spot_img
Home Blog Page 2851

ଏସିଆନ ଗେମ୍ସରେ ଏୟାର ରାଇଫଲ୍ସ ଟିମ୍ ଜିତିଲା ସ୍ବର୍ଣ୍ଣ, ପଦକ ସଂଖ୍ୟା ୭ ଛୁଇଁଲା

ହାଞ୍ଜହୁ: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ । ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଛି ଗୋଲ୍ଡ ମେଡାଲ । ସେହିପରି ରୋଇଂରେ ମଧ୍ୟ ଭାରତକୁ ପଦକ ମିଳିଛି । ରୋଇଂରେ ବ୍ରୋଞ୍ଜ ମେଡାଲ ହାସଲ କରିଛି ଭାରତ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି ।

ଅନ୍ୟପଟେ ଏସିଆନ ଗେମ୍ସରେ ଆଜି ଭାରତୀୟ ମହିଳା କ୍ରିକେଟ ଟିମ୍ ସହ ଶ୍ରୀଲଙ୍କାର ହେବ ଟକ୍କର । ଜିତିଲେ ଭାରତକୁ ମିଳିବ ସ୍ବର୍ଣ୍ଣପଦକ । ତେବେ ଏଭଳି ସୁଯୋଗ ହାତ ଛଡା ନକରିବାକୁ ମହିଳା ଟିମ୍ ସ୍ବତନ୍ତ୍ର ରଣନୀତି ଆପଣେଇଛି । ଏଥିସହ ଅନ୍ୟ ଖେଳରେ ମଧ୍ୟ ମେଡାଲ ପାଇଁ ସଂଘର୍ଷ କରିବ ଭାରତ । ବକ୍ସିଂ, ବାସ୍କେଟବଲ, ଚେସ, ଟେନିସ, ସୁଟିଂ, ସୁଇମିଂରେ ଭାରତ ପାଇଁ ପଦକ ପାଇଁ ଲଢେଇ କରିବ ।

ଏସିଆନ ଗେମ୍ସରେ ଆଜି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାର ସୁଯୋଗ

ହାଞ୍ଜହୁ: ଏସିଆନ ଗେମ୍ସରେ ଆଜି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାର ସୁଯୋଗ । ଭାରତୀୟ ମହିଳା କ୍ରିକେଟ ଟିମ୍ ସହ ଆଜି ଶ୍ରୀଲଙ୍କାର ହେବ ଟକ୍କର । ଜିତିଲେ ଭାରତକୁ ମିଳିବ ସ୍ବର୍ଣ୍ଣପଦକ । ଏଭଳି ସୁଯୋଗ ହାତ ଛଡା ନକରିବାକୁ ମହିଳା ଟିମ୍ ସ୍ବତନ୍ତ୍ର ରଣନୀତି ଆପଣେଇଛନ୍ତି । ଏଥିସହ ଅନ୍ୟ ଖେଳରେ ମଧ୍ୟ ମେଡାଲ ପାଇଁ ସଂଘର୍ଷ କରିବ ଭାରତ ।

ବକ୍ସିଂ, ବାସ୍କେଟବଲ, ଚେସ, ରୋଇଂ, ଟେନିସ, ସୁଟିଂ, ସୁଇମିଂରେ ଭାରତ ପାଇଁ ପଦକ ପାଇଁ ଲଢେଇ କରିବ । ଏସିଆନ ଗେମ୍ସର ପ୍ରଥମ ଦିନରେ ଭାରତ ଭାଗରେ ୫ଟି ପଦକ ପଡିଥିବା ବେଳେ ଆଜି ଏକାଧିକ ପଦକ ଜିତିବ ବୋଲି ଆଶା କରାଯାଉଛି । ପ୍ରଥମ ଦିନରେ ୩୦ଟି ମେଡାଲ ଜିତି ଏକ ନମ୍ବର ସ୍ଥାନରେ ଚୀନ୍ ଥିବା ବେଳେ ଭାରତ ୫ଟି ପଦକ ଜିତି ସପ୍ତମ ସ୍ଥାନରେ ରହିଛି ।

