କାଲି ସରିଯିବ ୨୦୦୦ ଟଙ୍କିଆ ନୋଟର ଅବଧି

ନୂଆଦିଲ୍ଲୀ: ଆସନ୍ତାକାଲି ସରିଯିବ ୨୦୦୦ ଟଙ୍କିଆ ନୋଟର ଅବଧି। କାଲି ହେଉଛି ୨ ହଜାର ଟଙ୍କା ନୋଟ ବଦଳାଇବାର ଶେଷ ଦିନ। ଏହାପରେ ଆଉ କୌଣସି ବ୍ୟାଙ୍କ ବ୍ରାଂଚରେ ନୋଟକୁ ବଦଳାଯାଇପାରିବ ନାହିଁ। ପୂର୍ବରୁ ସେପ୍ଟେମ୍ବର ୩୦ ସୁଦ୍ଧା ନୋଟ ବଦଳାଇବାକୁ ସମୟ ସୀମା ଧାର୍ଯ୍ୟ କରିଥିଲେ ରିଜର୍ଭ ବ୍ୟାଙ୍କ। ପରେ ଏହାର ଅବଧି ଅକ୍ଟୋବର ୭କୁ ବୃଦ୍ଧି କରାଯାଇଥିଲା। ଆସନ୍ତାକାଲି ଶନିବାର ଥିବାରୁ ଅନେକ ବ୍ୟାଙ୍କରେ ଅଧା ଦିନ ଅଫିସ୍ କାର୍ଯ୍ୟ ରହିବ। ତେଣୁ ଗ୍ରାହକଙ୍କୁ ନୋଟ୍ ବଦଳାଇବାକୁ କମ ସମୟ ମିଳିବ।

୩୧ ମାର୍ଚ୍ଚ ସୁଦ୍ଧା ଦେଶରେ ୩.୫୬ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ବଜାରରେ ମହଜୁଦ ଥିବା ବେଳେ ସେଥିମଧ୍ୟରୁ ୩. ୪୩ ଲକ୍ଷ କୋଟିର ନୋଟ ବ୍ୟାଙ୍କରେ ମହଜୁଦ ହୋଇସାରିଛି। ଅର୍ଥାତ୍ ୦.୧୪ଲକ୍ଷ କୋଟି ଟଙ୍କା ବର୍ତ୍ତମାନ ଦେଶରେ ମହଜୁଦ ଅଛି। ୨୯ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୯୬% ୨୦୦୦ ଚଙ୍କିଆ ନୋଟ ଫେରସ୍ତ ହୋଇସାରିଥିଲା। ଏଥିସହ ଆରବିଆଇ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଯଦି ଆପଣ ୨୦୦୦ ଟଙ୍କିଆ ଟଙ୍କାକୁ ସଠିକ୍ ସମୟ ମଧ୍ୟରେ ବ୍ୟାଙ୍କରେ ଜମା କରିପାରିବେ ନାହିଁ ତାହାଲେ ଆରବିଆଇର ୧୯ କ୍ଷେତ୍ରୀୟ କାର୍ଯ୍ୟାଳୟରେ ବଦଳାଇଯାଇପାରିବ।

୨୦୦୦ ଟଙ୍କିଆ ନୋଟ ପ୍ରଥମ ଥର ପାଇଁ  ୨୦୧୬ରେ ମାର୍କେଟକୁ ଆସିଥିଲା। ୭ ଅକ୍ଟୋବର ୨୦୨୩ ନୋଟର ଶେଷ ଦିନ ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୨୦୦୦ ଟଙ୍କିଆ ନୋଟକୁ ମେ ୧୯ ତାରିଖରୁ ଏହା ଉପରେ କଟକଣା ଲଗାଇଥିଲେ କିନ୍ତୁ ଏହାକୁ ବ୍ୟାଙ୍କରେ ଜମା କରିବାକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ଯଦି ଆପଣଙ୍କ ପାଖରେ ଏବେବି ୨୦୦୦ ଟଙ୍କିଆ ନୋଟ ମହଜୁଦ ଅଛି ତାହାଲେ ଆପଣ କାଲି ଭିତରେ ଏହାକୁ ବ୍ୟାଙ୍କରେ ଜମା କରିପାରିବେ।