ମୋବାଇଲ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ

ଚାନ୍ଦବାଲି : ମୋବାଇଲ ପାଇଁ ମର୍ଡର । ମୋବାଇଲ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ  ।  ଭଦ୍ରକ ଜିଲ୍ଲା ଚନ୍ଦବାଲି ବ୍ଳକ ଅଣଖାସାହି ଗାଁରେ ଏହି ଘଟଣା ଘଟିଛି । ଦୁଇ ଦିନ ଧରି ନିଖୋଜ ଥିବା ସୁକାନ୍ତ ଦାସଙ୍କ ମୃତଦେହ ନଟିଆ ଜୋରରୁ ଉଦ୍ଧାର କରାଯାଇଛି । ଚନ୍ଦବାଲି ପୋଲିସ ଘଟଣାର ତଦନ୍ତ କରୁଥିଲା । ସୁକାନ୍ତଙ୍କ ସାଙ୍ଗ ଜୟଦେବଠାରୁ  ପୋଲିସ ମୋବାଇଲ ଜବତ କଲା ପରେ ଘଟଣାର ସତ୍ୟତା  ପଦାକୁ ଆସିଛି । ଗତ ଶୁକ୍ରବାର ସନ୍ଧ୍ୟାରେ ନଟିଆ ଜୋର ପୋଲ ନିକଟରେ  ମୋବାଇଲ ପାଇଁ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାରୁ ହାତାହାତି, ଆଉ ତା’ପରେ ଜୟଦେବ ଏକ କାଠ ଫାଳିଆରେ ସୁକାନ୍ତଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା  ।

ଫଳରେ ସୁକାନ୍ତର ମୃତ୍ୟୁ ଘଟିଥିଲା । ସୁକାନ୍ତର ମୃତ୍ୟୁ ହେବା ଜାଣି ଜୟଦେବ ତାକୁ ନଟିଆ ଜୋରକୁ ଠେଲି ଦେଇ ତା’ ମୋବାଇଲ ନେଇ ଘରକୁ ପଳାଇଯାଇଥିଲା । ଧରାପଡ଼ିଯିବା ଭୟରେ ସୁକାନ୍ତଙ୍କ ମୋବାଇଲକୁ ବିଲରେ ପୋତିଥିଲା ଜୟଦେବ । ଯାହାକୁ ଚନ୍ଦବାଲି ପୋଲିସ ଜବତ କରି ଅଭିଯୁକ୍ତ ଜୟଦେବକୁ ଗିରଫ କରିଛି ।  ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ ଏହି ସୂଚନା ଦେଇଛନ୍ତି ।