ଇନ୍ଦୋର ଦିନିକିଆ ସହିତ ସିରିଜ ଜିତିଲା ଟିମ୍ ଇଣ୍ଡିଆ, ୯୯ ରନର ବଡ଼ ବ୍ୟବଧାନରେ ହାରିଲା ଅଷ୍ଟ୍ରେଲିଆ

ଇନ୍ଦୋର: ଅଷ୍ଟ୍ରେଲିଆ ବିରୋଧରେ ଭାରତର ବିଶାଳ ବିଜୟ । ଇନ୍ଦୋର ଦିନିକିଆ ସହିତ ସିରିଜ ବିଜୟ କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୯୯ ରନର ବଡ଼ ବ୍ୟବଧାନରେ ହରାଇ ୩ଟିକିଆ ସିରିଜକୁ ୨-୦ରେ ଜିତି ନେଇଛି ଭାରତ । ଭାରତ ପ୍ରଥମରେ ବ୍ୟାଟିଂ କରି କଙ୍ଗାରୁ ଟିମ୍ ଆଗରେ ୪୦୦ ରନର ବିଶାଳ ଟାର୍ଗେଟ ରଖିଥିଲା । ତେବେ ବର୍ଷା ପାଇଁ ଅଷ୍ଟ୍ରେଲିଆକୁ ଡିଏଲଏସ ନିୟମ ଆଧାରରେ ୩୩ ଓଭରରେ ୩୧୭ ରନର ଟାର୍ଗେଟ ଦିଆଯାଇଥିଲା । ଏହାକୁ ପିଛା କରି ମାତ୍ର ୨୧୭ ରନରେ ଅଲଆଉଟ୍ ହୋଇଯାଇଥିଲା ଅଷ୍ଟ୍ରେଲିଆ ।

ଇନ୍ଦୋର ଦିନିକିଆରେ ଦେଖିବାକୁ ମିଳିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦବଦବା । ଶୁଭମନ୍ ଗିଲ ଓ ଶ୍ରେୟସ୍ ଆୟର ଶତକ ହାସଲ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଓ ଅଧିନାୟକ କେ.ଏଲ୍ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୬ ରନ ଥିବାବେଳେ ମାତ୍ର ୮ ରନ କରି ଋତୁରାଜ ଗାୟକଓ୍ବାର୍ଡ ପାଭିଲିଅନ ଫେରିଥିଲେ । ଏହାପରେ ଗିଲଙ୍କ ସାଥ ଦେଇଥିଲେ ଶ୍ରେୟସ ଆୟର । ଉଭୟ କଙ୍ଗାରୁ ବୋଲରଙ୍କୁ ଧୁଲେଇ କରିଥିଲେ । ଶ୍ରେୟସ ଆୟର ୯୦ ବଲରେ ୧୦୫ ରନ କରିଥିବାବେଳେ ଶୁଭମନ୍ ଗିଲ୍ ୯୭ଟି ବଲ ଖେଳି ୧୦୪ ରନ କରିବାରେ ସକ୍ଷମ ହୋଇଥିଲେ ।

ଉଭୟଙ୍କ ଆଉଟ୍ ହେବା ପରେ ପାଳି ସମ୍ଭାଳିଥିଲେ ଅଧିନାୟକ ଲୋକେଶ ରାହୁଲ ଓ ଇଶାନ କିଷନ । ଇଶାନ କିଷନ ୩୧ ରନ କରି ଜାମ୍ପାଙ୍କ ବଲର ଶିକାର ହୋଇଥିଲେ । ଏହାପରେ ରାହୁଲଙ୍କ ସାଥ ଦେଇଥିଲେ ସୂର୍ଯ୍ୟ କୁମାର ଯାଦବ । ରାହୁଲ ୩୮ ବଲରେ ୫୨ ରନ କରି ଆଉଟ ହୋଇଥିଲେ । ତେବେ ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ୭୨ ରନ କରିଥିଲେ ।

ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଦଳ ୫ ଓ୍ବିକେଟ ହରାଇ ୩୯୯ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ପଡ଼ିଆକୁ ଓହ୍ଲାଇବା ପରେ ଅଷ୍ଟ୍ରେଲିଆର ନିୟମିତ ବିପର୍ଯ୍ୟୟ ହୋଇଥିଲା । ଶେଷରେ ୨୮ ଓଭର ୨ଟି ବଲରେ ଦଳ ଅଲଆଉଟ ହୋଇଯାଇଥିଲା । ଆର ଅଶ୍ବିନୀ ଓ ଜାଡେଜା ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ପ୍ରସିଦ୍ଧ କ୍ରୀଷ୍ଣା ୨ଟି ଓ ମହମ୍ମଦ ସାମି ଗୋଟିଏ ଓ୍ବିକେଟ ନେଇଥିଲେ ।

