ଇଂଲଣ୍ଡକୁ ୧୦୦ ରନରେ ହରାଇଲା ଭାରତ

ଲକ୍ଷ୍ନୌ: ବିଶ୍ବକପରେ ଟିମ ଇଣ୍ଡିଆର ବଡ଼ ବିଜୟ । ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କଲା ଭାରତ । ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ମାତ୍ର ୧୨୯ ରନରେ ଅଲଆଉଟ୍ ହୋଇଛି ଇଂଲଣ୍ଡ । ୧୨ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନରେ ରହିଛି ଭାରତ । ସାମି ୪ ଓ୍ବିକେଟ ଅକ୍ତିଆର କରିଥିବାବେଳେ ବୁମରା ୩, କୁଲଦୀପ ଯାଦବ ୨ ଏବଂ ଜାଡେଜାଙ୍କୁ ଗୋଟିଏ ଓ୍ବିକେଟ ମିଳିଛି ।

ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତକୁ ଆରମ୍ଭରୁ ତିନିଜଣ ତାରକା ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍, ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଓ୍ବିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗିଲ୍ ୯ ରନ, କୋହଲି ୦ ଓ ଆୟର ୪ ରନ କରି ଆଉଟ ହୋଇଥିଲେ । ତେବେ ଗୋଟିଏ ପଟେ ଓ୍ବିକେଟ ପଡ଼ିଚାଲିଥିବାବେଳେ ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ଉପଯୋଗୀ ପାର୍ଟନରସିପ କରିବା ସହ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ରୋହିତ ୮୭ ରନ କରି ଆଉଟ ହେବାସହ ଶତକରୁ ବଞ୍ଚିତ ହୋଇଥିବାବେଳେ ସୂର୍ଯ୍ୟ ୪୯ ରନ କରି ଆଉଟ ହୋଇ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୨୯ ରନ କରିଥିଲା ।