ରିୟାର ଯୋଜନା, କାର୍ଯ୍ୟକାରିତା ଏବଂ ତଦାରଖରେ ସକ୍ରିୟ ଭାବରେ ଜଡିତ କରିବା ଏହି ନୀତିର ଅନ୍ୟତମ ଲକ୍ଷ୍ୟ । ଚିହ୍ନଟ ଗ୍ରାମାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧୀଙ୍କ କାର୍ଯ୍ୟକାଳ ସମାପ୍ତ ହେବାପରେ ସେଗୁଡିକୁ ସହରାଞ୍ଚଳ ଭାବରେ ଘୋଷଣା କରାଯିବ ।

ଗ୍ରାମାଞ୍ଚଳରେ ସଂଲଗ୍ନ ସହରାଞ୍ଚଳ ଭଳି ସମସ୍ତ ସହରୀ ସେବା ଯୋଗାଇବା ପାଇଁ ଭିତ୍ତିଭୂମି ଉନ୍ନତିକରଣ କରାଯିବ । ପରିବର୍ତ୍ତନ ଅବଧି ମଧ୍ୟରେ ଓ୍ବାର୍ଡ ଚିହ୍ନଟକରଣ ଏବଂ ଅନ୍ୟାନ୍ୟ ପ୍ରଶାସନିକ ପଦକ୍ଷେପ ନିଆଯିବ । ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ କାର୍ଯ୍ୟକ୍ଷେତ୍ରରୁ ଆସିଥିବା ବିଶେଷଜ୍ଞଙ୍କ ସହରୀ ଯୋଜନା, ଅର୍ଥ, ଇଞ୍ଜିନିୟରିଂ, ପରିଚାଳନା, ଆଇଟି, ଇତ୍ୟାଦି ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ପରିଚାଳନା ଏବଂ କାର୍ଯ୍ୟକାରିତା କମିଟି ଗଠନ ପାଇଁ ବ୍ୟବସ୍ଥା ରହିଛି ।

ଦିଲ୍ଲୀରେ ଅଧ୍ୟାଦେଶକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, କେଜରିୱାଲ ସରକାରଙ୍କୁ ମଧ୍ୟ ଆଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂ ଅଧିକାରକୁ ନେଇ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇଥିବା ଅଧ୍ୟାଦେଶ ବିରୋଧରେ ଅରବିନ୍ଦ କେଜରିୱାର ସରକାରଙ୍କ ପକ୍ଷରୁ ଦାଖଲ ଯାଚିକା ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଅଧ୍ୟାଦେଶ ଉପରେ ରୋକ୍ ଲଗାଇବା ପାଇଁ କେଜରିୱାଲ ସରକାର ଏହି ଯାଚିକା ଦାଖଲ କରିଥିଲେ । ଏହି ଯାଚିକା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆସନ୍ତା ସୋମବାର ସୁଦ୍ଧା ଜବାବ ଦାଖଲ କରିବାକୁ କେନ୍ଦ୍ରକୁ କହିଛନ୍ତି ।

ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ମଧ୍ୟ ନିଜ ଆବେଦନରେ ସଂଶୋଧନ ଏବଂ ମାମଲାରେ ଉପରାଜ୍ୟପାଳଙ୍କୁ ପକ୍ଷଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟସଭାରେ ବିଲକୁ ରୋକିବାକୁ ପ୍ରସ୍ତୁତି ମଧ୍ୟରେ କେଜରିୱାଲ ସରକାର ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ । ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଯଥାଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଥିଲେ । ଦିଲ୍ଲୀ ସରକାର ନିଜ ଯାଚିକାରେ କହିଛନ୍ତି ଯେ, ଅଧ୍ୟାଦେଶ କାର୍ଯ୍ୟକାରୀ ଆଦେଶ ଅସାମ୍ବିଧାନିକ ବ୍ୟବହାର ଅଟେ । ଯାହା ସୁପ୍ରିମକୋର୍ଟ ଏବଂ ସମ୍ବିଧାନର ମୂଳ ସଂରଚନାର ଉଲ୍ଲଂଘନ କରିବାକୁ ଉଦ୍ୟମ ଅଟେ ।

ଦିଲ୍ଲୀ ସରକାର ଅଧ୍ୟେଦେଶକୁ ରଦ୍ଦ କରିବା ବ୍ୟତୀତ ଏହା ଉପରେ ଅନ୍ତରୀଣ ରୋକ୍ ଲଗାଇବାକୁ ମଧ୍ୟ ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ଦିଲ୍ଲୀରେ ଗ୍ରୁପ-ଏ ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂ ପାଇଁ ଏକ ଅଥରିଟି ଗଠନ କରି ୧୯ ମଇରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର (ସଂଶୋଧନ) ଅଧ୍ୟାଦେଶ ୨୦୨୩ ଜାରି କରିଥିଲେ । ତେବେ ଏହା ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀରେ ପୋଲିସ, ପବ୍ଲିକ ଅର୍ଡର ଏବଂ ଲ୍ୟାଣ୍ଡକୁ ଛାଡି ଅନ୍ୟ ସବୁ ସେବାର ନିୟନ୍ତ୍ରଣ ଦିଲ୍ଲୀ ସରକାରଙ୍କ ଅଧିନରେ ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟର ଦୁଇଟି ସ୍ଥାନରେ ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ବଜ୍ରାଘାତରେ ୪ ମୃତ । ଜୟପୁରରେ ବୋରିଗୁମ୍ମା ବ୍ଲକର ଅଞ୍ଚଳା ଗାଁରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାଆ ଓ ପୁଅ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ହାଲବା । ଚାଷ ଜମିରେ କାମ କରୁଥିବାବେଳେ ବଜ୍ରପାତ ଘଟି ଉଭୟଙ୍କର ମୃତ୍ୟୁ ହୋଇଛି । ସେପଟେ ଅନୁଗୁଳରେ କାଠ ସଂଗ୍ରହ କରି ଘରକୁ ଫେରୁଥିବାବେଳେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ନାଲକୋ ବଳରାମପ୍ରସାଦ ନିକଟ ଆସପଣ୍ଡଠାରେ ଅଘଟଣ ଘଟିଛି । ମୃତ ମହିଳା ହେଲେ ସୁଷମା ବେହେରା ଓ ବେଣି ବେହେରା ।