୧୯ ପଳାତକ ଖାଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପତ୍ତି ହେବ ବାଜ୍ୟାପ୍ତ

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବାଦୀୟ ବୟାନ ପରେ ଆକ୍ସନ ମୋଡରେ ଭାରତ । ଖାଲିସ୍ତାନୀ ଆତଙ୍କୀଙ୍କ ବିରୋଧରେ ଖଡଗହସ୍ତ ତଦନ୍ତକାରୀ ସଂସ୍ଥା ଏନଆଇଏ । କାନାଡା, ବ୍ରିଟେନ, ଆମେରିକା, ଦୁବାଇ, ପାକିସ୍ତାନ ଓ ଅନ୍ୟାନ୍ୟ ଦେଶରେ ରହୁଥିବା ୧୯ ପଳାତକ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ । ସମସ୍ତ ଆତଙ୍କୀଙ୍କ ସମ୍ପତ୍ତି ହେବ ବାଜ୍ୟାପ୍ତ । ଆତଙ୍କବାଦୀ ନିରୋଧ ଆଇନ ୟୁଏପିଏ ଅଧୀନରେ କାର୍ଯ୍ୟାନୁଷ୍ଠାନ ନେବ ଏନଆଇଏ ।

ତାଲିକାରେ ରହିଛିନ୍ତି ପରମଜିତ ସିଂ ପାମ୍ମା, ଓ୍ବାଧା ସିଂ ବାବର, କୁଲଓ୍ବନ୍ତ ସିଂ ମୁଥ୍ରା, ଜୟ ଧାଲିଓ୍ବାଲ, ସୁଖପାଲ ସିଂ ପ୍ରମୁଖ । ପୂର୍ବରୁ କାନାଡାର ବ୍ରିଟିଶ କଲମ୍ବିଆରେ ନିହତ ଖାଲିସ୍ତାନ ଟାଇଗର ଫୋର୍ସ ନେତା ହରଦୀପ ସିଂ ନିଜାରର ଜଳନ୍ଧରସ୍ଥିତ ଘର ଓ ଅନ୍ୟତମ ଖଲିସ୍ତାନୀ ଗୁରପତଓ୍ବନ୍ତ ସିଂ ପାନ୍ନୁର ସମ୍ପତ୍ତି ଜବତ କରିଛି ଏନଆଇଏ । ପାନ୍ନୁର ନାମରେ ରହିଛି ୨୨ରୁ ଅଧିକ ଦେଶଦ୍ରୋହ ସମେତ ଅନ୍ୟାନ୍ୟ ମାମଲା ।

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରର ହତ୍ୟା ନେଇ ପୁଣି ବଢିଛି ବିବାଦ । ହତ୍ୟା ସମ୍ପର୍କରେ ଆମେରିକା, ବ୍ରିଟେନ, କାନାଡା, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ ଫାଇଭ ଆଇଜ୍ ପାର୍ଟନରର ସୂଚନା ଆଧାରରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତକୁ ଟାର୍ଗେଟ କରିଛନ୍ତି ବୋଲି କହିଛନ୍ତି ଆମେରିକାର ଜଣେ କୂଟନୀତିଜ୍ଞ । ତେଣେ ଭାରତୀୟ କୂଟନୀତିଜ୍ଞଙ୍କୁ ହତ୍ୟା କରିବା ଲାଗି କାନାଡାର ସୁରେର ଏକ ଗୁରୁଦ୍ବାରାରେ ଲଗାଯାଇଥିବା ପୋଷ୍ଟରକୁ ନେଇ ବଢିଛି ଆଶଙ୍କା ।

ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନ, ମୁଲତବୀ ପ୍ରସ୍ତାବ ଆଣିପାରେ ବିଜେପି

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଆଜି ହେଉଛି ଦ୍ବିତୀୟ ଦିନ । ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିବ ଗୃହ । ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ସ୍ବରାଷ୍ଟ୍ର, ଅର୍ଥ, ନିର୍ମାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।

