ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ । ପାହାଡ଼ରୁ ବିରାଟ ପଥର ଧସିବା ଯୋଗୁ ଜାମ୍ମୁ-ଶ୍ରୀନଗର ହାଇଓ୍ବେ ଦେଇ ଯାତାୟାତ ବନ୍ଦ ହୋଇଛି । ଲ୍ୟାଣ୍ଡ୍ ସ୍ଲାଇଡ ଯୋଗୁ ରାସ୍ତା ବନ୍ଦ ହୋଇଥିବା ବେଳେ ଉଭୟ ପାର୍ଶ୍ବରେ ଯାତ୍ରୀମାନେ ଅଟକି ରହିଛନ୍ତି । ହାଇଓ୍ବେ ଜାମ୍ ଫଳରେ ଅମରନାଥ ଯାତ୍ରୀମାନେ ଚନ୍ଦେରକୋଟ ଯାତ୍ରୀ ନିବାସରେ ଅଟକି ରହିଛନ୍ତି । ହାଇଓ୍ବେ ସଫା ନହେବା ଯାଏଁ ସେହି ରାସ୍ତା ଦେଇ ଗାଡ଼ିମୋଟର ନଯିବାକୁ ପ୍ରଶାସନ ପକ୍ଷରୁ ଆଲର୍ଟ କରାଯାଉଛି । ଜୁଲାଇ ୧ ତାରିଖରୁ ବାବା ଅମରନାଥଙ୍କ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏବେ ସୁଦ୍ଧା ୪ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।
ହରିୟାଣା ହିଂସା ପରେ ବୁଲଡୋଜର ଆକ୍ସନ, ମାଟିରେ ମିଶିଲା ଏକାଧିକ ଘର ଓ ଦୋକନ
ଚଣ୍ଡିଗଡ଼: ହରିୟାଣା ନୁହରେ ହିଂସା ପରେ ବୁଲଡୋଜର ଆକ୍ସନ । ତିନି ଦିନ ଧରି ନୁହ ଓ ଆଖପାଖ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜୋରଦାର ଚାଲିଛି । ଧାର୍ମିକ ଶୋଭାଯାତ୍ରା ବେଳେ ଏକ ହୋଟେଲ ଉପରୁ ପଥର ମାଡ଼ କରାଯାଇଥିବା ଜଣାପଡ଼ିବା ପରେ ନୁହରେ ଥିବା ଏକ ବହୁତଳ ବିଶିଷ୍ଟ ହୋଟେଲକୁ ଭାଙ୍ଗି ଦିଆଯାଇଛି । ନୁହ ଓ ଏହାର ଆଖପାଖରେ ଅନେକ ଦୋକାନ ଓ ଘରକୁ ପ୍ରଶାସନ ଭାଙ୍ଗି ଦେଇଛି । ସାମ୍ପ୍ରଦାୟିକ ହିଂସାରେ ସମ୍ପୃକ୍ତି ଥିବା ସନ୍ଦେହରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଛି ।
ନୁହ ଗୋଷ୍ଠୀ ସଂଘର୍ଷରେ ଏବେ ସୁଦ୍ଧା ୧୦୬ ମାମଲା ରୁଜୁ ହୋଇଥିବା ବେଳେ ୨୧୬ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଆଜି ନୁହରେ ଏକ ଗୋଷ୍ଠୀ ପକ୍ଷରୁ ମହାପଞ୍ଚାୟତର ଆୟୋଜନ କରାଯାଇଛି । ପ୍ରାୟ ୧ ହଜାର ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଥିବାରୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ଗାଡ଼ି ମୋଟର ଯାଞ୍ଚ କରିବା ସହ ସ୍ଥିତି ଉପରେ କଡ଼ା ନଜର ରଖିଛି ।
ପୁଣି ଭାରତୀୟ ଯୁବକଙ୍କ ପ୍ରେମରେ ଜଣେ ପାକିସ୍ତାନୀ ମହିଳା, ଭର୍ଚୁଆଲରେ ଅରବାଜଙ୍କୁ ବାହାହେଲେ କରାଚିର ଅମିନା
