spot_img
Home Blog Page 2850

ଦେଶର ଅଧାରୁ ଅଧିକ ରାଜ୍ୟରେ ବନ୍ୟା ବିଭୀଷିକା, ଘର ଭିତରେ ଲହଡି ମାରୁଛି ବନ୍ୟାପାଣି

ନୂଆଦିଲ୍ଲୀ: ଦେଶର ଅଧାରୁ ଅଧିକ ରାଜ୍ୟରେ ବନ୍ୟା ବିଭୀଷିକା । ବାଦଲ ଫଟା ବର୍ଷା ଯୋଗୁଁ ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି । ଘରେ ଘରେ ପଶିଛି ପାଣି । ଘର ଭିତରେ ପାଣି ପଶିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗୋଟିଏ ପଟେ ଘର ଭିତରେ ବନ୍ୟା, ଅନ୍ୟପଟେ ପ୍ରବଳ ବର୍ଷା । ଲୋକେ ନାଁ ଘରେ ରହିପାରୁଛନ୍ତି ନାଁ ବାହାରେ । ମହାରାଷ୍ଟ୍ର, ଗୁଜୁରାଟ, ଜମ୍ମୁ-କଶ୍ମୀର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ସହ ଭୂସ୍ଖଳନ ହୋଇଛି । ଉତ୍ତରପ୍ରଦେଶର ବିଜନୋରର କୋଟାବାଲି ନଦୀର ଜଳସ୍ତର ବଢ଼ିଯିବାରୁ ପରିସ୍ଥିତି ଭୟଙ୍କର । ହରିଦ୍ୱାର ଯାଉଥିବା ଏକ ବସ୍ ନଦୀ ଜଳରେ ଫସିବାରୁ ଚିତ୍କାର କରିଥିଲେ । ତୁରନ୍ତ ଘଟଣାସ୍ଥଳରେ ଜେସିବି ପହଁଚି ୪୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।

ଲଗାତର ଭାବେ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ଲୋକମାନେ ଭୟଭୀତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜମ୍ମୁରେ ପ୍ରବଳ ବର୍ଷା ଫଳରେ ଚେନାବ ନଦୀର ଜଳସ୍ତର ବୃଦ୍ଧି ପାଇଛି । ନଦୀ ଉପକୂଳିଆ ଗାଁ ଗୁଡିକରେ ବନ୍ୟା ପାଣି ପଶିବା ଫଳରେ ଲୋକେ ପାଣି ଘେରରେ ରହିଛନ୍ତି । ବିଭିନ୍ନ ସ୍ଥାନରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି ପ୍ରଶାସନ ।

 

ଏବେ ବର୍ଷାରୁ ନାହିଁ ନିସ୍ତାର, ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ନନଷ୍ଟପ୍ ବର୍ଷା

ଭୁବନେଶ୍ୱର: ଏବେ ବର୍ଷାରୁ ନାହିଁ ନିସ୍ତାର । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେଇପାରେ ଅବପାତର ରୂପ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା ଜିଲ୍ଲାକୁ ସତର୍କତା ଜାରି ହୋଇଛି । ୧୧୦ ମିଲିମିଟରରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ବର୍ଷା ପାଇଁ ଉପକୂଳ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ନନଷ୍ଟପ୍ ବର୍ଷା ହେବ । ଏପଟେ ସକ୍ରିୟ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ୧ ଜୁନରୁ ୨୨ ଜୁଲାଇ ଯାଏ ୩୮୭.୧ ଏମଏମ ବର୍ଷା ରେକର୍ଡ ହୋଇଛି । ସ୍ବାଭାବିକ ବର୍ଷା ୪୪୮.୮ ଏମଏମ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ୧୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହେବା ସହ ୨ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ଓ ବାକି ୧୬ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ଆଜି ଖୋଲିବ ହୀରାକୁଦ ଗେଟ୍, ଆସିବ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆଜି ଖୋଲିବ ହୀରାକୁଦ ଗେଟ୍ । ଆସିବ ବର୍ଷର ପ୍ରଥମ ବନ୍ୟାଜଳ । ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିକୁ ନଜରରେ ରଖି ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯାଇଛି । ସକାଳ ୯ ଟାରେ ପୂଜାର୍ଚ୍ଚନା ପରେ ଖୋଲିବ ଗେଟ୍ । ପ୍ରଥମେ ୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେବ । ବାମ ପଟର ୩ଟି ଓ ଦକ୍ଷିଣ ପଟର ୨ଟି ଗେଟ୍ ଖୋଲିବ । ଏଥିପାଇଁ ତଳିଆ ଅଞ୍ଚଳକୁ ସତର୍କ କରିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କରାଯାଉଛି ।

ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ, ୬୧୪.୮୧ ଫୁଟରେ ପହଂଚିଛି ଜଳସ୍ତର । ଜଳଭଣ୍ଡାରକୁ ପ୍ରବେଶ କରୁଛି ୮୮ ହଜାର ୯୩୨ ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି ୪୦ ହଜାର ୭୮୬ ଘନଫୁଟ ବନ୍ୟାଜଳ । ବନ୍ୟାଜଳ ନିୟନ୍ତ୍ରଣରେ ସହଯୋଗ କରୁନି ଛତିଶଗଡ଼ । ଜୁନ ୨୩ରେ ହୋଇଥିବା ବୈଠକରେ ଛତିଶଗଡ଼ ଆସିନଥିଲା । N.C.D.S  ମିଟିଂରେ ବି ସହଯୋଗ କରିନି ଛତିଶଗଡ ବୋଲି କହିଛନ୍ତି ହୀରାକୁଦ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ।

ଝାରସୁଗୁଡ଼ାରେ ସେକ୍ସ ରାକେଟ ଠାବ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ସେକ୍ସ ରାକେଟ ଠାବ । ଏକ ହୋଟେଲରେ ପୋଲିସର ଚଢ଼ାଉ ବେଳେ ୧୩ ଦେହଜୀବୀଙ୍କ ସହ ୧୪ ଗ୍ରାହକ ଗିରଫ ହୋଇଛନ୍ତି । ଝାରସୁଗୁଡା ଟାଉନ ଥାନା ପଞ୍ଚପଡ଼ାର ଏକ ହୋଟେଲରେ ଝାରସୁଗୁଡ଼ା ଟାଉନ ଥାନା ପୋଲିସ ପକ୍ଷରୁ ଗଠିତ ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ହୋଟେଲରୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

ଲୋକଙ୍କ ସୁରକ୍ଷା ପାଇଁ ସଜାଗ କମିଶନରେଟ ପୋଲିସ, ଫୁଟ୍ ପେଟ୍ରୋଲିଂ ଆରମ୍ଭ କରିଛି ପୋଲିସ୍

ଭୁବନେଶ୍ୱର: ଲୋକଙ୍କ ସୁରକ୍ଷା ପାଇଁ ସଜାଗ କମିଶନରେଟ ପୋଲିସ। ରାତିରେ ରାଜଧାନୀବାସୀଙ୍କୁ ଶାନ୍ତିରେ ଶୁଆଇବା ପାଇଁ ରାଜରାସ୍ତାରେ ଫୁଟ୍ ପେଟ୍ରୋଲିଂ କରିଛି ପୋଲିସ୍ । ଡିସିପିଙ୍କ ନିର୍ଦ୍ଦେଶ କ୍ରମେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ଏହି ପେଟ୍ରୋଲିଂରେ ସାମିଲ ହୋଇଛନ୍ତି । ଅପରାଧ ଦମନ ପାଇଁ ଭୁବନେଶ୍ବରରେ ସେଫ୍ ସିଟି ଡ୍ରାଇଭକୁ ବ୍ୟାପକ କରାଯାଇଛି । ନିଶା ଚାଲାଣ ଓ ଅପରାଧ ରୋକିବା ପାଇଁ ଚେକିଂ ଓ ବ୍ଳକିଙ୍ଗ୍ ଜୋରଦାର କରାଯାଇଛି ।

ରାଜଧାନୀରେ ଥିବା ବାର୍, ପବରେ ଚଢାଉ ପରେ ଛକ ବଜାରରେ ଚେକିଂ କରାଯାଉଛି । ଅପରାଧୀଙ୍କ ଉପରେ ଲଗାମ ଲଗାଇ ସହରକୁ ସୁରକ୍ଷିତ ରଖିବାକୁ ଚାଲିଛି ‘ସେଫ ସିଟି ଡ୍ରାଇଭ’ । ଆଗକୁ ମଧ୍ୟ ଏଭଳି ଚେକିଂ ଓ ବ୍ଳକିଙ୍ଗକୁ ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ। ସହରରେ ଥିବା ଛୋଟ ହୋଟେଲରୁ ମଧ୍ୟ ଯାତ୍ରୀଙ୍କ ସମ୍ପର୍କରେ ତଥ୍ୟ ନିଆଯାଉଛି । କୌଣସି ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ପାଇଲେ ନିକଟସ୍ଥ ଥାନାକୁ ଜଣାଇବାକୁ ଅନୁରୋଧ କରିଛନ୍ତି ଡିସିପି ।

ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଏଏସଆଇ

ଭଦ୍ରମ: ପୁଣି ଲାଞ୍ଚ ନେଇ ଧରାପଡ଼ିଲେ ଖାକି ବାବୁ । ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଏଏସଆଇ । ଏଏସଆଇ ମାନସ ପରିଡ଼ାଙ୍କୁ ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ । ଏକ ଜମିବାଡ଼ି ବିବାଦ ମାମଲାର ରଫାଦଫା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମାନସ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ରେଡ୍ କରିବା ସହ ଲାଞ୍ଚ ଅର୍ଥ ଜବତ କରିଛି ।

ପଶ୍ଚିମ ଦ୍ବାରରେ ଶ୍ରଦ୍ଧାଳୁଙ୍କଠାରୁ ଲାଞ୍ଚ ନେବା ଘଟଣା, ସଂପୃକ୍ତ ହାବିଲଦାରଙ୍କୁ ନିଲମ୍ବନ କଲେ ଏସପି

ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଶ୍ରଦ୍ଧାଳୁଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ଓଏସଏପି ହାବିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବନ କଲେ ପୁରୀ ଏସପି । ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଦେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବେଶ ବାରଣ ରହିଛି । ଏହା ସତ୍ତ୍ବେ ଆଜି କିଛି ବଙ୍ଗୀୟ ପର୍ଯ୍ୟଟକଙ୍କୁ ଜଣେ ସେବାୟତ ପ୍ରବେଶ କରାଇଥିଲେ । ପଶ୍ଚିମ ଦ୍ବାରରେ ଥିବା ସୁରକ୍ଷାକର୍ମୀ ସମ୍ପୃକ୍ତ ସେବାୟତଙ୍କ ନିକଟରୁ ଅର୍ଥ ଗ୍ରହଣ କରୁଥିବା ସିସିଟିଭିରୁ ଜଣାପଡ଼ିଥିଲା । ଭିଡିଓରେ ସେବାୟତଙ୍କ ଠାରୁ ଡ୍ୟୁଟିରେ ଥିବା ପୋଲିସ କର୍ମୀ ଲାଞ୍ଚ ଗ୍ରହଣ କରୁଥିବା ଜଣାପଡ଼ିବା ପରେ ପୁରୀ ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ଓଏସଏପି ହାବିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଚାରିଦ୍ବାର ଦେଇ ଭକ୍ତଙ୍କ ପ୍ରବେଶ ନେଇ ବିଭିନ୍ନ ମହଲରୁ ଦାବି ହେଉଥିବା ବେଳେ ସିଂହଦ୍ବାର ବ୍ୟତୀତ ଅନ୍ୟ ତିନି ଦ୍ବାରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଛି ।

ଓଡ଼ିଶାକୁ ଭଣ୍ଡାଇବାରେ ମାହିର କେନ୍ଦ୍ର, ପୁଣି ଥରେ ଭାରତୀୟ ଖାଦ୍ୟ ନିଗମର ଅବହେଳା ଦିଶିଲା ଜଳଜଳ

ଭୁବନେଶ୍ୱର: ଓଡ଼ିଶା ପ୍ରତି ଭାରତୀୟ ଖାଦ୍ୟ ନିଗମର ଅବହେଳା ପିଛା ଛାଡ଼ୁନି । ରାଜ୍ୟର ଚାଷୀଙ୍କୁ ଯେପରି କେନ୍ଦ୍ର ସରକାର ସବୁ ସ୍ତରରେ ଉପହାସ କରିଚାଲିଛନ୍ତି । ୨୦୨୨-୨୩ ଖରିଫ ବର୍ଷରେ ଏଫସିଆଇ ଓଡ଼ିଶାରୁ ୭୧ ଲକ୍ଷ ମେଟ୍ରିକ୍ ଟନ୍ ବଳକା ଚାଉଳ ଉଠାଇବା କଥା । ଏନେଇ ଗତମାସରେ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟ ଖାଦ୍ୟମନ୍ତ୍ରୀଙ୍କ ବୈଠକରେ ରାଜ୍ୟ ସରକାର ଏହି ଦାବି ରଖିଥିଲେ । ହେଲେ ଓଡ଼ିଶାର ଦାବିକୁ କେନ୍ଦ୍ର ଯେପରି ଆଖି ବୁଜିଦେଇଛି । ଗତକାଲି କେନ୍ଦ୍ର ଖାଦ୍ୟ ରାଷ୍ଟ୍ରମନ୍ତ୍ରୀ ନିରଞ୍ଜନ ସାଧ୍ବୀ ରାଜ୍ୟସଭାରେ ଉତ୍ତର ରଖିଲେ । ଚଳିତ ମାସ ୧୩ ତାରିଖ ସୁଦ୍ଧା ଓଡ଼ିଶାରୁ ସଂଗ୍ରହ ହୋଇଛି ମାତ୍ର ୧୩ ଲକ୍ଷ ୫୩ ହଜାର ୨୩୯ ମେଟ୍ରିକ୍ ଟନ୍ ଚାଉଳ । କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ପ୍ରମାଣିତ କରୁଛି ଓଡ଼ିଶା ପ୍ରତି କିପରି ଲଗାତାର ଅବିଚାର କରିଚାଲିଛି ଭାରତୀୟ ଖାଦ୍ୟ ନିଗମ । ପ୍ରାୟ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏବେ ବି ବଳକା ଅଛି । ଅନ୍ୟପଟେ ଧାନ ସଂଗ୍ରହ ବାବଦରେ ଏବେ ବି ବକେୟା ପଡ଼ିରହିଛି ୧୧ ହଜାର କୋଟି ଟଙ୍କା ।

ଓଡ଼ିଶାର ଚାଷୀଙ୍କ ପ୍ରତି କେନ୍ଦ୍ର ଲଗାତାର ଉପହାସ କରିଚାଲିଛି । ଭାରତୀୟ ଖାଦ୍ୟ ନିଗମ ପ୍ରତିବର୍ଷ ଖରିଫରେ ଧାର୍ଯ୍ୟ ଚାଉଳ ସଂଗ୍ରହ ଠାରୁ କମ୍ ସଂଗ୍ରହ କରୁଛି । ଯେପରି ଓଡ଼ିଶା କେନ୍ଦ୍ର ସରକାରଙ୍କ ସଂଘୀୟ ବ୍ୟବସ୍ଥାରୁ ଅଲଗା । ରାଜ୍ୟର ଯୋଗାଣ ମନ୍ତ୍ରୀ କେନ୍ଦ୍ର ଖାଦ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଥିଲେ ୭୧ ଲକ୍ଷ ମେଟ୍ରିକ୍ ଟନ୍ । କିନ୍ତୁ ୩ ଗୁଣ ଚାଉଳ ବଳକା ପଡ଼ି ରହିଥିବା ବେଳେ କେନ୍ଦ୍ର ଖାଦ୍ୟ ରାଷ୍ଟ୍ରମନ୍ତ୍ରୀ ଗଦଗଦ୍ ହୋଇ ଓଡ଼ିଶାରୁ ଚାଉଳ ସଂଗ୍ରହ ନେଇ ସଂସଦରେ ଯେପରି ଉତ୍ତର ରଖିଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ଏଫସିଆଇ ଅବହେଳା ନେଇ ଲଗାତାର ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଆସୁଛନ୍ତି । ବକେୟା ଚାଉଳ ସଂଗ୍ରହ ନେଇ ବିଜୁ ଜନତା ଦଳ କେତେଥର ସ୍ଥାନୀୟ ଏଫସିଆଇ କାର୍ଯ୍ୟାଳୟ ଆଗରେ ଧାରଣା ବି ଦେଇଛି । ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ଦଳୀୟ ସାଂସଦ ବି ସଂସଦରେ ଏହି ପ୍ରସଙ୍ଗ ଉଠାଇଆସିଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ଅବିଚାର ପ୍ରତି ରାଜ୍ୟର ଚାଷୀ ବି ସଚେତନ ହେଲେଣି ।