ଏହା ସହ ଗୃହରେ ଦୁଇଟି ମୋସନ୍ ଆସିବ । ସେହିପରି କିଛି ରିପୋର୍ଟ ଓ ବିଲ୍ ମଧ୍ୟ ଗୃହରେ ଆଗତ ହେବ । ମୁଖ୍ୟ ବିରୋଧୀ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ । ପ୍ରଥମ ଦିନ ଅତିରିକ୍ତ ବଜେଟ ଆଗତ ହୋଇଛି । ଆଜି ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବେ ।

ରଙ୍ଗ ରୁଟରେ ଗାଡ଼ି ଚଳାଉଥିଲେ ସାବଧାନ

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ୱରରେ ରଙ୍ଗ ରୁଟରେ ଗାଡି ଚଲାଇଲେ ଆଉ ମିଳିବନି ତ୍ରାହି । ସିଧା କୋର୍ଟକୁ ଯିବ ଗାଡି । ରବିବାର ରାଜଧାନୀର ବିଭିନ୍ନ ଛକ ବଜାରରେ ଚେକିଂ ଜୋରଦାର କରିଛି ଟ୍ରାଫିକ ଥାନା ପୋଲିସ । ଟ୍ରାଫିକ ଥାନା-1ଓ ଟ୍ରାଫିକ ଥାନା -2ର ଆଜି ହୋଇଥିଲା ଜୋରଦାର ଚେକିଂ । 102ରୁ ଅଧିକ ଗାଡି ଜବତ କରିଛି ଟ୍ରାଫିକ ପୋଲିସ । ପରବର୍ତ୍ତୀ ସମୟରେ କୋର୍ଟରୁ ରିଲିଜ ଅର୍ଡର ଆଣିଲେ ଗାଡି ଚାଳକ ଟ୍ରାଫିକ ଥାନାରୁ ଗାଡି ନେବେ ବୋଲି ସୂଚନା ଦେଇଛନ୍ତି ଟ୍ରାଫିକ ଥାନା ଏସିପି ଜୟନ୍ତ କୁମାର ଦାସ । ସେହିପରି ପାର୍ବଣ ରିତୁ ଚାଲିଥିବାରୁ ରଙ୍ଗ ରୁଟ ଡ୍ରାଇଭ, ଡ୍ରିଙ୍କ ଆଣ୍ଡ ଡ୍ରଙ୍କ ଡ୍ରାଇଭ, ବିନା ହେଲମେଟରେ ଗାଡି ଚଳାଇବା, କାର ରେ ସିଟ ବେଲ୍ଟ ନ ପିନ୍ଧିବା, ଗାଡି କାଗଜପତ୍ର ନ ଥାଇ ଗାଡି ଚଳାଇବା ଆଦିକୁ ଜୋରଦାର ଚେକିଂ କରାଯିବ ବୋଲି ଟ୍ରାଫିକ ଏସିପି କହିଛନ୍ତି ।

 

ଯଦି ବାତ୍ୟା ହେବ ତେବେ କେଉଁଠି ପଡିବ ପ୍ରଭାବ ?

ଭୁବନେଶ୍ବର: ଟଳିନି ବାତ୍ୟା ଭୟ। ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୨୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ। ପାଗ ଅନୁକୂଳ ଥିବାରୁ ଘନୀଭୂତ ହୋଇପାରେ ଲଘୁଚାପ । ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସେପଟେ ବାତ୍ୟା ସମ୍ଭାବନା ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ସେପଟେ WINDY ର ECMWF ମଡେଲ ଅନୁସାରେ ୩୦ କିମ୍ବା ୧ ତାରିଖ ବେଳକୁ ଘୂର୍ଣ୍ଣିଝଡଟି ବାଲେଶ୍ବର ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଅତିକ୍ରମ କରିବ । ତେବେ ବାତ୍ୟା ନେଇ ୨୮ ତାରିଖ ବେଳକୁ ସ୍ପଷ୍ଟ ଚିତ୍ର ଆସିବ ଏବଂ ଏହା ଉପରେ IMD ର ସ୍ବତନ୍ତ୍ର ନଜର ରହିଛି ।

