ନବୀନଙ୍କୁ ହବିଷ୍ୟାଳିଙ୍କ ଆଶୀର୍ବାଦ, କହିଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତାରୁ ଆମେ ଶ୍ରୀଜିଉଙ୍କ ଦର୍ଶନ କରିପାରୁଛୁ

ପୁରୀ: କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳି ଶିବିରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିଛନ୍ତି ହବିଷ୍ୟାଳି । କଟକ ନିବାସୀ ହବିଷ୍ୟାଳି ମା’ ଅହଲ୍ୟା ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କ ସହାୟତାରୁ ଆମେ ଶ୍ରୀଜିଉଙ୍କ ଦର୍ଶନ କରିପାରୁଛୁ । ପୁରୀରେ ମୁଖ୍ୟମନ୍ତ୍ରୀ ଆମ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଏହାସହ ସେ କହିଛନ୍ତି କି, ମନରେ ଏକ ଦୁଃଖ ଥିଲା କି, କିଭଳିଭାବେ ପୁରୀରେ ରହି ହବିଷ୍ୟ ପାଳିବେ । ପୂର୍ବରୁ ହବିଷ୍ୟ ବ୍ରତ ପାଇଁ ଆସିଥିବାବେଳେ ହଇରାଣ ହୋଇଛୁ । କିନ୍ତୁ ଏବେ ଗାଡ଼ିରେ ନେବା ଆଣିବା ଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରାଯାଇଛି ।

ସୂଚନା ଥାଉକି, କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳି ଶିବିରର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ । ହବିଷ୍ୟାଳି ମାନେ ବିନା କୌଣସି ସମସ୍ୟାରେ କାର୍ତ୍ତିକ ବ୍ରତ କରନ୍ତୁ । ଆପଣମାନଙ୍କୁ ପ୍ରଭୂ ଜଗନ୍ନାଥଙ୍କ ଆଶିର୍ବାଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର ଗୋଟିଏ ସ୍ଥାୟୀ ସହ ୪ଟି ଅସ୍ଥାୟୀ କେନ୍ଦ୍ର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଚଳିତବର୍ଷ ୩ ହଜାରରୁ ଅଧିକ ଅଭିଷ୍ୟାଳି ରେଜିଷ୍ଟ୍ରେସନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୧, ପୁରୀରୁ ୮୭୫, ଗଞ୍ଜାମ ଜିଲ୍ଲାରୁ ୩୮୫, ନୟାଗଡ ଜିଲ୍ଲାରେ ୩୧୧ ଜଣ ପଞ୍ଜିକରଣ କରିଛନ୍ତି । ତେବେ କାର୍ତ୍ତିକ ବ୍ରତ ପାଳିବା ପାଇଁ ଗତକାଲି ଠାରୁ ପୁରୀ ଆସି ନିଜ ନିଜ ଆଶ୍ରୟ ସ୍ଥଳରେ ରହିଛନ୍ତି ହଭିଷ୍ୟାଳୀ । ପ୍ରଥମ ଦିନରେ ସଙ୍କଳ୍ପ କରି ବୃନ୍ଦାବତୀଙ୍କ ନିକଟରେ ରାଇ ଦାମୋରଦର ବ୍ରତ ପାଳିଛନ୍ତି । ହବିଷ୍ୟାଳି ଯୋଜନାର ଶୁଭାରମ୍ଭ ବେଳେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅଶ୍ବିନୀ ପାତ୍ର ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସମୀର ଦାସ ଏବଂ ଜିଲ୍ଲାପାଳ ସମର୍ଥ ଵର୍ମା ଉପସ୍ଥିତ ରହିଥିଲେ ।