ନୂଆଦିଲ୍ଲୀ: ପୁଣି ଭାରତୀୟ ଯୁବକଙ୍କ ପ୍ରେମରେ ଜଣେ ପାକିସ୍ତାନୀ ମହିଳା । ଯୋଧପୁରର ଜଣେ ଯୁବକଙ୍କୁ ଭର୍ଚୁଆଲରେ ବାହା ହୋଇଛନ୍ତି ପାକିସ୍ତାନୀ ମହିଳା । ଭାରତକୁ ଆସିବା ଲାଗି ଭିସା ପାଇବାରେ ବିଫଳ ହେବା ପରେ ସେ ଏହି ପଥ ବାଛିନେଇଥିଲେ । କରାଚିର ଅମିନା ନାମ୍ନୀ ମହିଳା ଭିସା ପାଇବାରେ ବ୍ଯର୍ଥ ହେବା ପରେ ସେ ଅରବାଜ ଖାନଙ୍କୁ ଭର୍ଚୁଆଲରେ ବାହା ହୋଇଥିଲେ । ଅରବାଜ କହିଛନ୍ତି ଭିସା ଲାଗି ଅମିନା ଆବେଦନ କରିଥିଲେ । ସ୍ବୀକୃତି ନମିଳିବା କାରଣରୁ ସେ ପାକିସ୍ତାନରେ ବିବାହ କରିବେ ନାହିଁ । ଏଣୁ ସେ ତାଙ୍କୁ ଭର୍ଚୁଆଲରେ ବିବାହ କରିଛନ୍ତି । ତେବେ ଅମିନା ଭାରତରେ ପହଞ୍ଚିବା ପରେ ତାଙ୍କୁ ସେ ପୁନଃବିବାହ କରିବେ । ଭର୍ଚୁଆଲରେ ବିବାହ କରିବା ଲାଗି ଗତ ୨ ଅଗଷ୍ଟରେ ଅରବାଜ ନିଜ ସମ୍ପର୍କୀୟଙ୍କ ସହ ଯୋଧପୁରର ଓସଓ୍ବାଲ ସମାଜ ଭବନକୁ ଯାଇଥିଲେ । ଯୋଧପୁରର ଜଣେ କାଜିଙ୍କ ଦ୍ବାରା ଏହି ଭର୍ଚୁଆଲ ମ୍ୟାରେଜ ସମ୍ପନ୍ନ ହୋଇଥିଲା ।
ଅନ୍ୟପକ୍ଷରେ ଖୁବ୍ ଶୀଘ୍ର ଅମିନା ଭାରତ ଆସିବା ଲାଗି ଭିସା ପାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଅରବାଜ । କିଛି ଦିନ ତଳେ ପାକିସ୍ତାନର ସୀମା ହାଇଦର ନାମ୍ନୀ ଜଣେ ମହିଳା ନିଜର ୪ ସନ୍ତାନଙ୍କୁ ଧରି ନୋଏଡା ଚାଲିଆସିଥିଲେ ଏବଂ ସଚିନ ନାମକ ଜଣେ ଯୁବକଙ୍କୁ ବାହା ହୋଇଥିଲେ । ଏକ ମୋବାଇଲ ଗେମ୍ ଖେଳୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା ।
ରେସିଂରେ ବାଇକ କ୍ରାସ୍, ଆଖିବୁଜିଲେ ୧୩ ବର୍ଷ ବୟସ୍କ ବେଙ୍ଗାଳୁରୁ କିଡ୍ ଶ୍ରେୟସ ହରିଶ
ଚେନ୍ନାଇ: ରେସିଂ ପ୍ରତିଯୋଗିତାରେ ୧୩ ବର୍ଷୀୟ ବାଇକ ରେସରଙ୍କ ମୃତ୍ୟୁ । ଚେନ୍ନାଇର ଇରୁଙ୍ଗାଟ୍ଟୁକୋଟମରେ ଆୟୋଜିତ ନ୍ୟାସନାଲ ମୋଟରସାଇକେଲ ରେସିଂ ଚାମ୍ପିଅନସିପରେ ରେସିଂ ପ୍ରତିଯୋଗିତାରେ ସାମିଲ ଥିବାବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି କୋପରମ ଶ୍ରେୟସ ହରିଶ । ଗତ ମେ ମାସରେ ସ୍ପେନରେ ଆୟୋଜିତ ଟୁ-ହୁଇଲର ରେସିଂ ବିଶ୍ବ ଚାମ୍ପିଅନସିପରେ ଫାଇନାଲରେ ପ୍ରବେଶ କରିବା କ୍ଷେତ୍ରରେ ଶ୍ରେୟସ ଥିଲେ ପ୍ରଥମ ଭାରତୀୟ ।
ବେଙ୍ଗାଲୁରୁ କିଡ୍ ନାମରେ ଖ୍ୟାତି ଅର୍ଜନ କରିଥିବା ଶ୍ରେୟସ ପ୍ରତିଯୋଗିତାରେ ଏକ ୨୦୦ ସିସି ମୋଟର ବାଇକ ଚଳାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଶ୍ରେୟସଙ୍କ ପଛରେ ଥିବା ଅନ୍ୟ ଜଣେ ଚାଳକ ଶ୍ରେୟସଙ୍କୁ ଗାଡିକୁ ଧକ୍କା ଦେବାରୁ ଶ୍ରେୟସ ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ଶ୍ରେୟସଙ୍କ ମୃତ୍ୟୁ ଘଟିସାରିଥିଲା । ଶ୍ରେୟସଙ୍କ ମୃତ୍ୟୁ ପରେ ମାଡ୍ରାସ ମୋଟର ସ୍ପୋର୍ଟ୍ସ କ୍ଳବର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଗତ ଜୁଲାଇ ୨୬ ତାରିଖରେ ନିଜର ୧୩ ତମ ଜନ୍ମଦିନ ପାଳନ କରିଥିଲେ ଶ୍ରେୟସ । ଏଫଆଇଏମ ମିନି ଜିପିରେ କ୍ୟାରିୟର ଆରମ୍ଭ କରିଥିଲେ ଶ୍ରେୟସ ଏବଂ ୨୦୨୨ରେ ସେ ଚାମ୍ପିଅନସିପରେ ବିଜୟୀ ହୋଇଥିଲେ । ଟିଭିଏସ ପକ୍ଷରୁ ତାଙ୍କୁ ଏକ ବାଇକ ବି ଯୋଗାଇ ଦିଆଯାଇଥିଲା ।