ଗଡୁଛି ସମୟ। ବଢୁଛି ଆଶଙ୍କା । ବାତ୍ୟା ହେବ କି ନାହିଁ ? ଲଘୁଚାପ ଘନୀଭୁତ ହେବାକୁ ବଳ ମିଳିବ ତ ?  ଯଦି ବାତ୍ୟା ହେବ ତେବେ କେଉଁଠି ପଡିବ ପ୍ରଭାବ ? ପୂର୍ବରୁ ବିଭିନ୍ନ ମଡେଲ କରିଥିବା ଆକଳନ ଏବେ କିଛି ମଡେଲ ପ୍ରତ୍ୟାହାର କଲେଣି । କିନ୍ତୁ ଛନକା ବଢାଉଛି WINDYର ଆକଳନ । ECMWF ର ଗ୍ରାଫିକ୍ସ କହୁଛି ୨୮ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏହା ଘନୀଭୁତ ହୋଇ ଲଘୁଚାପ, ପରେ ଅବପାତ, ଗଭୀର ଅବପାତ ଏବଂ ୩୦ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ଦେଇ ଅତିକ୍ରମ କରିବ । ସମ୍ଭାବ୍ୟ ଲଘୁଚାପ ବାତ୍ୟାରେ ପରିଣତ ହେବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ଯଦି ପାଗ ଅନୁକୁଳ ରହେ ଗଭୀର ଅବପାତ ପର୍ଯ୍ୟନ୍ତ ଘନୀଭୁତ ହୋଇପାରେ। କିନ୍ତୁ ତାହାକୁ ଘନୀଭୁତ ହେବାକୁ ସମୟ କମ ରହିଛି । ପ୍ରଭାବରେ କେବଳ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି କହିଛନ୍ତି ।

ଆଇଏମ୍ଡିର ବିସ୍ତାରିତ ଆକଳନ ଅନୁସାରେ ଆସନ୍ତା ୨୯ ବେଳକୁ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପର ରୂପ ନେଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଯଦି ଏହା ଘନୀଭୁତ ହୁଏ ତେବେ ଅବପାତ ହୋଇପାରେ । ବାତ୍ୟା ନେଇ ଏତେ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ ବୋଲି ପାଣିପାଗ ବିଜ୍ଞାନୀ ସଂଜୀବ ଦ୍ବିବେଦୀ କହିଛନ୍ତି । ଓଡ଼ିଶା ଉପରେ ବିଭିନ୍ନ ପାଣିପାଗ ନିୟାମକ ରହିଥିବାରୁ ଆଜି ଏବଂ ଆସନ୍ତା କାଲି କିଛି ସ୍ଥାନରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ବଜ୍ରପାତ ନେଇ ଆସନ୍ତାକାଲି ୧୦ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

 

ବିଜେପିରୁ ଇସ୍ତଫା ଦେଲେ ୨ଶହରୁ ଅଧିକ କର୍ମୀ

ଯାଜପୁର: ଯାଜପୁରରେ ବିଜେପିକୁ ଶକ୍ତ ଝଟକା । ବିଜେପିରୁ ଇସ୍ତଫା ଦେଲେ ୨୦୦ରୁ ଅଧିକ ଆଗଧାଡ଼ିର କର୍ମୀ  । ଯାଜପୁର ଭାରତୀୟ ଜନତା ପାର୍ଟିର ଯୁବ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ , ଜିଲ୍ଲା ସାଧାରଣ ସମ୍ପାଦକ ହୃଷୀକେଶ ମେକାପଙ୍କ ସହ ଦୁଇଶହରୁ ଅଧିକ କର୍ମୀ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ବିଜେପି କେବଳ ନିର୍ବାଚନ ସମୟରେ କର୍ମୀ ଓ ଲୋକଙ୍କ ପାଖକୁ ଯାଏ । ନିର୍ବାଚନ ପରେ ବିଜେପି ନେତାଙ୍କ ଦେଖା ମିଳେନି ବୋଲି ଅଭିଯୋଗ କରି ସମସ୍ତେ ଦଳ ଛାଡ଼ିଛନ୍ତି।

ଯାଜପୁର ପାନ୍ଥଶାଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ନେଇ ସୂଚନା ଦେଇଛନ୍ତି ବିଜେପି ଛାଡ଼ିଥିବା କର୍ମକର୍ତ୍ତା। ଅଭିଯୋଗ ଅନୁସାରେ, ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟିରେ କାର୍ଯ୍ୟ କରି ଆସୁଥିବା କର୍ମୀଙ୍କ ସୁଖ ଦୁଃଖରେ ଛିଡା ହେଉନାହାନ୍ତି ନେତା। କର୍ମୀଙ୍କୁ ସହଯୋଗ କରିବା ବଦଳରେ ଅଣଦେଖା କରାଯାଉଛି। ଜିଲ୍ଲା ସଭାପତି କୌଣସି କାର୍ଯ୍ୟରେ କର୍ମୀଙ୍କ ମତାମତ ନିଅନ୍ତି ନାହିଁ। ଫଳରେ ଅସନ୍ତୁଷ୍ଟ ହୋଇ କର୍ମୀମାନେ ସାମୂହିକ ଭାବେ ଦଳ ଛାଡ଼ିଛନ୍ତି। ଯାଜପୁର ଜିଲ୍ଲାରେ ଯେଉଁ ଦଳ ବିକାଶ କରୁଛି ଏବଂ ଲୋକଙ୍କ ସୁଖଦୁଃଖରେ ଠିଆ ହେଉଛି ସେହି ଦଳରେ କାମ କରିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଛନ୍ତି।

ଠକେଇର ସବୁ ସୀମା ଟପିଛି Z ଇଷ୍ଟେଟ୍

ଭୁବନେଶ୍ବର: ଜେଡ୍‌ ଇଷ୍ଟେଟ୍‌ ବାରମ୍ବାର ନିଜ ଗ୍ରାହକଙ୍କୁ ଠକି ଚାଲିଛି । ଜେଡ୍‌ ଓ୍ବାନ ହାଉସିଂ ପ୍ରକଳ୍ପର ୪୪୦ ବାସିନ୍ଦା ଲମ୍ବା ସମୟ ଧରି ଅଧିକାର ପାଇଁ ଲଢୁଛନ୍ତି । ହାଇକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ରୁଜୁ ହୋଇଛି । କିନ୍ତୁ ମିଡିଆ ପାଓ୍ବାର ଦେଖାଇ ଘର ମାଲିକଙ୍କ ସ୍ବର ଚାପିବାକୁ ପ୍ରୟାସ କରୁଛି ସଂସ୍ଥା । ମିଛ କେସରେ ଜେଡ୍‌ ଓ୍ବାନ୍‌ ହାଉସିଂ ବାସିନ୍ଦା ଜେଲ୍ ଯାଇଛନ୍ତି; କିନ୍ତୁ ଭାଙ୍ଗି ପଡ଼ିନାହନ୍ତି । ଅଧିକାର ପାଇଁ ଜୋରଦାର ଲଢ଼େଇ ପାଇଁ ନେଇଛନ୍ତି ଶପଥ ।

ଜେଡ୍‌ ଇଷ୍ଟେଟ୍‌ ବିରୋଧରେ ଲଢ଼େଇ ଏବେ ନୁହେଁ, ୭ ବର୍ଷ ତଳୁ ଚାଲିଛି । ହକ୍ ପାଇଁ ୨୦୧୬ରୁ ଚାଲିଛି ସଂଗ୍ରାମ । ଜେଡ୍ ଇଷ୍ଟେଟ ଭଳି ପ୍ରତିପତ୍ତିଶାଳୀ ରିଅଲ ଇଷ୍ଟେଟ କମ୍ପାନୀ ବିରୋଧରେ, ଯାହା କେହି ସାହସ କରିନଥିଲେ, ତାହା ଜେଡ୍‌ ଓ୍ବାନ ହାଉସିଂ ପ୍ରକଳ୍ପ ଘର ମାଲିକମାନେ କରି ଦେଖାଇଛନ୍ତି । ମିଛ ପ୍ରତିଶ୍ରୁତିରେ ପଡ଼ି କୋଟି କୋଟି ଟଙ୍କା ଦେଇ ଘର କିଣିବା ପରେ ଜେଡ୍‌ ଇଷ୍ଟେଟର ପ୍ରତାରଣା ବିରୋଧରେ ପ୍ରତି ମୁହୂର୍ତ୍ତରେ ବିରୋଧ କରିଛନ୍ତି । ୨୦୧୧ ପ୍ରକଳ୍ପର କାମ ସରିଲା ୨୦୧୬ରେ ।

୨୦୧୬ରେ ମାଲିକମାନେ ନିଜ ସ୍ବପ୍ନର ଘରେ ରହିଲେ । ପରେ ଜାଣିଲେ ଜେଡ୍‌ ଇଷ୍ଟେଟର ମିଛ ଖୋଳପାରେ ସତ ଲୁଚିଛି । ପ୍ରଥମେ ଘର ମାଲିକମାନେ ଚକ୍ରାନ୍ତ ବୁଝି ପାରିନଥିଲେ । ବୁଝିବା ପରେ ୨୦୧୭ରେ ଆରମ୍ଭ ହେଲା ପ୍ରତିବାଦ । ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ ଢାଞ୍ଚାରେ ପ୍ରତିବାଦ ବଢ଼ିଲା । ରିଅଲ ଇଷ୍ଟେଟ ଆକ୍ଟ ଅନୁସାରେ ଘର ମାଲିକମାନଙ୍କୁ ଅଧିକାର ଦେବା ପାଇଁ ଆପାର୍ଟମେଣ୍ଟ ଓନରସିପ୍ ଆସୋସିଏସନ ଜରୁରୀ ଥିଲା । ହେଲେ ଜେଡ୍‌ ଓ୍ବାନ୍‌ ହାଉସିଂ ପ୍ରକଳ୍ପରେ ଏହା ନଥିଲା । ଯାହାର ଫାଇଦା ନେଇଥିଲା ଜେଡ୍‌ ଇଷ୍ଟେଟ୍‌ ।

ମାଲିକମାନଙ୍କୁ ଭାଗଭାଗ କରି ନିଜ ଉଦ୍ଦେଶ୍ୟ ସାଧନ କରୁଥିଲା । ହେଲେ କଷ୍ଟ ଉପାର୍ଜିତ ଧନରେ କିଣିଥିବା ଘର ପାଇଁ ସବୁ ସ୍ତରରେ ଲଢ଼େଇ ହେଲା । ୨୦୧୯ରେ ସମସ୍ତେ ଏକାଠି ହେଲେ । ସୋସାଇଟି ଗଠନ ପାଇଁ ଦାବି ବଢ଼ିଲା । କିନ୍ତୁ ଜେଡ୍‌ ଇଷ୍ଟେଟ୍‌ କରାଇ ଦେଲାନାହିଁ । ୨୦୨୧ରେ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ ଜେଡ୍‌ ଓ୍ବାନ ରେସିଡେଣ୍ଟ ଓ୍ବେଲଫେୟାର ଆସୋସିଏସନ ଗଠନ ପରେ ଜେଡ୍ ଇଷ୍ଟେଟର ଅଡୁଆ ବଢ଼ିଚାଲିଲା ।

୨୦୨୧ରେ ଜେଡ୍‌ ଓ୍ବାନ୍‌ ହାଉସିଂ ପ୍ରକଳ୍ପ ଆସୋସିଏସନ ଗଠନ ପରେ ଜେଡ୍‌ ଇଷ୍ଟେଟ ବିରୋଧରେ ଏନଜିଟିରେ ପରିବେଶ ଆଇନ ଉଲ୍ଲଂଘନ ନେଇ ଅଭିଯୋଗ ହେଲା । ଜେଡ୍‌ ଇଷ୍ଟେଟକୁ ଏନଜିଟି ଭର୍ତ୍ସନା କରିବା ପରେ ବାସ୍ତବ ସ୍ଥିତି ପରଖି ପଦକ୍ଷେପ ନେବାକୁ ବିଭନ୍ନ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି । ଭୁଲ୍ ଫର୍ମାଟରେ ଏଗ୍ରିମେଣ୍ଟ କରି ଜେଡ୍‌ ଇଷ୍ଟେଟ ମନଇଚ୍ଛା ’ପ୍ରମୋଟର ଏରିଆ’ ଜରିଆରେ କମନ୍‌ ଏରିଆକୁ କବଜାରେ ରଖିବା ପ୍ରୟାସ ମଧ୍ୟ ବିଫଳ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଡିଏ ଏହାକୁ ପ୍ରତ୍ୟାହାର କରିଛି ।

ନନ୍ଦିଘୋଷ ଟିଭିରେ ଜେଡ୍‌ ଓ୍ବାନ ହାଉସିଂ ପ୍ରକଳ୍ପ ବାସିନ୍ଦାଙ୍କ ଲଢ଼େଇର କାହାଣୀ ଲଗାତାର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ କିଛି ଲୋକ ଭିନ୍ନ ଟିପ୍ପଣୀ ଦେଉଥିବାରୁ ଏହାର ପ୍ରତିବାଦ କରିଛି ଜେଡ୍‌ ଓ୍ବାନ ରେସିଡେଣ୍ଟ ଓ୍ବେଲଫେୟାର ଆସୋସିଏସନ । ଆଇନ ମୁତାବକ ଅଧିକାର ପାଇବାକୁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ପାଇଁ ଶପଥ ନେଇଛନ୍ତି ଏଠାକାର ବାସିନ୍ଦା ।

ଓଡ଼ିଶା ବହୁ ଦୁର୍ବିପାକରେ ସମ୍ମୁଖୀନ ହୋଇଆସିଛି, ବିକାଶ ଧାରାରେ କେବେବି ବ୍ରେକ୍ ଲାଗିନି: ନବୀନ ପଟ୍ଟନାୟକ

ଭୁବନେଶ୍ବର: ଭୁବନେଶ୍ୱରରେ ’ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ ପକ୍ଷରୁ ଆୟୋଜିତ ହୋଇଥିବା ’ଅ’ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲର ଉଦଯାପନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଉଦବୋଧନ ଦେଇ ଓଡ଼ିଶା ବିକାଶ କାହାଣୀ କହିଥିଲେ ନବୀନ। ଓଡ଼ିଶା ଆଜି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ତା’ର ପରିଚୟ ସୃଷ୍ଟି କରିଛି। ଓଡିଶାର କଳା, ସଂସ୍କୃତି ଓ ପରମ୍ପରାରେ ନିଆରା। ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବିକାଶ ହୋଇଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ବହୁ ଦୁର୍ବିପାକରେ ସମ୍ମୁଖୀନ ହୋଇଆସିଛି। ତାସତ୍ବେ ରାଜ୍ୟରେ ବିକାଶ ଧାରାରେ କେବେବି ବ୍ରେକ ଲାଗିନି ।

୧୯୯୯ ପ୍ରକୃତିକ ବିପର୍ଯ୍ୟୟକୁ ନେଇ କହିଲେ ମୁଖ୍ୟମନ୍ତ୍ରୀ ମତ ରଖିଥିଲେ। ୧୧ ତମ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି । ଓଡ଼ିଶାର ଲମ୍ବା ଇତିହାସ ରହିଛି । କଳିଙ୍ଗ ଯୁଦ୍ଧ ଓଡ଼ିଶାର ଇତିହାସକୁ ନୂଆ ଦିଗ ଦେଇଥିଲା । ତାପରେ ଶାନ୍ତି ଓ ଅହିଂସାର ବାର୍ତ୍ତାକୁ ଓଡ଼ିଶାର ନିଜର ଧର୍ମ ବୋଲି ମାନିଥିଲା । ଆଜି ପର୍ଯ୍ୟନ୍ତ ରାଜ୍ୟରେ ଶାନ୍ତି ଓ ଅହିଂସା ଜାରି ରହିଛି । ଦିନ ଥିଲା ଓଡ଼ିଆ ଭାଷାକୁ କେହି ଏକ ଭିନ୍ନ ଭାଷା ବୋଲି ଭାବୁନଥିଲେ  । କିନ୍ତୁ ଆଜିର ଦିନରେ ଓଡ଼ିଶା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାରେ ଜଗନ୍ନାଥ ସଂସ୍କୃତିର ଗଭୀର ପ୍ରଭାବ ରହିଛି । ସବୁ ଧର୍ମ ଓ ସବୁ ସଂସ୍କୃତି ଓଡ଼ିଶା ସମ୍ମାନ କରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରୁ ବିଶିଷ୍ଟ ଲେଖିକା ସ୍ବର୍ଗତ ଗୀତା ମେହେଟ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।