ଗ୍ରାହକଙ୍କୁ ଆଶ୍ବସ୍ତି, ଏକମାସ କଲବଲ କରିବା ପରେ କମିଲା ପରିବା ଦର

କଟକ: ଗତ ଏକ ମାସ ଧରି ଖାଉଟିକୁ କଲବଲ କଲା ପରିବା ଦର । ଯାହାକୁ ଛୁଇଁବ ୮୦ ପାର । କିଲେ ପରିବର୍ତ୍ତେ ଅଢେଇ ଶହ ନେଇ ଚଳାଉଥିଲେ ଲୋକେ । ହେଲେ ଏବେ ନୂଆ ପରିବା ଆସିବା ସହ ବାହାର ଆମଦାନି ପହଞ୍ଚିବା ପରେ ସ୍ଥିତିରେ ସୁଧାର ଆସିଛି । ଦରବୃଦ୍ଧି ଯୋଗୁଁ ବିକ୍ରି ବଟା ବି ଭଲ ହେଉ ନଥିଲା । ଲୋକେ ପରିବା ବଦଳରେ ଆମିଷ ଉପରେ ଅଧିକ ନିର୍ଭର କରୁଥିଲେ । କଟକର ଛତ୍ରବଜାର ପରିବା ବଜାର ଏକପ୍ରକାର ଖାଁ ଖାଁ ଲାଗୁଥିଲା । ହେଲେ ଏବେ ନୂଆ ଅମଳ ଆସିବା ପରେ ଦରରେ ୫୦ ପ୍ରତିଶତ ହ୍ରାସ ପାଇଥିବା କହିଛନ୍ତି ବ୍ୟବସାୟୀ ।

ବାଇଗଣ ଦର ଯେଉଁଠି ୮୦ ଥିଲା ଏବେ ୪୦ ଟଙ୍କାରେ ମିଳୁଛି । ସେହିପରି ପୋଟଳ ୨୦ ରୁ ୩୦ ଟଙ୍କା, କାକୁଡି ୩୦ ରୁ ୪୦, କଖାରୁ ୧୫ ଟଙ୍କା, ଭେଣ୍ଡି ୨୦ରୁ ୨୫, ଅମୃତଭଣ୍ଡା ୧୫ ଟଙ୍କା, ଗାଜର ୩୦, କଞ୍ଚାଲଙ୍କା-୯୦, ବିନ୍ ୩୦ ଟଙ୍କାରେ ମିଳୁଛି । ତେବେ ଟମାଟୋ ଦର ୯୦ରୁ ୧୦୦ ଟଙ୍କା ରହିଛି । ଶ୍ରାବଣ ମାସରେ ପରିବା ଦର ଦେଖି ଚିନ୍ତାରେ ଥିଲେ ଖାଉଟି । ଏବେ ମୂଲ୍ୟ ହ୍ରାସ ପାଇଥିବାବେଳେ ଆଉ କିଛି ଦିନ ପରେ ଅମଳ ବଢିଲେ ଦର ଆହୁରି କମିପାରେ ବୋଲି ଲୋକେ କହିଛନ୍ତି ।

୪ ଅନାଥ ଶିଶୁଙ୍କୁ ସାହା ହେଲେ 5T ସଚିବ, ସହାୟତା ଯୋଗାଇବାକୁ ବିଡିଓଙ୍କୁ ଦେଇଥିଲେ ନିର୍ଦ୍ଦେଶ

କେନ୍ଦୁଝର: ୪ ଅନାଥ ଶିଶୁଙ୍କୁ ସାହା ହେଲେ 5T ସଚିବ ଭିକେ ପାଣ୍ଡିଆନ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ଗାଁର ମୁଣ୍ଡା ସାହିର ଘଟଣା । ବାପା ମାଆଙ୍କ ଅକାଳ ବିୟୋଗ ପରେ ଭାଙ୍ଗି ପଡ଼ିଥିଲେ ୪ ପିଲା । ଏହି ଖବର ଜାଣିବା ପରେ ସହାୟତା ଯୋଗାଇବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ 5T ସଚିବ । ହରିଶ୍ଚନ୍ଦ୍ର ଯୋଜନାରେ 4 ପିଲାଙ୍କୁ ୩ ହଜାର ଟଙ୍କା ପ୍ରଦାନ କରାଯାଇଛି । ପିଲାଙ୍କୁ ଆଶ୍ରମ ବିଦ୍ୟାଳୟରେ ରଖି ଶିକ୍ଷା ବ୍ୟବସ୍ଥା କରାଯିବା ସହ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି ବ୍ଲକ ପ୍ରଶାସନ ।