ରାଜ୍ୟରୁ ଟଳିଲା ବନ୍ୟା ବିପଦ, ସବୁ ନଦୀରେ କମୁଛି ପାଣି
ଭୁବନେଶ୍ୱର: ରାଜ୍ୟରୁ ଟଳିଲା ବନ୍ୟା ବିପଦ । ହୀରାକୁଦର ଜଳସ୍ତର ୬୨୧.୯୫ ଫୁଟରେ ପ୍ରବାହିତ ହେଉଛି । ଜଳ ଭଣ୍ଡାରକୁ ୩ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ଓ ୩ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ତେଣୁ ସ୍ଥିତି ସ୍ଥିର ଅଛି । ହୀରାକୁଦର ୨୦ ଗେଟ୍ ଖୋଲା ଅଛି । ବର୍ତ୍ତମାନ ଆଉ ଖୋଲିବାର ନାହିଁ । ସ୍ଥିତି ନିରୀକ୍ଷଣ କରାଯାଉଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ସବୁଠାରେ ପାଣି ଖସିବା ଆରମ୍ଭ ହେଲାଣି । ଦିନେ ଦୁଇ ଦିନ ଭିତରେ ସବୁଠାରୁ ପାଣି ଖସିଯିବ । ଆତଙ୍କିତ ହେବାର କିଛି ନାହିଁ । ଘାଇ ମରାମତି କାମ ହେବା ସହ କିଛି କାମ ସରିଲାଣି । ମୁଣ୍ଡଳୀରେ ୨ ଲକ୍ଷ ୬୧ ହଜାର କ୍ୟୁସେକ୍ ଜଳ ପ୍ରଭାହିତ ହେଉଛି । ବାରମୁଲଠାରେ ୩ ଲକ୍ଷ ୯୬ ହଜାର କ୍ୟୁସେକ୍ ଓ ଖଇରମାଲରେ ୪ ଲକ୍ଷ ୭୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।
ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ 5T ସଚିବ, ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ସମୀକ୍ଷା
ବଲାଙ୍ଗୀର: ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ତୁଷୁରାରେ ଥିବା ମାଆ ସମଲେଶ୍ବରୀଙ୍କ ମନ୍ଦିରକୁ ଯାଇ ଦର୍ଶନ ସହିତ ମନ୍ଦିରର ବିକଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ । ଖୁବଶୀଘ୍ର ବଦଳିବ ତୁଷୁରାର ମାଆ ସମଲେଶ୍ବରୀଙ୍କ ମନ୍ଦିରର ରୂପରେଖ । ମାଆଙ୍କ ଦର୍ଶନ ସହ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ତୁଷୁରା ମେଡିକାଲର ମଧ୍ୟ ଖୁବଶୀଘ୍ର ବିକାଶ କାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଖୁସି ଖବର ଦେବେ ବୋଲି 5T ସଚିବ କହିଛନ୍ତି । ମନ୍ଦିର ନିକଟରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଭିକେ ପାଣ୍ଡିଆନ ଲୋକଙ୍କ ପାଖକୁ ଯାଇ ଦାବିପତ୍ର ଗ୍ରହଣ କରିଛନ୍ତି । ସାତଦିନ ଭିତରେ ବିଭିନ୍ନ ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି 5T ସଚିବ ଭିକେ ପଣ୍ଡିଆନ କହିଛନ୍ତି ।
