ଯୁଦ୍ଧ ଲାଗି ଚୀନ ହେଉଛି ପ୍ରସ୍ତୁତ!

1 min read

ନନ୍ଦିଘୋଷ ବ୍ୟୁରୋ: ଆମେରିକା ଓ ସାରା ବିଶ୍ବ ଲାଗି ଚୀନ ସାଜିଲାଣି ବିପଦ । ଯୁଦ୍ଧ ଲାଗି ଚୀନ ହେଉଛି ପ୍ରସ୍ତୁତ । ଏହି ଚାଞ୍ଚଲ୍ଯକର ବୟାନ ଦେଇଛନ୍ତି ଭାରତୀୟ-ଆମେରିକୀୟ ନାଗରିକ ତଥା ଆସନ୍ତା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବାକୁ ଯାଉଥିବା ପ୍ରାର୍ଥୀ ନିକ୍କି ହାଲେ । ସେ କହିଛନ୍ତି- ବିଭିନ୍ନ କ୍ଷେତ୍ରରେ ଆମେରିକାକୁ ପରାସ୍ତ କରିବା ଲାଗି ଚୀନ ଦୀର୍ଘ ୫୦ ବର୍ଷ ଧରି ଉଦ୍ୟମ ଜାରି ରଖିଛି । ଆମେରିକାର ସେନା ସାମର୍ଥ୍ଯ ସହ ଚୀନ ବର୍ତ୍ତମାନ ସମକକ୍ଷ । ବିଭିନ୍ନ ଆମେରିକୀୟ ନୀତି ପ୍ରସଙ୍ଗରେ ଉଦବୋଧନ ଦେଇ ନିକ୍କି ଏହା କହିଛନ୍ତି । 

ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପଙ୍କ ପରେ ବର୍ତ୍ତମାନ ବିବେକ ରାମସ୍ବାମୀ ଓ ନିକ୍କି ହାଲେ ଦଳ ପକ୍ଷରୁ ପ୍ରମୁଖ ଦାବିଦାର ହେବାରେ ଲାଗିଛନ୍ତି । କମ୍ଯୁନିଷ୍ଟ ଚୀନ ବର୍ତ୍ତମାନ ଆମରେିକାର ସ୍ଥିତି ପ୍ରତି ଚାଲେଞ୍ଜ ସୃଷ୍ଟି କଲାଣି ଓ ଶକ୍ତି ଓ ସ୍ବାଭିମାନ ଆମେରିକୀୟମାନଙ୍କ ଏକ ଆବଶ୍ଯକତା । ଆମେରିକାର ମାନଫାକ୍ଚରିଂ କ୍ଷେତ୍ରର ଚାକିରି ବର୍ତ୍ତମାନ ଚୀନ ନିଜ ହାତକୁ ନେଇଗଲାଣି ବୋଲି ସେ କହିଛନ୍ତି । ବାଣିଜ୍ଯ କ୍ଷେତ୍ରରେ ରହିଥିବା ଟ୍ରେଡ ସିକ୍ରେଟ ଚୀନ ପାଇସାରିଛି । ବର୍ତ୍ତମାନ ମେଡିସିନଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତିର ନିୟନ୍ତ୍ରଣ ବି ଚୀନ ହାତକୁ ଚାଲିଗଲାଣି । ଏକ ଦୁର୍ବଳ ଅର୍ଥନୈତିକ ରାଷ୍ଟ୍ର ଭାବେ ଥିବା ଚୀନ ଏବେ ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ ହୋଇଗଲାଣି ।

ଆମେରିକାକୁ ଚାଲେଞ୍ଜ ଦେବା ଲାଗି ଚୀନ ସାମରିକ ଶକ୍ତିକୁ ଅତିଶୟ ବୃଦ୍ଧି କରିଛି । ଏସିଆ ଓ ଆନ୍ୟାନ୍ୟ ଭାଗରେ ନିଜର ପ୍ରଭାବ ବୃଦ୍ଧି ଲାଗି ଚୀନ ସକ୍ଷମ ହେବାରେ ଲାଗିଛି ବୋଲି ସାଉଥ କାରୋଲିନାରୁ ଦୁଇଥର ଗଭର୍ଣ୍ଣର ହୋଇଥିବା ହାଲେ କହିଛନ୍ତି । ପ୍ରତି କ୍ଷେତ୍ରରେ ଆମେରିକାକୁ ଚୀନ ଟକ୍କର ଦେଉଛି । ଏପରିକି ଆମେରିକା ଆକାଶକୁ ସ୍ପାଏ ବେଲୁନ ଛାଡି କ୍ୟୁବା ନିକଟରେ ଚୀନ ନିଜର ଏକ ସ୍ପାଏ ବେସ୍ ନିର୍ମାଣ କରୁଛି । ଆମେରିକା ବିରୋଧରେ ଯୁଦ୍ଧ କରିବା ଲାଗି କମ୍ୟୁନିଷ୍ଟ ଚୀନ ଉଦ୍ୟମ କରିବା ସହ ଏହାର ନେତାମାନେ ବିଜୟ ହାସଲ ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି ।