କଟକ: ମହାନଦୀକୁ ଗାଧୋଇବାକୁ ଯାଇ ଦୁଇ କଲେଜ ଛାତ୍ର ନିଖୋଜ । ମୁଣ୍ଡଳୀ ନିକଟସ୍ଥ ମହାନଦୀରେ ଘଟିଛି ଅଘଟଣ । ଅପରାହ୍ନରେ ଏକ ଘରୋଇ କଲେଜର ଦୁଇ ନାବାଳକ ଛାତ୍ର ମହାନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଯାଇଛନ୍ତି । ନିଖୋଜ ଛାତ୍ର ହେଲେ ଆଦିତ୍ୟ ଅଭିଶେକ ମଲ୍ଲିକ, ଦେବତୂଲ୍ୟ ଚୌଧୁରୀ । ଏମାନଙ୍କ ଘର କଟକ ମଙ୍ଗଳାବାଗ ଓ ଦେଉଳସାହି ବୋଲି ଜଣାପଡ଼ିଛି । ବାରଙ୍ଗ ଅଗ୍ନିଶମ ବାହିନୀ ଉଭୟଙ୍କୁ ଖୋଜାଖୋଜି କରୁଛି । ସେପଟେ ବାଙ୍କୀ ଥାନା ଗୟଳବାଙ୍କ ଦେବିଦ୍ୱାର ପୀଠରେ ଗାଧୋଇବା ବେଳେ ଭାସି ଯାଇ ଆଉଜଣେ ନିଖୋଜ ହୋଇଛନ୍ତି । ନିଖୋଜ ବ୍ୟକ୍ତି ହେଲେ ଗୟଳବାଙ୍କ ଗାଁର ଲିଟୁ ମହାପାତ୍ର ।
ପୋଲିସ ପରିଚୟ ଦେଇ ଠକେଇ, କମିଶନ ଲୋଭ ଦେଖାଇ ଲଗାଉଥିଲେ ଚୂନ
କଟକ: ଠକେଇର ଶିକାର ହେଲେ ପୋଲିସ୍ କର୍ମଚାରୀ । ନକଲି ପୋଲିସ ସାଜି ଲଗାଇଲ ଚୂନ । କମିଶନ ଲୋଭରେ ପଡ଼ି ହରାଇଲେ ଟଙ୍କା । ୪ ଜଣ ଠକଙ୍କୁ ବାନ୍ଧିଲା କଟକ ମଙ୍ଗଳାବାଗ ପୋଲିସ୍ । ଏକ ଲକ୍ଷ ୫୦୦ ଟଙ୍କିଆ ଦେଲେ ୧୦୦ ଓ ୨୦୦ ଟଙ୍କିଆ ଲକ୍ଷେ କୋଡିଏ ହଜାର ପାଇବ । ଏକଥରକେ ୨୦ ପ୍ରତିଶତ କମିଶନ । ଏପରି ଲୋଭ ଦେଖାଇ ସରକାରୀ ଚାକିରିଆ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ । କଟକ ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ ମାନସ ବାରିକ ଠକେଇର ଶିକାର ହେବା ପରେ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ପୋଲିସ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସରୋଜ କାନ୍ତ ଜେନା ସମେତ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪ ଭରି ସୁନା, ୧ ଲକ୍ଷ ୩୨ ହଜାର ନଗଦ ଟଙ୍କା ସହ ଏକ କାର ଜବତ କରିଛି । ତେବେ ଗ୍ୟାଙ୍ଗର ଦୁଇଜଣ ସଦସ୍ୟ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ଠକେଇ ମାମଲା ରହିଛି । ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।
ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସରୋଜ ନିଜକୁ ସ୍ପେଶାଲ ସ୍କ୍ବାଡ ପୋଲିସ ପରିଚୟ ଦେଇ ଠକେଇ ପାଇଁ ଲୋକ ଯୋଗାଡ଼ କରୁଥିଲା । ଅନ୍ୟ ଅଭିଯୁକ୍ତ ରାଜେଶ ଖୁଣ୍ଟିଆ, ସୁଶାନ୍ତ ସେଠୀ, ମନୋଜ ପଟ୍ଟନାୟକ ଓ ୨ ଫେରାର ଥିବା ସଦସ୍ୟ କାରବାରକୁ କାର୍ଯ୍ୟକାରୀ କରୁଥିଲେ । ଲୋକ ଅଧିକ ଟଙ୍କା ପାଇବା ଲୋଭ ଦେଖାଇ ଏକ ସୁରକ୍ଷିତ ସ୍ଥାନକୁ ଡକାଇ ପ୍ରଥମେ ଟଙ୍କା ନେଉଥିଲେ । ପରେ ପୋଲିସ ଆସୁଥିବା ଡର ଦେଖାଇ ଏକ କଳା ବ୍ୟାଗରେ କାଗଜବିଡାରେ କିଛି ୧୦୦, ୨୦୦ ଟଙ୍କିଆ ଲଗାଇ ତାଙ୍କୁ ଧରାଇଦେଇ ଚମ୍ପଟ ମାରୁଥିଲେ । ଏକ କାରବାର ପାଇଁ ମସୁଧା ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ୍ । ଏପରି ଲୋଭରେ ବସବର୍ତ୍ତି ନହୋଇ ଘଟଣା ନଜର ଆସିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ଦେଇଛି ପୋଲିସ୍ ।
ଖୋଲିବ ରାଜ୍ୟର ପ୍ରଥମ ହାଇଟେକ୍ ଆହାର କେନ୍ଦ୍ର, ୫ କୋଟି ଟଙ୍କାରେ ସୌନ୍ଦର୍ଯ୍ୟକରଣ କରୁଛି CMC
କଟକ: ଖୋଲିବ ପ୍ରଥମ ହାଇଟେକ ଆହାର କେନ୍ଦ୍ର । କଟକ ନେତାଜୀ ବସ୍ ଟର୍ମିନାଲରେ ଅତ୍ୟାଧୁନିକ କେନ୍ଦ୍ର । ଶୀତତାପ ନିୟନ୍ତ୍ରିତ କେନ୍ଦ୍ରରେ ମିଳିବ ଭୋଜନ । ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ । କଟକ ନେତାଜୀ ବସ୍ ଟର୍ମିନାଲରେ ଖୋଲିବାକୁ ଯାଉଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଆହାର କେନ୍ଦ୍ର । ଶୀତତାପ ନିୟନ୍ତ୍ରିତ ଏହି ବିଲ୍ଡିଙ୍ଗରେ ଏକାସାଙ୍ଗରେ ଦେଢ ଶହରୁ ଦୁଇଶହ ଲୋକ ବସି ଖାଇବାର ବ୍ୟବସ୍ଥା କରାଯାଇଛି । ତାରକା ହୋଟେଲ ଢାଞ୍ଚାରେ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଛି । ଖାଲି ସେତିକି ନୁହେଁ ଖବରକାଗଜ, ପତ୍ରିକା ପଢିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ସମସ୍ତ ବ୍ୟବସ୍ଥା ଫୁଲ୍ ଅଟୋମେଟିକ୍ କରାଯାଇଛି । କଟକ ମହାନଗର ନିଗମ ପକ୍ଷରୁ ୫ କୋଟି ଟଙ୍କା ବ୍ୟୟରେ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହାକୁ ଯାତ୍ରୀମାନେ ସ୍ୱାଗତ କରିଥିବବେଳେ କଟକର ମାଆ ତାରିଣୀ SHG କୁ ଦାୟିତ୍ୱ ଦେଇଛି CMC ।
କିଛିଦିତ ତଳେ ଇନଷ୍ଟାଗ୍ରାମରେ ଏହାର ଫଟୋ ସେୟାର କରିଥିଲେ 5T ସଚିବ । ତେବେ ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାହାର ରାସ୍ତା କାମ କରାଯାଉଛି । ଖୁବଶୀଘ୍ର ଏହାର ଉଦଘାଟନ ହେବ । ସହରର ବାଦାମବାଡ଼ି, ବଡ଼ ଡାକ୍ତରଖାନା, ସିଟି ହସ୍ପିଟାଲ, ଶିଶୁ ଭବନ, ଜଗତପୁର, ମାଲଗୋଦାମ ଆଦି ଅଞ୍ଚଳଗୁଡିକରେ ଆହାର କେନ୍ଦ୍ର ପରିଚାଳିତ ହେଉଛି । ତେବେ ବସଷ୍ଟାଣ୍ଡ ନିକଟରେ ଏହି ଅତ୍ୟାଧୁନିକ ଆହାର କେନ୍ଦ୍ରରେ ଗୋଟିଏ ସ୍ଥାନରେ ଲୋକେ ଆହାର ଯୋଜନାରେ ଭାତ, ଡାଲମା, ଆଚାର ଖାଇବା ସହିତ କାଫେରୁ ଖାଦ୍ୟ କିଣିବାର ସୁବିଧା ପାଇପାରିବେ । ସୁନ୍ଦର ଆଲୋକ ସହ ଦାମୀ ଚୌକି, ଟେବୁଲ, ବେସିନ, ମାଗଣା ଓ୍ୱାଇଫାଇ ସୁବିଧା ମିଳିବ । ଲୋକଙ୍କ ମନୋରଞ୍ଚନ ପାଇଁ ଦୁଇଟି ବଡ଼ LED ଡିସପ୍ଲେ ଲଗାଯାଇଛି । CNBT କାର୍ଯ୍ୟକ୍ଷମ ହେବାପରେ ଏଠାରେ ୧୮୦ଟି ବସର ରହିବା ବ୍ୟବସ୍ଥା କରାଯାଇଛି । ସମସ୍ତ ଯାତ୍ରୀ ଆରାମଦାୟକ ଯାତ୍ର ସହ ଆହାର କେନ୍ଦ୍ରରେ ବସି ଖାଇବାର ସୁଯୋଗ ପାଇବେ ।
କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଗୁଳିକାଣ୍ଡ, ଗୁଳିମାଡ଼ରେ ଜଣେ ଯୁବକ ମୃତ
କଟକ: କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଗୁଳିକାଣ୍ଡ । ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଚିନ୍ତାମଣି ସାହୁ । ଚିନ୍ତାମଣି ସୁଭଦ୍ରାପୁରରେ ଘରେ ଭଡ଼ା ନେଇ ରହୁଥିଲେ । ଦୁଇ ଦୁର୍ବୃତ୍ତ ବାଇକରେ ଆସି ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି । ଚିନ୍ତାମଣିଙ୍କ ମୁଣ୍ଡରେ ଗୁଳି ବାଜିଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ୍ ଆରମ୍ଭ କରିଛି ।
ଜଗ୍ ସାହାଯ୍ୟରେ ଉପରକୁ ଉଠୁଛି ଜଗନ୍ନାଥ ମନ୍ଦିର, ମନ୍ଦିରକୁ ୭ଫୁଟ ଉଚ୍ଚା କରୁଛନ୍ତି ହରିୟାଣା କାରିଗର
ଗଞ୍ଜାମ: ଜଗରେ ଉପରକୁ ଉଠୁଛି ଜଗନ୍ନାଥ ମନ୍ଦିର । ୬ରୁ ୭ ଫୁଟ ଉପରକୁ ଉଠାଉଛନ୍ତି ହରିୟାଣା କାରିଗର । ପୁରାତନ କୀର୍ତ୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ଗ୍ରାମବାସୀଙ୍କ ପଦକ୍ଷେପ । ଗଞ୍ଜାମ ଜିଲ୍ଲା ରମ୍ଭା ବିଜ୍ଞାପିତ ଅଂଚଳର ସର୍ବପୁରାତନ ଜଗନ୍ନାଥ ମନ୍ଦିରରୁ ଉପରକୁ ଉଠାଯାଉଛି । ମନ୍ଦିରକୁ ଅଢେଇ ଶହ ବର୍ଷ ତଳେ ବିରୁଳି ଗଡ଼ର ରାଜା ନିର୍ମାଣ କରିଥିଲେ । କିନ୍ତୁ ଧିରେ ଧିରେ ଜନବସତି ବଢ଼ିବା ସହ ବାରମ୍ବାର ରାସ୍ତା ନିର୍ମାଣ ଯୋଗୁ ମନ୍ଦିର ପୋତି ହୋଇ ଯାଇଥିଲା । ଫଳରେ ପୁରାତନ କଳା ଓ ସଂସ୍କୃତିକୁ ବହନ କରୁଥିବା ଏହି ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ଗ୍ରାମବସୀ ଉପରକୁ ଉଠାଇବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ହରିୟାଣାର ଟିଡିବିଡି ହାଉସ ଲିପ୍ଟିଙ୍ଗ କମ୍ପାନୀ ସହିତ ଯୋଗାଯୋଗ କରି ମନ୍ଦିର ଉଠାକାର୍ଯ୍ୟ ଆରମ୍ଭ କରିଥିଲେ ।
୩ ରୁ ୫ ମାସ ଭିତରେ କାମ ସାରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ହରିୟାଣା କାରିଗର । କାମ ପାଇଁ ୪୦୦ ଜଗ୍ ଓ ୮ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ମନ୍ଦିର ଉଠା ପାଇଁ ବର୍ଗଫୁଟକୁ ୨୫୦ ଟଙ୍କା ନେଉଛି କମ୍ପାନୀ । ଓଡ଼ିଶା ଓ ଓଡିଶା ବାହରେ ଏଭଳି ଅନେକ କାମ ସୂଚାରୂ ରୂପେ ସମ୍ପାଦନ କରିଛି କମ୍ପାନୀ । ଅଞ୍ଚଳରେ ଏଭଳି କାର୍ଯ୍ୟ ପ୍ରଥମଥର ହେଉଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ଗହଳି ଜମୁଛି ।
କଳାହାଣ୍ଡିରେ ଖୁସିର ଲହରୀ, ଉତ୍କେଲା ବିମାନବନ୍ଦରରୁ ଖୁବଶୀଘ୍ର ଉଡ଼ିବ ବିମାନ
କଳାହାଣ୍ଡି: ଆକାଶମାର୍ଗରେ ନୂଆ ଇତିହାସ ସୃଷ୍ଟି କରିବ କଳାହାଣ୍ଡି । ବିଶ୍ଵ ଦରବାରରେ ସ୍ୱତନ୍ତ୍ର ପରିଚୟ ପାଇବ ଉତ୍କେଲା । କଳାହାଣ୍ଡିର ଉତ୍କେଲା ବିମାନବନ୍ଦରକୁ ମିଳିଛି ୨- ବି ଲାଇସେନ୍ସ । ଖୁବଶୀଘ୍ର ଉଡ଼ିବ ବିମାନ । ୧୯୬୨ ମସିହାରେ ସ୍ଥାପନ ହୋଇଥିଲା ଉତ୍କେଲା ଏୟାରଷ୍ଟ୍ରିପ୍ । ଏହା ୧୨ରୁ ୫୦ ସିଟ୍ ବିଶିଷ୍ଟ ଏୟାରକ୍ରାଫ୍ଟ ପାଇଁ ଉଦ୍ଦିଷ୍ଟ ଥିଲା । ୨୦୧୬-୧୭ରେ ଉଡ଼ାନ ଯୋଜନାରେ ଉତ୍କେଲା ବିମାନବନ୍ଦର ସାମିଲ ହେବା ପରେ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମେ ୩ କୋଟି ଟଙ୍କା ପ୍ରଦାନ କରିଥିଲେ । ଏଥିରେ ରନୱେ ନିର୍ମାଣ ସହ ପାରିପାର୍ଶ୍ବିକ ବିକାଶ କରାଯାଇଥିଲା । ପରେ ଆହୁରି ଅନୁଦାନରେ ଅଧିକ ଉନ୍ନତି ହୋଇଛି ।
୫୫ କୋଟି ଟଙ୍କାରେ ଉତ୍କେଲା ଏୟାରପୋର୍ଟ ସମ୍ପ୍ରସାରିତ ହୋଇଛି । ଗତ ମାସରେ ଡିଜିସିଆଇର ୪ ଜଣିଆ ଟିମ୍ ବିମାନ ବନ୍ଦରର ଟିକନିଖ୍ ଯାଞ୍ଚ କରି ସନ୍ତୋଷ ପ୍ରକାଶ କରିଥିଲେ। ସୋମବାର ଏୟାରପୋର୍ଟକୁ ୨-B ଲାଇସେନ୍ସ ମିଳିଛି । ଏହି ବିମାନବନ୍ଦର କାର୍ଯ୍ୟକାରୀ ହେଲେ କଳାହାଣ୍ଡି ସହିତ ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାବାସୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ କଳାହାଣ୍ଡି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିକ୍ଷେତ୍ରରେ ବୈପ୍ଲବିକ ବିକାଶ ହୋଇଥିବା ବେଳେ ଏବେ ଆକାଶମାର୍ଗରେ ଯୋଗାଯୋଗ ହୋଇପାରିବ ।
ସ୍କୁଟି ଚଢ଼ିବେ ମିଶନ ଶକ୍ତି ମା’, ପ୍ରଥମ ପର୍ଯ୍ୟାୟରେ ୨ ଶହରୁ ଅଧିକ ମହିଳାଙ୍କ ଆବେଦନ
ଗଞ୍ଜାମ: ସ୍କୁଟି ଚଢ଼ିବେ ମିଶନ ଶକ୍ତି ମହିଳା । ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା। ଏହି ଯୋଜନା ଅଧିନରେ ଜିରୋ ପ୍ରତିଶତ ସୁଧ ବା ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସ୍କୁଟର କିଣିପାରିବେ ମହିଳା। ମା’ଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି ରାଜ୍ୟ ସରକାର । ଏବେ ମହିଳାଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ଏଥିରେ ସାମିଲ ପାଇଁ ଗଞ୍ଜାମ ଦିଗପହଣ୍ଡିରେ ଆବେଦନ ପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ଯୋଜନା ଅଧୀନରେ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ମହିଳାମାନେ କିଣି ପାରିବେ ସ୍କୁଟର ।
ମିଶନ ଶକ୍ତି ସ୍କୁଟର ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୨୫ ଆବେଦନ ପତ୍ର ସଂଗ୍ରହ ହୋଇଛି । ବ୍ଲକରେ ସମସ୍ତ କମ୍ପାନୀର ସ୍କୁଟର ରଖାଯାଇଛି। ଏସବୁ ସ୍କୁଟର ପସନ୍ଦ କରି ଟେଷ୍ଟ ଡ୍ରାଇଭ ନେବା ପରେ ନିଜ ପସନ୍ଦର ସ୍କୁଟି ପାଇଁ ଆବେଦନ କରିଛନ୍ତି ମହିଳା । ସେପଟେ ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଟର ପାଇଁ ୩୦୦ରୁ ଉର୍ଦ୍ଧ୍ବ ମହିଳା ଆବେଦନ କରିପାରନ୍ତି ବୋଲି କହିଛନ୍ତି ମିଶନ ଶକ୍ତିର ବିପିସି । ମହିଳାମାନେ କେମିତି ସହଜରେ ରୋଜଗାର କରିପାରିବେ । ଦୈନଦିନ କାର୍ଯ୍ୟକୁ ସହଜ ସରଳ କରିପାରିବେ । ସେନେଇ ରାଜ୍ୟ ସରକାର ଆରମ୍ଭ କରିଥିବା ସ୍କୁଟର ଯୋଜନାକୁ ପ୍ରଶଂସା କରିଛନ୍ତି ମହିଳା ।
ପୁରୀରେ ବୁଲୁଛି ବାରହା, ଲୋକେ ଆତଙ୍କିତ
ପୁରୀ: ପୁରୀରେ ବାରହା ଆତଙ୍କ । ଚାରି ନଳାରେ ବାରହା ବୁଲୁଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥ ଉପରେ ବାରହାଟି ଚାଲି ଚାଲି ଯାଉଥିବାବେଳେ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି । ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିବାବେଳେ ବନ ବିଭାଗର ଘଟଣାସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି । ତେବେ ବାରହାଟି ସହରକୁ କେଉଁଠୁ ଓ କେମିତି ଆସିଲା ସେନେଇ ପ୍ରଶ୍ନ ଉଠିଛି ।
ସଂସଦରେ ରାହୁଲ, ମଣିପୁର ସହ ପୁଣି ଆଦାନୀ ପ୍ରସଙ୍ଗରେ ଟାର୍ଗେଟ କରିବେ ରାହୁଲ
ନୂଆଦିଲ୍ଲୀ: ସଂସଦରେ ରାହୁଲ । ବିଜେପିକୁ ଡର । ଏବେ ଯାଏଁ ସାଂସଦରେ ବିରୋଧୀ କେବଳ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିବା ବେଳେ ଆଜି ସଦନକୁ ଫେରି ପୁଣି ଥରେ ଆଦାନି ପ୍ରସଙ୍ଗ ଉଠାଇପାରନ୍ତି ରାହୁଲ । ବିରୋଧୀ ନେତାଙ୍କ ମଧ୍ୟରୁ ରାହୁଲ ଗାନ୍ଧୀ ପ୍ରଥମେ ମଣିପୁର ଯାଇ ପୀଡ଼ିତଙ୍କୁ ଭେଟିବା ସହ ରିଲିଫ କ୍ୟାମ୍ପ ଓ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ । ମଣିପୁରର ଗ୍ରାଉଣ୍ଡ ଜିରୋ ରିପୋର୍ଟ ଆଧାରରେ ସରକାରଙ୍କ ଉପରେ ହମଲା କରିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବିଜେପିର ଶୀର୍ଷ ନେତା ସବୁସ୍ତରରେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବା ଦ୍ବାରା ରାହୁଲଙ୍କ ଇମେଜରେ ଅନେକ ସକାରାତ୍ମକ ପରିବର୍ତ୍ତନ ହୋଇଥିବା ପରିଲକ୍ଷିତ ହୋଇଛି ।
ଏହାଛଡ଼ା ଭାରତ ଯୋଡ ଯାତ୍ରା ପରେ ସାରାଦେଶରେ ରାହୁଲଙ୍କ ପଲିଟିକାଲ ଇମେଜ ବଦଳିଥିବା ବେଳେ ବିରୋଧୀଙ୍କ ଜଣେ ବଡ଼ ନେତା ଭାବେ ଉଭା ହୋଇଛନ୍ତି । ମଣିପୁର ହିଂସା ସ୍ଥିତି ନୁହ ଗୋଷ୍ଠୀ ବିବାଦ ପରେ ରାହୁଲଙ୍କ ମହବତ୍ କି ଦୁକାନ ନାରେଟିଭ ଅଧିକ ଗ୍ରହଣୀୟ ହେଉଥିବା ଦେଖାଯାଉଛି । ଏକାଧିକ ରାଜ୍ୟରେ ହିଂସା, ଗୋଷ୍ଠୀ ସଂଘର୍ଷ ବିରୋଧୀଙ୍କ ପାଇଁ ସବୁଠୁ ବଡ଼ ମୁଦ୍ଦା ପାଲଟିଛି । ସେହିପରି ପ୍ରଧାନମନ୍ତ୍ରୀ ଚେହେରା ଭାବେ ରାହୁଲଙ୍କ ଲୋକପ୍ରିୟତା ମଧ୍ୟ ବଢ଼ିଛି । ନିର୍ବାଚନୀ ବର୍ଷ ୨୦୧୪ରେ ରାହୁଲଙ୍କୁ ୧୪ ପ୍ରତିଶତ ପ୍ରଧାନମନ୍ତ୍ରୀ ଚେହେରା ଭାବେ ପସନ୍ଦ କରୁଥିବା ବେଳେ ୨୦୧୯ରେ ୨୪ ପ୍ରତିଶତ ଓ ୨୦୨୩ରେ ୨୭ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି ।
କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଲା ବିଜେଡି
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଲା ବିଜେଡି । ବିଜେଡି ପକ୍ଷରୁ ବିରୋଧୀ ମେଣ୍ଟ I.N.D.I.Aର ଅନାସ୍ଥାକୁ ବିରୋଧ କଲେ ପିନାକୀ ମିଶ୍ର । ଏହି ସମୟରେ କେନ୍ଦ୍ର ସରକାର ଅନେକ ପ୍ରସଙ୍ଗରେ ସହଯୋଗ କରିଆସୁଛି ବୋଲି କହିଛନ୍ତି ପିନାକୀ । ତଥାପି ଏମିତି ଅନେକ ପ୍ରସଙ୍ଗ ରହିଛି କେନ୍ଦ୍ର ତାହା ପୂରଣ କରିନି । ତଥାପି ଅନାସ୍ଥାକୁ ଆମେ ସମର୍ଥନ କରିବୁ ନାହିଁ । ଏଥିସହ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ଦାବି କଲେ ପିନାକୀ ମିଶ୍ର । ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ବିଜେଡି ବାରମ୍ବାର ଦାବି କରିଆସୁଛି । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ଏହି ବିଲ୍ ଆଗତ କରିବା ଆବଶ୍ୟକ ବୋଲି ପିନାକୀ ମିଶ୍ର କହିଛନ୍ତି ।