ନୟାପଲ୍ଲୀ ବେହେରା ସାହିରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ
ଭୁବନେଶ୍ୱର: ନୟାପଲ୍ଲୀ ବେହେରା ସାହିରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ । ଅଞ୍ଚଳ ବୁଲିବାକୁ ଆସିବା ସମୟରେ ପ୍ରଶ୍ନକଲେ ଲୋକେ । ନିର୍ବାଚନକୁ ଏତେ ଦିନ ବିତିଲାଣି । ଏତେ ବର୍ଷ ହେବ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇନପାରି କାର କାଚ ଟେକି ପଳାଇଛନ୍ତି ଅପରାଜିତା । ଘଟଣାସ୍ଥଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଇଶା ଆପାର୍ଟମେଣ୍ଟରେ ସଂସଦ ପଶିଯିବାରୁ ଗେଟ୍ ସମ୍ମୁଖରେ ଲୋକେ ନାରାବାଜି କରିଛନ୍ତି । ଏତେ ଦିନ ହେଲା ଭୁବନେଶ୍ବର ବିଶେଷ କରି ନୟାପଲ୍ଲୀ ପାଇଁ କ’ଣ କରିଛ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆପାର୍ଟମେଣ୍ଟ ଭିତରେ ସାଂସଦଙ୍କୁ ଅଟକ ରଖିଛନ୍ତି ଲୋକେ ।
ଫିରିଙ୍ଗିଆରେ ଥାନା ପୋଡି ମାମଲା: ଆକ୍ସନ ମୋଡରେ ପୋଲିସ, ୧୫ରୁ ଅଧିକ ଅଟକ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଗଞ୍ଜେଇ ମାଫିଆଙ୍କ ଥାନା ପୋଡ଼ି ମାମଲାରେ ତନାଘନା । ୧୫ରୁ ଅଧିକ ଲୋକଙ୍କୁ ଅଟକ ରଖିଛି ପୋଲିସ । ଦକ୍ଷିଣାଞ୍ଚଳ ଆଇଜି ଫିରିଙ୍ଗିଆ ଥାନା ଆସି ତଦାରଖ କରିଛନ୍ତି । ସ୍ଥିତିକୁ ନଜରରେ ରଖି ୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଫିରିଙ୍ଗିଆରେ ୧୪୪ ଧାରା ଜାରି ରହିଛି । ଫିରିଙ୍ଗିଆରେ ଦୋକାନ ବଜାର ବନ୍ଦ ରହିଛି । ଗତକାଲି ଫିରିଙ୍ଗିଆରେ ପୋଲିସ ଗାଡ଼ିରେ ନିଆଁ ଲଗାଇବା ସହ ଥାନା ଭିତରେ ପଶି ନିଆଁ ଲଗାଇ ଦେଇଥିଲେ ଗଞ୍ଜେଇ ମାଫିଆ । ଏସଡିପିଓଙ୍କୁ ଗୋଡ଼ାଇ ଗୋଡ଼ାଇ ଲହୁଲୁହାଣ ଆକ୍ରମଣ କରିଥିଲେ ଗଞ୍ଜେଇ ମାଫିଆ । ଏସଡିପିଓଙ୍କୁ ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଥରମାଡ଼ ଓ ଥାନାରେ ଭଙ୍ଗାରୁଜା କରିବା ସହ ସିଜ୍ ହୋଇଥିବା ଗାଡ଼ି ଓ ବନ୍ଧୁକ ଗଞ୍ଜେଇ ମାଫିଆ ଲୁଟି ନେଇଥିବା ସୂଚନା ମିଳିଛି ।
ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା । ଶନିବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୫.୮ ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁସ । ତେବେ ଭୂକମ୍ପରେ ମୃତାହତ ନେଇ କୌଣସି ସୂଚନା ନାହିଁ । ଭୂକମ୍ପ ଭୟରେ ଲୋକ ଘରୁ ବାହାରକୁ ବାହାରିଆସିଥିଲେ । ଚାଇନାର ସାଙ୍ଗଡଙ୍ଗରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପରେ ୧୦ ଜଣ ଆହତ ହୋଇଛନ୍ତି ।

