ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଉପରେ ଏନଆଇଏର କାର୍ଯ୍ୟାନୁଷ୍ଠାନ, ଚଣ୍ଡିଗଡ଼ ଏବଂ ଅମୃତସରର ସମ୍ପତ୍ତି ଜବତ

1 min read

ଚଣ୍ଡିଗଡ଼: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କାନାଡାରେ ରହି ଭାରତ ବିରୋଧରେ ବିଷ ଓଗାଳୁଥିବା ପନ୍ନୁର ପଞ୍ଜାବ ଏବଂ ଚଣ୍ଡିଗଡ଼ ସ୍ଥିତ ସମ୍ପତ୍ତି ଜବତ କରିଛି ଏନଆଇଏ । ପ୍ରତିବନ୍ଧିତ ସଂଗଠନ ଶିଖ୍ ଫର ଜଷ୍ଟିସ (ଏସଏଫଜେ)ର ମୁଖିଆ ହେଉଛି ପନ୍ନୁ । ସେ କାନାଡା ଏବଂ ଅନ୍ୟ ଦେଶରୁ ଲଗାତାର ଭାରତ ବିରୋଧୀ ବୟାନ ଦେଇଥାନ୍ତି । ନିକଟରେ କାନାଡା-ଭାରତ ବିବାଦରେ ସେ କାନାଡାରେ ଥିବା ହିନ୍ଦୁମାନଙ୍କୁ ମଧ୍ୟ ଧମକ ଦେଇଥିଲେ । ଏନଆଇଏ ତରଫରୁ ଅମୃତସରର ଗାଁ ଖାନକୋଟରେ ପନ୍ନୁର ୪୬ କନାଲର ସମ୍ପତ୍ତି ଜବତ କରାଯାଇଛି ।

ଖାନକୋଟ ପନ୍ନୁର ପୈତୃକ ଗାଁ ଅଟେ । ଏହା ଏକ କୃଷିଭିତ୍ତିକ ଜମି ଅଟେ । ସେହିପରି ଚଣ୍ଡିଗଡ଼ର ସେକ୍ଟର ୧୫ସିରେ ପନ୍ନୁର ଘର ରହିଛି । ପୂର୍ବରୁ ୨୦୨୦ରେ ଏଗୁଡ଼ିକୁ ଆଟାଚ କରାଯାଇଥିଲା । ଏବେ ଏନଆଇଏ ଏହାକୁ ଜବତ କରିନେଇଛି । ଆଇନ ଅନୁସାରେ ପନ୍ନୁ ଏବେ ଏହି ସମ୍ପତ୍ତିର ମାଲିକ ରହିନାହିଁ । ଏବେ ଏହି ପ୍ରପର୍ଟି ସରକାରଙ୍କ ଅଧୀନକୁ ଚାଲିଆସିଛି । ଭାରତ ସରକାର ୨୦୧୯ରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ଅଭିଯୋଗରେ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ ଅର୍ଥାତ ୟୁଏପିଏ ଆଧାରରେ ପନ୍ନୁର ସଂଗଠନ ଏସଏଫଜେ ଉପରେ ବ୍ୟାନ୍ ଲଗାଇଥିଲେ ।

ଗୃହମନ୍ତ୍ରଣାଳୟ ନିଜର ଅଧିସୂଚନାରେ କହିଥିଲେ ଯେ ଶିଖମାନଙ୍କ ପାଇଁ ରେଫରେଣ୍ଡମର ଆଢୁଆଳରେ ଏସଏଫଜେ ପଞ୍ଜାବରେ ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀ ବିଚାରଧାରାର ସମର୍ଥନ କରିଥାଏ । ପନ୍ନୁ ଉପରେ ୨୦୨୦ରେ ବିଚ୍ଛିନ୍ନତାବାଦକୁ ପ୍ରାଧାନ୍ୟ ଦେବା ଏବଂ ପଞ୍ଜାବୀ ଶିଖ୍ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ଉଠାଇବା ପାଇଁ ପ୍ରୋତ୍ସାହନ କରୁଥିବା ନେଇ ଆରୋପ ଲାଗିଥିଲେ । ଏହାପରେ କେନ୍ଦ୍ର ସରକାର ୧ ଜୁଲାଇ ୨୦୨୦ରେ ପନ୍ନୁକୁ ୟୁଏପିଏ ଆଧାରରେ ଆତଙ୍କବାଦୀ ଘୋଷଣା କରିଥିଲେ । ୨୦୨୦ରେ ସରକାର ଏସଏଫଜେ ସହ ସମ୍ବନ୍ଧିତ ୪୦ରୁ ଅଧିକ ୱେବପେଜ୍ ଏବଂ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଥିଲେ ।