ଗାଜାକୁ ଇସ୍ରାଏଲ ସେନାର କଡ଼ା ନିର୍ଦ୍ଦେଶ : ତୁରନ୍ତ ୨୪ ଘଣ୍ଟା ମଧ୍ୟରେ ଗାଜା ଛାଡ଼

ନୂଆଦିଲ୍ଲୀ :  ଇସ୍ରାଏଲ ସଂଲଗ୍ନ ଗାଜା ସୀମାନ୍ତରୁ ୧୧ ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ସ୍ଥାନ ଛାଡିବାକୁ ଚେତାବନୀ । ୨୪ ଘଣ୍ଟା ମଧ୍ୟରେ ପାଲେଷ୍ଟାଇନ ନାଗରିକଙ୍କୁ ଗାଜାର ଦକ୍ଷିଣ ଅଂଚଳକୁ ଚାଲିଯିବାକୁ କୁହାଯାଇଛି । ଇସ୍ରାଏଲ ସେନା ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ଜାତିସଂଘ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଇସ୍ରାଏଲ ସୀମାନ୍ତ ଗାଜାର ଏହି ଅଂଚଳରୁ ଥିବା ଜାତିସଂଘ କାର୍ଯ୍ୟାଳୟକୁ କର୍ମଚାରୀଙ୍କୁ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଇସ୍ରାଏଲ ସେନାର ଏହି ନିର୍ଦ୍ଦେଶକୁ ନେଇ ଚିନ୍ତା ପ୍ରକଟ କରିଛି ଜାତିସଂଘ । ବିନାଶକାରୀ ଏବଂ ଭୟାବହ ପରିଣାମ ବିନା ଏଭଳି ସ୍ଥାନାନ୍ତରଣ ଅସମ୍ଭବ ବୋଲି କହିଛନ୍ତି ଜାତିସଂଘ ମୁଖପାତ୍ର ଷ୍ଟିଫେନ୍ ଦୁଦାରିକ୍। ସେପଟେ ଇସ୍ରାଏଲ ପଡୋଶୀ ସିରିଆର ଦୁଇ ଏୟାରପୋର୍ଟ ଉପରେ ମଧ୍ୟ ଆକ୍ରମଣ କରିଛି । ଦସ୍ମିକ ଏବଂ ଆଲେପ୍ପୋ ବିମାନବନ୍ଦରରେ ବୋମା ବର୍ଷଣ କରିଥିଲା ଇସ୍ରାଏଲ ସେନା । ଏହାପରେ ଏହି ଦୁଇ ବିମାନ ବନ୍ଦରକୁ ବନ୍ଦ କରି ଦିଆଯାଇଛି । ଇସ୍ରାଏଲ ଏବଂ ଲେବନାନ ମଧ୍ୟରେ ମଧ୍ୟ ଏହି ବିବାଦୀୟ ସ୍ଥାନକୁ ନେଇ ଦୁଇ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା ।