ପ୍ରଣତୀଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ଦେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଜାତୀୟ କ୍ରୀଡ଼ାରେ ସଫଳତା ପାଇଁ ଜିମ୍ନାଷ୍ଟିକ ଷ୍ଟାର ପ୍ରଣତୀ ନାୟକଙ୍କୁ ୨୩ଲକ୍ଷ ଟଙ୍କା ପୁରସ୍କାର। ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଣତୀଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତିଯୋଗିତାରେ ୪ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି ପ୍ରଣତୀ। ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ପ୍ରଣତୀ। ସେହିପରି ରାଜ୍ୟ ଜିମ୍ନାଷ୍ଟିମ୍ ଟିମର ପ୍ରଦର୍ଶନ ପାଇଁ କୋଚ୍ ଅଶୋକ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଣତୀଙ୍କୁ ଭବିଷ୍ୟତରେ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଫାଇଭ୍-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହି ପ୍ରଣତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଭଳି ଖେଳାଳି ଓ କୋଚଙ୍କ ଉତ୍ସର୍ଗୀକୃତ ମନୋଭାବ ରାଜ୍ୟ କ୍ରୀଡ଼ା ରୂପାନ୍ତରଣ ପାଇଁ ପ୍ରେରଣା ବୋଲି ପାଣ୍ଡିଆନ୍ କହିଛନ୍ତି । ରାଜ୍ୟରେ ତୃଣମୂଳ ସ୍ତରରୁ ଜିମ୍ନାଷ୍ଟିକକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଣତୀ ଓ କୋଚ୍ ଅଶୋକ ମିଶ୍ର ।