ପୁଣି ରକ୍ତମୁଖା ଋଷ, ମିଜାଇଲ୍ ମାଡ଼ରେ ୫୦ରୁ ଉର୍ଦ୍ଧ୍ୱ ମୃତ

କିଭ୍: କିଛି ମାସର ବ୍ୟବଧାନ ପରେ ପୁଣି ରକ୍ତମୁଖା ଋଷ। ପଶ୍ଚିମ ୟୁକ୍ରେନର ଏକ ଅଞ୍ଚଳରେ କରିଛି ରକେଟ ମାଡ। ଆକ୍ରମଣରେ ପ୍ରାଣ ହରାଇଛନ୍ତି ୫୧ ଜଣ ନାଗରିକ। କିଛି ମାସ ପରେ ଏହି ଆକ୍ରମଣ ସବୁଠାରୁ ବଡ ବୋଲି ସୂଚନା ମିଳିଛି। ସେପଟେ ସ୍ପେନରେ ୫୦ ଜଣ ୟୁରୋପୀୟ ନେତାଙ୍କ ସହ ବୈଠକରେ ଯୋଗଦେଇଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।

ପଶ୍ଚିମ ୟୁକ୍ରେନ ଅନ୍ତର୍ଗତ ଖାର୍କିବର ଏକ ଗ୍ରାମରେ ଥିବା ଏକ କାଫେ ଉପରେ ଋଷ ଅଚାନକ ରକେଟ ମାଡ କରିଥିଲା। ସେଠାରେ ଥିବା ୬୦ ଲୋକଙ୍କ ମଧ୍ୟରୁ ୫୦ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ଥିବା ସୂଚନା ମିଳିଛି। ଏହି ହମଲାରେ ଇସ୍କନ୍ଦର ମିସାଇଲ ବ୍ୟବଦୃତ ହୋଇଥିବା କହିଛି ୟୁକ୍ରେନ। ଏହି ଅଞ୍ଚଳକୁ ପ୍ରଥମେ ଋଷ ନିଜ କବଜାରେ ରଖିଥିଲା। ମାତ୍ର ଗତବର୍ଷ ସେପ୍ଟେମ୍ବରରୁ ଏହାକୁ ପୁଣି କବଜା କରିଛି ୟୁକ୍ରେନ।