ପୂର୍ବତନ କର୍ମଚାରୀଙ୍କ ବଡ଼ ବୟାନ, ଜାଣନ୍ତୁ ସମ୍ବାଦରେ କେମିତି ହୁଏ ଲୋନ୍ ସ୍କାମ୍

1 min read

ଭୁବନେଶ୍ବର: ସମ୍ବାଦ ବ୍ୟାଙ୍କ ସ୍କାମ୍ ମାମଲାରେ ଦିନକୁ ଦିନ ଅନେକ ତଥ୍ୟ ପ୍ରମାଣ EOW ପାଖକୁ ଆସିବାରେ ଲାଗିଛି । ଜଣକ ପରେ ଜଣେ ପୂର୍ବତନ କର୍ମଚାରୀ ଆଣୁଛନ୍ତି ସାଂଘାତିକ ଅଭିଯୋଗ । ଏବେ ସମ୍ବାଦରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ପ୍ରତି କଂପାନୀ କିଭଳି ଶୋଷଣ ଓ ଅତ୍ୟାଚାର କରିଥିଲା ତାର ପ୍ରମାଣ ନନ୍ଦିଘୋଷ ଟିଭି ହାତରେ ଲାଗିଛି । ସମ୍ବାଦର COO କମାଳାକାନ୍ତ ମହାପାତ୍ରଙ୍କ ଦସ୍ତଖତରେ ୨୦୧୯ ସେପ୍ଚେମ୍ବର ୯ ତାରିଖରେ ରାଜ କୁମାର ମିଶ୍ରଙ୍କୁ ଏହି ଅଫର ଲେଟର ପ୍ରଦାନ କରାଯାଇଥିଲା । ତାଙ୍କୁ ସାର୍କୁଲେସନର ସିନିଅର ଏକଜିକ୍ୟୁଟିଭ ଭାବେ ୨୨୦୦୦ ଟଙ୍କା ଦରମାରେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଏ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଅଛି ।

ସୌମ୍ୟ ପଟ୍ଟନାୟକଙ୍କ ଇଷ୍ଟର୍ଣ୍ଣ ମିଡିଆ ପକ୍ଷରୁ ତାଙ୍କସହ କିଭଳି ଚଞ୍ଚକତା ଓ ଠକେଇ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ରାଜକୁମାରଙ୍କୁ ପ୍ରଦାନ କରାଯାଇଥିବା ସାଲାରି ସ୍ଲିପ ଉପରେ ଦରମା ଓ ବିଭିନ୍ନ ଆଲାଉନ୍ସ ବାବଦ ଅର୍ଥ ସଂପର୍କରେ ଉଲ୍ଲେଖ ଥିବା ବେଳେ EPF ଓ ESI ଘର ସଂପୂର୍ଣ୍ଣ ଖାଲିପଡ଼ିଛି । ଜଣେ କର୍ମଚାରୀଙ୍କର ESI ଓ EPF ବାବଦକୁ ଟଙ୍କା ଡିପୋଜିଟର ନିୟମ ଥିବାବେଳେ ସମ୍ବାଦ ଏହାକୁ ଜାଣିଶୁଣି କିଭଳି ଉଲଂଘନ କରିଛି ଓ କର୍ମଚାରୀଙ୍କୁ ଠକିଛି ତାହା ସ୍ପଷ୍ଟ ପ୍ରମାଣିତ ହେଉଛି । ଲୋନ୍ ସ୍କାମର କାର୍ପଟଦାରମାନେ ESI ଓ EPF କଲମ୍ ସାଲାରି ସ୍ଲିପରେ ରଖି, ଏହାକୁ ଖାଲି ଛାଡ଼ିଦେଇଛନ୍ତି । କର୍ମଚାରୀଙ୍କ ଅଂଶ ସହ ସମ୍ବାଦ ନିଜର ଅଂଶ ମଧ୍ୟ EPF ଆକାଉଣ୍ଟରେ ଡିପୋଜିଟ୍ କରିନାହିଁ । ଏପରିକି ତାଙ୍କ ନାଁରେ EPF ଆକାଉଣ୍ଟ ମଧ୍ୟ ଖୋଲାଯାଇନାହିଁ ।

କର୍ମଚାରୀଙ୍କୁ ସମ୍ବାଦ କିଭଳି ଶୋଷଣ କରୁଛି ତାହା ଏତିକିରେ ସରିନାହିଁ । ସଂପୃକ୍ତ ରାଜକୁମାର ମିଶ୍ର ଯେତେବେଳେ ଚାକିରି ଛାଡି଼ଲେ ସେତେବେଳେ ସେ ସମ୍ବାଦର HR ବୈଜୟନ୍ତୀ କରଙ୍କୁ ଏକ ମେଲ୍ ଦେଇଥିଲେ । ୨୦୨୧ ଜୁଲାଇ ୨୪ ତାରିଖର ଏ ମେଲକୁ ଦେଖନ୍ତୁ । ଏଥିରେ ସେ ଲେଖିଛନ୍ତି, ମ୍ୟାଡାମ୍ ମୋର ବାକିଥିବା ଟଙ୍କା ପ୍ରଦାନ କରିଦିଅନ୍ତୁ ଏବଂ ମୋ ନାଁରେ କଂପାନୀ କରିଥିବା ପର୍ସନାଲ୍ ଲୋନକୁ ବନ୍ଦ କରିଦିଅନ୍ତୁ । ଜଣେ କର୍ମଚାରୀଙ୍କର ESI, EPF କାଟୁନଥିୂବା ସୌମ୍ୟ ପଟ୍ଟନାୟକଙ୍କ ସମ୍ବୂାଦ, ସଂପୃକ୍ତ କର୍ମଚାରୀଙ୍କ ନାଁରେ ଲୋନ୍ କରିବାକୁ କିନ୍ତୁ ଭୁଲିନଥିଲା । ଜଏନ୍ କରିବାର ମାତ୍ର ଦିନ ଦେଇଟା ମଧ୍ୟରେ ହୋଇଥିଲା ଲୋନ୍ । ଏପରିକି ମାତ୍ର ବର୍ଷେ ପାଇଁ ନିଯୁକ୍ତି ଦେଇଥିବା ଏ କର୍ମଚାରୀଙ୍କୁ ବି ଛାଡ଼ି ନଥିଲା ସୌମ୍ୟଙ୍କ ସମ୍ବାଦ । ଜଣେ ବ୍ୟକ୍ତି ନେହୁରା ହେଉଛନ୍ତି ଯେ, ମୋ ନାଁରେ ସମ୍ବାଦ କରିଥିବା ଋଣକୁ ବନ୍ଦ କରିଦିଅନ୍ତୁ କିନ୍ତୁ ଏହାକୁ ଅଣଦେଖା କରିଚାଲିଛନ୍ତି ଲୋନ୍ ସ୍କାମର ଅନ୍ୟତମ କାର୍ପଟଦାର ବୈଜୟନ୍ତୀ କର ।